କୁକୁର ପଣିଆ
କୁକୁର ପଣିଆ
ଅଣୁଗପ
ମା'ଙ୍କ ରାଗ ଅମାନିଆ ପୁଅ ଉପରେ ଧୀରେଧୀରେ ବଢୁଥିଲା ତ କହିଲେ,"କାଇଁ ଏମିତି କୁକୁର ଭଳି ହଉଛୁ ।" କଥା ସରିଛି କି ନାଇଁ ରାସ୍ତାରେ ଯାଉଥିବା କୁକୁର ହଠାତ୍ ଅଟକି ସେମାନଙ୍କ ଆଡକୁ ମୁହଁ କରନ୍ତେ ମାପୁଅ ଆସନ୍ନ ବିପଦକୁ ଭାବି ଭୟରେ ଥରିବା ଆରମ୍ଭ କଲେ । କୁକୁର କିନ୍ତୁ କୃତଜ୍ଞତା ସ୍ୱରୂପ ଲାଞ୍ଜ ହଲାଇ ହଲାଇ ଫେରିଯାଉଥିଲା ।
ବିଶାଳକାୟ କୁକୁରଟି ଯେତେ ଭୟଙ୍କର ଥାଉ ଅଚିହ୍ନା ଲୋକ ଘର ତ ଘର ଘରପାଖ ରାସ୍ତାରେ ବି ଯିବାର ସାହସ ଯୁଟାଇ ପାରୁନଥିଲେ । ଦିନକ ପାଇଁ ବାହାରକୁ ଯିବା ଥିବାରୁ ପଡୋଶୀଙ୍କୁ ଘର ଦେଖିବାକୁ ମାଲିକ ଅନୁରୋଧ କଲେ । କୁକୁରକୁ ଆଉଁସି ଆଉଁସି ପଡୋଶୀ ହସିଦେଲେ । ମାଲିକ କିନ୍ତୁ ବୁଝିଲା ଭଳି କହିଲେ,"ଇଏ ପା ଚିହ୍ନା ଲୋକଙ୍କ ପେଟ କଥା ବୁଝିପାରେନି ।"
ଭୋଜି ବିଳମ୍ବ ହେଉଥିବାରୁ ଚାପା ଗୁଞ୍ଜରଣ କ୍ରମଶଃ ପାଟିତୁଣ୍ଡକୁ ରୂପାନ୍ତର ହେଲା । କାରଣ ପ୍ରତି କେହି ବୁଝିବା ସ୍ଥିତିରେ ନ ଥିଲେ । କିଛି କିଛି ଅଧୈର୍ଯ୍ୟହରା ଫେରିବାକୁ ଫାଟକ ଅତିକ୍ରମ କଲାବେଳେ କିନ୍ତୁ ବେଶ୍ ଶୃଙ୍ଖଳିତ ଓ ଅବିଚଳିତ ମୁଦ୍ରାରେ ଅପେକ୍ଷା କରିଥିବା କୁକୁରମାନେ ସପରିବାର ଆଶ୍ଚର୍ଯ୍ୟ ରେ ଅନେଇ ରହିଥିଲେ ।
