ଜୀବନର ସଉଦା
ଜୀବନର ସଉଦା
ମଣିଷ ଦ୍ଵାରା ନିର୍ମିତ ଟେକ୍ନୋଲୋଜିର ଆବିଷ୍କାର ମୋବାଇଲ୍ ସାମାଜକୁ ନିଜ ମାୟା ଜାଲରେ ବଶୀଭୂତ କରି ନେଇଛି ! ଯେତେବେଳେ ପ୍ରଥମ ଥର ବଜାରକୁ ମୋବାଇଲ୍ ଆସି ଥାଏ,ସମସ୍ତଙ୍କ ଇଚ୍ଛା ଆଉ ସ୍ଵପ୍ନ ହାତରେ ଗୋଟିଏ ମୋବାଇଲ୍ ଧରନ୍ତି କି ! ଅଭାବ ଅନାଟନରେ ଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଟିକେ କଷ୍ଟ ହେଲେ ବି ମଧ୍ଯ ସେଇ କଷ୍ଟ ଭିତରେ ଥିବା ଖୁସିକୁ ମଣିଷ ଖୋଜି ଥାଏ ! ଆଉ ଯେଉଁ ସମୟ ହେଲାଣି ମୋବାଇଲ୍ ଟେ ଘରକୁ ଆସିବା ନିହାତି ଦରକାର!
ସେଥି ମଧ୍ୟରେ ମୋ କାହାଣୀର ନାୟକ ଦୀପୁ !
ଦୀପୁ କଲେଜ୍ ରେ ପାଠ ପଢୁ ଥାଏ ! ସାଙ୍ଗ ସାଥି ସମସ୍ତଙ୍କ ସହିତ ମିଶେ ଆଉ ଆଧୁନିକତାର ପାହାଚ ଧୀରେ ଧୀରେ ଚଢିବା ପାଇଁ ଚେଷ୍ଟା କରେ ! ପ୍ରାୟ ସେ ସାଙ୍ଗ ହେଉ କି ବନ୍ଧୁ ଅବା ବାନ୍ଧବ ହେଉ ସମସ୍ତଙ୍କ ହାତ ରେ ମୋବାଇଲ୍ ଦେଖେ ଆଉ ଇଛା କରେ ଗୋଟିଏ ମୋବଇଲ୍ କିଣିବା ପାଇଁ ! ତେଣୁ ସେ ବାପା ଙ୍କୁ ଯାଇ କହେ ବାପା ଆମର ଗୋଟେ ମୋବାଇଲ୍ ଆଣିଲେ କେମିତି ହୁଅନ୍ତା ! ବାପା ଏ ସବୁ ଜିନିଷ ପାଇଁ ଟିକେ ଆଗ୍ରହ ପ୍ରକାଶ କରନ୍ତିନି ! ପୁରୁଣା କାଳିଆ ଲୋକ ତ ଟିକେ ଆଜିର ଦୁନିଆଁ ସହ ଚାଲି ପାରନ୍ତି ନାହିଁ !
ମଧ୍ୟବର୍ତ୍ତୀ ପରିବାର ପାଇଁ ଜୀବନ ଆଉ ଜୀବିକା ପ୍ରତି ସଙ୍ଘର୍ଷ ତା ମଧ୍ୟରେ ଏ ସବୁ ଜିନିଷ କିଣିବା କଷ୍ଟକର ପାଠ ! ଦୀପୁର ବଡ ଭଉଣୀର ବାହାଘର ବେଳେ କିଏ ବନ୍ଧୁ ଜଣେ ଛେଳି ଛୁଆଟେ ଆଣି ଦେଇଥିଲେ !ବାପା କହିଲେ ସେ ଛେଳି ଛୁଆଟେ ବଡ ହେଉ ତାକୁ ବିକି ଗୋଟିଏ ମୋବଇଲ୍ ଆଣିବା ! ତେଣୁ ସେଇ ଦିନ ଠାରୁ ଦୀପୁ ମନରେ ଉତ୍ସାହ ଭର୍ ପୁର୍ ରହି ଥାଏ ସେ ଛେଳିର ସେବା ପାଇଁ ଦାୟିତ୍ଵ ପୁରା ନେଇ ଥାଏ ! ତାର ଖାଇବା ପିଇବା ଗାଧୋଇବା ସବୁପ୍ରକାରର ଯତ୍ନ ନେଉ ଥାଏ ! କେମିତି ସେ ଶୀଘ୍ର ବଡ ହେବ ଆଉ ଘରକୁ ମୋବାଇଲ୍ ଆସିବ !କିଛି ଦିନ ପରେ ସେ ସମୟ ଆସି ଗଲା ଛେଳି ଛୁଆଟି ବଡ ହେଇ ହୃଷ୍ଟପୃଷ୍ଟ ହେଇ ଯାଇଥିଲା ! ଏବେ ଦୀପୁ ବାପାଙ୍କୁ ଆଉ ଥରେ ମନେ ପକେଇ ଦେଲା ବାପା ମୋବାଇଲ୍ ଆଣିବା ଛେଳି ଛୁଆ ବଡ ହେଇ ଗଲାଣି !ବାପା ହଁ ହଁ ନିଶ୍ଚିତ ମୁଁ ଦେଖୁଛି କହିଲେ ! ତା ପରେ ବାପା ବଜାର ବାହାରିଲେ ସେଇ ଛେଳି କାଟୁ ଥିବା ଲୋକଙ୍କୁ ଧରି ଘରକୁ ଆଣିଲେ ! ସେ ଦରଦାମ୍ ଛିଣ୍ଡେଇ ହାତରେ ଟଙ୍କା ପଚିଶ ସହ ଧରେଇ ଦେଲା ଏବଂ ସେ ଛେଳି କୁ ନେବା ପାଇଁ ଚେଷ୍ଟା କଲା ହେଲେ ଛେଳି ତା ସହିତ ଯିବା ପାଇଁ ଜମା ରାଜି ନଥିଲା ! ସେ ବୋଧେ ଜାଣି ପାରି ଥିଲା ଆଜି ତାର ଶେଷ ଦିନ ! ହେଲେ ସେଇ ଲୋକ ଅତି ନିର୍ଦୟ ଭାବରେ ଛେଳିକୁ ଟାଣି ଘସାରି ନେଉ ଯାଉ ଥାଏ ଆଉ ଛେଳି ସତରେ ମଣିଷ ପରି ବୋବେଇ କାନ୍ଦୁ ଥାଏ ! ଆଉ ତା ଲୁହ ଭରା ଚାହାଁଣିରେ ଦୀପୁ କୁ ଅନେଇ ଥାଏ ! ଏ ଦୃଶ୍ୟ ଦୀପୁ ମନରେ ବହୁତ ଆଘାତ ଦେଇ ଥିଲା ! ହେଲେ ସେଇ ଟଙ୍କା ରେ ମୋବାଇଲ୍ ଆସିବ ଏ ଖୁସି ଆଗ ନିର୍ଦୟ ହେଇ ଛେଳିର ଲୁହକୁ ସେ ଅଣ ଦେଖା କରେ !ବାପା ଫୁଣି ସେଇ ଟଙ୍କା ରେ ମୋବାଇଲ୍ କିଣି ଆଣି ଘରେ ଦେଲେ ଦୀପୁ ସେଇ ମୋବାଇଲ୍ କୁ ଦିନ ରାତି ଟିପି ଟିପି ଦେଖେ ହେଲେ ମନରେ ଖୁସି ନଥାଏ, କଣ ପାଇଁ କେଜାଣି ଛେଳି କଥା ବେଶି ମନେ ପଡେ ତାର !
ସେଇ କିଛି ଦିନର ଛେଳି ପ୍ରତି ସ୍ନେହ ଓ ମମତା , ମନ ଭିତରେ ଗୋଟିଏ ଭଲ ପାଇବାର ସମ୍ପର୍କ ଗଢି ଉଠି ଥିଲା, ଦୀପୁ ଅନୁତାପ କରି ଛେଳି କୁ ମନେ ପକେଇ ବହୁତ କାନ୍ଦେ, ମୁଁ ଏ କଣ କଲି, ନିର୍ଜୀବ ବସ୍ତୁ ଟିଏ ପାଇଁ ଗୋଟିଏ ଜୀବିତ ଛେଳିର ଜୀବନ କୁ ସଉଦା କରି ଦେଲି !
