Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Trupti Sahu

Tragedy Inspirational

3.8  

Trupti Sahu

Tragedy Inspirational

ଏ ନୁହେଁ କାହାଣୀ

ଏ ନୁହେଁ କାହାଣୀ

5 mins
278


ସମସ୍ତଙ୍କ ପରି ମୁଁ ବି ଦିନେ ଏକ ଶୁଭ ବେଳରେ, ଏଇ ସୁନ୍ଦର ଧରାରେ ପାଦ ଥାପିଥିଲି । ମୋ ବାପା ଓ ମାଆ କୋଉଠି ପୁଅ ପରେ ସୀତାଙ୍କ ପରି ଝିଅଟିଏ ହେଉ ବୋଲି ମାନସିକ କରିଥିଲେ । "ବାବା, ବାବା ! ଜାନିଛ ଆମ ଘଲେ ନା ଗୋଟେ ଧ.ଅ.ଅ .ଳା ଭାଲୁ ଯମନ ହୋଇଛି "। ଏ ଥିଲା ଗୋଟିଏ ଛୋଟ ଭାଇର ତା କୁନି ଭଉଣୀ ପାଇଁ କହିଥିବା, ପ୍ରଥମ ଦରୋଟି କଥା । କେତେ ବା ବୟସ ହୋଇଥିବ, ଏଇ ପାଞ୍ଚ ବର୍ଷ । ନାଚି, ନାଚି ଖୁସିରେ ଡ଼େଉଁଥିଲା ସେ । ଏତେ ଦିନ ପରେ ସତେ ଯେମିତି ଜୀବନ୍ତ ଖେଳନାଟିଏ ପାଇଛି । ମାଆ ଅନେକ ସମୟରେ ତାର ଏଇ କଥାଟି ମନେ ପକାଇ ହସନ୍ତି ।ଏଠି ଏବେ ଯାହା କଥା କୁହାଯାଉଛି, ସେ ମୋ ବଡ଼ ଭାଇ, 'ଶିଳାଦିତ୍ୟ '। ଆଜି ଲେଖିବା ପାଇଁ ନୁହେଁ, ସେ ପ୍ରକୃତ ଅନୁଭବରେ, ମୋ ପାଇଁ ଦୁନିଆରେ ସବୁଠାରୁ ଭଲ ଭାଇ ଥିଲା ।

    ଶୈଶବର ପାହାଚ ସେ ଚଢୁଥିଲା ଓ ତା ସହିତ ମୁଁ । ସେ ବହୁତ ଯତ୍ନ ନିଏ ମୋର । ସତେବା ମୁଁ ତା'ର କଣ୍ଡେଇ । ସବୁଠୁ ଅଧିକା ସେ ହିଁ ମୋତେ ଭଲପାଉଥିଲା ।ଅନେକ ଈଶ୍ୱରଦତ୍ତ ଗୁଣ ନେଇ ସେ ଯେବେ କିଶୋର, ମୁଁ ସେବେ ଏକ ଅବୁଝା ଶିଶୁ। ସେ ମୋତେ ଜାବୁଡି ଧରି ଚୁମା ଦିଏ।ତାର ନିଚ୍ଛକ ସ୍ନେହ ବୁଝିବା ଦୂର, ବରଂ ମୁଁ ବହୁତ ବିରକ୍ତ ହୁଏ । କାହିଁକି ମୋ ଗାଲ ଧରୁଛୁ କହି ତାକୁ ବହୁତ ରାଗେ।            

ଦୁନିଆଁର ସବୁ କବାଟ ମୋ ପାଇଁ ଗୋଟେ, ଗୋଟେ ବିସ୍ମୟରୁ କମ୍ ନଥିଲା । କିନ୍ତୁ ପ୍ରତିଟି କବାଟ ଖୋଲି, ଆଲୋକ ସହ ପରିଚିତ, ସେହିଁ କରୁଥିଲା । ଦିନେ ମାଆ କହିଲେ, "ଜାଣିଚୁ ଆଜି ତୋ ନନା ହ୍ୟାଣ୍ଡ ରାଇଟିଂରେ ପ୍ରଥମ ପୁରସ୍କାର ପାଇଛି"। ତାଙ୍କ ହାତରେ ଗୋଟେ ଛୋଟ କପ ଓ ପ୍ରଶଂସା ପତ୍ରଟିଏ ଥିଲା । ମୁଁ ଦଉଡି ଗଲି ତା ପଢା ଟେବୁଲ ପାଖକୁ । ଖାତା ସବୁ ଓଲଟେଇ ଦେଖିଲି, ଏପଟ –ସେପଟ । ସତରେ କି ସୁନ୍ଦର ହସ୍ତାକ୍ଷର, ସତେ ଯେମିତି ଟାଇପ କରାଯାଇଛି । ମନକୁ ମନ କହିଲି, " ମୁଁ ବି ନନା ପରି ସୁନ୍ଦର ଅକ୍ଷର ଅଭ୍ୟାସ କରିବି" ।

    ସେ ଖୁବ ସୁନ୍ଦର ବଇଁଶୀ ଓ ମଉଥ୍ଅର୍ଗନ ବଜାଉ ଥିଲା। ସେ ଧ୍ୱନି ଯେବେ ମୁଁ ଶୁଣେ ଏକଦମ ମଜି ଯାଏ । ଭାବେ ବାପା ଯେଉଁ କୃଷ୍ଣ ଭଗବାନଙ୍କ କଥା କହୁଥିଲେ, ସେ ବି ଏମିତି ବଜାଉଥିବେ । ନନା ମୋତେ ସୁର ଜଗତ ସହ ପରିଚିତ କରାଇଥିଲା। ସୁରରୁ ତାଳ ନେଇ ମୁଁ ଭଲ ଗୀତ ଗାଇବା ଆରମ୍ଭ କରିଲି ।

     ସେ ବହୁତ ଭଲ ପାଠ ପଢୁଥିଲା। ମ୍ୟାଟ୍ରିକ ପରୀକ୍ଷାରେ ଯେବେ ସେ ନ୍ୟାସନାଲ ସ୍କଲାରସିପ ପାଇଲା, ମୁଁ ଆଖି ଉଠାଇ ତାକୁ ଚାହିଁଲି । ମୋତେ ମୋ ନନା ଗୋଟେ ବଡ ମଣିଷ ପରି ଲାଗିଲା । ଏମିତିତ ତାର ଗୁଣ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରେ । ସମସ୍ତେ ବାପାଙ୍କୁ କୁହନ୍ତି "ସୁନା ମୁଣ୍ଡାଟିଏ ଆପଣଙ୍କ ପୁଅ"। ମୋତେ କିନ୍ତୁ ସେ ବୁଦ୍ଧଦେବଙ୍କ ପରି ଲାଗେ । କେତେ ଶାନ୍ତ, ଚୁପଚାପ । ସବୁବେଳେ ସେ କଣ ସବୁ ଭାବୁଥାଏ । କେବେ ଭାବେ, ସେ ଗୋପବନ୍ଧୁ । ଦରକାର ବେଳେ ସେ ଘରୁ ଆରମ୍ଭ କରି ବାହାରର ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ କେବେ ପଛାଏନି । ଭାବିଲି ମୁଁ ବି ନନା ପରି ହେବି। ଭଲ ମଣିଷ ହେବି । ଭଲ ପାଠ ପଢିବି,ଫାଷ୍ଟ ହେବି । ଆଉ ସତକୁ ସତ, ଶ୍ରେଣୀରେ ପ୍ରଥମ ହେଲି ମଧ୍ୟ ।

   ସେ ରାତିରେ ଅନିଦ୍ରା ରହି ସମୟେ, ସମୟେ କଣ ସବୁ ଲେଖେ। ମୁଁ ଯଦି ତାକୁ କେବେ ପଢେ,ବହୁତ କିଛି ବୁଝିପାରେନା । ଶବ୍ଦ ସବୁ, ଲେଖାରୁ ବାହାରି ମୋ ଚେତନାର ଚାରିପାଖେ ଘୁରିବୁଲନ୍ତି। ଦିନେ, ମୁଁ ବି କିଛି ଲେଖିପାରିଲି ।ଆଲଜେବ୍ରା କରି, କରି ଯେବେ ଥକି ଯାଇଥିଲି, ହଠାତ ଶବ୍ଦ ସବୁ ଓହ୍ଲାଇ ଆସିଲେ ଶୂନ୍ୟରୁ। ମୋ ଜୀବନର ପ୍ରଥମ କବିତା ବରୁଣେଇ ପାହାଡକୁ ନେଇ ଲେଖି ହୋଇଗଲା । ସେଦିନ ମୁଁ ପ୍ରଥମ ଥର ପାଇଁ ନିଜର ପିଠି ଥପୁଡ଼େଇ ଥିଲି ଏମିତି ଅନେକ କିଛି ମୋ ଅବଚେତନରେ, ମୋର ବ୍ୟକ୍ତିତ୍ୱ ଗଢିବାରେ, ପରୋକ୍ଷରେ ଭାଇ ହିଁ ହାତରେ ନିହlଣଟି ଧରିଥିଲା ।

   ଭାଇ ସବୁବେଳେ ଗୋଟିଏ ଖାତାରେ କିଛିନା କିଛି ଆଙ୍କୁଥାଏ। ଅକ୍ଟୋବର ମାସ ଆସିଲେ ସେ ଗ୍ରୀଟିଂ କାର୍ଡ ତିଆରିବା ଆରମ୍ଭ କରେ । ସେଥିରେ ତାର ଆଉ ଦୁଇଜଣ ସାଙ୍ଗ ବି ଆସନ୍ତି ସାହାଯ୍ୟ କରିବାକୁ । ବର୍ଷର ଏଇ ସମୟଟି ମୁଁ ତା ପାଖେ ପାଖେ ରହେ । ମୁଁ ମୁଗ୍ଧ, ଚକିତ ଓ ତନ୍ମୟ ହୋଇଯାଏ ଯେବେ ସେ ପେନସିଲ, ସ୍କେଚ ପେନ ଓ ତୁଳୀ ଧରି କିଛି ସମୟ ମଧ୍ୟରେ ଅନେକ କଥାକୁ ରୂପ ଦିଏ । ରଙ୍ଗ ଭରିଦିଏ । ମୋତେ ଲାଗେ ମୁଁ ମ୍ୟାଜିକ ଦେଖୁଚି। ବହୁତ ଇଚ୍ଛା ହୁଏ ନନା ମୋତେ ଟିକେ ତାର ଏ ସରଞ୍ଜାମ ଦିଅନ୍ତାକି। ସେ ମୋ କଥା ଶୁଣି ଟିକେ ହସି ଦିଏ ଓ କହେ ରୁହ ତୁ ଆଉ ଟିକେ ବଡ ହୋଇଯା, ତୋତେ ଶିଖାଇ ଦେବି।ମୁଁ ଚେଷ୍ଟା କରେ, କେତେ ଅଙ୍କା ବଙ୍କା ନଇଁ ପାହାଡ ଆଂକେ। କିନ୍ତୁ ଭାଇ ତୁଳନlରେ ସେ ସବୁ କେତେ ଅସୁନ୍ଦର.....

ଥରେ ସେ ଯୀଶୁଙ୍କର ଗୋଟିଏ ଚିତ୍ରପଟ ଆରମ୍ଭ କଲା । ସେ କୋଉ ଗୁରୁଙ୍କ ଠାରୁ ତ ଶିଖିନଥିଲା, କିନ୍ତୁ ଏତେ ନିଖୁଣ, ଏତେ ସୁନ୍ଦର ରଙ୍ଗ ବିନ୍ୟାସ, ଏତେ ଜୀବନ୍ତ କିପରି ସେ କରୁଥିଲା । ଚମତ୍କାର ରୂପ ନେଉଥିଲେ ଯୀଶୁ। ନିର୍ମିଳିତ ଆଖି, ଶାନ୍ତ ମୁଖ, ଆଶୀର୍ବାଦ ପାଇଁ ଉଠିଥିବା ହାତ ଓ ରକ୍ତ ଵୋହି ଆସୁଥିବା ପାପୁଲି ମୋତେ ବହୁତ ଭାବରେ ଆକର୍ଷିତ କରିଥିଲା । ଦିନେ ସେ ଏ ଚିତ୍ର ଓ ରଙ୍ଗ ସବୁ, ତା ଉପର ଘର ଚଟାଣରେ, ବୋଧହୁଏ ତର ତର ହୋଇ ଛାଡି ସ୍କୁଲକୁ ଚାଲି ଯାଇଥିଲl। ମୁଁ ଆଗେ ସ୍କୁଲରୁ ଫେରିଲି। ଯେବେ ଉପରକୁ ଯାଇ ଦେଖିଲି, ଲାଗିଲା ଯେମିତି ଚିତ୍ରଟି ମୋତେ ହାତଠାରି ଡାକୁଛି। ସେପର୍ଯ୍ୟନ୍ତ ମୁଁ ତୁଳୀ ଧରିନଥାଏ। କିନ୍ତୁ କଣ ହେଲା, ଯନ୍ତ୍ରବତ ସେ ଚିତ୍ର ଉପରେ ରଙ୍ଗ ଭରିବାରେ ଲାଗିଲି। ସେ ରକ୍ତଝରା ହାତ ଓ ଅନ୍ୟ ହାତର ପୋଷାକ ଟି କରିଦେଲି । କାନ୍ଧ ତଳକୁ ଓହଳି ପଡି ଥିବା କେଶକୁ କଳା, ଖାଇରିଆ ଓ ହଳଦୀ ରଂଗ ଦେଇ ନନା ପରି କରିବାକୁ ଚେଷ୍ଟାକଲି ।ହଠାତ ହୋସ୍ ଆସିଲା, ଯେବେ ମାଆ ମୋତେ ଜଳଖିଆ ଖାଇବାକୁ ଡାକିଲେ ।ଆରେ ମୁଁ କଣ କଲି !! ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସୁନ୍ଦର ଚିତ୍ରଟି ବିକୃତ ହୋଇସାରିଥିଲା।

ତାପର ଅବସ୍ଥା ନ କହିଲେ ଭଲ । ଏକ ପାହାଡ଼ ପରି ଭୟ ମୋତେ ମାଡି ବସିଲା। ବହୁତ ଅନୁତାପ ଆସିଲା । ଖାଇବା ଭୁଲି ଯାଇ ଛାତ ଉପରେ ବସିଲି । ଭାଇ ଦେଖିଲେ କେମିତି ଦୁଃଖ କରିବ, ବାପା କଣ କରିବେ, ମୋତେ କି ଦଣ୍ଡ ମିଳିବ ? ସେ ଆସିଲା । ତାର ପ୍ରତିକ୍ରିୟା ସିନା ଦେଖିପାରୁନଥାଏ, କିନ୍ତୁ ତା ଅସହାୟ ଓ କ୍ଷୋଭର ଭାବ ଆସି ମୋ ଦେହରେ ମାଡ ହେଉଥାଏ । ଆହୁରି ଡର ଲାଗିଲା । ମୁଁ ଏମିତି କାହିଁକି କରୁଥିଲି ?

 ଚିତ୍ରଟିର କଥା ପ୍ରଥମେ ମା ଓ ତାପରେ ବାପାଙ୍କ ପାଖକୁ ଆସିଲା । ଆଜିକାଲି ପରି ସେବେ ଆମେ ବାପାଙ୍କ ସହ ଅତି ବହୁତ କେହି ମିଶୁନଥିଲୁ। ବାପାଙ୍କ ପ୍ରତି ସବୁବେଳେ ସମ୍ମାନ ସହ କିଛି ଭୟ ବି ରହୁଥିଲା ।ସେ ଏମିତି ଖୁବ କମ ରାଗନ୍ତି, କିନ୍ତୁ ଯେବେ ରାଗନ୍ତି ଆମ ଘର ଦୋହଲିଯାଏ । ମୋତେ ଡାକରା ଆସିଲା । ଗୋଡ ଦୁଇଟା ଚଳୁନଥାଏ ତାଙ୍କ ସାମ୍ନାକୁ ଯିବାକୁ । ସମସ୍ତଙ୍କ ପ୍ରଶ୍ନିଳ ଅଖି ମୋ ଉପରେ ଥାଏ । ବାପା ପଚାରିବାରେ ମୁଁ ସତ ହିଁ କହିଲି, " ମୁଁ ଜାଣିନି ବାବା ମୋର କଣ ହେଲା, ସେ ଚିତ୍ର ଦେଖି ମୋ ହାତ ରହିପରିଲାନି, ଭାବିଲି, ମୁଁ ବି ନନା ପରି କରିପାରିବି ।" ମୁଁ ମୁଁହ ତଳକୁ କରି ଠିଆ ହୋଇଥାଏ। ବାପା ବହୁତ ଗାଳି କରିଲେ । କାନ ମୁଣ୍ଡା ଝାଇଁ ମରୁଥିବାରୁ ମୁଁ କିଛି ଶୁଣିପାରୁନଥାଏ। କିନ୍ତୁ ତାଙ୍କ ହାତରେ ଥିବା ସ୍କେଲଟିକୁ ମୁଁ ଭଲରେ ଦେଖିପାରୁଥାଏ ।ସେ ଯେମିତି ଆଗକୁ ବଢିଲେ, ମୁଁ ଆଖି ବନ୍ଦ କରି ଦେଲି ।କିନ୍ତୁ ଭାଇ ଦୌଡ଼ି ଯାଇ ତାଙ୍କ ହାତରୁ ସେଇଟା ଛଡାଇ ଆଣିଲା। ନନାର ଏତେ ସାହସ ଆସିଲା କୋଉଠୁ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।କେବଳ ଶେଷକୁ ଏତିକି ଶୁଭିଲା "ମନ୍ତ୍ର ନ ଜାଣି ସାପ ଗାତରେ ହାତ ? ଯାଅ ଏଠାରୁ " ମୁଁ ଏକ ନିଃଶ୍ୱାସରେ ଦଉଡି ଚାଲି ଆସିଲି । ସେ ଦିନଟି କିପରି କଟିଲା କହିପାରିବିନି । କିନ୍ତୁ ଭାଇ ମୋତେ ମାଡ଼ରୁ ବଞ୍ଚାଇବା ଓ ତାର ସେ ଦୁଃଖ ଭରା ମୁହଁ, ମୁଁ ଆଜିଯାଏ ଭୁଲିପାରିନି। ସେଦିନ ପରେ ସେ ପେଣ୍ଟିଙ୍ଗଟି ମୁଁ ଆଉ ଘରେ ଦେଖିନି। ବୋଧହୁଏ, ନନା ସେଇଟା ଆମ ଚୁଆ ପାଣିକୁ ବା ବିଲ ଭିତରକୁ ଫୋପାଡ଼ି ଦେଇଥିଲା ।

      ସମୟ ବିତି ଯାଇଛି । ଜୀବନ ଅନେକ ରଙ୍ଗ ଦେଖାଇଛି ।କେତେ କଣ ଶିଖାଇଛି। ମୁଁ ଏବେ ଜଣେ ଚିତ୍ରକାର ହିସାବରେ ପ୍ରତିଷ୍ଠିତ । କିନ୍ତୁ ବହୁତ ଚେଷ୍ଟା ପରେବି ମୁଁ, ନନା ପରି ଯୀଶୁଙ୍କ ଚିତ୍ର କରିପାରିନି। ଅନେକ ବର୍ଷ ପରେବି, ଜୀବନର ଅପରାହ୍ନରେ, ସେଇ ଘଟଣାଟି ତୁହାଇ, ତୁହାଇ ମନେପଡେ । ସେ କ୍ଷମାଶୀଳ, ଶାନ୍ତ, ସୁନ୍ଦର ଓ ଅନେକ ଗୁଣର ଅଧିକାରୀ ମୋତେ ଠକି ଦେଇ ତା ଜୀବନର ଫଗୁଣରେ ହଜିଗଲା । ମୁଁ ଅଭିମାନ କରେ । ଲାଗେ ଅଳ୍ପ ଆୟୁଷ ଲେଖେଇ କରି ଆସିଥିଲା ବୋଧ ହୁଏ। ମୋତେ ଟିକେ ତା ପରି ପେଣ୍ଟିଂ କରିବା ଶିଖାଇଦେଲାନି । ଶୁଣିଚି, ବହୁତ ଭଲ ମଣିଷଙ୍କୁ ଭଗବାନ ତାଙ୍କ ପାଖରୁ ଜଲଦି ନେଇଯାନ୍ତି। ସେ ଏତେ ଭଲ ହୋଇଥିବାରୁ ଭଗବାନ ବୋଧହୁଏ ତାକୁ ବେଶିଦିନ ଛାଡି ରହିପାରିଲେନି। 



Rate this content
Log in

More oriya story from Trupti Sahu

Similar oriya story from Tragedy