STORYMIRROR

Baidyanath Panda

Tragedy Others

4  

Baidyanath Panda

Tragedy Others

ମୁଁ ଶବ କହୁଛି

ମୁଁ ଶବ କହୁଛି

1 min
262


ମୋ ପିଣ୍ଡରୁ ଏଇ ମାତ୍ର ଜୀବ ଗଲା

ମୋ ଶରୀର ନିର୍ବିଷ କି ନିସ୍ତେଜ ହେଇନି

ତୁମେ ମତେ ଶବ କହୁଛ

ମୋ ପାଇଁ ରୋଦନ କରୁଛ

କିନ୍ତୁ ମନେ ରଖ ହେ ଲବ୍ଧକ ସ୍ୱାର୍ଥନ୍ବେଷ ମଣିଷ

ମୁଁ ମରିବାର ବହୁ ଆଗରୁ

ଶବ ହେଇସାରିଛି ।

ଶୈଶବରୁ କୈଶୋର ଯାଏ ଶିବ ଥିଲି

ଶାନ୍ତ ଥିଲି ସୁନ୍ଦର ବି ଥିଲି

ଯେବେଠୁକୈଶୋରକୁ ବିଦାୟ ଦେଇ

ଯୌବନକୁ ସ୍ୱାଗତ କଲି

ସେବେଠୁ ମୁଁ ଶବ ହେଇଯାଇଛି ।

ଯେବେ ଠାରୁ ଆମେର ସମ୍ଭାଷଣ

ମୋ ପାଖରୁ ବିଦାୟ ନେଲା

ମୁଁ, ମୁଁ ର ରାକ୍ଷସର କବଳରେ

କବଳିତ ହେଲି

ସେଇ ଦିନରୁ ମୁଁ ଶିବରୁ ଶବ ହେଇ

କାହାର ଖୁସି ଛଡାଇ ନେଇଛିତ

କାହାର ଅର୍ଥକୁ ଅନ୍ୟାୟରେ ଛଡାଇ ଆଣି

କାହାର ଜୀବିକାକୁ ନଷ୍ଟ କରିଛି

କେଉଁ ଯୁବତୀର ଯୌବନ କୁ

ମଦମତ୍ତ ହସ୍ତୀ ପଦ୍ମବନ କୁ ଦଳିଲା ଭଳି

ନଷ୍ଟ ଭ୍ରଷ୍ଟ କରିଛି

ନିଜ ଯୌବନକୁ ପରିପ୍ରକାଶ କରିବାକୁ ଯାଇ

କିଛି ପାଇନି କେବଳ ପାଇଛି

ଘୃଣିତ ଅସାମାଜିକ ବ୍ୟକ୍ତି ବୋଲି

ଏକ ଚରିତ୍ରର ପ୍ରମାଣ ପତ୍ର

ମୋ ଶରୀରରୁ ଏବେ ଏବେ ଆତ୍ମା ଛାଡିଗଲା

ଏହାର ବହୁ ପୂର୍ବରୁ ମୁଁ ଏ ସମାଜରେ

ବାସ କରୁଥିବା ଲୋକମାନଙ୍କ ପାଇଁ

ମରି ସାରିଥିଲି ।

ବସ୍ତିରୁ ସହର ସମସ୍ତଙ୍କ ପାଇଁ ଥିଲି ମୁଁ ଶବ

କାରଣ ଯିଏ ବି ମତେ ଦେଖୁଥିଲେ

ମୋ ପଛରେ କହୁଥିଲେ

ଏମିତି ଲୋକ ମରିଯିବା ଭଲ

ଯିଏ ସମାଜର ହିତରେ ନୁହେଁ

ନିଜର ସ୍ୱାର୍ଥକୁ ଚରିତାର୍ଥ କରିବାକୁ

କିଛି ବି କରିପାରେ

ସେ ଏ ସମାଜ ପାଇଁ ଅଶୁଭ

ତା ଦେହରେ ଶିବ ନଥାଏ ସେ ଶବ

କାରଣ ଶବର କିଛି ପ୍ରତିକ୍ରିୟା ନଥାଏ

ଯେମିତି ମୋର ନଥିଲା ଦୟା ମାୟା

ଆଉ ଭଲ ପାଇବା

ମୁଁ କେବଳ ମୋର ଥିଲି

ତେଣୁ ଶବ ହେଇ ବଞ୍ଚିଥିଲି

ମୋ ଦେହରେ ଶିବର ସତ୍ତା ନଥିଲା

ତେଣୁ ମୁଁ ପ୍ରତିମୁହୂର୍ତ୍ତରେ

ଏ ସମାଜର ଅଶୁଭ ଚିନ୍ତା କରୁଥିଲି

ତେଣୁ ମୋ ଶରୀରରୁ ଆତ୍ମା ଛାଡିବାର

ବହୁ ପୂର୍ବରୁ ମୁଁ ଶବ ହେଇ କହୁଛି

ହେ ମଣିଷ ମୋ ପରି କେହି ହୁଅନାହିଁ

ଶିବ ନାମର ସାର୍ଥକତା ରଖ

ଏ ବିଶ୍ୱ ଶିବମୟ ହେଇ ଉଠୁ

ମୁଁ ଶବ କହୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy