Nihar Ranjan Samal

Tragedy Inspirational

5.0  

Nihar Ranjan Samal

Tragedy Inspirational

ମାତୃତ୍ୱ

ମାତୃତ୍ୱ

9 mins
319


ବିଶ୍ୱାସର ପତଳା ଡୋରିରେ ବନ୍ଧା ସ୍ୱାମୀ ସ୍ତ୍ରୀ ସମ୍ପର୍କ । ହେଲେ ମୁଁ କିପରି ବିଶ୍ୱାସଘାତ କରି ପାରିଲି ତା ସହ । ବିଚାରୀ ଯାହାକୁ ନିଜର ସୌଭାଗ୍ୟ ଭାବୁଥିଲା ସେ ତା ସହ ବିଶ୍ୱାସଘାତ କରିଛି ଜାଣି କଣ କରିବ । ସୀତା ପରି ଅଭିମାନ କରି ପାତାଳକୁ ପଳାଇଯିବ ନା ଲକ୍ଷ୍ମୀମା ପରି ମୋପରି ଆଦିମ ଅହଂକାରି ପୁରୁଷ ପ୍ରବୃତିକୁ ଉପଯୁକ୍ତ ଶାସ୍ତି ଦେବ । ମିଛ । ସେଟା ମିଛ ନୁହେଁ ଅପରାଧ ।

ବିବାହର ପାଞ୍ଚ ବର୍ଷ ଯାଏ ଆଧୁନିକ ଦମ୍ପତି ପରି ନୀଳ ଆକାଶରେ ଉଡିବୁଲିଲୁ ସମୁଦ୍ର ଅସୁମାରୀ ଜଳକୁ ପାପୁଲିରେ ଅଟକାଇ ରଖିଲୁ । ସ୍ବପ୍ନ ରାଇଜରେ ସାମ୍ରାଜ୍ୟ ଗଠନ କରିଥିଲୁ । ହେଲେ ଯେତେବେଳେ ଏ ସମାଜ ଆମ ଆଗରେ ସେ ଅବାନ୍ତର ପ୍ରଶ୍ନ ରଖିଲା ସେତେବେଳେ ଆମେ ବିବ୍ରତ ହୋଇଉଠିଲୁ । ଭବିଷ୍ୟତ ଯୋଜନା କଣ ? ଘରକୁ କେବେ ନୂଆ ଅତିଥି ଆସୁଛି ? ବୟସ ଗଡିଯାଉଛି ! କି ଉତ୍ତର ଦେବୁ । କାହଁକି ଉତ୍ତର ଦେବୁ । ମୁଁ ମୋ ଶ୍ରୀ ହାତକୁ ଖୁବ ଜୋରରେ ଧରିଲି ହେଲେ ମତେ ଲାଗିଲା ମୋ ଶ୍ରୀ ର ମୁଠାଟା ସାମାନ୍ୟ ହୁଗୁଳା ପଡିଯାଇଛି । ସେ ବି ବୋଧେ ହୁଏ ଆବାହନ କାଳରୁ ନାରୀର ପୂର୍ଣ୍ଣତା ମାତୃତ୍ୱକୁ ଅପେକ୍ଷା କରିଛି, । ମୁଁ ତା ମନର କଥାକୁ ବୁଝିଗଲି । ଆମ ପ୍ରମକୁ ଆହୁରି ଦୃଢ କରିବାକୁ ଆମ ଦୁହିଁଙ୍କ ସନ୍ତାନ ଆବଶ୍ୟକ । ଆମେ ପ୍ରସ୍ତୁତ ହେଲୁ ନିଜ ଆଗନ୍ତୁକ ପାଇଁ । ଦିନ ଗଡିଚାଲିଲା । ଆମ ମନରେ ଶଙ୍କା ଆସିଲା । କିନ୍ତୁ ମୋ ଶ୍ରୀ ମତେ ସାହସ ଦିଏ ସବୁ ଠିକ ହେଇଯିବ । କାଇଁ କିଛି ଠିକ ତ ହେଲାନି । ଏହାରି ଭିତରେ ଆହୁରି ଦୁଇ ବର୍ଷ ବିତିଗଲାଣି । ସେଦିନ ଠିକ କଲୁ ଡାକ୍ତରଙ୍କୁ ଦେଖା କରିବା । ଯାଇଥିଲୁ ମଧ୍ୟ । ଡାକ୍ତର କଥା ମାନି ବିଭିନ୍ନ ପରୀକ୍ଷା କରିବାକୁ ରାଜିହେଲୁ । ରିପୋଟରେ କଣ ଆସିବ । ମୋ ଶ୍ରୀ ସତରେ କଣ ମା ହେବାକୁ ଅଯୋଗ୍ୟ ନା ମୁଁ ମୋ ଶ୍ରୀ କୁ ନାରୀର ପୂର୍ଣ୍ଣତା ପ୍ରଦାନ କରିବାକୁ ଅସମର୍ଥ । ସତରେ ମୁଁ କଣ ସ୍ୱାମୀ ହେବାକୁ ଅଯୋଗ୍ୟ ନା ମୋ ଶ୍ରୀ ମୋ ବଂଶକୁ ଆଗକୁ ନେବାକୁ ଅସମର୍ଥ । ମୁଁ କଣ ମୋ ଶ୍ରୀ ନଜରରେ ତଳକୁ ହେଇଯିବି ନା ମୋ ନଜରରେ ମୋ ଶ୍ରୀ ତଳକୁ ହୋଇଯିବ । ମନ ରାଇଜର ଏସବୁ ପ୍ରଶ୍ନ ଯେ ଖାଲି ମୋ ମାନକୁ ଆସିଛି ତାହା ନୁହେଁ ମୋ ଶ୍ରୀ ମନରେ ବି ବସା ବାନ୍ଧି ଦେଇଛି । ସବୁ କଥା ପରି ଏ କଥା ବି ଆମେ ଆମ ଆଖି ଆଖିରେ କହିଲୁ ଆଉ ବୁଝିଲୁ । ବେଳକୁ ବେଳ ମୋ ଶ୍ରୀର ଶ୍ରୀମୁଖରେ ଏକ ଆଶଙ୍କାର ଘନ କୁହୁଡି ମାଡିଆସୁଥିଲା । ମୋ ହୃଦୟର କେଉଁ ଗୋଟିଏ ଅଜଣା କୋଣରୁ ଆସୁଥିବା ଧ୍ଵନିର ପ୍ରତିଧ୍ଵନି ଶୁଣିପରୁଥାଏ ମୋ ଶ୍ରୀ । ଆମେ ଠିକ କଲୁ ଆମକୁ ଜାଣିବାର ଦରକାର ନାହିଁ କାହା ଭିତରେ ଅସମର୍ଥ ଅଛି । ଖାଲି ଏତିକି ଜାଣିବା ଦରକାର ଆଧୁନିକ ଡାକ୍ତରୀ ବିଦ୍ୟା ବଳରେ ଡାକ୍ତର ବାବୁ ଆମ ଅନ୍ଧକାରକୁ ଆଲୋକିତ କରିପାରିବେ କି ନାହିଁ । ଡାକ୍ତରବି ଆମ କଥାରେ ସମ୍ମତି ଦେଇ ଆମ ରିପୋର୍ଟ ଆମ ଆଗରେ ରଖିଦେଇ ଆମ ଜୀବନ ସାରା ଶୁଣିବାକୁ ଚାହୁଁନଥିବା ସେ କଟୁ ସତ୍ୟ କହିଦେଲେ । ମୋ ଶ୍ରୀର ପାପୁଲିର ଜୋର ମୋ ପାପୁଲି କୁ କହୁଥାଏ ସେ ବି ଏ ସତ୍ୟକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ । ହେଲେ ସବୁଥର ପରି ମତେ କହିଲା “ଜୀବନର ସାତ ବର୍ଷ କଟିଗଲା ଆଉ ବାକି ବୟସ ବି ତମ ସାଥିରେ ଥିଲେ କଟିଯିବ, ତମେ ମୋ ସାଥିରେ ସାରାଜୀବନ ରହିବ ନା “। ମୋ ଓଠର କଥାକୁ ସବୁଥର ପରି ଏଥର ବି ଚୋରିକରି ମୋ ଆଗରେ ରଖିଦେଲା । ମୋ ପାଖରେ ମୋ ଶ୍ରୀ ଥିଲେ ମୋର ଆଉ କଣ ଆବଶ୍ୟକ । ରିପୋଟକୁ ସେହିପରି ବନ୍ଦ ଲଫାପାରେ ରଖି ମହାନଦୀର ପାଣିରେ ଭସାଇ ଦେଇ ଭଗବାନଙ୍କ ଅବିଚାରକୁ ମଥାପାତି ମାନିନେଲୁ । 


ଉଦାସ ମନରେ ସର୍ବହରା ପରି ନିଜ ଘରକୁ ଫେରିଲୁ । ଦୁହେଁ ଦୁହିଁଙ୍କ ଆଖିକୁ ମନାକରିଥିଲୁ ଲୁହ ବୁନ୍ଦା ନଗଡିବାକୁ, ଛାତିର କୋହକୁ ରାଣ ଦେଇଥିଲୁ କୋହ ନ ଉଠାଇବା ପାଇଁ । ହେଲେ ଆମ ଉପରେ ହେଉଥିବା ସେ ଅନ୍ୟାୟକୁ ବି ଦଶ ଦିଗପାଳ ସହି ପାରିନଥିଲେ । ସେ ନିଜ ଆଖିରୁ ଲୁହ ସଦୃଶ୍ୟ ବର୍ଷା ଓ କୋହ ସଦୃଶ୍ୟ ଘଡଘଡି ରେ ଆମ ତରଫରୁ ଭଗବାନଙ୍କ ବିଚାରକୁ ପ୍ରତ୍ୟାଖାନ କରିବାର ଦୃଷ୍ଟତା କରୁଥିଲେ । ସେହିପରି ଅଦିନିଆ ବର୍ଷାରେ ମୁଁ ମୋ ଶ୍ରୀ ଭିଜି ଭିଜି ଘରେ ପହଂଚିଗଲୁ । ସେତେବେଳେ ରାତି ପ୍ରାୟ ନଅଟା ବାଜିଥାଏ । ଘରର ମୁଖ୍ୟ ଦ୍ଵାର ଖୋଲିଲା ବେଳେ କାହାର କାନ୍ଦଣା ଶୁଭିଲା । ଶ୍ରୀ କବାଟ ଖୋଲୁ ଖୋଲୁ ରହିଗଲେ । କାନ ପାରି ଆସୁଥିବା କାନ୍ଦଣା ସ୍ୱର ଆଗକୁ ଦୌଡି ଗଲେ, ମୁଁ ବି କିଛି ନବୁଝି ତାଙ୍କ ସହ ପଛେ ପଛେ ଦୌଡ଼ିଗଲି । ଶ୍ରୀଙ୍କ ନଜର ଏକ ମୁହୂର୍ତ୍ତ ମଧ୍ୟରେ ଚାରିଆଡେ ବୁଲିଗଲା । ସେ ଯାହା ଦେଖିଲେ ନିଜକୁ ଅଟକାଇ ପାରିଲେ ନାହିଁ । ମୁଁ ବି ତାଙ୍କ ହୃଦୟର ଆବେଗ ଦେଖି ତାଙ୍କୁ ବାଧା ଦେଇପାରିଲି ନାହିଁ । ମୁଖ୍ୟ ନାଳୀ କଡରେ ବାସ ଦୁଇ ଚାରି ଦିନର ଛୁଆଟା ବର୍ଷାରେ ଭିଜି ଭିଜି କାନ୍ଦୁଥାଏ । ଯଦି କିଛି ସମୟ ଆଉ ଡେରି ହୋଇଥାନ୍ତା ବୋଧ ହୁଏ ସେହି ନାଳୀର ପ୍ରଖର ସୁଅରେ ସେ ପିଲାଟା ଭାସି ଯାଇଥାନ୍ତା କିମ୍ବା ବର୍ଷାରେ ଭିଜି ଭିଜି ସନିପାତରେ କିଛି ହେଇଯାଇଥାନ୍ତା । ସମୟ ନଷ୍ଟ ନକରି ଶ୍ରୀ ସେ ଛୁଆଟାକୁ ନିଜ କୋଳକୁ ନେଇଗଲେ । ନିଜ ଓଦା କାନିରେ ପୋଛୁ ପୋଛୁ ଚାରିଆଡକୁ ଅନାଉଥିଲେ କାଳେ କେଉଁଠି ତା ମା ଦେଖା ହେଇଯିବ । ହେଲେ କାହାକୁ କେଉଁଠି ନପାଇ ଶ୍ରୀ ସେ ଛୁଆଟାକୁ ଧରି ଘରକୁ ପଶିଲେ । ସେ ଛୁଆଟାକୁ ପାଇ ଶ୍ରୀ ମାତୃତ୍ୱ ପ୍ରକାଶ ହେବାକୁ ଲାଗିଲା । ସେ ଦିନ ସାରା ଘଟିଥିବା ଘଟଣା ପ୍ରଭାବକୁ ଭୁଲି ଯାଇଥିଲେ । ଛୁଆଟାକୁ ଶୁଖିଲା କପଡାରେ ପୋଛା ପୋଛି କରି ଗରମ ନିଆଁରେ ସେକ ଦେଉଥିଲେ । କ୍ଷୀର ଗରମ କରି ଚାମଚରେ ପିଆଇ ଦେଉଥିଲେ । ମୁଁ ସେସବୁ କାଠ ଗଣ୍ଡିଟା ପରି ଦେଖୁଥାଏ । ଛୁଆଟାକୁ କାଳେ ଥଣ୍ଡା ଧରିବ ସେଥିପାଇଁ ସେ ଆମ ବିଛଣାରେ ଆମ ମଝିରେ ଛୁଆଟା ପାଇଁ ବିଛଣା ପରିଦେଲେ । ପ୍ରଥମ ଥର ଆମ ନିବିଡ଼ ପ୍ରମ ମଧ୍ୟରେ ଶ୍ରୀର ମାତୃତ୍ୱ ଆସିଯାଇଥିଲା । 


ସମୟ ଆଗକୁ ଆଗକୁ ବଢ଼ି ଚାଲୁଥାଏ । ସେ ଅଜଣା ଛୁଆଟା ପ୍ରତି ମୋ ଶ୍ରୀର ମାତୃତ୍ୱ ଦୃଢ ହେଉଥାଏ । ହେଲେ ମୁଁ କାହଁକି କେଜାଣି ସେ ଛୁଆଟାକୁ ନିଜର କରିପାରୁନଥାଏ । ମୋ ଶ୍ରୀ ଆଉ ମୋ ଭିତରେ ଗୋଟିଏ ଅଜଣା ଦୂରତାର ଆଭାସ ମୁଁ ପାଉ ଥାଏ । ଏ ଛୁଆଟା ନିହାତି କିଛି ଯାଦୁ ଶିଖିଛି ନ ହେଲେ ବାସ କେଇ ଦିନରେ ସେ ମୋ ଶ୍ରୀର ଏତେ ନିଜର ହେଇଗଲା । ନା ନା ଏ ସବୁ ମୋ ଶ୍ରୀ ଭିତରେ ଦବି ରହିଥିବା ମାତୃତ୍ୱ ଯେ ଉଚ୍ଚାଙ୍ଗ ଜୁଆର ଯାହାକୁ ମୁଁ ଦାବି ରଖିବାକୁ ବୃଥା ପ୍ରୟାସ କରିଥିଲି । ଶ୍ରୀ ସେ ଛୁଆଟାକୁ ଡାକୁଥିଲା ନନ୍ଦୁ । ମୁଁ ଯଦି ଗୁରୁବାର ଦିନ ଟିକେ ଡେରିଯାଏ ବିଛଣାରେ ପଡି ରହେ ଶ୍ରୀ କେତେ ପ୍ରଳୟ କରିଦିଏ, ହେଲେ ନନ୍ଦୁ ଯେତେବେଳେ ଯାଏ ବିଛଣାରେ ପଡ଼ିରହୁ, ଅଗାଧୁଆ ଠାକୁର ଘରେ ଠୁକେଇ ଠୁକେଇ ପଶି ହେବାକୁ ଥିବା ଭୋଗକୁ ଅଇଁଠା କରିଦେଉ ତାକୁ କିଛି କୁହାଯିବନି । ଟିଭିରେ ମୁଁ ଟିକିଏ ସମାଚାର ଶୁଣିବାକୁ ଲଗେଇଦେଲେ ରୋଷଇ ଘରୁ ଶ୍ରୀ ନନ୍ଦୁକୁ ଆଣି ମୋ ପାଖରେ ଛାଡ଼ିଦେଇ ସେ କାଟୁନ ଲଗେଇଦେଇ ଯିବେ । ସେ କାଳେ ରୋଷେଇ କରେଇଦେଉନି । ମୁଁ କଣ ତାର ଠିକା ନେଇଛି । ସେଦିନର କଥା ମୁଁ ଅଫିସରୁ ଆସୁଥାଏ, ଗେଟ ଖୋଲି ଗାଡି ଭିତରକୁ ପସିଛି କି ନାହିଁ ନନ୍ଦୁ ଠୁକେଇ ଠୁକେଇ ଆସି ମୋ ଗାଡି ଆଗକୁ ପଶି ଆସିଲା ମୁଁ ତାକୁ ରକ୍ଷା କରିବାକୁ ଯାଇ ବ୍ରେକ ମାରୁ ମାରୁ ପଡି ଗଲି, ଘର ଭିତରୁ ଶ୍ରୀ ବାହାରକୁ ଦୌଡି ଆସି ନନ୍ଦୁକୁ ଉଠେଇ ନେଇ ମୁହଁ ଫୁଲେଇ ଭିତରକୁ ଚାଲିଗଲେ । ମୁଁ କାଳେ ଜାଣି ଜାଣି ତା ସହ ଏମିତି କରୁଛି । ହେଲେ ଶ୍ରୀ ମୋ ହାତରେ ହେଇଥିବା ସେ ଖଣ୍ଡିଆକୁ ଦେଖି ପାରିନଥିଲେ । ଏ ନନ୍ଦୁ ହିଁ ଆମ ଭିତରେ ବ୍ୟବଧାନ ସୃଷ୍ଟି କରୁଛି । ଶ୍ରୀ ପାଇଁ ସେ ଯାହା ହେଉନା କାହିଁକି ମୁଁ ତାକୁ ନିଜର କରିପାରିବିନି । ତା ସହ ମିତ୍ରତା କରିବାକୁ କିଛି ଆବଶ୍ୟକତା ନାହିଁ କି ଶତ୍ରୁତା କରିବାକୁ ପ୍ରୟୋଜନ ନାହିଁ । ଖାଲି ଦୁଃଖ ଏତିକି ମତେ ଶ୍ରୀ ବୁଝିପାରୁନାହିଁ । ମୁଁ କାହଁକି ଜାଣିଶୁଣି ତା ସହ ଏମିତି କରିବି । 


ସେ ଦିନ ମୋ ଶ୍ରୀ ନିଜ ବାପା ଘରକୁ ନିଜ ବିଛଣାରେ ପଡ଼ିଥିବା ବାପାଙ୍କୁ ଦେଖିବା ପାଇଁ ଚାରି ଦିନ ପାଇଁ ଯାଉଥିଲେ । ସେଦିନ କେମିତି କେଜାଣି ମୋ ଉପରେ ଏତେ ଭରସା କରି ସେ ଗଢ଼ିଥିବା ଆମ ଘରର ସବୁ ଦାୟିତ୍ୱ ବିଶେଷ କରି ତା ନନ୍ଦୁର ଦାୟିତ୍ୱ ମୋ ଉପରେ ଛାଡ଼ିଦେଇ ଯାଇଥିଲେ । ନନ୍ଦୁକୁ ଛାଡି ଯିବାକୁ ଶ୍ରୀର ଇଚ୍ଛା ନଥିଲା ହେଲେ ଦୁଇଦିନ ତଳେ ନନ୍ଦୁ ଦେହ ଭାଲନାଥିଲା । ଡାକ୍ତରଙ୍କ ଠାରୁ ଔଷଧ ଆଣି ଦିଆଯାଉଛି । ବାଧ୍ୟ ହୋଇ ଶ୍ରୀ ଯାଉଛି ସତ ହେଲେ ତା ଆଖିର ସେ ଅମାନିଆ ଲୁହ ମୋ ଠାରୁ ପ୍ରତିଶୃତି ନେବାକୁ ଚାହୁଁଥିଲା କି ମୁଁ ସବୁ ଶତ୍ରୁତା ଭୁଲି ନନ୍ଦୁ ନିଜର କରିନିଏ । ମୁଁ ଅନିଚ୍ଛା ସତ୍ତ୍ୱେ ତାକୁ ଅବହେଳା କରିବିନି ବୋଲି ହୃଦୟରୁ ପ୍ରତିଶୃତି ଦେଇ ବିଦାୟ ଦେଲି । ଶ୍ରୀ ଗଲା ପରେ ନନ୍ଦୁର ସବୁ କାମ ମୁଁ କାଲି । ବିଛଣାରୁ ଉଠେଇବା,ଝାଡା କରାଇବା, ଗାଧେଇଦେବା, ଖୋଇଦେବା, ଔଷଧ ଦେବା ବୁଲେଇନେବା ସବୁକିଛି । ଏସବୁ ମୁଁ କିପରି ଶିଖିଲି । ସତରେ ଏ ଛୁଆଟା ପାଖରେ କିଛିନା କିଛି ଯାଦୁ ରହିଛି କେମିତି ବାସ ଦୁଇ ଦିନ ଭିତରେ ସେ ମତେ କେମିତି ଏକ ଅଲଗା ଅନୁଭୂତି ଦେଇ ଗୋଟିଏ ଅଲଗା ବନ୍ଧନରେ ବାନ୍ଧି ଦେଉଥିଲା । ମୁଁ ତା ଠାରୁ ଯେତିକି ଦୁରେଇ ଯିବାକୁ ଚେଷ୍ଟା କରୁଥିଲି ସେ ସେତେ ନିଜର କରୁଥିଲା । ତିନି ଦିନ ଆମ ଦୁହିଁଙ୍କ ମଧ୍ୟରେ ମାନସିକ ସ୍ତରରେ ହେଉଥିବା ଲଢେଇ ଭିତରେ ସେ ଜିତିଗଲା । ମୁଁ ପ୍ରଥମ ଥର ପାଇଁ ପିତୃସୁଖ ଅନୁଭବ କରିବାକୁ ଲାଗିଲି । 


ଶ୍ରୀ ଯିବାର ତିନି ଦିନ ହେଇଥାଏ । ସେଦିନ ସକାଳୁ ମୁଁ ଆଉ ନନ୍ଦୁ ପ୍ରାତଃ ଭ୍ରମଣ କରିବାକୁ ଯାଇଥିଲୁ । ମୁଁ ପାର୍କର ସେ ଫୁଲ ଗଛ ତଳେ ନନ୍ଦୁକୁ ବସାଇଦେଇ ଯୋଗ କରୁଥାଏ । ସେଇ ପାର୍କର ଅନେକ ଲୋକ ନନ୍ଦୁକୁ ଜାଣିଥାନ୍ତି, କାରଣ ଶ୍ରୀ ପ୍ରତିଦିନ ସନ୍ଧ୍ୟାରେ ନନ୍ଦୁକୁ ନେଇ ଆସନ୍ତି । ସେ ଲୋକ ମାନେ ନନ୍ଦୁକୁ ଦେଖି ଟିକିଏ ହସିଦେଇ ଚାଲିଯାନ୍ତି, ନନ୍ଦୁବି ଟିକେ ହସିଦିଏ । ଯୋଗ କରିସାରି ପାର୍କର ଚାରିପଟେ ଟିକେ ଦୌଡିବାକୁ ପଳାଇଗଲି ଆସି ଦେଖେ ତ ନନ୍ଦୁ ନାହିଁ । ମୋ ପାଦ ତଳୁ ମାଟି ଖସି ଗଲା । ଚାରିଆଡେ ବୁଲି ଦେଖିଲି, ହେଲେ ନନ୍ଦୁ ନାହିଁ । ସେଠାରେ ଉପସ୍ଥିତ ସବୁ ଲୋକଙ୍କୁ ପଚାରିଲି, କେହି କିଛି କହି ପାରିଲେନି । ନନ୍ଦୁ କୁଆଡେ ଗଲା । କଣ ତା ମା ବାପା ଲୁଚେଇ ନେଇଗଲେ । ନା କେହି ତା ଗୁଲୁଗୁଲିଆ ମୁହଁ ଦେଖି ନେଇଗଲା । ଦୁଇ ଦିନ ପରେ ଶ୍ରୀ ଆସି ପଚାରିଲେ ମୁଁ କଣ କହିବି । କି ଜବାବ ଦେବି । ମୁଁ ଏତେ ବେପରୁଆ କିପରି ହେଇପାରିଲି । ଶ୍ରୀ କଣ ମୋ କଥାକୁ ବିଶ୍ୱାସ କରି ମତେ କ୍ଷମା କରିପାରିବ । ମୁଁ ନିଜେ କଣ ନିଜକୁ କ୍ଷମା କରିପାରିବି । କଣ କରିବି । ପୋଲିସ ଥାନାରେ ଅଭିଯୋଗ କରିବି ନା କଣ କରିବି । ଏହାରି ଭିତରେ ମୁଁ ଆଖପାଖ ଦୋକାନକୁ ପଚାରି ଚାଲୁଥାଏ, ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ପଚାରୁଥାଏ । ସବୁଠି ନାସ୍ତିବାଣୀ । ବୋଧହୁଏ ଭଗବାନ ଜାଣି ଜାଣି ମୋ ପରି ବେପୁରିଆ ଲୋକର ଭାଗ୍ୟରେ ପିତୃସୁଖ ଦେଇନାହାନ୍ତି । ଏହାରି ଭିତରେ ମୁଁ ଘରେ ପହଂଚିଗଲି, ଘରର ଗେଟ ଖୋଲାଅଛି, ତା ମାନେ ଶ୍ରୀ ଆସିଯାଇଛି । ଚାରିଦିନ ପାଇଁ କହି ଯାଇଥିଲା ହେଲେ ତିନି ଦିନରେ ଫେରିଆସିଲେ । ତାଙ୍କୁ ଯେଉଁ ମାତୃତ୍ୱ ଦିନକ ପୂର୍ବରୁ ଏଠାକୁ ନେଇ ଆସିଛି ଯେତେବେଳେ ସେ ଜାଣିବେ ସେ କୁଆଡେ ହଜି ଯାଇଛି ସେତେବେଳେ କଣ କରିବେ । ଅଭିମାନ କରି ମତେ ଛାଡି ଦେବେନାହିଁ ତ । ଛଅ ମାସର ଛୁଆଟାକୁ ସମ୍ଭାଳି ପାରିଲିନି । ଧିକ ମୋ ବାପା ପଣିଆକୁ । ଶ୍ରୀ ଭିତରୁ ବାହାରି ଆସି କହିଲା “ତମର ଏତେ ଡେରି, ନନ୍ଦୁ କେତେବେଳୁ ଆସିସାରିଲାଣି । କୁଆଡେ କଣ କରୁଥିଲ”। ନନ୍ଦୁ ଆସିସାରିଲାଣି । କାହା ସାଙ୍ଗରେ ଆସିଲା । ମୋ ପ୍ରଶ୍ନ ଶୁଣି ଶ୍ରୀ କହିଲା “ମୁଁ ଗେଟ ଖୋଲୁ ଖୋଲୁ ସେ ଦୌଡି ଆସି ମୋ ଗୋଡ଼ ସାରା ଘଷିମୋଡି ହେଲା , ମୋ ପାଦକୁ ଚାଟିଲା, ଖାଲି ଆଜିନୁହେଁ ସବୁଥର ମୁଁ ତାକୁ ଘରେ ଛାଡି ବଜାରକୁ ଯାଇ ଆସିଲେ ବି ମୋ ଗେଟ ଖୋଲିବା ପୂର୍ବରୁ ସେ ଆସି ଏମିତି କରେ । ମୋ ଆସିବାର ଖବର ସେ କେମିତି ଜଣେ କେମିତି କେଜାଣି”। ପଡିଶା ହରି ବାବୁ ଆମ କଥା ଶୁଣି କହିଦେଲେ ଆଜିକାଲି ମଣିଷମାନଙ୍କ ଠାରୁ ଏମିତି ନନ୍ଦୁ ପରି କୁକୁର ମାନେ ବେଶୀ ବିଶ୍ୱସ୍ତ । ନନ୍ଦୁକୁ କୁକୁର ବୋଲି କହିବାରୁ ଶ୍ରୀ କିଛି ନ କହିଲେ ବି ରାଗିଯାଇ ନନ୍ଦୁକୁ ଧରି ଭିତରକୁ ପଳେଇଗଲେ । ମୁଁ ହର ବାବୁଙ୍କ କଥାରେ ମିଛଟାରେ ହସି ଭିତରକୁ ପଳେଇ ଗଲି । 


ଦିନସାରା ହରି ବାବୁଙ୍କ ସେ ପଦିଏ ମୋ ମାନବିକତାକୁ ଖଣ୍ଡ ଖଣ୍ଡ କରିଦେଉଥାଏ । ମଣିଷ ଠାରୁ ପଶୁ ବେଶୀ ବିଶ୍ୱସ୍ତ । କଥାଟି ପୁରାପୁରି ଠିକ, ନହେଲେ ମୁଁ କିପରି ସେ ଦିନ ମୋ ଶ୍ରୀ ସହ ଵିଶ୍ଵାସଘାତ କଲି । ସେଦିନ ଡାକ୍ତର ଠାରୁ ରିପୋର୍ଟ ଆଣି ମହାନଦୀରେ ଭସାଇବା ପୂର୍ବରୁ ଖୋଲି ଦେଖିବାର ଆବଶ୍ୟକ କଣ ଥିଲା । ଯଦି ଖୋଲି ଦେଖିଲି ସେଥିରେ ଥିବା ସତ୍ୟକୁ ଶ୍ରୀ ଆଗରେ ଲୁଚେଇ ରଖିବାର ଆବଶ୍ୟକ କଣ ଥିଲା । ତାଙ୍କୁ କହିବାକୁ କାହଁକି ଅସମର୍ଥ ହେଲି କି ସେ ମାତୃତ୍ୱ ପାଇବାପାଇଁ ସମର୍ଥ ହେଲେ ମୁଁ ଅଯୋଗ୍ୟ । ସତରେ ମୁଁ ବିଶ୍ୱାସଘାତ କରିଛି । ମୁଁ ପାପ କରିଛି । ମତେ ସେ ନନ୍ଦୁଠାରୁ ସମ୍ପର୍କ କିପରି ଗଢ଼ାଯାଏ ଶିଖିବାର ଅଛି । ମୁଁ ପ୍ରାଯଶ୍ଚିତ କରିବି । ମୁଁ ଯଦି ପାଣ୍ଡୁ ପରି ଅସମର୍ଥ ତେବେ ମୋ ସଂମତିରେ ମୋ କୁନ୍ତୀ ନିୟୋଗ ଦ୍ଵାରା ମାତୃତ୍ୱ ଲାଭ କରିବା ସହ ମତେ ପିତୃତ୍ୱର ସୁଖ ଦେବ । ଯଦି ସେଦିନ ଏହା ପାପ ନଥିଲା ତେବେ ଏବେ ବି ଏହା ପାପ ନୁହେଁ । ମୁଁ ସାହସ କରି ମୋ ଶ୍ରୀ ଆଗରେ ଠିଆ ହେଲି ତାକୁ ସବୁ ସତ କଥା କହି ଚାଲିଲି, ଶେଷରେ ବିଜ୍ଞାନ ବଳରେ ଆମେ ସନ୍ତାନ ସୁଖ ଲାଭ କରିପାରିବା କଥା ବି କହିଲି । ତାଙ୍କ ଭିତରେ କିଛି ଅସୁବିଧା ନାହିଁ ସବୁ ଅସୁବିଧା ମୋ ଠାରେ ଅଛି ତେଣୁ ମୋ ପାଇଁ ସେ ଯେପରି ନାରୀର ପୂର୍ଣ୍ଣତା ପାଇବାକୁ ବଂଚିତ ନରହନ୍ତୁ । ମୋ କଥା ମୋ ପ୍ରସ୍ତାବ ଶୁଣି ସେ କହିଲେ ”ମୁଁ ସେଦିନ ତମେ ନଦୀରେ ରିପୋର୍ଟ ଭସେଇଲା ବେଳେ ଖୋଲି ପଢୁଥିବାର ଦେଖିଲି । ମୁଁ ଜାଣିଥିଲି ସେ ରିପୋର୍ଟରେ କଣ ଲେଖାଅଛି । ମୁଁ ଭାବିଥିଲି ଦୋଷ ମୋ ଠାରେ ଅଛି ତେଣୁ ଡାକ୍ତରଙ୍କୁ ଦେଖାକରି ସରୋଗ୍ରେସୀ ମା ବିଷୟରେ ଆଲୋଚନା କରୁଥିଲି ହେଲେ ଡାକ୍ତର ତମ ଭିତରେ ଅସମର୍ଥ ବିଷୟରେ କହିଲେ । ସେତେବେଳେ ମୁଁ ଜାଣିଲି ଦିନେ ନା ଦିନେ ତମେ ସବୁ କଥା ପରି ଏକଥାଟା ବି କହିବ । ମତେ ଆଧୁନିକ କୁନ୍ତୀ ହେବାକୁ ପ୍ରସ୍ତାବ ଦେବ । ମୁଁ ସିନା ମାତୃତ୍ୱ ପାଇଯିବି ହେଲେ ତମେ ମିଛି ମିଛିଆ ପିତୃତ୍ୱର ଖୁସି ଦେଖେଇ ହେବ । ସେଥିପାଇଁ ମୁଁ ଘରକୁ ଯିବା ବାହାନାରେ ମୋ ଅସ୍ତ୍ରପ୍ରଚାର କରି ମୁଁ ବି ତମ ପରି ନିଜକୁ ଅସମର୍ଥ କରିଦେଲି । ମୁଁ ସେଦିନର କୁନ୍ତୀ ଅପେକ୍ଷା ଗାନ୍ଧାରୀ ହେବାକୁ ଠିକ ଭାବିଲି ।”ମୋ ଆଖିରୁ ଅନୁତାପର ଲୁହ ବୋହି ଚାଲୁଥାଏ । ସେଇ ଲୁହରେ ନିଜର ପାପାକୁ, ନିଜର କର୍ମଫଳକୁ ଧୋଇବାକୁ ବୃଥା ପ୍ରଚେଷ୍ଟା କରୁଥାଏ । ସବୁ ଥରପରି ଏଥର ବି ସେ ମୋ ଓଠର କଥାକୁ ମୋଠାରୁ ଛଡେଇନେଇ କହିଲା ଆମେ ଦୁହେଁ ସିନା ମା ବାପା ହେବାକୁ ଅସମର୍ଥ ହେଲେ ସନ୍ତାନ ସୁଖ ପାଇବାକୁ ଅସମର୍ଥ ନୁହେଁ । ମୋ ପକେଟରେ କାଗଜଟି ପୁରେଇ ଦେଲେ । ମୁଁ ସଙ୍ଗେ ସଙ୍ଗେ ଖୋଲି ସେ କାଗଜରେ ଲେଖାଥିବା ଠିକଣାଟା ପଢି ହସିଦେଲି । ସତରେ ଆମେ ସିନା ମାତୃତ୍ୱ ,ପିତୃତ୍ୱ ପାଇବାକୁ ଅସମର୍ଥ ହେଲେ ସନ୍ତାନ ସୁଖ ପାଇବାକୁ ଅସମର୍ଥ ନୁହେଁ । ଭିତରୁ ନନ୍ଦୁ ଡାକ ଛାଡିଲା । ବୋଧ ହୁଏ ଭୋକ ଲାଗିଲାଣି ତାକୁ......



Rate this content
Log in

More oriya story from Nihar Ranjan Samal

Similar oriya story from Tragedy