Byangakabi Dharmachhada

Comedy

4.0  

Byangakabi Dharmachhada

Comedy

ଘୋଡ଼ା ମୁହାଁ

ଘୋଡ଼ା ମୁହାଁ

6 mins
175


ଓଡ଼ିଆରେ ପ୍ରବାଦ ଅଛି ଘର ବୁଡ଼ିଲା ବେଳକୁ ଘୋଡ଼ା ମୁହାଁ ପୁଅ ଜନ୍ମ ହୁଅନ୍ତି । ଏହାର ଅର୍ଥ ଆପଣମାନଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ ବୋଲି ମୁଁ ଭାବୁଛି । କିନ୍ତୁ ଘୋଡ଼ା ମୁହାଁର ଅନେକ ଅର୍ଥ ଅଛି । ଦେଖାଯାଏ ଯେଉଁ ଲୋକ ଉପର ମୁହାଁ ହୋଇ ଚାଲୁଥାନ୍ତି , ଦେଖି ନଦେଖିଲା ପରି ବ୍ଯବହାର ଦେଖାନ୍ତି ତାଙ୍କୁ ଆମର ବୟୋଜ୍ୟେଷ୍ଠ ବ୍ଯକ୍ତି ମାନେ "ଘୋଡ଼ା ମୁହାଁ" କହିଥାନ୍ତି । ଏହି ଶ୍ରେଣୀର ଘୋଡ଼ା ମୁହାଁ ଜନ୍ତୁ ସାଧାରଣ ସରକାରୀ ଅଫିସରେ ଦୃଶ୍ୟମାନ ହୋଇଥାନ୍ତି । ଅନ୍ଯ ଏକ ଲକ୍ଷଣଯୁକ୍ତ ଘୋଡ଼ା ମୁହାଁ ହେଲେ ଯେଉଁ ମାନେ କିଛି କାରଣ ନଥାଇ ତଥା ଅନାବଶ୍ୟକ ସ୍ଥଳେ ଢେଁ ଢେଁ ହୋଇ ଘୋଡ଼ା ପରି ହସିଥାନ୍ତି , ତାଙ୍କୁ ଆମର ପୁରୁଣା କାଳିଆ ଲୋକେ ଘୋଡ଼ା ମୁହାଁ କହିଥାନ୍ତି । ଏହି ପ୍ରକାରର ଘୋଡ଼ା ମୁହାଁ ସାଧାରଣ ଭାବେ ନିର୍ବାଚନୀ ପ୍ରଚାର ସମୟରେ ଭୋଟରଙ୍କୁ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଓଡ଼ିଆ ବ୍ଯାକରଣ କହିବା ଅନୁସାରେ , "ଘୋଡ଼ା ମୁହଁ ପରି ମୁହଁ ଯାହାର , ସିଏ ଘୋଡ଼ା ମୁହାଁ" । ଏହି ପ୍ରକାରର ବ୍ଯକ୍ତିଙ୍କର ପ୍ରକୃତରେ ପଶୁ ଘୋଡ଼ା ପରି ମୁହଁ ନୁହେଁ, ବରଂ ପ୍ରକୃତିଗତ ଭାବେ ସେମାନେ ଘୋଡ଼ା ପରି ବିକୃତ ମୁଖଭଙ୍ଗୀର ଇଶ୍ଵର ପ୍ରଦତ୍ତ ବ୍ଯକ୍ତି ଅଟନ୍ତି । ବ୍ଯାକରଣ ବ୍ଯତିତ ଓଡ଼ିଶାରେ ବ୍ଯବହୃତ ସାଧାରଣ ଅର୍ଥରେ , ଘୋଡ଼ା ହୋଇଥିବା ମୁହଁର ବ୍ଯକ୍ତିଙ୍କୁ ଘୋଡ଼ା ମୁହାଁ ବୋଲି ଥଟ୍ଟା ତାମସାରେ କହିଥାନ୍ତି । ଏହି ପ୍ରକାର ଘୋଡ଼ା ମୁହାଁଙ୍କୁ ସାଧାରଣତଃ ପାଞ୍ଚ ପ୍ରକାରର ବୋଲି ଆମ ଲୋକମାନେ କୁହନ୍ତି । ପ୍ରଥମ ପ୍ରକାରର ଘୋଡ଼ା ମୁହାଁ ପରୀକ୍ଷାରେ ଫେଲ୍ ହୋଇ ଗାଁ ଦାଣ୍ଡରେ କିଛିଦିନ ମୁହଁ ଘୋଡ଼ାଇ ଯାଆନ୍ତି , ଲାଜରେ ଘରକଣରେ ବସିଥାନ୍ତି , ବାପା ମା ଚିଲ୍ଲେଇ କହୁଥାନ୍ତି , "ହଇରେ ଘୋଡ଼ା ମୁହାଁ, ଶେଷରେ ଆମ ନାଁ ପକେଇଲୁ" । ଏଭଳି ଘୋଡ଼ା ମୁହାଁ ସାଧାରଣତଃ ସବୁଠି ଦୃଶ୍ୟମାନ ହୁଅନ୍ତି । ଦିତୀୟ ପ୍ରକାରର ଘୋଡ଼ା ମୁହାଁ ସାଧାରଣତଃ କାଠୁଆ ଶୀତଦିନେ ଅତ୍ର ତତ୍ର ସର୍ବତ୍ର ଦେଖାଯାଇଥାନ୍ତି । ଏମାନେ ଦେହର ଲୁଗା , ଲୁଙ୍ଗି କିମ୍ବା ଗାମୁଛାକୁ ମୁହଁରେ ଘୋଡ଼ାଇ ବାହ୍ଯ ମଳମୂତ୍ର ତ୍ଯାଗ କରୁଥିବା ପଡ଼ିଆ , ନାଳବନ୍ଧ , ଜାତୀୟ ରାଜପଥ କଡ଼ରେ ଅତିମାତ୍ରାରେ ଦୃଶ୍ୟମାନ ହୋଇଥାନ୍ତି । ତୃତୀୟ ପ୍ରକାରର ଘୋଡ଼ା ମୁହାଁ ହେଲେ ଗାଁ ଟାଉଟର ଓ କୁଜିନେତା , ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ରାସନ କାର୍ଡ , ବାର୍ଦ୍ଧକ୍ୟ ଭତ୍ତା , ପାଇଖାନା ଇତ୍ୟାଦି କରେଇଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ନେଇଥାନ୍ତି ହେଲେ ଯୋଗାଇ ପାରିନଥାନ୍ତି । ସେଇମାନେ ଟଙ୍କା ନେଇଥିବା ଲୋକଙ୍କୁ ଦେଖିଲେ ମୁହଁ ଘୋଡ଼ାଇ ଚାଲିଯାଆନ୍ତି । ଏଭଳି ଘୋଡ଼ା ମୁହାଁ ଗାଁ ଠୁ ସହର ସର୍ବତ୍ର ଦୃଶ୍ୟମାନ ହୋଇଥାନ୍ତି । ଚତୁର୍ଥ ପ୍ରକାରଙ୍କୁ ସାଧାରଣତଃ ପୋଲିସ , ଅବକାରୀ ବିଭାଗ ଏବଂ ସି.ବି.ଆଇ ବାଲା ଘୋଡ଼ା ମୁହାଁ ସଜେଇଥାନ୍ତି । କିଏ ଅନୈତିକ କାର୍ଯ୍ୟ କରି ତ କିଏ ଦୁଷ୍କର୍ମ କରି ଧରା ପଡ଼ିଥାନ୍ତି , କିଏ ଲାଞ୍ଚନେଇ ତ କିଏ ଦୁର୍ନୀତି ମାମଲାରେ ଧରା ପଡ଼ିଥାନ୍ତି , କିଏ ଚୋରିକରି ତ କିଏ ଚୋରା ନିଶାଦ୍ରବ୍ଯ ବେପାର କରି ଧରା ପଡ଼ିଥାନ୍ତି । ଏମାନେ ପ୍ରାୟତଃ ଟିଭି ପରଦା କିମ୍ବା ଖବରକାଗଜ ପୃଷ୍ଠାରେ ଦୃଶ୍ୟମାନ ହୁଅନ୍ତି । ପଞ୍ଚମ ତଥା ଶେଷ ଘୋଡ଼ା ମୁହାଁ ହେଲେ ଚୋରାପୀରତି କରି ବହେ ଛେଚା ଖାଇ ମୁହଁରେ ଚୁନକାଳି ବୋଳାହୋଇ ଗାଁର ଲୋକେ ବୁଲେଇଥିବା ରସିକ ନାଗର ମାନେ । ଏମାନେ ସିଜିନ୍ ମୁତାବକ ଦେଖା ଦେଇଥାନ୍ତି ।


ଆମ ଖତୁଆ ହେଲା ଜଣେ ଟ୍ରାଡିସନାଲ ଘୋଡ଼ା ମୁହାଁ । ସ୍କୁଲରେ ସେ ସବୁବେଳେ ଏକ ନମ୍ବର , ମାନେ ତଳ ଆଡୁ । ସେଥିପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାକୁ ଘୋଡ଼ା ମୁହାଁ ଡାକିଥାନ୍ତି । ସବୁ ଶ୍ରେଣୀରେ ଦୁଇ ତିନିଥର ଲେଖା ଫେଲ ହୋଇ ବାପା ମାଆ ତା' ନାଁ ଭୁଲି ତାକୁ ଘୋଡ଼ା ମୁହାଁ ବୋଲି ଡାକିଥାନ୍ତି । ବଦମାସରେ ଏକ ନମ୍ବର ହୋଇଥିବାରୁ ତାକୁ ଗାଁ ଟା ସାରା ଲୋକେ ଘୋଡ଼ା ମୁହାଁ ଉପାଧି ଦେଇଛନ୍ତି । ଯେମିତି "ଉତ୍କଳମଣି" କହିଲେ "ଗୋପବନ୍ଧୁ ଦାସ"ଙ୍କୁ ବୁଝାଯାଏ , "ସ୍ବଭାବ କବି" କହିଲେ "ଗଙ୍ଗାଧର ମେହେର"ଙ୍କୁ ବୁଝାଯାଏ , "ବ୍ଯାସକବି" କହିଲେ "ଫକୀରମୋହନ ସେନାପତି"ଙ୍କୁ ବୁଝାଯାଏ ଠିକ୍ ସେହିପରି "ଘୋଡ଼ା ମୁହାଁ" କହିଲେ ଗାଁର ଲୋକେ "ଖତୁଆ"କୁ ବୁଝନ୍ତି । ଖତୁଆର ପାଠଶାଠ ନହେବାରୁ ତା' ବାପା ମାଆ ସ୍ଥିର କଲେ ପିଲାଟିକୁ ବାହାଘର କରିଦେଲେ କାଳେ ତାର ଜ୍ଞାନ ଉଦୟ ହେବ । ପାଖ ଗାଁର ଗୋଟିଏ ଭଲ ଝିଅ ଦେଖି ବାହାଘର କଲେ , ହସ୍ତଗଣ୍ଠି ପରେ ପଖାଳ ଖିଆ ପରେ ଝିଅ ବିଦା ସମୟରେ ଖତୁଆର ଶାଶୁ ଖତୁଆକୁ ଧରି ବାହୁନିବାରେ ଲାଗିଲା , ଏଭଳି ଅନୁଭବ ଖତୁଆର ପ୍ରଥମ ହୋଇଥିବାରୁ ସିଏବି ଶାଶୁଙ୍କୁ ଧରି ବାହୁନିବାରୃ ଲାଗିଲା , ଶାଶୁଙ୍କୁ ତୁନି କରିବାକୁ ଯାଇ କହୁ କହୁ କହିଦେଲା , " ବୋଉ ତମ ଝିଅ କ'ଣ ମୋ ଝିଅ ନୁହେଁ? " କାନ୍ଦୁଥିବା ଶାଶୁ ଫେଁ କରି ହସିଦେଇ ଓଢ଼ଣା ଟାଣି ଘରଭିତରକୁ ପଳାଇଲେ । ଦୂରରେ ଥାଇ ଗୁଗୁଲା ସାର୍ ଏସବୁ ଦେଖିଥିଲେ ସିଏ ଗାଁରେ ପହଞ୍ଚି ଏଥା କହିଦେବାରୁ ଗାଁ ସାରା ଲୋକେ ଖତୁଆକୁ ବାଟ ଚଲେଇଦେଲେ ନାହିଁ । ଯିଏ ଖତୁଆକୁ ଦେଖିଲା କହିଲା , "ବୋଉ ତମ ଝିଅ କ'ଣ ମୋ ଝିଅ ନୁହେଁ?" । ଗାଁରେ ଖତୁଆ ଲୋକଙ୍କୁ ଦେଖିଲେ ମୁହଁ ଘୋଡ଼ାଇ ଚାଲିଲା । ତେଣୁ ଲୋକେ ତାକୁ ଘୋଡ଼ା ମୁହାଁ ବୋଲି ଡାକିଲେ । ସରକାରଙ୍କ ସ୍ବଛଭାରତ ଅଭିଯାନରେ ଖତୁଆକୁ ଖଣ୍ଡେ ପକ୍କା ପାଇଖାନା ମିଳିଛି । କାଳେ ପାଇଖାନାର ଟାଙ୍କି ଉଛୁଳି ପଡ଼ିବ ସେଥିପାଇଁ ଖତୁଆ ନାଳବନ୍ଧରେ ତା' କାମ ସାରିଦିଏ । ଦିନକର କଥା , ଖତୁଆକୁ ଅତର୍ଛିଆ ତଲବ ଲାଗିବାରୁ ଧାଇଁଲା ନାଳବନ୍ଧକୁ । ଆଗପଛ କିଛି ନଦେଖି ଲଥକିନା ବନ୍ଧକଡ଼ରେ ବସିଗଲା । ଆଗକୁ ଦେଖେତ ତା' ଶ୍ବଶୁର ହଳ-ଲଙ୍ଗଳ ଧରି ତା ଆଡ଼େ ଆସୁଛନ୍ତି , ଏପଟେ ଅତର୍ଛିଆକୁ ସେପଟେ ସମ୍ମାନ । ଭାବିଲା ମୁହଁ ଘୋଡ଼େଇ ଦେଲେ ଶ୍ବଶୁର ଆଉ ଚିହ୍ନି ପାରିବେ ନାହିଁ , ତେଣୁ ସେ ସେମିତି ବସି ରହି ପିନ୍ଧିଥିବା ଗାମୁଛାକୁ ସମ୍ପୂର୍ଣ୍ଣ ମୁହଁ ଘୋଡ଼େଇ ଦେଲା । ଶ୍ବଶୁର ଜ୍ବାଇଁଙ୍କର ବିଶ୍ବରୂପ ଦର୍ଶନ କରି ମୁହଁ ଘୋଡ଼ାଇ ଚାଲିଗଲେ । ଦୂରରେ ରହି ଗୁଗୁଲା ସାର୍ ତାଙ୍କ ମୋବାଇଲରେ ରେକଡ଼ିଂ କରି ଭାଇରାଲ କରିଦେଲେ "ଘୋଡ଼ା ମୁହାଁ ଜ୍ବାଇଁକୁ ଘୋଡ଼ା ମୁହାଁ ଶ୍ବଶୁର" । 


ଅଭାବରୁ ସ୍ବଭାବ ନଷ୍ଟ ହୁଏ , ଖତୁଆର ବି ସ୍ବଭାବ ନଷ୍ଟ ହେଲା । ବେଣାକୁ ଛୋଟ ଘାସକୁ ମୋଟ ବେରୋଜଗାରୀଆ ଖତୁଆ ନିର୍ବାଚନ ସମୟରେ ନେତାଙ୍କ ପଛରେ ପତାକା ଧରି ଜିନ୍ଦାବାଦ୍ ପକେଇ ମାଗଣାରେ ମୋଟର ସାଇକେଲ ପାଇଁ ପଟ୍ରୋଲ , ଭାତ ମାଉଁସ ଏବଂ ନାଲିପାଣି ସହିତ ଦିନକୁ ୫୦୦ଟଙ୍କା ଭାତିଆ ପାଇ ବନିଗଲା ନେତାଙ୍କ ଗୁଣ୍ଡାବାହିନୀରୁ ଗାଁ ଟାଉଟର । ନିର୍ବାଚନ ପରେ ନେତାଙ୍କର ପ୍ରତିନିଧି ସାଜି ରାସନକାର୍ଡ , ଆବାସ ଯୋଜନା , ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି କରେଇଦେବ ବୋଲି କହି ଲୋକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଘର , ଗାଡ଼ି , ଜମି ଇତ୍ୟାଦି କରିଚାଲିଲା । ଯେଉଁ ଲୋକ ଟଙ୍କା ଦେଇ ଭତ୍ତା , ଆବାସ , ରାସନକାର୍ଡ ଇତ୍ୟାଦି ପାଲେ ତାଙ୍କ ପାଖରେ ଖତୁଆ କରିତକର୍ମା ଘୋଡ଼ା ଯିଏ ନପାଇଲା ତାଙ୍କୁ ଦେଖି ଖତୁଆ ମୁହଁ ଘୋଡ଼ାଇ ଚାଲିଲା । ଖତୁଆର ଭାଗ୍ୟ ବି ପରିବର୍ତ୍ତନ ହେବାରେ ଲାଗିଲା ଖତୁଆ ପ୍ରଥମେ ସରପଞ୍ଚ ଏବଂ ଏବେ ସିଏ ବିଧାୟକ ସାଜିଛି । ବିଧାୟକ ସାଜିବା ପରେ ପରେ ସିଏ ଧାରାବାହିକ ଘୋଡ଼ା ମୁହାଁ ସାଜିଚାଲିଛି । ପ୍ରଥମେ ଗୋଟିଏ ଛୋଟ ଛୋଟ ଝିଅଙ୍କୁ ଅପହରଣ କରାଇ ତାଙ୍କ ଆଖି , ଲିଭର , କିଡିନୀ ପ୍ରଭୃତି ଅଙ୍ଗ ବେପାର କରି ଭଲ ପଇସା ରୋଜଗାର କଲା ଯେତେବେଳେ ଧରାପଡ଼ିଲା ମୁହଁ ଘୋଡ଼ାଇ ଚାଲିଲା , ପରେ ସରକାରୀ କଳର ଅପବ୍ଯବହାର କରି ନିର୍ଦ୍ଦୋଷକୁ ଦୋଷୀ ସାବ୍ୟସ୍ତ କରାଇ ସର୍କାରୀ ଘୋଡ଼ା ସାଜିଲା । 


ଖତୁଆର ଆଳୁଦୋଷ ପାଇଁ ସେ ବେସ୍ ଜଣାଶୁଣା । ଆଳୁଝୋଳ ଖାଇବା ପାଇଁ ନିଜ ପୃଷ୍ଠପୋଷକତାରେ ଚଳାଇଲେ ବେସରକାରୀ ଶିକ୍ଷା ଅନୁଷ୍ଠାନ । ସେଠାରେ ସିଏ ବିଧାୟକ ପଦବୀର ଅପବ୍ଯବହାର କରି ଆଳୁଝୋଳ , ଆଳୁକଷା , ଆଳୁ ଚୋଖା ଖାଇ ଚାଲିଲେ । ଏକା ଖାଇବା ସହ ଡକେଇତ ସାଜି (ଯିଏ ଡାକିଡୁକି ଆଣେ , ତାକୁ ଡକେଇତ କୁହନ୍ତି) ଆଳୁଦୋଷ ଯୁକ୍ତ ମାନ୍ଯଗଣ୍ଯ ମାନଙ୍କୁ ଆଳୁଝୋଳ ଖୋଇଚାଲିଲା । ଯେତେବେଳେ ଆଳୁ ପରିବର୍ତ୍ତେ ଓଲୁଅ ଖାଇଛନ୍ତି ଜଣାପଡ଼ିଲା , ଚାଲିଲା ଗଲ-ଗଲ ରମ୍ପ-ରମ୍ପ । ଓଲୁଅର ପାର୍ଶ୍ଵ ପ୍ରତିକ୍ରିୟାରୁ ମୁହଁ , ଦେହହାତ , ଫୁଲିଗଲା । ଅଜାଗା ଘା ଦେଖି ହୁଏ ନା ଦେଖେଇ ହୁଏ , ଖତୁଆ ପୁଣି ମୁହଁ ଘୋଡ଼ାଇବାରେ ଲାଗିଲା । ଏହି ଗଲୁରୋଗ ନିବାରଣ ପାଇଁ କିଛି ବିଶେଷଜ୍ଞ ମାନେ ଅଣ୍ଡାମାଇସିନ୍ ପ୍ରୟୋଗ କଲେ , ହେଲେ କିଛି ପ୍ରଭାବ ପଡ଼ିଲା ନାହିଁ । କିଛି ବିଶେଷଜ୍ଞ ମତଦେଲେ ଏହି ଗଲଗଲ ରମ୍ପରମ୍ପ ରୋଗ କରୋନା ଠାରୁ ବି ମାରାତ୍ମକ ତେଣୁ ତାଙ୍କୁ ସମାଜରୁ ବାସିନ୍ଦ କରିବା ଆବଶ୍ୟକ । ହେଲେ ବିଭାଗୀୟ ମୁଖ୍ୟ କହିଲେ ରୋଗକୁ ଘୃଣା କର ହେଲେ ରୋଗୀକୁ ନୁହେଁ । ଏହି ମହନୀୟ ସଂଦେସ ପ୍ରଚାର କରିବା ପାଇଁ , ମୁଖ୍ୟ ବିଶେଷଜ୍ଞ ଏକ ଯାତ୍ରା ମଞ୍ଚର ପରିକଳ୍ପନା କରି ଖତୁଆକୁ ଡାକିହାକି ମଞ୍ଚରେ ନିଜ ପାଖରେ ବସାଇ ଲୋକଙ୍କୁ ଜଣେଇଲେ ଖତୁଆର ଆଉ ଆଳୁଦୋଷ ନାହିଁ । ଆପଣ ମାନେ ଲକ୍ଷ୍ୟ ରଖିଥିବେ ଗଲୁଆ ମାନଙ୍କର ଗଲୁ ହେଲେ ସେମାନେ ଥାନ ଅଥାନ କିଛି ମାନନ୍ତି ନାହିଁ । ଟେରାମାଇସିନ୍ ଲଗେଇ ଟେରା ହୋଇଯିବେ ପଛକେ ରମ୍ପାରମ୍ପି ଛାଡ଼ନ୍ତି ନାହିଁ । 


ଆଗକୁ ପଞ୍ଚାୟତ ନିର୍ବାଚନ , ସେଥିପାଇଁ ସବୁ ଦଳ ସବୁ ନେତା ମାରାଥନ ଦୌଡ଼ କରୁଛନ୍ତି । ଖତୁଆ ବି ଦୌଡୁଛି ହେଲେ ଯେଉଁଠିକୁ ଯାଉଛି ଘୋଡ଼ା ମୁହାଁ ସାଜି ଫେରି ଆସୁଛି । ନିର୍ବାଚନ ମଣ୍ଡଳୀର ଲୋକେ କହୁଛନ୍ତି , ଯେଉଁ ନେତା ନିଜ ଘରକୁ ସମ୍ଭାଳି ପାରୁନି ସିଏ ନିର୍ବାଚନ ମଣ୍ଡଳୀ ସମ୍ଭାଳିବ କଣ ? ପ୍ରକାଶ ଥାଉକି ବିଧାୟକ ଖତୁଆ ଏବଂ ସ୍ତ୍ରୀ ରଙ୍ଗବତୀଙ୍କ କେସ୍ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରେ ବିଚାରପତି ବିଚାର ପାଇଁ ତାରିଖ ପରେ ତାରିଖ ଗଡ଼ଉଛନ୍ତି ହେଲେ ଫଳ ଶୂନ । ତେଣୁ ଖତୁଆ ନିଜର କେସ୍ ବୁଝୁ ବୁଝୁ ଦିନଯାଉଛି ହେଲେ ସମାଧାନ ହୋଇପାରୁନି , ସିଏ ଜନତାଙ୍କ କେସ୍ କଣ ସମାଧାନ କରିବେ ? ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲି ଯାଇଛନ୍ତି । କାମ କରିଥିଲେ ସିନା ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ , ଠିକାଦାର ଆଉ ବିଧାୟକଙ୍କ ମଧୁଚନ୍ଦ୍ରିକାରେ ସବୁ ବାଟମାରଣା । କେଉଁଠି ନଦୀ ଭିତରେ ଷ୍ଟାଡିୟମ ତ କେଉଁଠି ଗଣ୍ଡ ଭିତରେ ପୋଖରୀ ହୋଇଛି କହି ଅର୍ଥ ହଡ଼ପ କରିଛନ୍ତି । ଆଉ ସେସବୁ ଗାଁକୁ ଯେତେବେଳେ ଯାଉଛନ୍ତି , ଗାଁର ଲୋକମାନଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ମୁହଁ ଘୋଡ଼େଇ ହୋଇ ଫେରୁଛନ୍ତି । ଫେରିଗଲା ବେଳେ ଲୋକେ କହୁଛନ୍ତି ହେଇ ଦେଖ "ଘୋଡ଼ା ମୁହାଁ" ଯାଉଛି ।

             



Rate this content
Log in

More oriya story from Byangakabi Dharmachhada

Similar oriya story from Comedy