DrPrafulla Pany

Tragedy

4  

DrPrafulla Pany

Tragedy

ମଙ୍ଗଳସୂତ୍ର

ମଙ୍ଗଳସୂତ୍ର

7 mins
67


ଓଡିଶା ସରକାର ଦକ୍ଷିଣ କୋରିଆର ବୃହତ୍ ଇସ୍ପାତ କଂପାନି ପୋସ୍କୋ ସହିତ ଚୁକ୍ତି ସ୍ବାକ୍ଷର କଲାପରେ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଅଞ୍ଚଳର ଜନସାଧାରଣଂକମଧ୍ୟରେ ଆଶା ଏବଂ ନିରାଶାର ଭାବ ସଞ୍ଚାର ହୋଇଥିଲା । ସେ ଅଞ୍ଚଳର କେତେକ ପଞ୍ଚାୟତବାସୀ ଏହି ବୃହତ୍ ଶିଳ୍ପକୁ ସମର୍ଥନ କରି ଅସୁମାରୀ ଆଶାର ସ୍ବପ୍ନରେ ବୁଡିଯାଇଥିଲେତ' ଆଉ କେତେକ ପଞ୍ଚାୟତବାସିନ୍ଦା ଏହାର ଉପସ୍ଥିତିକୁ ଘୋର ବିରୋଧକରି ଧାନ,ମୀନ,ପାନର ନାରାଦେଇ ପ୍ରାଣବଳି ଦେବାକୁ ପଛେଇ ନଥିଲେ । ପୋସ୍କୋ ସପକ୍ଷବାଦୀ, ବିପକ୍ଷବାଦୀଙ୍କ ମଧ୍ୟରେ ଲଢେଇ ଲଗାଇଦେଇ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା।

ଦୁଇ ପକ୍ଷର ନିରୀହ ଜନତା ରାଜନୀତିର ପଶାପାଲିରେ ହନ୍ତସନ୍ତ ହେବାକୁ ଲାଗିଲେ । ଧୂର୍ତ୍ତ ଧୁରୀଣ ନେତୃବର୍ଗ ଗୋଟିଚାଳନା କରି ନିଜ ଫାଇଦାରେ ରହିଲେ। କେବଳ ନିରୀହ ଜନତା କ୍ଷତି ସହିଲେ। ହଣାକଟା,ମାରପିଟ, ଗୃହଦାହ,ପରସ୍ପରକୁ ବାସନ୍ଦ ମଧ୍ୟରେ ଉଭୟପକ୍ଷ ଲହୁଲୁହାଣ ହେଲେ। ଦୀର୍ଘଦିନ ଧରି ସେ ଅଞ୍ଚଳରେ କର୍ଫ୍ଯୁ ଜାରିରହିଲା। ନେତାମାନେ ରାଜନୀତିର ପାଣିକୁ ଗୋଳିଆ କରି ବେଶ୍ ହାତ ଚିକ୍କଣ କଲେ। ଯେଉଁ ନିଷ୍କପଟ ସରଳ ଜନତା ମେଳିହୋଇ ନେତାଙ୍କ କଥାରେ ପରିଚାଳିତ ହେଉଥିଲେ ରାତିଦିନ ଏକକରି ଗାଁ ମୁଣ୍ଡ ଜଗି ବସୁଥିଲେ। ସେଇମାନଙ୍କ ମଧ୍ୟରୁ ଜଣେଥିଲେ ଅପର୍ତ୍ତିଚନ୍ଦ୍ର ଜେନା।

ଅପର୍ତ୍ତି ଜେନା ସେହି ଅଞ୍ଚଳର ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଭଲଚାଷୀ ଭାବରେ ଜଣାଶୁଣା ବ୍ଯକ୍ତିତ୍ବ। ଗାଏମୋଟ ଅଢେଇ ଏକର ବିଲରେ ଧାନ ଓ ପାନ ଚାଷ କରୁଥିଲେ । ପାନ ବରଜରୁ ଆୟୋଜନ ଅର୍ଥରେ ସୁରୁଖୁରୁରେ ପରିବାର ପ୍ରତିପୋଷଣ କରୁଥିଲେ। ଦୁଇପୁଅ ଚାଷ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରୁଥିଲେ। ଅପର୍ତ୍ତି ଜେନା ପାଖ ଗ୍ରାମର ଏକ ଚାଷୀ ପରିବାରରେ ବଡପୁଅର ବାହାଘର ମଧ୍ୟ ଠିକ୍ କରିଦେଇଥିଲେ। ହଠାତ୍ ସବୁକିଛି ଓଲଟପାଲଟ ହେଇଗଲା। ତାଙ୍କ ସୁନାସଂସାରକୁ ପୋସ୍କୋ ରାଜନୀତି ରାହୁଗ୍ରାସିଲା ପରି ଗ୍ରାସକଲା। ପରିବାର ଉପରକୁ ବିପଦ ମାଡିଆସିଲା। ଅପର୍ତ୍ତି ଜେନା ଚାହୁଁ ନଥିଲେ ତାଙ୍କ ଦୁଇପୁଅ ସପକ୍ଷବାଦୀ ବା ବିପକ୍ଷବାଦୀ କୌଣସି ଗୋଷ୍ଠୀରେ ସାମିଲ୍ ହୁଅନ୍ତୁ। ତାଙ୍କୁ ଏଇ ନେତାମାନଙ୍କର କଅଁଳିଆ କଥା ଭଲଲାଗେନାହିଁ କି ଭରସାନାହିଁ ।ତାଙ୍କ ହାତ ଉପରେ ତାଙ୍କର ଗଭୀର ଭରସାଥିଲା। ସତ୍ ଉପାୟରେ ଅର୍ଜନକରି ଖଟିଖାଅ ନୀତିରେ ସେ ବିଶ୍ବାସୀଥିଲେ। ସେ ଅନୁଭବ କରିଛନ୍ତି ଦିନବେଳା ଯେଉଁ ନେତା ସପକ୍ଷବାଦୀଙ୍କୁ ମେଳି କରାଇ ସମର୍ଥନ କରୁଛନ୍ତି, ସେଇନେତା ରାତିରେ ବିପକ୍ଷଗୋଷ୍ଠୀରେ ଆକଣ୍ଠ ମଦିରାପାନ କରି ଦୁଇବିଲେଇଙ୍କ ପିଠାକଳିରୁ ଚତୁର ମର୍କଟ ଫାଇଦା ନେଲାଭଳି ଏମାନେ ଫାଇଦା ଉଠାଉଛନ୍ତି। ସେ ପିଲାମାନଙ୍କୁ ଆକଟ କରିଥିଲେହେଁ ବିଫଳ ହୋଇଥିଲେ। ପତଙ୍ଗ ଆଲୋକ ଆଡକୁ ଆକର୍ଷିତ ହୋଇ ଜାଣିନଥାଏ ତା'ର ମୃତ୍ୟୁ ନିଶ୍ଚିତ।ହେଲେ ଆଲୋକର ଆକର୍ଷଣ ଆଡକୁ ଉଡିଚାଲେ। ଅପର୍ତ୍ତିଙ୍କ ବଡପୁଅ ନେତାମାନଙ୍କ କିମିଆର ଭେଳିକିରେ ପଡିଗଲା। ବଳିର ଛେଳିଭଳି ବଡପୁଅ ସପକ୍ଷବାଦୀଙ୍କ ଆକ୍ରମଣରେ ହାଣଖାଇଲା। ଗାଁ ଗାଁ ମଧ୍ୟରେ ବାସନ୍ଦର ନିଆଁ ଜଳିଲା। ଅପର୍ତ୍ତିଙ୍କ ଆଖି ଆଗରେ ତାଙ୍କ ସୁନାସଂସାର ଚୂନାହେଲା। ପାହାନ୍ତି ପ୍ରହର ସ୍ବପ୍ନରେ ବିଭୋର ହୋଇ ସକାଳେ ଦୁଃଖ ପାଇଲାପରି ଅପର୍ତ୍ତି ଜେନା ଭାଙ୍ଗିପଡିଲେ। ବଡପୁଅର କରୁଣ ମୃତ୍ୟୁ ତାଙ୍କ ପଞରା ଭିତର ଧମନୀକୁ କର୍କଟ ଜୀବାଣୁ ପରି ଗ୍ରାସ କରୁଥିଲା। ଅନ୍ତଫାଡି ଜନ୍ମ କରିଥିବା ମା' ପୁଅକୁ ଝୁରିଝୁରି କତରା ଧରିଲା। ବିଲବାଡି ସବୁ ପଡିଆ ରହିଲା। ଚିନ୍ତାରେ ଅପର୍ତ୍ତି ଜେନା ଦିନୁଦିନ କ୍ଷୀଣ ହୋଇଗଲେ। ଲୁଣଖାଏ ହାଣ୍ଡି ଚିନ୍ତାଖାଏ ଗଣ୍ଡି। ଏକଦିନର ସକାଳରେ ଅପର୍ତ୍ତିଜେନା ଆଉ ଉଠିଲେନାହିଁ। ସବୁଦିନ ପାଇଁ ଶୋଇଗଲେ। କିଛିଦିନ ଅନ୍ତରରେ ବୁଢୀ ମଧ୍ୟ ଆରପାରିକୁ ଚାଲିଲେ, ଯେଉଁଠିକୁ ଗଲେ ଆଉ କେହି ଫେରେନା। କୁଟୁମ୍ବରେ ରହିଲେ ଏକମାତ୍ର ସାନପୁଅ ଅଭୟ କୁମାର ଜେନା।

ବଢିପାଣିର ଦାନ୍ତରୁ ଅଭୟ ସିନା ବଞ୍ଚିଗଲା ହେଲେ ସେ ଏବେ ସର୍ବହରା। ଶୂନ୍ୟ ଶୂନ୍ୟ ମହାଶୂନ୍ଯର ବାଆଁରା ପକ୍ଷୀ,ଶରୀର ଅଛି ଆତ୍ମା ନାହିଁ, ନୀଡ ଅଛି ସତ୍ତା ନାହିଁ, ଅନ୍ଧାର ଚଉଦିଗ ଅନ୍ଧାର ।ଆଗକୁ ପଛକୁ କେହି ନାହାନ୍ତି। ଅର୍ଦ୍ଧଦଗ୍ଧ ଘରଟା ଭିତରେ କିଂକର୍ତ୍ତବ୍ଯ ଅଭୟ ଭାବୁଥିବା ଅବସ୍ଥାରେ ଦରଜାରେ କରାଘାତ ଶବ୍ଦଶୁଣି ଘରର ପରିତ୍ଯକ୍ତ କୋଣରେ ଲୁଚିଗଲା। ଶୁଣିପାରିଲା-"ଅଭୟ, କବାଟ ଖୋଲ ଭୟ କରନି । ମୁଁ ତୋର ସାଙ୍ଗ ଅଜୟ। " ଅଜୟର କଣ୍ଠସ୍ବର ବାରିପାରି ଅଭୟ କବାଟ ଖୋଲିଲା। ଦୁଇସାଙ୍ଗ କୋଳାକୋଳି ହେଲେ। ଅଜୟ କହିଲା-"ଦେଖ୍ ସାଙ୍ଗ: ତୁ ଜମା ଭୟ କରନା' କିଛି ବି ଚିନ୍ତା କରନା' ।ଯାହା ହେବାରତ ହେଇଗଲା। ଭାଗ୍ୟରେ ଯାହା ଲେଖାଅଛି ତାହା ଭୋଗିବାକୁ ପଡିବ। ଆମ କପାଳତ ଛୋଟ। ଆମେ ଏ ପୋସ୍କୋ ରାଜନୀତିରେ ନପଶି ବାଙ୍ଗାଲୋର ଚାଲିଯିବା, ସେଠାରେ ମୁଁ ଚାକିରି ବୁଝିଚି। ତୁ ଘରବାଡି ଦାୟିତ୍ୱ ତୁମ ସଂପର୍କୀୟକୁ ଦେବାପାଇଁ ବୁଝାବୁଝି କର। " ଭିଟାମାଟି ଗାଁର ମୋହ ଧାନ,ପାନ,ମୀନକୁ ଛାଡି ଅଭୟ ଯିବାକୁ ଚାହୁଁନଥିଲା। ତଥାପି ଅଜୟ କଥାରେ ସମ୍ମତି ଜଣାଇଲା।

ଦୁଇସାଙ୍ଗ ସେଦିନର ବାଙ୍ଗାଲୋର ସହରକୁ ଯାଇ ଚାକିରିରେ ଯୋଗଦେଲେ। ଚାକିରି କହିଲେ - ଛାତ୍ରାବାସ ପିଲାଙ୍କୁ ରନ୍ଧନଖାଦ୍ୟ ଯୋଗାଣ ବା କେୟାରଟେକର ବୟ୍ । ରହିବା ଖାଇବା ଦେୟମୁକ୍ତ ।ଛାତ୍ରାବାସର ଅନ୍ତେବାସୀ ଏମାନଙ୍କ ଉପରେ ବେଶ୍ ଖୁସି। ଦିନଦେଖି ଖୁସିରେ ପିଲାମାନେ ବିଭିନ୍ନ ପଦାର୍ଥ ଉପହାର ଭାବରେ ଦେଇଥାନ୍ତି। ଅଭୟ,ଅଜୟ ତାଙ୍କ ବିଶ୍ୱାସପଣରେ ଛାତ୍ରାବାସର ମାଲିକଙ୍କୁ ପ୍ରୀତ କରିଦେଇଛନ୍ତି। ଯାହା ରୋଜଗାର ହୁଏ ସେଥିରୁ କିଛି ଅର୍ଥ ଅଜୟ ଘରକୁ ପଠାଏ। କିନ୍ତୁ ଅଭୟର କିଏ ଅଛି? କାହା ପାଖକୁ ପଠାଇବ ଅର୍ଜିତ ଅର୍ଥ। ଅଜୟ ପରାମର୍ଶରେ ଦରମାକୁ ଜମାଖାତାରେ ରଖିଦିଏ ଅଭୟ। ମନେମନେ ଅଭୟ ଭାବିଛି କିଛି ଟଙ୍କା ହୋଇଗଲେ ଗାଁକୁ ଫେରି ଘରକୁ ମରାମତି କରିନେବ । ଏଇଭଳି ଦୁଇସାଙ୍ଗଙ୍କ ଦିନ ଗଡିଚାଲେ। ଅଭୟ ଆଉ ଆଗପରି ନାହିଁ। ଧିରେ ଧିରେ ପରିସ୍ଥିତି ସହିତ ନିଜକୁ ଖାପ୍ ଖୁଆଇନେଇଛି। ସବୁ ଦୁଃଖକୁ ଆତ୍ମସ୍ଥ କରି ବାପାଙ୍କ ଭିଟାମାଟିକୁ ଫେରିବାର ମନସ୍କତା ମଧ୍ୟରେ ବାଲ୍ଯବନ୍ଧୁ ଅଜୟ ଏକ ନୂଆ କଥା ଶୁଣାଇଥିଲା ସେଦିନ। ଦୁଇବର୍ଷ ଧରି ଯାହାର ମନପ୍ରାଣ ନିରବୀ ଯାଇଛି, ଅକାଲୁଆ ହୋଇଯାଇଛି, ମରିଯାଇଛି ,ଅଜୟ କଥା ତାକୁ ଶିହରିତ କଲା। ଥୁଣ୍ଟା ବୃକ୍ଷରେ ପତ୍ର କଅଁଲିଲା। ବେପଥୁ ସଞ୍ଚାର ହେଲା ଅଭୟ ପ୍ରାଣରେ। ବନ୍ଧୁ ଅଜୟର ମାମୁଁ ସେଇ ବାଙ୍ଗାଲୋର ସହରର ଆକ୍ରେରି ଅଞ୍ଚଳରେ ଏକ କଂପାନିର ଚତୁର୍ଥଶ୍ରେଣୀ କର୍ମଚାରୀ। ବସ୍ତି ଅଞ୍ଚଳରେ ଘରଭଡା ନେଇ ରୁହନ୍ତି। ମଝିରେ ମଝିରେ ଦୁଇବନ୍ଧୁ ସମୟ ସୁବିଧା ଦେଖି କେତେଥର ଯାଇଛନ୍ତି। ଅଭୟକୁ ଦେଖି ଓ ତା'ର ବ୍ଯବହାରରେ ଖୁସି ହୋଇ ମାମୁଁ ତାଙ୍କ ତରଫରୁ ଏକମାତ୍ର ଝିଅ ବୈଶାଳୀକୁ ଅଭୟ ସାଥିରେ ବିଭାଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଅଜୟର କଥାରେ ହଁ ଭରିଛି ଅଭୟ। ସେଇ ବସ୍ତି ଅଞ୍ଚଳରେ ଅଭୟ ଓ ବୈଶାଳୀଙ୍କ ବିବାହ ଉତ୍ସବ ସଂପନ୍ନ ହୋଇଛି। ବୈଶାଳୀର ରୂପ,ଗୁଣ ଓ ନାରୀ ସୁଲଭ ସୌଷ୍ଠବରେ ଅତ୍ଯନ୍ତ ସୁଖ ଅନୁଭବ କରିଛି ଅଭୟ। ଜମାଖାତାରେ ସାଇତା ଅର୍ଥକୁ ସୁବିନିଯୋଗ କରିଛି ଅଭୟ। ମନକୁ ପାଇଲା ଭଳି ମଙ୍ଗଳସୂତ୍ରଟିଏ ବୈଶାଳୀକୁ ଉପହାର ଦେଇ ସ୍ବାମୀର କର୍ତ୍ତବ୍ୟ ନିଭାଇଛି ସେ। ଏବେ ବନ୍ଧୁ ଅଜୟକୁ ଛାଡି ଧର୍ମପତ୍ନୀ ବୈଶାଳୀ ସହିତ ନୂଆ ସଂସାର ଆରମ୍ଭ କରିଛି। ଅତୀତର ଦୁଃଖର ନଦୀ ଶୁଖିଯାଇ ସୁଖର ନଦୀରେ ବୈଶାଳୀର କୋମଳ ସ୍ପର୍ଶ ଭଉଁରି ଖେଳୁଛି। ଗହମ ରଙ୍ଗର ଶ୍ଯାମଳୀ ବୈଶାଳୀ ଗାଁ ମାଟିରୁ ଆସିଥିଲେ ମଧ୍ୟ ସହର ବାସ୍ନାରେ ତା'ର ଆଖି ଖୋଲିଯାଇଛି। ବେଶ୍ ପାରଙ୍ଗମ କଥା ଓ କାମରେ। ଅଳ୍ପରେ ଘର ଚଳାଇନେବାର କଳା ସେ ତା' ମା'ଠାରୁ ଶିଖିଛି। କେଇଦିନ ଭିତରେ ଦୁଇଟି ଆତ୍ମା ପରସ୍ପରକୁ ନିବିଡ ବନ୍ଧନରେ ଦୃଢ କରିଛନ୍ତି। ଅଭୟ କାର୍ଯ୍ଯକ୍ଷେତ୍ରରୁ ସାମାନ୍ୟ ବିଳମ୍ବରେ ଆସିବା ବୈଶାଳୀ ପାଇଁ ଅସହ୍ୟ। ଅପେକ୍ଷାର ଏ ଜ୍ବାଳା ପବିତ୍ର ବନ୍ଧନର ସନ୍ତକ। ସ୍ବଳ୍ପ ରୋଜଗାରରୁ ଘରଭଡାଦେଇ ନବଦମ୍ପତି ଖୁସିରେ ଦିନ ପାହି ଦେଉଥିଲେ। ସ୍ବପ୍ନ ଅସୁମାରୀ ଥିଲା ସେମାନଙ୍କର ।

ହଠାତ୍ ଆମ ଦେଶରେ ଜନତା କର୍ଫ୍ଯୁ ଘୋଷଣା ହେଲା। ଥମିଗଲା ଜଳ,ସ୍ଥଳ ଓ ଆକାଶ। ଯିଏ ଯେଉଁଠି ସେଇଠି ରହିଲେ। ଗାଡିମଟରର ଗର୍ଜନ ଆଉ ଶୁଭିଲା ନାହିଁ। ଚାଇନାର ଉହାନରୁ କରୋନା ଭୂତାଣୁ ମାଡି ଆସୁଛି। ଏହି ମହାମାରୀ କବଳରୁ ଭାରତକୁ ରକ୍ଷା କରିବାକୁ ହେଲେ ତାଲାବନ୍ଦ ହିଁ ଏକମାତ୍ର ପନ୍ଥା। ଚାହୁଁ ଚାହୁଁ ଅଳ୍ପ କେଇଦିନ ମଧ୍ୟରେ କରୋନା ଭୂତାଣୁର କାୟା ବିସ୍ତାର ଭାରତର ଜନସାଧାରଣଙ୍କ ମନରେ ଭୟ ସଞ୍ଚାର କଲା। ସରକାର ସମଗ୍ର ଭାରତ ବର୍ଷରେ ଲକଡାଉନ୍ ଘୋଷଣା କଲେ। ଚକାବନ୍ଦ,ବିମାନ ଚଳାଚଳ ବନ୍ଦ, କଳକାରଖାନା ବନ୍ଦ, ଅଫିସ୍ କାର୍ଯ୍ଯାଳୟ ବନ୍ଦ, ଦୋକାନ ବଜାର ସବୁ ବନ୍ଦ। ସର୍ବତ୍ର ଖାଁ ଖାଁ, ରାସ୍ତାଘାଟ ଶୂନଶାନ୍। ଏକ ଅଦୃଶ୍ୟ ଭୂତାଣୁର ଭୟ ସମସ୍ତଙ୍କ ମନରେ ଚରିଗଲା। ମନେହେଲା ଯେମିତି କାହାର ଆଉ ଜୁ ଜୀବନ ନାହିଁ। ଅଜୟ ଓ ଅଭୟ ଯେଉଁ ଛାତ୍ରାବାସରେ କାମ କରୁଥିଲେ ତାହା ବନ୍ଦ ହୋଇଯିବାରୁ ମାଲିକ ଏକମାସର ଦରମାଦେଇ କାର୍ଯ୍ୟ ବନ୍ଦ କରିଦେଲେ। ଲକଡାଉନ୍ ଭିତରେ ଫସି ରହିଲେ ଅଜୟ ସମେତ ନବ ଦମ୍ପତି। ଛୋଟିଆ ବସାଘରେ ବନ୍ଦୀପ୍ରାୟ ଜୀବନ। କେହି କାହା ପାଖକୁ ଯିବା ଆସିବା ଅସମ୍ଭବ ହେଲା। ଲକଡାଉନ୍ ସହିତ ସର୍ଟଡାଉନ୍ ଗରିବର ରୋଜଗାର ଉପରେ ବଜ୍ରାଘାତ କଲା। ପ୍ରଥମ କେଇଦିନ ଅଭୟ ବୈଶାଳୀଙ୍କୁ ଭଲ ଲାଗୁଥିଲା ପରସ୍ପରକୁ ବେଶୀ ସମୟ ପାଖରେ ପାଇ। ବସି ଖାଇଲେ ନଈ ବାଲି ସରେ । ଆସ୍ତେ ଆସ୍ତେ ପଇସାପତ୍ର ସରି ଆସିଲା। ଅସଲ ସମୟରେ ଛାତ୍ରାବାସର ମାଲିକ ମୁହଁ ମୋଡିଦେଲେ। ଲକଡାଉନ୍ ର ସମୟ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା। ଭୂତାଣୁର କରାଳଗ୍ରାସ ଗରିବ ପେଟରେ ଲାତ ମାରିଲା। ଏବେ କରିବେ କ'ଣ? ଭଡା ନପାଇ ଘରମାଲିକ ଚିଡଚିଡା ଆରମ୍ଭ କରିଦେଲେଣି। ମନେପଡିଲା ଅଭୟର ଗାଁ ଭିଟାମାଟି । ମାଟିର ବାସ୍ନା ତାକୁ ଆନ୍ଦୋଳିତ କଲା। ହେଲେ ଏବେ ଗାଁକୁ ଆସିବେ କିପରି? ଚକଅଖ ବନ୍ଦ, ତା'ସହିତ କପର୍ଦ୍ଦକ ଶୂନ। ଅଭୟର ଶୁଖିଲା ଦୁଃଖଭରା ମୁହଁକୁ ଦେଖି ଶ୍ଯାମଳୀ କହିଲା, 'ତୁମେ ଚିନ୍ତା କରନାହିଁ। ମୋ ସୁନାଟା ପରା ମନଦୁଃଖ କାହିଁ କରୁଛ? ଆମେ ଦୁହେଁ ସୁଖଦୁଃଖର ସାଥୀ ।ଆମେ ଦୁହେଁ ପରା ଅଗ୍ନିକୁ ସାଖି ରଖି ପଣ କରିଛେ ଦୁଃଖରେ ଭାଗୀଦାର ହେବା, ସୁଖରେ ଦୁହେଁ ମିଶି ମନଖୋଲି ହସିବା,ଗାଇବା, ନାଚିବା, ସାରାଜୀବନ ସାଥୀ ହୋଇ ବାଟଚାଲିବା ବୋଲି ବେଦୀରେ ବସି ଅଗ୍ନିକୁ ସାଖି ରଖି ପଣ କରିଛେ। ସାମାନ୍ୟ ସାଇକେଲଟେ ପାଇଁ ମନଊଣା କରୁଛ। ମୁଁ ସାଇକେଲ ଦେବି। "

ବୈଶାଳୀଠାରୁ ଏଇ ମିଠା କେଇପଦ କଥାଶୁଣି ଅଭୟର ମନ ହାଲକା ହେଲା ବେଳକୁ ବୈଶାଳୀ ନିଜ ବେକରୁ ମଙ୍ଗଳସୂତ୍ରଟି ଖୋଲି ଯେତେବେଳେ ଅଭୟ ହାତରେ ଧରାଇଦେଲେ ଅଭୟ ପାଦତଳର ମାଟି ଚହଲିଗଲା। ନିର୍ବାକ, ନିଷ୍ପନ୍ଦ, ଚଳତ୍ ଶକ୍ତିହୀନ ଏବେ ସେ । ରୋଜଗାର ଅର୍ଥକୁ ସଞ୍ଚି ସଞ୍ଚି ସେଇ ଝାଳବୁହା ଅର୍ଥରେ ଯେଉଁ ମଙ୍ଗଳସୂତ୍ର କିଣି ପ୍ରେମର ସନ୍ତକ ସ୍ବରୂପ ଚତୁର୍ଥୀ ଜାମିନୀରେ ବୈଶାଳୀ ଗଳାରେ ସରାଗରେ ପିନ୍ଧାଇଥିଲା ଆଜି ସେ ମଙ୍ଗଳସୂତ୍ରକୁ ନିଜ ହାତରେ ବିକ୍ରି କରିବ ଏହା ସେ ସ୍ବପ୍ନରେ ସୁଦ୍ଧା କେବେ ଭାବି ନଥିଲା। ବରଂ ମୁଁ ଚାଲି ଚାଲି ଭିଟାମାଟିରେ ପାଦ ଥାପିବି ମୋର ପ୍ରେମର ସନ୍ତକ ମଙ୍ଗଳସୂତ୍ରକୁ କାହା ହାତରେ ଟେକିଦେବିନାହିଁ ।ଏଇ ମଙ୍ଗଳସୂତ୍ର ଆମ ପବିତ୍ର ସଂପର୍କର ସାଖି। ମୁଁ ଏପରି ଲକ୍ଷ୍ମୀଛଡା କାମ କରିପାରିବି ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଦେଇ କଇଁ କଇଁ କାନ୍ଦିବାକୁ ଲାଗିଲା । ବୈଶାଳୀ କହିଲେ "ଦେଖ ଅଭୟ! ମୁଁ ତୁମ ଅନ୍ତରର ପୀଡାକୁ ଅନୁଭବ କରୁଛି। ପ୍ରେମ ଅନ୍ତରରେ ଥାଏ,ଆତ୍ମାରେ ଥାଏ, ପ୍ରେମର ରୂପ ନାହିଁ କେବଳ ଅନୁଭବ ଅଛି। ମଣିଷ କାହିଁକି ତା'ପାଖରେ ସୁନା ରଖିଥାଏ? ବିପଦ ଆପଦ ପଡିଲେ ଏହାକୁ ବିକି ଭାଙ୍ଗି ଗୁଜୁରାଣ ମେଣ୍ଟାଇଥାଏ । ବର୍ତ୍ତମାନ ଏହା ଆମପାଇଁ ଏକ ମୂଲ୍ଯବାନ ବସ୍ତୁମାତ୍ର।ଏ ଦୁଃସମୟ କଟିଗଲେ ସୁବିଧା ଦେଖି ଆମେ ଆଉ ମଙ୍ଗଳସୂତ୍ର କିଣି ପାରିବା। ମାତ୍ର ଜୀବନ ରକ୍ଷା କରିବା ବର୍ତ୍ତମାନ ଆମର ମୁଖ୍ୟ ଦାୟିତ୍ଵ। ତୁମେ ଆଉ ଭାବପ୍ରବଣ ହୁଅ ନାହିଁ। ଯାଅ ମୋ କଥାମାନ କିଛି ସମୟ ପାଇଁ ସରକାର କର୍ଫ୍ଯୁ କୋହଳ କରିଛନ୍ତି ମଙ୍ଗଳସୂତ୍ରକୁ ବିକିକରି ଦୁଇଟି ସାଇକେଲ କିଣିଦିଅ। ମୋ ମାମୁଁ ପୁଅ ଭାଇ ଅଜୟ ମଧ୍ୟ ଆମ ସଙ୍ଗେ ଯିବ। ବଳକା ଅର୍ଥ ବାଟରେ ଚଳେଇନବ। ଭଲମନ୍ଦ ପାଇଁ ସାହା ହେବ। ଏଠାରୁ ତୁମ ଗାଁ ବହୁତ ଦୂର, ପାଖାପାଖି ସତରଶହ କିଲୋମିଟର ।ଦୀର୍ଘପଥ ଆମକୁ ଅତିକ୍ରମ କରିବାକୁ ପଡିବ। ଆମ କାଳିଆ ଦିଅଁ ଆମକୁ ସାହା ହେବେ।

ଏବେ ଏହି ନବଦମ୍ପତି ଗାଁ ଭିଟାମାଟିର ମହକରେ ହଜି ଯାଇଛନ୍ତି। ଉଜୁଡ଼ି ଯାଇଥିବା ଘରକୁ ସଜାଡିଛନ୍ତି। ସବୁଜଧାନ କ୍ଷେତରେ କାର୍ଯ୍ୟରତ ଅଭୟ ପାଖରେ ପଖାଳ କଂସା ସହିତ ବାଡି ଗଡିଆର ମୀନଭଜା ବୈଶାଳୀ ଧରି ପହଞ୍ଚି ଯାଉଛି। ଉଜୁଡା ପାନବରଜରେ ନୂଆ ନୂଆ କଅଁଳୁଥିବା ଛନଛନିଆ ପାନପତ୍ରକୁ ଦେଖି ନବଦମ୍ପତି ମୁରୁକି ମୁରୁକି ହସି ଦେଉଛନ୍ତି। ପାନପତ୍ରକୁ ପ୍ରେମର ଚିହ୍ନ କରି ବୈଶାଳୀ ପାନପତ୍ରଟିଏ ତୋଳିଧରି ଅଭୟର ଛାତିରେ ଚାପି ଧରୁଛି ଆଉ କାନଫଟା ଧ୍ବନିରେ ଦୁହେଁ ଆକାଶକୁ କହୁଛନ୍ତି ଆମ ମାଟି ମାଆର ଧାନ,ମୀନ,ପାନକୁ ଛାଡି ଆମେ କୁଆଡେ ଯିବୁନି । ହେ ଆକାଶ ,ହେ ପବନ, ହେ ପାଣି! ଆମେ ପଣ କରୁଛୁ ଆମ ମାଟି ମାଆକୁ ପର କରିବୁନି।

******


Rate this content
Log in

More oriya story from DrPrafulla Pany

Similar oriya story from Tragedy