Sanjukta Rout

Tragedy

3  

Sanjukta Rout

Tragedy

ମୃତ୍ୟୁର ବିଭୀଷିକା

ମୃତ୍ୟୁର ବିଭୀଷିକା

2 mins
716


ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଆଜି ଖୁବ୍ ଅଣନିଶ୍ଵାସୀ ପାଲଟି ଯାଉଥିଲେ ବିନୋଦ ବାବୁ । ମନ ମଧ୍ୟରେ ସ୍ମୃତି ଚାରଣ କରୁଥିଲା ବିଗତ ଦିନର ଘଟଣାବଳୀ । ଘଟଣା ତ ନୁହେଁ , ନିଜ ଅଙ୍ଗେନିଭା ଜୀବନ କାହଣୀ । ସେଦିନର ସେହି ମର୍ମନ୍ତୁଦ ମୁହୂର୍ତ୍ତ ଆଜିବି ଥରେଇ ଦେଉଛି ତାଙ୍କର ସମଗ୍ର ସତ୍ତାକୁ । ଭୟରେ ଟାଙ୍କୁରି ଉଠୁଛି ପ୍ରତିଟି ଲୋମମୂଳ । 


     ଡିସେମ୍ବର ଛୁଟି ମନାଇବାକୁ ସୁଦୂର ଜର୍ମାନୀରୁ ପୁଅ , ବୋହୂ ଆଉ ନାତି ଫେରିଛନ୍ତି ଘରକୁ । ୪ବର୍ଷର ନାତି ସିପୁନ୍ ସହ ଖୁସିରେ ଖୁସିରେ ଅତିବାହିତ ହୋଇଯାଉଥିଲା ତାଙ୍କର ଅବସରପ୍ରାପ୍ତ ଭାରାକ୍ରାନ୍ତ ଜୀବନର ଅବଶିଷ୍ଟ ସମୟତକ । 


    ସେଦିନ ଥାଏ ଡିସେମ୍ବର ୨୭ ତାରିଖ । ସ୍ତ୍ରୀ ସୁମତୀ , ବୋହୂ ପ୍ରଜ୍ଞା , ପୁଅ ଅଖିଳେଶ ଆଉ ନାତି ସିପୁନ୍ କୁ ସାଙ୍ଗରେ ଧରି ସେ ବାହାରିଲେ ଫାମିଲ୍ ପିକନିକରେ । ଯାତ୍ରା ତାଙ୍କର ଆରମ୍ଭ ହେଲା କଟକସ୍ଥିତ ନିଜ ବାସଭବନ "ଆନନ୍ଦ ନିବାସ"ରୁ ପୁରୀ ଆଉ କୋଣାର୍କ ଅଭିମୁଖେ । ସମୟ ସେତେବେଳକୁ ପ୍ରାୟ ସକାଳ ୮ଟା ହେବ । ଇଚ୍ଛା ଥିଲା ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ସାରିବେ ତା' ପରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖି ବୁଲାବୁଲି କରି ଫେରିବେ । 


    ପୁଅ ଅଖିଳେଶ କାର୍ ଡ୍ରାଇଭ କରୁଥିଲେ । ଗାଡିର ବେଗ ମଧ୍ୟ ବେଶୀ ନ ଥିଲା । ପୁରୀ ଭୁବନେଶ୍ଵର ରାସ୍ତାରେ ତାଙ୍କ କାର୍ ଆଗକୁ ବଢୁଥିଲା । କାର୍ ର ଗତି ସହ ବଢ଼ି ଚାଲିଥିଲା ସମସ୍ତଙ୍କ ମନର ଉତ୍ସାହ । ଅନ୍ତାକ୍ଷରିର ସରଗରମ ମାହୋଲ୍ ବି ଜୋର୍ ଧରିଥିଲା କାର୍ ଭିତରେ । ସମସ୍ତେ ଖୁବ୍ ଖୁସିଥାନ୍ତି । କିଏ ଜାଣିଥିଲା ମୃତ୍ୟୁ ହାତ ଠାରି ତା'ରି ଆଡ଼କୁ ଯେମିତି ଡାକି ନେଉଥିଲା ଏ ହସ ଖୁସିର ପରିବାରଟିକୁ । ହଠାତ୍ ସମ୍ନାରୁ ଦ୍ରୁତ ବେଗରେ ମାଡ଼ି ଆସିଲା ଦଶଚକିଆ ବ୍ରେକଫେଲ୍ ଟ୍ରକଟି । 

           

      କିଂକର୍ତ୍ତବ୍ଯବିମୁଢ ଅଖିଳେଶ ଷ୍ଟିୟରିଂ ବୁଲାଉ ବୁଲାଉ ରକ୍ତମୁଖା ମୃତ୍ୟୁ ଦାନବଟିଏ ମାଡିଆସିଲା ତାଙ୍କ କାର୍ ଉପରକୁ । ଆଖି ପିଛୁଳାକେ ସବୁକିଛି ଯେମିତି ଶେଷ ହୋଇଗଲା । ଘଟଣାସ୍ଥଳରେ ହିଁ ଅଖିଳେଶ ଆଉ ପ୍ରଜ୍ଞାଙ୍କର ମୃତ୍ୟୁ ହୋଇସାରିଥିଲା । ମେଡିକାଲ୍ ଯିବା ବାଟରେ ସୁମତୀ ଆଉ ସିପୁନର । ସଂଜ୍ଞାହୀନ ଅବସ୍ଥାରେ ୨ମାସ ମେଡିକାଲ୍ ବେଡ଼ରେ ପଡିରହି , ଯେଉଁଦିନ ଚେତା ପାଇ ଜାଣିବାକୁ ପାଇଲେ ଯେ ସେହି ଦୁର୍ଘଟଣାରେ ତାଙ୍କ ସାରା ପରିବାର ସହ ସେ ହରାଇଥିଲେ ନିଜର ଗୋଡ ଦୁଇଟି , ତାଙ୍କୁ ଲାଗିଲା ସତେ ଯେପରି ବିସ୍ତୀର୍ଣ୍ଣ ଆକାଶଟି ତାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡିଛି, ପାଦ ତଳର ପୃଥିବୀ ରସାତଳଗାମୀ ହୋଇଯାଇଛି । 


      ଡିସଚାର୍ଜ ହେବା ପରେ ସେ ଆଉ ଫେରି ନ ଥିଲେ ଘରକୁ , ମେଡିକାଲ ବେଡ଼ରୁ ସିଧା ଆସିଥିଲେ ଏହି ବୃଦ୍ଧାଶ୍ରମକୁ , ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିକୁ ବୃଦ୍ଧାଶ୍ରମ ନାଁ ରେ ରେଜେଷ୍ଟ୍ରି କରିଦେଇ । ଏହା ଭିତରେ ତପ୍ତ ଅଶ୍ରୁ ଦୁଇ ଧାର କେତେବେଳେ ଯେ ଆଖିରୁ ବୋହି ଆସି ତାଙ୍କ ଗଣ୍ଡ ଦେଶକୁ ଛୁଇଁଯାଇ ସିକ୍ତ କରିଦେଲାଣି , ଜାଣିପାରି ନାହାଁନ୍ତି ସେ । ପଛରୁ କାହାର ଡାକ ଶୁଣି ସେ ଚମକି ପଡିଲେ , ଦେଖିଲେ ତାଙ୍କ ପଛରେ ଠିଆହୋଇଛି ବୃଦ୍ଧାଶ୍ରମର ଖାଦ୍ୟ ପରଷୁଥିବା ପିଲାଟି । କହୁଛି ସାର୍ ଆସନ୍ତୁ ଡାଇନିଂକୁ ,ସମସ୍ତେ ପରା ଖାଇବା ପାଖରେ ଆପଣଙ୍କୁ ଅପେକ୍ଷା କରିଛନ୍ତି । ତୁ ଚାଲ , ମୁଁ ଯାଉଛି କହି ଆଖିର ଲୁହକୁ କାନ୍ଧରେ ପଡିଥିବା ଗାମୁଛାରେ ପୋଛିଦେଇ ହ୍ଵିଲ୍ ଚେୟାରକୁ ବୁଲାଇଲେ ଡାଇନିଂ ରୁମ ଆଡକୁ ।



Rate this content
Log in

Similar oriya story from Tragedy