Sudipta das

Tragedy

2  

Sudipta das

Tragedy

ଜୀବନର ରଙ୍ଗ

ଜୀବନର ରଙ୍ଗ

8 mins
560


ମା' ଲୋ। ତୋ ହାତ ରନ୍ଧା ଚିଲ୍ଲି ମସୃମ୍ ବହୁତ ଦିନ ହେଲା ଖାଇନି। ଶାହୀ ପନୀର ତୁ ଯେମିତି କରୁ ନା, ତୋ ବୋଉ ବି ସେମିତି କରି ଶିଖିନି। ବଡ଼ ଇଚ୍ଛା ହଉଚି ଲୋ ମା' ତୋ ହାତରୁ ସେ ସବୁରୁ ତେଲଗିନା ରେ ଗିନେ ଲେଖା ମନ ଭରି ଖାଇବା ପାଇଁ। ଯେବେଠାରୁ ମୋର ଲିଵର୍ ରେ ଷ୍ଟୋନ ବାହାରିଛି, ତୋ ବୋଉ ମୋର ସବୁ ଖାଇବା ପିଇବା ଉପରେ ଏମିତି ବାଡ଼ ବତା ଲଗେଇ ଦେଇଚି ଯେ ଆଉ ପାଟିକୁ ଖାଦ୍ୟ ଯାଉନି। ଯାହା ବି ଖାଉଚି, ଖାଲି ଶିଝା;ତେଲମସଲା ହଳଦୀ ବିନା, ରଙ୍ଗହୀନ ଖାଦ୍ୟ ଆଉ ସେସବୁ ମତେ ଟିକିଏ ହେଲେ ବି ରୁଚୁନି। ଏମିତି ଗୋଟିଏ ଜୀବନ ରହିଲେ କେତେ ଗଲେ କେତେ!

କେତେ ଥର କହିଲିଣି,ତୁ ବି ମୋ କଥା ଶୁଣୁନୁ। ମନେ ଅଛି ନା, କୁନି ଟେ ହେଇଥିଲୁ। ଆମେ ମେଳା ବୁଲି ଯାଇଥିଲୁ। ଛୋଟ ସହର ଆମର। ବିଶେଷ କିଛି ହଲଚଲ ନଥାଏ ସେ ଜୀବନରେ। ମେଳା ମଉଚ୍ଛବ ହେଲେ ସହର ଟି ଚେଇଁ ଉଠେ ,ଟିକେ ହଲଚଲ ହୁଏ ଆଉ ସହର ବାସିନ୍ଦା ଙ୍କ ଜୀବନରେ ବି ପରିବର୍ତ୍ତନ ର ଦକ୍ଷିଣିଆ ପବନ ଟିକିଏ ବୋହିଯାଏ।

 ଠେଲା ବାଲାର ରଙ୍ଗ ବେରଙ୍ଗ ଆଇସକ୍ରିମ ଦେଖି ଏମିତି ଜିଦ୍ କଲୁ ଯେ ମୋ ଅବସ୍ଥା ଖରାପ। ତୋ ବୋଉ ସବୁବେଳେ ଶୁଝବୁଝ ର କଥା କହେ। ରାନୀ ର ଥଣ୍ଡା ଏବେବି ଛାଡ଼ିନି। ନାକ ସଡ଼ସଡ଼ ହେଉଛି। ତାକୁ ଆଇସକ୍ରିମ ଏକଦମ୍ ଦବନି। ତାର ଓଜନିଆ ଉପଦେଶ ର ଚାପତଳେ ମନଟା ମୋର ଦବିଗଲା।

ମୁଁ ତ ସବୁଦିନେ ଗୋଟେ ଅଲଗା ସ୍ବପ୍ନର ଦୁନିଆଁ ରେ ଥାଏ। ଛୋଟ ଛୋଟ ଖୁସି ସବୁଙ୍କୁ କୁଣ୍ଢେଇ ଧରେ ମୁଁ। ବଡ଼ ବଡ଼ ଖୁସି ମାନଙ୍କ ଅପେକ୍ଷା ରେ ରହିବା ଅପେକ୍ଷା ଛୋଟ ପିଲାଙ୍କ ଭଳି ଅଧାଅଧୁରା ଆନନ୍ଦ ମାନଙ୍କ ଲାଙ୍ଗୁଡ଼ ଧରି ଦୌଡ଼ି ବାର ଗୋଟିଏ ଅଲଗା ମଜା। ତୋତେ ବି ତ ମୋ ଛାଞ୍ଚ ରେ ଗଢ଼ି ବା ପାଇଁ ଚେଷ୍ଟା କରିଚି। ଆଉ ତୁ ସେଥିପାଇଁ ଆମ ଘର ଭିତରେ ସବୁଠୁଁ ନିଆରା,ମୋର ସବୁଠାରୁ ପ୍ରିୟ। ମୋ ରାସ୍ତାରେ ଚାଲିଆସିଚୁ ପିଲାଦିନୁ ଏପର୍ଯ୍ୟନ୍ତ।

ସେଦିନ ବୋଉ ତୋର ଯେମିତି ଶଙ୍ଖାରୀ ବୁଢ଼ା ପାଖରୁ ଶଙ୍ଖା,ଚୁଡି,ସିନ୍ଦୂର,ତମ ଦି' ଭଉଣୀଙ୍କ ପାଇଁ ନାଲି,ନେଳୀ ରିବନ ଆଉ ସାନଭାଇ ପାଇଁ ଖେଳନା କାର୍ ଟିଏ କିଣିବା ପାଇଁ ଦୋକାନୀ ସାଙ୍ଗରେ ମୂଲଚାଲ ଆରମ୍ଭ କରିଚି, ସେଇ ମଉକାରେ ତୋ ପାଇଁ ଆଇସକ୍ରିମ ଟେ ଆଣି ତୋ ହାତରେ ଧରେଇ ଦେଲି। ତୁ ବି ଚଟାପଟ୍ ଚାଟି ପକେଇଲୁ ସେ ଆଇସକ୍ରିମ ଟାକୁ। ସତରେ ଯେମିତି ତୋ ହାତ ମୁଠାରେ ଜହ୍ନ ପାଇଯାଇଚୁ! ବୋଉ ସେ ମନୋହାରୀ ଦୋକାନ ରୁ ଫେରିବା ବେଳକୁ ତୋ ହାତରେ ଆଉ ଆଇସକ୍ରିମ ନଥିଲା। କିନ୍ତୁ ଆଇସକ୍ରିମ ରଙ୍ଗରେ ରଙ୍ଗା ତୋର ଲାଲ୍ ଲାଲ୍ ଓଠ, ଫ୍ରକରେ ବହି ପଡ଼ିଥିବା ଆଇସକ୍ରିମ ର ଅଗଣିତ ଦାଗ ଆଉ ଖୁସିରେ ନାଚି ଉଠୁଥିବା ତୋର ଦେହ,ମନ ଆଉ ପ୍ରାଣ; ଏସବୁ ସାକ୍ଷ ଦେଉଥିଲେ ତାଜା ତାଜା ଆଇସକ୍ରିମ ଟିଏ ଖାଇ ଶେଷ କରିଥିବା ଝିଅଟିର ସନ୍ତୁଷ୍ଟିଭରା ଏକ ସୁମଧୁର କାହାଣୀର।ତା'ପରେ ମୋ ଉପରେ ତୋର ମାତୃଦେବୀଙ୍କର ସେ ଯେଉଁ ନିଦାରୁଣ ଗାଳିର ବର୍ଷଣ, ଯାହା ଆଗରେ ପାକିସ୍ତାନର ସୈନ୍ୟବାହିନୀ ମଧ୍ୟ ଛତ୍ରଭଙ୍ଗ ଦେଇ ପଳେଇଯିବ, ମତେ ମୋର ସ୍ଵର୍ଗୀୟ ଅଜା,ଆଇଙ୍କ କଥା ମନେ ପକେଇ ଦେବା ପାଇଁ ଥିଲା ଯଥେଷ୍ଟ।

ଘରେ ସମସ୍ତେ କୁହାକୁହି ହେଉଚନ୍ତି ଯେ ମୋ ଲିଵର୍ ରେ କାଳେ କ୍ଯାନସର ହେଇଚି। ଆଉ କାଳେ ଲାଷ୍ଟ ଷ୍ଟେଜ। ତୋ ବୋଉ ତ ଲୁଚେଇ ଲୁଚେଇ ଦିନରାତି ଚବିଶ ଘଣ୍ଟା ଖାଲି କାନ୍ଦୁଚି। ମୋ ଛଡ଼ା ଆଉ ସମସ୍ତଙ୍କୁ ଏ କଥା ଜଣା ଏଘରେ। ମୋର ଯାହା ଅବସ୍ଥା, ବିପି,ଡାଏବେଟିସ୍ ବହୁତ ବେଶି ଆଉ ରକ୍ତରେ ପ୍ଲେଟଲେଟ କାଉଣ୍ଟ କାଳେ ବହୁତ କମ୍। ଏସବୁ ଠିକ ନ ହେବା ଯାଏଁ ମୋର କେମୋ ଥେରାପି ହୋଇପାରିବ ନାହିଁ। ଆଗକୁ କାଳେ ବହୁତ କଷ୍ଟ ଅଛି ମୋ ଭାଗ୍ୟରେ। ମତେ ଖୁସି ରେ ରଖିବା ପାଇଁ ସମସ୍ତେ ଲାଗିପଡିଚନ୍ତି । ଦିନ ରାତି ଏକ କରିଦେଇଚନ୍ତି ସେମାନେ। ଘରଟା ଆମର ଏବେ ବନି ଯାଇଚି ଗୋଟେ ମିନି ଫାର୍ମାସି। ମୁଁ ଏବେ ବଞ୍ଚିଚି କେବଳ ସେଇ ଓଷଦ ମାନଙ୍କ ଦୟାରୁ। ପଇସା ପାଣି ପରି ଖର୍ଚ୍ଚ ହେଉଚି। ତୋ ସାନଭାଇ ବାଙ୍ଗାଲୋର ରୁ ଆସି ଘରେ ରହି ମୋର ଦେଖାଶୁଣା କରୁଚି। ଓ୍ଵର୍କ ଫ୍ରମ୍ ହୋମ୍ (ଘରୁ କାମ କରିବା) ପାଇଁ କମ୍ପାନୀ ତାକୁ ଅନୁମତି ଦେଇଚି। ତୋ ସାନଭଉଣୀ ତାନି ଆଉ ତା ସ୍ଵାମୀ ଅଜିତ ଦିଲ୍ଲୀରୁ ଆସି ଦୁଇ ଦିନ ରହି ଫେରିଗଲେଣି। ନାତି ଟୋକା ଟାକୁ ଟିକିଏ ଦେଖିବା ପାଇଁ ବହୁତ ଇଚ୍ଛା ହେଉଥିଲା। କିନ୍ତୁ ସେ ମେଞ୍ଚଡ଼ ଟୋକା ର କାଳେ ଏକ୍ଜାମ୍ ଆରମ୍ଭ ହୋଇଥିବାରୁ ତାକୁ ପଡୋଶୀ ଆଣ୍ଟିଙ୍କ ଘରେ ଛାଡ଼ି ଆସିଲେ।

ତୁ ମୋ ଆଖିର ତରାଟିଏ ଥିଲୁ। ଘଡିଏ ତତେ ନ ଦେଖିଲେ ମୁଁ ରହି ପାରୁନଥିଲି। ସେଥିପାଇଁ ତତେ ଏଇ ଛୋଟ ସହରରେ ହିଁ ବାହା ଦେଇ ଦେଲି। ତୁ ଯେ ତୋର କୋଉ ସହପାଠୀ କୁ ମନେ ମନେ ଭଲ ପାଉଥିଲୁ ଏକଥା ତୋ ବୋଉ ପାଖରୁ ଶୁଣି ବହୁତ ବିରକ୍ତ ହୋଇଥିଲି। ଆମେ କଣ ମରି ଗଲୁଣି ଯେ ଝିଅ କୁ ତାର ନିଜ ପାଇଁ ଜୀବନସାଥି ଖୋଜିବା ପାଇଁ ପଡୁଛି। ବୋଉ କୁ ଗାଳି ଦେଇଥିଲି ତତେ ଏତେ ସ୍ଵାଧୀନତା ଦେଇଥିବା ପାଇଁ। 

ଭଳ ବର,ଭଲ ଘର। ବାପା ସହର ର ନାମକରା ବ୍ଯବସାୟୀ।ଦୁଇ ପୁଅ। ଦୁହେଁ ବାପାଙ୍କ ବ୍ୟବସାୟ ରେ ସାହାଯ୍ୟ କରୁ କରୁ ପକ୍କା ବିଜନେସ ମ୍ୟାନ୍ ପାଲଟି ଯାଇଥିଲେ। ବଡ଼ ବଡ଼ କମ୍ପାନୀର ଏକ ମାତ୍ର ଡିଷ୍ଟ୍ରିବ୍ଯୁଟର ହିସାବରେ ବେଶ ନାମଜାଦା ସେ ପରିବାର। ତାଙ୍କ ତରଫରୁ ସାନ ପୁଅ ପାଇଁ ଯେତେବେଳେ ପ୍ରସ୍ତାବ ଆସିଲା ମନା କରିବା ପାଇଁ କୌଣସି କାରଣ ନଥିଲା। ମୁଁ ସାରା ଜୀବନ ଚାକିରୀ କରି କଣ ବା କରି ପାରିଚି? ଏହାତ ରେ ଯାହା ଆସେ ମାସ ନ ସରୁଣୁ ସେ ହାତ ହୋଇ ଚାଲିଯାଏ। ଜଣେ ଭଲ ବ୍ୟବସାୟୀ ପାଖରେ କିନ୍ତୁ କେବେ ପଇସା ପତ୍ରର ଅଭାବ ନଥାଏ। ବାଣିଜ୍ୟେ ବସତି ଲକ୍ଷ୍ମୀ। ତୋ ମନକୁ ମାରି ମୋ କଥାରେ ତୁ ଚୁପଚାପ ବାହାବେଦୀ ରେ ବସି ପଡ଼ିଲୁ। ପ୍ରମଥ ବହୁତ ଭଲ ପିଲା ବୋଲି ଶୁଣିଥିଲି। କିନ୍ତୁ ବାହାଘର ପରେ ଜାଣିଲି ଯେ ସେ ବହୁତ ପୁରୁଣା ଖିଆଲ ର। ସ୍ତ୍ରୀ ମାନଙ୍କର ସ୍ଥାନ ସ୍ଵାମୀ ଙ୍କର ପାଦତଳେ। ଘରର ଚାରି କାନ୍ଥ ଭିତରେ ସେମାନଙ୍କର ସଂସାର। ଘରକାମ, ରୋଷେଇ ବାସ,ସ୍ଵାମୀ ଓ ଅନ୍ୟ ଗୁରୁଜନ ମାନଙ୍କ ସେବା କରିବା,ଛୋଟ ମାନଙ୍କ ଯତ୍ନ ନେବା,ପିଲାପିଲିଙ୍କୁ ଜନ୍ମଦେବା ଏବଂ ସେମାନଙ୍କୁ ଲାଳନପାଳନ କରି ବଡ଼ କରିବା ଭିତରେ ନାରୀ ମାନଙ୍କୁ ସେମାନଙ୍କ ଜୀବନର ପରିପୂର୍ଣ୍ଣତା ଖୋଜି ପାଇବା ଉଚିତ ବୋଲି ପ୍ରମଥ ଦୃଢ଼ ଭାବରେ ବିଶ୍ୱାସ କରେ। ପଢାଶୁଣାରେ ବହୁତ ଭଲ ଥିଲୁ ତୁ। ପୋଷ୍ଟ ଗ୍ରାଜୁଏସନ୍ ପରେ ସିଵିଲ୍ ସର୍ବିସେସ୍ ପରୀକ୍ଷା ପାଇଁ ମନ ଥିଲା ତୋର। କିନ୍ତୁ ତୋର ସବୁ ସ୍ଵପ୍ନ କୁ ମୋର ଗୋଟିଏ ଭୁଲ ଜାଳି ପୋଡ଼ି ଛାରଖାର କରିଦେଲା। ବିଭାଘର ପରେ ଗୃହବନ୍ଦୀ ଟିଏ ହୋଇ ରହି ଗଲୁ। ପୁଅ,ଝିଅ ଦୁହେଁ କିନ୍ତୁ ଠିକ ତୋ ଭଳି ହୋଇଛନ୍ତି,ଯଦିଓ ଝିଅଟି ତାର ବାପାଙ୍କ ର ଜଣେ ବଡ଼ ସପୋର୍ଟର୍ ଅନ୍ୟ ସବୁ ଝିଅ ମାନଙ୍କ ପରି। ଝିଅ ର ଦୁଃଖ କୌଣସି ବାପା, ମା ସହି ପାରନ୍ତି ନାହିଁ। ସେଥିପାଇଁ ପ୍ରମଥ ସହିତ ମୋର ସମ୍ପର୍କ ଏତେ ଭଲ ହୋଇ ପାରିଲା ନାହିଁ। ଏଇ ଦେଖନା, ଗୋଟିଏ ସହର ଭିତରେ ଥାଇବି ନା ପ୍ରମଥ ଙ୍କୁ କେବେ ସମୟ ମିଳୁଛି ମତେ ଦେଖିବାକୁ ଆସିବା ପାଇଁ, ନା ତତେ ସେ କେବେ ପିଲା ମାନଙ୍କୁ ନେଇ ଆସିବା ପାଇଁ ଛାଡୁଛନ୍ତି। ତତେ ଥରୁଟିଏ ଦେଖିବା ପାଇଁ ରାସ୍ତା ଆଡ଼କୁ ଅନେଇ ଅନେଇ ଆଖି ମୋର ପଥର ହୋଇଗଲାଣି। ଅନେକ କଷ୍ଟ ପାଇଲିଣି,ଆହୁରି ଅନେକ କଷ୍ଟ ମୋ ଭାଗ୍ୟରେ ଲେଖା ଅଛି ମା। ମହାପାପ କରିଛି ମୁଁ, ତୋ ଭଳି ଗୋଟିଏ ଲଖୀ ଝିଅ ର ଜୀବନରେ ହାହୁତାଶା ଭରିଦେଇ ତୋ ପ୍ରତି ଘୋର ଅନ୍ଯାୟ କରିବାର ଫଳ ତ ମତେ ଭୋଗିବାର ଇ ଥିଲା। 

ତୋ ହାତ ଧରି ମୁଁ ଅ,ଆ,କ ଖ ଶିଖେଇ ଥିଲି। ତୁ ମୋ ହାତ ଧରି କମ୍ପ୍ୟୁଟର,ଲାପଟପ ଆଉ ମୋବାଇଲ ଚଳେଇବା ଶିଖେଇଲୁ। ମୋ ଫୋନ ରେ ହ୍ଵାଟ୍ସଆପ ଡାଉନଲୋଡ କରି ମେସେଜ ପଠେଇବା ଠାରୁ କଲ୍ କରିବା, ଚାଟିଙ୍ଗ୍ କରିବା,ଵିଡିଓ ଚାଟ୍ କରିବା ଏସବୁ ଶିଖେଇ ଦେଇଛୁ,ଯେତେବେଳେ ଟିକିଏ ସମୟ ପାଇଲୁ। ଫେସବୁକ ରେ ମୋ ନାଁରେ ଆକାଉଣ୍ଟ ଟେ ଖୋଲି ଦେଇଛୁ। ମଝିରେ ମଝିରେ ତମ ସମସ୍ତଙ୍କୁ ଫେସବୁକରେ ଦେଖେ, ଭାରି ଭଲ ଲାଗେ ଯେତେବେଳେ ସମସ୍ତେ କୁଆଡ଼େ ବୁଲିବା ପାଇଁ ଯାଆନ୍ତି, ଭଲ ଭଲ ଫଟୋ ସେୟାର କରନ୍ତି। କିନ୍ତୁ ମା',ତୁ କିନ୍ତୁ କୁଆଡ଼େ ବୁଲି ଯାଉନୁ କାହିଁକି? ପ୍ରମଥ ତତେ ନେଇ ବହୁତ ପୋଜେସିଵ୍। କିନ୍ତୁ ତା ମାନେ ନୁହେଁ ତତେ ସେ ଘର ଭିତରେ ବନ୍ଦୀ କରି ରଖିବ!

ଡାକ୍ତରଖାନାରେ ପଡ଼ି ପଡ଼ି ସଢିଯାଉଥିଲି। ଡାକ୍ତର ବାବୁଙ୍କ ଆଗରେ ହାତ ଯୋଡ଼ି ଘରକୁ ପଠେଇଦେବା ପାଇଁ ନେହୁରା ହେଲି। ଦୁଇ ଦିନ ତଳେ ଘରକୁ ଆସିଲି। ଜାଣେନା ଆଉ କେତେ ଦିନ ବଞ୍ଚିବି। କିନ୍ତୁ ତତେ ନ ଦେଖି,ନ ଛୁଇଁ, ତୋ ଦେହ ମୁଣ୍ଡକୁ ଟିକିଏ ଆଉଁସି ନ ଦେଇ ମୁଁ ଯେ ଶାନ୍ତି ରେ ମରି ବି ପାରୁନି ଯେ ମା'।

ଟିକିଏ ଚଞ୍ଚଳ ଆସିବା ପାଇଁ ଚେଷ୍ଟା କରିବୁ। ଜୀବନ ଉପରେ କି ଭରସା! ପିଲାମାନଙ୍କ ସାଙ୍ଗରେ ଜୋଇଁ ବାବୁଙ୍କୁ ବି ଆଣିବା ପାଇଁ ଚେଷ୍ଟା କରିବୁ। ସମସ୍ତଙ୍କୁ ଆଖି ପୂରେଇ ଥରେ ଦେଖିବା ପାଇଁ ବଡ଼ ମନ ହଉଚି।

ହଁ,ଆଉ ଗୋଟିଏ କଥା। ଟିଫିନ କ୍ୟାରିୟର ଟା ଶାଢ଼ୀ କାନୀ ଭିତରେ ଲୁଚେଇ ରଖିଥିବୁ। ମତେ ଚୁପ କରି ଦେଇଦବୁ। ନହେଲେ ତୋ ବୋଉ ତୋ ପାଖରୁ ଛଡେଇ ନବ।"


ମୁଁ ବାବା ଙ୍କ ନୟନପିତୁଳା, ତାଙ୍କ ହୃଦୟର ସ୍ପନ୍ଦନ, ରାନୀ। ସକାଳୁ ଉଠୁ ଉଠୁ ଅଭ୍ୟାସଗତ ଭାବରେ ମୋବାଇଲ ଫୋନ ଟା ଅନ୍ କଲି। ଆଣ୍ଡ୍ରୋଏଡ୍ ଫୋନ ରେ ବ୍ୟାଟେରୀ ବହୁତ ଶୀଘ୍ର ଶେଷ ହୋଇଯାଏ। ତେଣୁ ରାତିରେ ସୁଇଚ୍ ଅଫ୍ କରି ଶୋଇବା ପାଇଁ ଯାଏ। ସକାଳୁ ଉଠି ହ୍ଵାଟ୍ସଆପ ମେସେଜ ଚେକ୍ କରୁ କରୁ ବାବାଙ୍କ ମେସେଜ ଦେଖି ଆଖି ସେଇଠି ଅଟକି ଗଲା। ମେସେଜ ଟି ପଢିବା ଭିତରେ ଆଖିରୁ ଝର ଝର କରି ଲୁହ ଝରି ଗଲାଣି। ରବିବାର। ପିଲାଙ୍କୁ ସ୍କୁଲ ପଠେଇବାର ଝମେଲା ନାହିଁ। ତରତରରେ ଯାଇ ପ୍ରମଥଙ୍କୁ ଉଠେଇ ପକେଇଲି। ବାବାଙ୍କ ମେସେଜ ପଢ଼ିବା ପାଇଁ ଦେଲି। ଯେମିତି ଆଶଙ୍କା କରୁଥିଲି,ସେମିତି ଗୋଟିଏ ବେପରୁଆ ଭାବ। 

---ଯାହା କରିବା କଥା କର। ମତେ ସେ ଝମେଲା ଭିତରକୁ ଟାଣ ନାହିଁ। ତମେ ଯିବ ତ ଯାଅ ଅନି ଆଉ ସୋନିୟା ଙ୍କୁ ନବନି। ସେମାନଙ୍କ ପରୀକ୍ଷା ମୁଣ୍ଡ ଉପରେ 

ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହୋଇ ସାରା ଟା ମନ,ପ୍ରାଣ ଓ ହୃଦୟ ଆଡ଼କୁ ପରିବ୍ୟାପ୍ତ ହୋଇଗଲା। 

---ତମେ ଜଣେ ମଣିଷ ନା ପଶୁ? ପଶୁ ମାନଙ୍କର ବି ଗୋଟିଏ ଫେଲୋ ଫିଲିଙ୍ଗ୍ ଅଛି ବୋଲି ପଢ଼ିଥିଲି। ତମ ପାଖରୁ ସେସବୁ ଆଶା କରିବା ମୋର ବୋକାମି।

ହଡ଼ବଡ଼ ହୋଇ ପିଲା ମାନଙ୍କ ରୁମକୁ ଯାଇ ଟାଣିପକେଇଲି ସେମାନଙ୍କୁ। ରବିବାର, ଟିକିଏ ଅଧିକ ସମୟ ପର୍ଯ୍ୟନ୍ତ ଶୁଅନ୍ତି ସେମାନେ। ସମସ୍ତଙ୍କୁ ବ୍ରସ କରେଇଦେଲି। କଣ ଟିକିଏ ବ୍ରେକଫାଷ୍ଟ ତିଆରି କରିବା ଭିତରେ ଚିଲ୍ଲି ମସୃମ୍ ଆଉ ଶାହୀ ପନୀର ପାଇଁ ଦରକାର ହେଉଥିବା ସାମଗ୍ରୀ ସବୁ ଫ୍ରିଜ୍ ରୁ ବାହାର କରି ଥଣ୍ଡା 

ଛଡେଇବା କରିବା ପାଇଁ ଡାଇନିଂ ଟେବୁଲ ଉପରେ କିଛି ସମୟ ଛାଡ଼ିଦେଲି। 

ମୋ ଜୀବନର ସବୁଠାରୁ ବେଷ୍ଟ୍ ଚିଲ୍ଲି ମସୃମ୍ ଓ ଶାହୀ ପନୀର ର ଡିସ୍ ବନେଇବି। ବାବା କେବେ କିଛି ମାଗି ନାହାଁନ୍ତି। ଖାଇବା ପିଇବା ବିଷୟରେ ତ ତାଙ୍କର କେବଳ ଗୋଟିଏ ବୈରାଗ୍ୟ ଭାବ ହିଁ ଦେଖି ଆସିଛି ସାରା ଟା ଜୀବନ। ନିରାମିଷାଶୀ। ବୋଉ ଯେତେବେଳେ ଯେମିତି ଯାହା କରିଦେଲେ ଖାଇ ନିଅନ୍ତି। କେମିତି ଗୋଟିଏ ନିର୍ଲିପ୍ତ ଭାବ। ଏବେ ହଠାତ ମୋ ହାତରୁ ଯଦି କଣ ଟିକିଏ ଖାଇବା ପାଇଁ ଚାହୁଁଚନ୍ତି ତ ନ ଦେବି କେମିତି? ଅବଶ୍ୟ ବୋଉ ବାର ବାର କରି ମନା କରିଚି, କିଛି ଆଣିବୁନି,ଡାକ୍ତର ବାବୁ କେବଳ ଶିଝା ପରିବା ଛଡ଼ା ଆଉ କିଛି ଦେବା ପାଇଁ ମନା କରିଛନ୍ତି। ଖାଇବା ମାତ୍ରେ ବାନ୍ତି ନହେଲେ ପତଳା ଝାଡ଼ା।

କିନ୍ତୁ ଆଜି ମୁଁ କାହା କଥା ମାନିବିନି। 

ଚାରି ବର୍ଣ୍ଣର ବାଲା ଓଵନ୍ ରେ ଘଣ୍ଟାକ ଭିତରେ ବାବାଙ୍କ ଫରମାଇସ୍ ବାଲା ଡିସ୍ ରେଡି। ଏଭିତରେ ମୋର ଗାଧୁଆ ପାଧୁଆ,ଠାକୁର ପୂଜା ସରିଯାଇଥାଏ। ଡ୍ରାଇଵର୍ କୁ ଆଗରୁ ଫୋନ କରି ଡକେଇ ପଠେଇଥିଲି। ସେ ଗାଡ଼ି ବାହାର କରି ସଫା କରୁଥିଲା।

ଟିଫିନ କ୍ୟାରିଅର ଭିତରେ ଯତ୍ନ କରି ଡିସ୍ ଦୁଇଟି ଅଲଗା ଅଲଗା କରି ରଖିଲି।ଅନ୍ୟ ଦୁଇଟି ରେ କିଛି ବାସମତି ଚାଉଳ ର ଗରମା ଗରମ ଭାତ ଓ ଅନ୍ୟ ଟିରେ ପାଏସ୍ ଟିକିଏ ରଖିଲି। ଡ୍ରାଇଵର୍ ସେତେବେଳକୁ ବଜାର ଯାଇ କିଛି ଫଳମୂଳ ଓ ମିଠା ନେଇଆସିଲାଣି। ପିଲାମାନେ ମାମୁଁ ଘରକୁ ଯିବା ଖୁସି ରେ ନାଚୁଥାନ୍ତି।

କାର୍ ଯାଇ ଆମ ଘରେ ପହଞ୍ଚିବା ବେଳକୁ ଦିନ ଦଶଟା ବାଜିବା ଉପରେ। ଘରର ପ୍ରବେଶ ପାଖ କବାଟ ଖୋଲା ଥିଲା। ଆମର ଏ ଅର୍ଦ୍ଧ ସହରୀୟ ଘରେ ସକାଳୁ ଥରେ କବାଟ ଖୋଲା ହୁଏ ଆଉ ରାତିରେ ଯାଇ ସମସ୍ତେ ଶୋଇବା ସମୟ ହେଲେ କବାଟ ବନ୍ଦ ହୁଏ।

 ତରତରରେ ଓହ୍ଲେଇ ପଡ଼ି ସିଧା ବାବାଙ୍କ କୋଠରୀ ଭିତରକୁ ପଶିଗଲି। ତାଙ୍କ କୋଠରୀ ଟି ଏବେ ଯେମିତି ଗୋଟିଏ ଡାକ୍ତରଖାନା ରେ ପରିବର୍ତ୍ତିତ ହୋଇ ଯାଇଛି। ବାବା ପଲଙ୍କରେ ଶୋଇଥାନ୍ତି। ପାଖରେ ଟେବୁଲ ଉପରେ ଭଳିକି ଭଳି ଔଷଧ ପତ୍ର ଥୁଆ ହୋଇଛି। କୋଠରୀ ଭିତରକୁ ପଶିଗଲା ମାତ୍ରେ ଔଷଧ ପତ୍ରର ଗନ୍ଧରେ ନାକ ଫାଟି ପଡୁଛି।

ବାବାଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ଉଠି ଆସି ମୁଣ୍ଡ ପାଖରେ ଛିଡା ହେଲି। ଦେହ ହାତ ଶୁଖି ଗୋରା, ଲମ୍ବା ଛଇଛାଟ ମଣିଷ ଟା ଏଇ କେଇଟା ଦିନ ଭିତରେ କଳାକାଠ ପଡ଼ି ଗଲାଣି। ଅଜାଣତରେ ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲେ। ବାବା ମତେ ଦେଖି ଖୁସିରେ ଅଧୈର୍ଯ୍ଯ ହୋଇ ପଡ଼ିଲେ। ଉଠି ବସିଲେ ପଲଙ୍କ ର ଧାର ରେ।। ମତେ ଜାବୁଡି ଧରି ମୁଣ୍ଡରେ, ପିଠିରେ ହାତ ବୁଲେଇ ନେଲେ। କପାଳରେ ମୃଦୁ ଚୂମ୍ବନ ଟିଏ ବି ଦେଲେ।

---ମା' ରେ, ତୁ ଆସିବୁ, ଏ ବିଶ୍ୱାସ ମୋରଥିଲା। କିନ୍ତୁ ବିଶ୍ୱାସ ହେଉନି ଯେ,ତୁ ଆସି ଯାଇଛୁ । ଦେ' ,ଦେ' ତୋ ହାତରନ୍ଧା ଚିଲ୍ଲି ମସୃମ୍ ଆଉ ଶାହୀପନୀର ତୋ ନିଜ ହାତରେ ମୋ ମୁହଁରେ ଟିକିଏ ଖୁଆଇ ଦେଲୁ। ମୋ ଆତ୍ମା ଟିକିଏ ଶାନ୍ତି ପାଉ।

ଟେବୁଲ ଉପରୁ ଔଷଧ ପତ୍ର ସବୁ ସରେଇ ଦେଇ ପାଖରେ ଥିବା କାନ୍ଥ ଥାକରେ ସଜାଡି ରଖିଦେଲି। 

ବାବାଙ୍କ ପାଇଁ ରଖାଯାଇଥିବା ପ୍ଲେଟରେ ଖାଇବା ଜିନିଷପତ୍ର ବାଢ଼ିଦେଲି। ବାବାଙ୍କ ଆଖିକୁ ଅନେଇ ଦେଖିଲି ଦୁଇ ଆଖିରେ ଖୁସି ର ଅଶୃ ଲହଡ଼ି ମାରିବା ଆରମ୍ଭ କରିଦେଲେଣି।

ବାବାଙ୍କ ମୁହଁରେ ଗୁଣ୍ଡେ ଡାଲି ଗୋଳା ଭାତ ଭରିଦେଲି। ଧୀରେ ଧୀରେ ପାକୁଳେଇ ପାକୁଳେଇ ଖାଇବା ଆରମ୍ଭ କରିଦେଲେ ସେ। ବୟସ ହୋଇ ଗଲେ ବି ସବୁଯାକ ଦାନ୍ତ ଅଛି ତାଙ୍କର।

ଯେମିତି ଅନେକ ଦିନରୁ ଭୋକିଲା ଥିଲେ ସେମିତି ଗୋଟିଏ ଭାବ। ପନୀର ର ଗୋଟିଏ ଟେଳା ଓ ଟିକିଏ ଗ୍ରାଵି(ଝୋଳ)ପାଟିରେ ଦେଲି। ଅତି ଖୁସି ରେ ମୋ ଆଙ୍ଗୁଳି ଚାଟି ଚାଟି ଖାଉଥାନ୍ତି ସେ । ମସୃମ୍ ଦେଲା ବେଳକୁ ତାଙ୍କ ଆଖି ର ଚମକ ଦେଖି ବହୁତ ଖୁସି ଲାଗିଲା। ଛୋଟ ଛୁଆ ଟିଏ ଲେମନଚୁସ୍ ଖାଇବାର ତୃପ୍ତି ଫୁଟି ଉଠୁଥାଏ ତାଙ୍କ ମୁହଁରେ।

ଏହି ସମୟରେ ବୋଉ ସାଙ୍ଗରେ ରୁମ୍ ଭିତରକୁ ପଶି ଆସିଲେ ଅନି ଓ ସୋନିୟା। ଘର ଭିତରେ ପଶୁ ପଶୁ ଅଜାଙ୍କୁ ମୁଣ୍ଡିଆ ଟି ମାନ ମାରି ସେମାନେ ଦୌଡ଼ି ପଳେଇ ଥିଲେ ଆଇଙ୍କ ପାଖକୁ।

ବୋଉ ମୋ ହାତରୁ ଭାତ ତରକାରୀ ଭରା ପ୍ଲେଟ୍ ଟା ଛଡେଇ ନେଲା।

---ତାଙ୍କୁ ମାରିବୁ କିଲୋ ରାନୀ!ଡାକ୍ତର ପରା ଶକ୍ତ ମନା କରିଚନ୍ତି ଏ ସବୁ ଦବାକୁ। ଖାଲି ଶିଝା ପରିବା। ଟିକିଏ ଭଲ ହେଲେ କେମୋ ଚାଲିବ ପରା। କେତେ କଷ୍ଟ ଯେ ତାଙ୍କ ଭାଗ୍ୟରେ।


ବାବାଙ୍କ ମୁହଁ ଟା ଶୁଖିଗଲା। ଆଖିର ଦୁଇ କୋଣ ରୁ ଦୁଇ ଧାର ଲୁହ ବହିଗଲା। ଦୁଇ ହାତ ଥରି ଉଠିଲା। ବାବା, ବାବା ଚିଲ୍ଲେଇ ଚିଲ୍ଲେଇ ଡାକିଉଠିଲି ମୁଁ। କିନ୍ତୁ ମୋ ଡାକ ର ଜବାବ ଦେବା ପାଇଁ ସେ ଆଉ ଆମ ଦୁନିଆରେ ନଥିଲେ। ତାଙ୍କ ଆଖି ଶୁଖି ଯାଇଥାଏ। 

ଏଥର କାନ୍ଦିବାର ପାଳି ତ ଆମର।



Rate this content
Log in

More oriya story from Sudipta das

Similar oriya story from Tragedy