The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

chandan kumar

Tragedy

4.5  

chandan kumar

Tragedy

I will call you later

I will call you later

5 mins
267


ସେଦିନ ତାରିଖ ଥିଲା ୨୯ ସେପ୍ଟେମ୍ବର ୨୦୧୯ ରବିବାର, ସମୟ ପାଖାପାଖି ସାଢେ ୪ ହେବ । ଗାଡି ମୋର ଗଡି ଚାଲିଥାଏ ସାନ ଭଉଣୀ ଗାଁ ଆଡେ। ସମ୍ପର୍କୀୟ ଭଣଜା ଗାଡି ଚଳାଉ ଥାଏ । ଅଧାବାଟରେ ଆସିଲା ଗାଁ "ନେଉଳ ପୋଇ" । ନେଉଳ ପୋଇ ଆସିଲେ ମନେ ପଡେ "ମାଧବ" । ମାଧବ ସାଙ୍ଗେ ସବୁବେଳେ ମନେପଡେ ଶାନ୍ତନୁ । ଆଠଗଡ ନୂଆପାଟଣା ଶାନ୍ତନୁର ଗାଁ । ମାଧବ ଓ ଶାନ୍ତନୁ ଦୁହେଁ ଖୁବ ଯୋଡି, combo pack । ଦୁହେଁ ମୋର ସ୍କୁଲ ଏବଂ ହଷ୍ଟେଲ ସାଙ୍ଗ । ମାଧବ ରହିଗଲା ଗାଁରେ ଛୋଟମୋଟ ଦୋକାନ ଟିଏ କରି, କିନ୍ତୁ ଶାନ୍ତନୁ ହେଇଗଲା software କମ୍ପାନୀର manager ।


ହଠାତ ଗୋଟେ idea ଆସିଲା ଯେ ଶାନ୍ତନୁ କୁ surprise ଦେବି, ଫୋନ ଲାଗେଇକି କହିବି "କିରେ ତୋ ମୈତ୍ର ସାଙ୍ଗେ କଥା ହବୁ ?" ତା ଘରବାଟେ ଯାଉଛିରେ ଏବେ । ଭାରି ଖୁସି ହେଇଯିବ, ଆଶ୍ଚର୍ଯ୍ୟ ବି । କିନ୍ତୁ ଆଶ୍ଚର୍ଯ୍ୟ ହେଲି ଓଲଟା ମୁଁ ନିଜେ, ଫୋନ ସିଆଡୁ କହିଲା Sorry, this number is not in service...ବ୍ୟସ୍ତ ଲାଗିଲା, ବିରକ୍ତ ବି । ଏ ଶଳା ବି ବୋଧେ jio ଫିଓ ଇତ୍ୟାଦି ବିଲିବିଲା ଦଶଟା ନମ୍ବର କଲାଣି ବୋଧେ (ମୋତେ ବିରକ୍ତ ଲାଗେ ଯିଏ ବାରମ୍ବାର ନମ୍ବର ବଦଳାଏ) । WhatsAppରେ ବାର୍ତ୍ତା ଦେଲି, ଫୋନ ବି କଲି ...ନିଷ୍ଫଳ । Email କଲି ତାର ଦୁଇଟା ID କୁ କି Give me a call when you see this message...ସର୍ବଶେଷରେ Facebook wall ରେ ଲେଖିବାକୁ ଚେଷ୍ଟା କଲି ....କିନ୍ତୁ ଏ କଣ ??? ସେଠି ଯାହା ଦେଖିଲି ମୋର almost heart attack କରେଇଦେଲା । ସାଙ୍ଗେ ସାଙ୍ଗେ ଗାଡି ରଖିବାକୁ କହିଲି, ଏଇଠି, ଏବେ, ରାସ୍ତା ଉପରେ । AC ଭିତରେ ବି ସାରାଦେହ ଝାଳ...Facebook page ସାରା ଖାଲି ଶ୍ରଦ୍ଧାଞ୍ଜଳି, RIP.. ଇତ୍ୟାଦି। କିଛି ବୁଝି ହେଉନଥାଏ ହେଇଛି କଣ୍ ? କିଛି କମେଣ୍ଟରୁ ଜାଣିଲି ଯେ ପାଖାପାଖି ବର୍ଷେ ହେଇଯିବ ତାର ଦେହାନ୍ତ ହେଲାଣି। ଧୀରେ ଧୀରେ ଆଗକୁ ବଢ଼ିଲୁ , ଗାଡି ଭିତରେ ପୁରା ଚୁପଚାପ ମାହୋଲ । ଭଣଜାର କୌଣସି ପ୍ରଶ୍ନର କିଛି ଉତ୍ତର ମୁଁ ଦେଉ ନଥାଏ, ବରଂ ବିରକ୍ତ ହେଉଥାଏ ।ଭଉଣୀଘରେ ପହଂଚି ଗଲୁ, ସେଠି ବି ସେଇ ଅବସ୍ଥା ମୋର । ସମସ୍ତଙ୍କୁ ଖାଲି ଅଯଥାରେ ବିରକ୍ତ ହେଉଥାଏ ମୁଁ, ମନ ଭିତରେ ଗୋଟେ moral anguish ଚାଲିଥାଏ ଯେମିତି। ଘରକୁ ଫେରି ଆସିଲି ସତ, କିନ୍ତୁ ରାତିରେ ଶୋଇ ପାରିଲି ନାହିଁ, ସେଇ ଅବସ୍ଥା, ଖାଲି ଘାଣ୍ଟି ଗୋଳେଇ ହେଉଥାଏ ନିଜ ଭିତରେ । କେମିତି ରାତି ପାହିବ, ମୁଁ ଯିବି ଶାନ୍ତନୁର ଗାଁକୁ।


୪ ବର୍ଷେତଳେ ଥରେ ତା ସାଙ୍ଗେ ତାଙ୍କ ଗାଁକୁ ଯାଇଥିଲି, କିନ୍ତୁ ବେଶି କିଛି ମନେନାହିଁ। ସୋମବାର ଅଫିସକୁ ଜଣେଇଦେଲି ଜରୁରୀକାଳୀନ ଛୁଟିବୋଲି । ଆଉ ଜଣେ ସ୍କୁଲ ସାଙ୍ଗକୁ ସାଙ୍ଗରେ ଧରି ବାହାରିଲି ନୂଆପାଟଣା । ମନଭିତରେ ଶହ ଶହ ଅସମାହିତ ପ୍ରଶ୍ନ। କଣ ହେଲା, କେମିତି ହେଲା, କେବେ ହେଲା ଇତ୍ୟାଦି ଇତ୍ୟାଦି। ସଠିକ ଗାଁ ଏବଂ ଘର ଖୋଜିବା ପାଇଁ ଏ ଦୋକାନରୁ ସେ ଦୋକାନ ରାସ୍ତାଯାକ ପଚାରି ପଚାରି ନିଷ୍ଫଳ । ତା ବାପାଙ୍କ ନାଁ ମନେ ନାହିଁ, ଆଉ ଆମଭଳି ବାରବୁଲା ଚାକିରିଆ ଯୁବକଙ୍କୁ କେହି ଚିହ୍ନନ୍ତି ହିଁ ନାହିଁ। ଚିହ୍ନନ୍ତେ ବା କେମିତି ? ନା ଆମେ ଗାଁର ହେଇ ପାରିଲୁ, ନା ସହରର।


Voter helpline app ରୁ କସରତ କଲା ପରେ ଯୋଗକୁ ମିଳିଗଲା ତାଙ୍କ ପ୍ରକୃତ ଗାଁର ନାଁ ଏବଂ ବାପାଙ୍କ ନାଁ (thanks to digital India, thanks to Modiji)..ସିଧାଯାଇ ତାଙ୍କ ଘରେ ହାଜର ଆମେ। ବାରମ୍ବାର କବାଟ ବାଡେଇବା ପରେ କିଛି ସମୟପରେ ମଉସା ପଚାରିଲେ କିଏ ? ଏବଂ ଖୋଲିଲେ। ପରିଚୟ ଦେଲି ଯେ ମୁଁ ଶାନ୍ତନୁ ର ସାଙ୍ଗ। ଆମକୁ ଦେଖି ମଉସା ମାଉସୀ ଦୁହିଁଙ୍କ ଆଖିରେ ଲୁହ ଆସିଗଲା, ବର୍ଷେ ଭିତରେ କେହିବି ସାଙ୍ଗ ଆସି ନାହାନ୍ତି ସଂଖୋଳିବା ପାଇଁ (ବାହାଘରରେ ତିରିଶି ପାଖାପାଖି ଭୁବନେଶ୍ୱର ଆସିଥିଲେ ଯାହା ମୁଁ ଦେଖିଥିଲି) । ଦ୍ୱିପ୍ରହର ସମୟରେ ବିଶ୍ରାମ କରୁଥିଲେ ବୋଧେ, ଆମକୁ ଦେଖି ଯେତିକି ଚଳଚଞ୍ଚଳ ହେଲେ ତା ଠାରୁ ବେଶି ବୋଧେ ବ୍ୟଥିତ ହେଲେ । ଜବରଦସ୍ତି ଚାପିବାକୁ ଚେଷ୍ଟା କରାଯାଉଥିବା କୋହ ପୁଣି ଉଜ୍ଜୀବିତ ହେଇଗଲା ଆମକୁ ହଠାତ ଦେଖିକି। ମୋତେ ସେମାନେ ଆଗରୁ ଦୁଇଥର ଦେଖିଥିଲେ । ଚାରିବର୍ଷ ତଳେ ଥରେ ଶାନ୍ତନୁ ସାଙ୍ଗେ ଯାଇଥିଲି ତାଙ୍କ ଘରକୁ, ସେଦିନର ସେ କଂସା ବାସନର ପଖାଳ ଆଉ ତରବରିଆ ଭାବେ ବାଡିରୁ ବାଇଗଣ, ଭେଣ୍ଡି ତୋଳି ଆଣି ମାଉସୀଙ୍କ ସେ ସ୍ନେହ ବୋଳା ପୋଡାପୋଡି ଚକଟା ଆଜି ବି ମନେ ଅଛି, ରହିବ ମଧ୍ୟ । ପ୍ରଥମେ ମୁଁ ନାରାଜ ହେବାରୁ ମୋତେ କହିଥିଲେ କି ପୁଅ ବ୍ରାହ୍ମଣ ବୋଲି ଆମ ଘରେ ବାରଣ କରୁଛ କି ? ଦ୍ୱିତୀୟ ଥର ଶାନ୍ତନୁ ର ବାହାଘରରେ ଭୁବନେଶ୍ୱରରେ । ତେଣୁ ମୁଁ ତାଙ୍କ ସହ କିଛିଟା conversant ଥିଲି ଆଗରୁ।


ପୂର୍ବଦିନରୁ ଘାଣ୍ଟିଗୋଳେଇ ହେଉଥିବା ସବୁ ପ୍ରଶ୍ନ ପଚାରିଯାଇଥିଲି, ଆଉ ସେମାନେ କହି ଚାଲିଥିଲେ। ସାଧାରଣ ଜ୍ୱର ଯାହା ପରେ ନିମୋନିଆର ରୂପ ନେଇ କି ମୃତ୍ୟୁଦୂତ ସାଜିଲା । ନବବିବାହିତା ପତ୍ନୀ ଦଶାହ ପରଠାରୁ ବାପଘରେ ଅଛନ୍ତି ଏବଂ ଦ୍ଵିତୀୟ ବିବାହ କରି ଆଗକୁ ବଢିବା ପାଇଁ ମନସ୍ଥ କରିନେଇଛନ୍ତି। ଦୁଇ ଘଣ୍ଟା ବିତିଯାଇଥିଲା ଇତିମଧ୍ୟରେ ଆଉ ଶୁଖିଯାଇଥିଲା ଦୁହିଁଙ୍କର ଲୁହଧାର। ସ୍ଥାଣୁ ପାଷାଣ ପରି ଭୁଇଁ ଉପରେ ବସିଯାଇଥିଲେ ଦୁହେଁ ଆମକୁ ଚୌକିରେ ବସାଇ। ଏକମାତ୍ର ଏବଂ ନବବିବାହିତ ପୁଅକୁ ହରେଇ ସେମାନେ କେଉଁ ଅବସ୍ଥାରେ ଅଛନ୍ତି (ଏବେବି) ତାହା ଭାଷାରେ ଅବର୍ଣ୍ଣନୀୟ। ଏବେ ଆମେ ତାଙ୍କୁ ବୁଝେଇ ବାଝେଇ ବାହାରିବାକୁ ମନସ୍ଥ କଲୁ, କିନ୍ତୁ ଏ କଣ ? ପୁଣି ସେ ଶୁଖିଯାଇଥିବା ଲୁହଧାର ବୋହିବା ଆରମ୍ଭ ହେଲା, ବୋଧେ ଏତେ ଜଲଦି ତାଙ୍କ ମନ ବୁଝି ନଥିଲା। ପୁଣି ବସିଲୁ ଆମେ, କହିଲି କି ଆପଣ ନ କହିବା ଯାଏଁ ଆମେ ଯିବୁନି । ଏଥର ତାଙ୍କୁ ଟିକେ ମନକୁ ପାଇଲା। ସାଙ୍ଗେ ସାଙ୍ଗେ ମାଉସୀ କିଛି ଖେଚୁଡ଼ି ଆଉ ଡାଲମା ତିଆରି କଲେ ଆମ ପାଇଁ। କହିଲେ ବାପା, ଆମର ରୋଷେଇ ଠିକରେ ହେଉନାହିଁ ସେବେଠାରୁ..ଚୂଡ଼ାଗୁଣ୍ଡ, ମୁଢ଼ି, ପାଉଁରୁଟି ରେ ଚଳି ଯାଉଛି। ସାହି ଲୋକେ କିଛିକିଛି ଦେଉଛନ୍ତି ବେଳେବେଳେ। ରୋଷେଇ କିଏ କରିବ ? କାହିଁକି କରିବ? କଲେ ବି କିଏ ଖାଇବ ? ହେ ଭଗବାନ ! ନା ଥିଲା ଆମ ପାଖରେ ଏହାର ଉତ୍ତର, ନା ଅଧିକା ପଚାରିବାର ସାହସ । ହଁ, ଅଧା ଖୋଲାହେଇଥିବା ଗୋଟେ ଶୁଖିଲା ପାଉଁରୁଟି ପ୍ୟାକେଟ ଉପରେ ନଜର ପଡିଯାଇଥିଲା ମୋର । ଆମର ଖାଇବା ବୋଧେ ଏକ ବାହାନା ଥିଲା, କିନ୍ତୁ ସେମାନେ ଆମକୁ ଏତେଶୀଘ୍ର ହରେଇବାକୁ ଚାହୁଁ ନଥିଲେ ବୋଧେ। 


ଖାଇସାରିବା ପରେ ମୋର ଅନୁରୋଧ କ୍ରମେ ଶାନ୍ତନୁର କୋଠରୀକୁ ଗଲୁ ।ବର୍ଷେ ହେଲା ବନ୍ଦ ପଡିଥିଲା, ଆଜି ଖୋଲିବ। ଖୋଲିଲା ସେ କୋଠରୀ, ଅଳନ୍ଦୁରେ ଭର୍ତ୍ତି। ବାହାଘର ବେଳର ସେରୱାନୀ ଅଛି, କୋଟ ଅଛି, AC ଅଛି, ଯୌତୁକିଆ ଆସବାବପତ୍ର ଅଛି, ବାହାଘରିଆ ବଡ଼ ବଡ଼ ଫୋଟୋ ସବୁ ବି ଅଛି । ନାହିଁ କିନ୍ତୁ ଭାଇ ମୋର । ହଁ,ପାଇଲି ଆଉ କିଛି ଅପୂର୍ବ ସମ୍ପତ୍ତି ମଧ୍ୟ । Dell, Oracle, Accenture ର ଚାହାପିଆ କପ୍ ସବୁ। ପାଇଲି ତାର ସେ ରୁଦ୍ରାକ୍ଷ ମାଳା ଯୋଉଟା ସବୁବେଳେ ତା ବେକରେ ଥାଏ (ଆଉ ମୁଁ ଶଳା ଗାଉଁଲି ଭକତିଆ କହି ରହସ୍ୟ କରେ)। Technology ଆଉ ରୁଦ୍ରଙ୍କୁ ଏକାଠି ବୁଝିପାରେ ନାହିଁ ବୋଧେ ମୁଁ, ତେଣୁ ଥଟ୍ଟା କରେ ତାକୁ । ହଁ, ଫୋନରେ ତାର ରିଙ୍ଗ ଟୋନ ବାଜେ "କର୍ପୁର ଗୌରଂ କରୁଣାବତାରଂ, ସଂସାରସାରଂ ଭୁଜଗେନ୍ଦ୍ରହାରମ୍....ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀ ସହିତଂ ନମାମୀ" । 


ଚାରି ଘଣ୍ଟାରେ ମଉସା ଅନେକଥର କାନ୍ଦିଛନ୍ତି, ପୁଣି ନିଜକୁ ପ୍ରକୃତିସ୍ଥ ବି କରିଛନ୍ତି ଆମ ପ୍ରଶ୍ନର ଉତ୍ତର ଦେବାପାଇଁ। ମୋତେ ଗୋଟିଏ କଥା କହିଲେ ଯାହା ସାରାଜୀବନ ମୁଁ ଭୁଲିପାରିବି ନାହିଁ। ପୁଅ ଆମର କେତେ କମ୍ପାନୀ ଛାଡିଲା ପରେ ଶେଷରେ hsbc ରେ ମ୍ୟାନେଜର ହେଲା । ଗୁଡ଼ାଏ ପଇସା ରୋଜଗାର ବି କରେ କାଳେ। କଣ ନେଇକି ଗଲା ଆଉ କଣ ଛାଡିକି ଗଲା ଆମେ ବୁଢ଼ାବୁଢ଼ୀ ଦୁଇଟା ବୁଝିପାରୁ ନାହୁଁ। ନିରୁତ୍ତର ଆମେ। ଅପରାଜେୟ ସେ ପ୍ରଶ୍ନ ତାଙ୍କର ।


ଜଣାନାହିଁ ଏ ଭିତରେ କେତେବେଳେ ବର୍ଷେ ବିତି ଯାଇଛି ବୋଲି । ଶେଷଥର ମୋତେ ସେ ଫୋନ କଲାବେଳେ ମୁଁ ମିଟିଂ ରେ ଥିଲି ଏବଂ ମେସେଜ ଦେଇଥିଲି "I am in a meeting, will call you later". ସେ later ଆଉ ଆସି ନଥିଲା, ଆସିବ ନାହିଁ ଶତ ଚେଷ୍ଟାକଲେ ବି। ପ୍ରତି ମାସରେ ସେ ଫୋନ କରେ, ମୁଁ ପ୍ରାୟତଃ କରେ ନାହିଁ। ଘଣ୍ଟାଏ ଗପେ । ଅଫିସ, ଦରମା, ଗାଁ, ସ୍ତ୍ରୀ, ଇତ୍ୟାଦି ଇତ୍ୟାଦି। କାର୍ଯ୍ୟବ୍ୟସ୍ତତା (??) ଭିତରେ ମୁଁ ବି ତାକୁ ମନେ ପକେଇ ପାରିନାହିଁ (call କରିନାହିଁ)। ସେ ବି କରିନି। କରିବ ବା କେମିତି ଯେ ? ସ୍ଵର୍ଗାସୀନ ବନ୍ଧୁ ମର୍ତ୍ତ୍ୟର ଏ ଛାର ମଣିଷ ଟାକୁ କାହିଁକି ମନେ ପକେଇବ ଯେ ? ଆବଶ୍ୟକ ବି କଣ୍ ? ଲଜ୍ଜ୍ୟା ରେ ମୁହଁ ମୋର ପଡିଗଲା ଯେତେବେଳେ ଜାଣିଲି ଯେ ଆର ସପ୍ତାହରେ ତାର ବର୍ଷିକିଆ । ଛିଃ, ଧିକ ମୁଁ ବନ୍ଧୁ, ଧିକ ମୋର ଏଇ କୃତ୍ରିମ ବନ୍ଧୁତା ! ସେ ତ ଫୋନ କରିଥିଲା, କିନ୍ତୁ ମୁଁ ମିଟିଂ ରେ ଥିଲି ନା !!!!


ସବୁବେଳେ ବେକରେ ରୁଦ୍ରାକ୍ଷ ପକେଇ ଭଜିହେଉଥିବା ମହାଭକ୍ତ କୁ ସୋମବାରରେ ନିଜ ପାଖକୁ ଡାକିନେଲେ ବୋଧେ ସେହି ରୁଦ୍ର ରୁଦ୍ର ମହାରୁଦ୍ର ।


କିଛି ପ୍ରମାଣ କରିବାର ନାହିଁ, ନା ମୋର କୃତ୍ରିମ ବନ୍ଧୁତା ନା ଜବରଦସ୍ତି ନିଜକୁ ଲେଖକ କହିବାର ଉଦ୍ୟମ....କେବଳ ମନର କୋହ ଏବଂ ଆଖିର ଲୁହକୁ କାଗଜରେ ଛାପିଦେବାର ଏକ ବୃଥା ପ୍ରଚେଷ୍ଟା ଯାହା....


ସେତେବେଳେ ବି କିଛି କରି ପାରି ନଥିଲି, ଏବେ ବି ପାରିବି ନାହିଁ....ବନ୍ଧୁ କେବେଠୁ ଚାଲିଯାଇଛି ଅଫେରା ସେ ରାଇଜକୁ...ଏ ଅକୀଞ୍ଚନ ଝୁରିହେବ ଯାହା, ଯୋଉଠି ବି ଥାଅ ଶାନ୍ତିରେ ଥାଅ ହେ ବନ୍ଧୁ ଏତିକି ପ୍ରାର୍ଥନା ସେହି ମହାରୁଦ୍ରଙ୍କ ପାଖରେ....


Rate this content
Log in

More oriya story from chandan kumar

Similar oriya story from Tragedy