ଗଙ୍ଗଶିଉଳି
ଗଙ୍ଗଶିଉଳି
ହଠାତ୍ ଉଠି ଚ଼ାଲିଗଲା ତନୁ| ଅସ୍ଥିର ଜଣା ପଡ଼ୁଥିଲା ସେ| କଥାଟା ପୁରା ନସରୁଣୁ ଉଠି ଚ଼ାଲିଗଲା ଯେ? ଏତିକି କହି ପ୍ରଥମେଶ୍ ବାଡି ଆଡ଼କୁ ଚାଲିଗଲା| ଗଂଗଶିଉଳି ଗଛ ତଳୁ ଆଞ୍ଜୁଳାଏ ଫୁଲ ସାଁଉଟିବାର ପ୍ରୟାସରେ ଲାଗିପଡିଥାଏ ତନୁ| ଗଛତଳୁ ମାଟିରୁ ଗଂଗଶିଉଳି ସାଁଉଟିବାଟା ସତେ ଯେପରି ଗୋଟେ ବାହାନା ପରି ମନେହେଉଥାଏ| ଆଗରୁ ତା ଜୀବନରେ ଆଶା ଆଉ ଅତୀତକୁ ସାଁଉଟିବାରେ ଲାଗିଥିଲା ଆଉ ଏବେ ଗଂଗ ଶିଉଳି| ଅନିମେଶକୁ ଯେତିକି ଭୁଲିବାରେ ଲାଗିପଡିଥାଏ, ଅନିମେଶର ସ୍ମୃତି ତନୁର ହୃଦୟରେ ସେତିକି ଘର କରିବାରେ ଲାଗିପଡିଥାଏ|
ଆରେ ହଁ ଆଜି ତ ଚିତାଲାଗି ଅମାବାସ୍ୟା| ଠିକ୍ ଏଇଦିନ ଅନିମେଶର ମୃତଦେହ ମିଳିଥାଏ ବିଲ ଭିତରୁ| ରକ୍ତାଭ ଶରୀର| ସେଦିନ ବିଲ ମାଟି ଚଷାପୁଅର ଚିତୋଉ ପିଠା ପୂଜାରେ ନୁହେଁ, ଅନିମେଶର ରକ୍ତରେ ନିଜର ଭୋକ ମେଣ୍ଟୋଉ ଥାଏ|
ଦିନଥିଲା ସଦ୍ୟ ଗଂଗ ଶିଉଳିରେ ତନୁର ଗଭା ମଣ୍ଡନ କରିବା ସତେଯେପରି ଅନିମେଶର ତୁଚ୍ଛା ସଉକ୍ ଥାଏ| ହେଲେ ଅନିମେଶର ସେଇ ସଉକ୍ କାଳକ୍ରମେ ତନୁ ପାଈଁ ଅଭ୍ୟାସର ରଂଗ ନେଇସାରିଥାଏ| ଅସ୍ଥିର ଉନ୍ମାଦନାରେ ତନୁର ଆଂଗୁଳି ସବୁ ସ୍ଥିର ହୋଇଆସୁଥିଲା; ଆଉ ଗଂଗଶିଉଳି ସାଁଉଟିବାର ବେଗ ବି!! ଅସ୍ତଗାମୀ ସୂର୍ଯ୍ୟର ରକ୍ତାଭ କିରଣ ଗଂଗଶିଉଳି ଗଛର ବୁକୁଦେଇ ତନୁର କେଶ ମଣ୍ଡନ କରୁଥାଏ|
ହଠାତ୍ ଟଳିପଡିଲା ତନୁ| ହୁଏତ ଅମାବାସ୍ୟାର କୋହ ଆସିବା ପୂର୍ବରୁ; ଅନିମେଶର ଦୁନିଆ ଆଡକୁ|
ଆଉ ହଁ, ତା ହାତରେ ଥାଏ ଆଞ୍ଜୁଳାଏ ସଦ୍ୟ ଗଂଗଶିଉଳି|