STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy Others

ଧରମ ଭାଇ

ଧରମ ଭାଇ

15 mins
6

   ସୀମା ଭାବି ନେଇଥିଲା ତା ସାଂସାରିକ ଜୀବନ କାହାଣୀଟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଦୁଃଖ ଓ ଅବଶୋଷରେ ସରିଯିବ । କେଉଁ ଅଶୁଭ ଲଗ୍ନରେ ସେ ଜନ୍ମ ହୋଇଥିଲା ଯେ ସଂସାର ସୁଖର ସ୍ୱାଦ ଚାଖିବାକୁ ଯାଇ ସମସ୍ୟା ପରେ ସମସ୍ୟାର ସମ୍ମୁଖୀନ ହୋଇ ତା ସମୟ ସରି ସରି ଯାଉଛି ।ସମାଧାନର ବାଟ ଖୋଜୁ ଖୋଜୁ ତା ଭାଗ୍ଯ ଆକାଶରେ ସୁଖର ସୁର୍ଯୋଦୟ ହେବ କି ନାହିଁ ସେ ଜାଣି ନ ଥିଲା । 


  ମଧ୍ଯବିତ୍ତ ପରିବାରରେ ବାପାମାଙ୍କର ଏକମାତ୍ର ଅଲିଅଳି ଝିଅ ସେ । ହେତୁ ହେବା ଦିନଠାରୁ ଦୁଃଖର ଛାଇ ତାକୁ କେବେ ସ୍ପର୍ଶ କରି ନଥିଲା । ତା ମାଆ କୁଆଡେ କୁହନ୍ତି ଜନ୍ମ ହେବା ଠାରୁ ତା ବାପାମାଙ୍କର ପାଖରେ ଥିବା ପର୍ଯ୍ୟନ୍ତ କେବେ କାନ୍ଦିବାର ତାକୁ କେହି ଦେଖି ନାହାନ୍ତି । ଅତି ଅୟସରେ ପିଲାଦିନକୁ କଟେଇଥିବା ସୀମା ଯେ ଦିନେ ବଞ୍ଚିବା ପାଇଁ ସଂଘର୍ଷ କରିବ ଏବଂ ଅଧିକାଂଶ ସମୟରେ ତା ଭାଗ୍ୟ ଆକାଶକୁ ଘନ କଳା ବାଦଲଟା ଘୋଡେଇ ରଖିବ , ସେ କେବେ ବି କଳ୍ପନା ମଧ୍ଯ କରି ନଥିଲା ।


  ପରିବାର ସହିତ ସ୍ନେହ ଆଦରକୁ ସାଥି କରି ନିଜର ସ୍କୁଲ ଶିକ୍ଷା ସମାପ୍ତ କରେ ସୀମା । ଉଚ୍ଚ ଶିକ୍ଷା ପାଇଁ ବାପାମାଙ୍କ ଠାରୁ ବିଦାୟ ନେଇ ବାହାରି ଯାଏ ସହର ଅଭିମୁଖେ । କଟକ ରେଭେନ୍ସା ମହାବିଦ୍ୟାଳୟର ଛାତ୍ରୀ ନିବାସରେ ରହି ବିଜ୍ଞାନରେ ଯୁକ୍ତ ୨ ପାଠ ଶେଷ କରିବା ପରେ ସେହି ବିଦ୍ୟାଳରେ ଯୁକ୍ତ ୩ କଳାରେ ରାଜନୀତି ବିଜ୍ଞାନ ସମ୍ମାନରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୁଏ ।କଲେଜରେ ପ୍ରବେଶ କରିବା ଦିନଠାରୁ ତାର ଲକ୍ଷ୍ୟ ଥାଏ ସେ ଏମ.ବି.ଏ କରି ଏକ ଭଲ ଚାକିରୀ କରିବ । ଯୁକ୍ତ ୩ ଶେଷ କରିବା ପରେ ସୀମାର ମନ ପାକଳ ହୋଇ ସାରିଥିଲା । ଏକୁଟିଆ ବାହାରେ ରହି ବଂଚିବାର କଳା ସେ ଭଲ ଭାବରେ ଶିଖି ଯାଇଥିଲା ।ବାପାଙ୍କ ଅନୁମତି ନେଇ ସେ ମୁମ୍ବାଇ ଚାଲି ଯାଇଥିଲା ଏମ.ବି.ଏ କରିବା ପାଇଁ ଏବଂ କଲା ମଧ୍ୟ । ଏମ.ବି.ଏ ପାଠ ଶେକ୍ଷ କଲା ପରେ ଘରକୁ ଫେରି ନ ଥିଲା ସୀମା ।ବମ୍ବେର ଏକ ବିଳାସମୟ ପଞ୍ଚ ତାରକା ହୋଟେଲରେ ଭଲ ଚାକିରି ଖଣ୍ଡେ ମିଳିଗଲା ପରେ ଆରମ୍ଭ ହେଇଥିଲା ତାର ବୃତ୍ତିଗତ ଜୀବନ ଏବଂ ସେହି ହୋଟେଲରୁ ହିଁ ତା ଜୀବନ ଯାତ୍ରାର ମୋଡ଼ ବଦଳି ଗଲା । 


  ସୀମା ହୋଟେଲରେ କାମ କରିବା ସମୟରେ ସୌମ୍ଯ ନାମକ ଯୁବକ ସହିତ କଥୋପକଥନ ମାଧ୍ୟମରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରେ ପରେ ଉଭୟ ପରସ୍ପରକୁ ବିବାହ କରି ସଂସାର କରିବା ପାଇଁ ସ୍ଥିର କରି ନେଇଥିଲେ ଏବଂ ବିବାହ ପର୍ବ ମଧ୍ୟ ସାରି ଦେଇଥିଲେ । ସୀମା ନିଜ ବାପାମାଆ କିମ୍ବା କୌଣସି ନିକଟ ସମ୍ପର୍କୀୟଙ୍କୁ ଏତେ ବଡ଼ ନିଷ୍ପତି ନେବା ପୂର୍ବରୁ ଟିକେ ଜଣେଇଲା ବି ନାହିଁ । ଠିକ ବିବାହର ବର୍ଷକ ପରେ ସୀମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ମାତୃତ୍ୱ ଲାଭ କଲା । ପୁଅକୁ ୭/୮ ମାସ ହେବା ପରେ ସୀମା ସୌମ୍ୟଙ୍କୁ ବାରମ୍ବାର କହୁଥିଲା ନିଜ ଶାଶୁ ଘରକୁ ଯାଇ ବୁଲି ଆସିବା ପାଇଁ । ମାତ୍ର ସୌମ୍ୟ ସୀମା କଥାକୁ ଆଦୌ ଗୁରୁତ୍ୱ ଦେଉ ନ ଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହେବା ପୂର୍ବରୁ ସୀମା କଥାରେ ରାଜି ହୋଇ ସୌମ୍ୟ ପରିବାର ସହିତ ଦିନେ ଘରକୁ ଫେରିଲା । ସୌମ୍ୟ ଜାଣିଥିଲା ସୀମାକୁ ତାଙ୍କ ଘରେ ଗ୍ରହଣ କରିବେ ନାହିଁ । କିନ୍ତୁ ସୀମୀ ଭାବିଥିଲା ଅନେକ କିଛି । ଘରେ ପହଁଚିଲେ ତା ଶାଶୂଘର ଲୋକେ ତାକୁ ସହଜରେ ସାଦରେ ଗ୍ରହଣ କରି ନେବେ ଏବଂ ତା ସୁଖର ସଂସାର ହସି ଉଠିବ । ମାତ୍ର ଘରେ ପହଂଚିବା କ୍ଷଣି ହିଁ ତା ଜୀବନରେ ଅଶାନ୍ତିର ଝଡ଼ ବହିବା ଆରମ୍ଭ କଲା । ତାକୁ ସାମନା କରିବା ତା ପକ୍ଷେ ଅସମ୍ଭବ ଥିଲା । ସ୍ୱାମୀଙ୍କର ମିଥ୍ୟା ପ୍ରତିଶୃତିର ଶିକାର ହୋଇ ଶାଶୁ ଘରର ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ଅସମ୍ଭବ ବୋଲି ସେ ନିଶ୍ଚିତ ହୋଇଗଲା ।ସତେ ଯେପରି ତା ମୁଣ୍ଡ ଉପରେ ବଜ୍ର ପଡିଗଲା । ଏଭଳି ପରିସ୍ଥିତିରେ ସ୍ୱାମୀ ମଧ୍ୟ ନିରବ ଦ୍ରଷ୍ଟା ସାଜିଲେ ଏବଂ ଏକାଠି ରହିବା ତ ଦୂରର କଥା ପ୍ରତିବାଦ କରିବାକୁ ମଧ୍ଯ ଅକ୍ଷମତା ପ୍ରକାଶ କଲେ । ତାହାର ଯଥେଷ୍ଟ କାରଣ ଥିଲା ଯାହା ସୀମା ଜାଣି ନଥିଲା ।


  ସୀମା ବିବାହ ପୂର୍ବରୁ ତିଳେ ମାତ୍ର ଜାଣିବାର ସୁଯୋଗ ପାଇ ନଥିଲା ଯେ ସୌମ୍ୟ ବିବାହିତ ବୋଲି ।ତାର ଦୁଇଟି ପିଲା ଅଛନ୍ତି ଏବଂ ସେ ସୌମ୍ୟର ମିଥ୍ୟା ଛଳନାର ଶିକାର ହୋଇଯିବ ବୋଲି । କଣ କରିବ କିଛି ବି ଚିନ୍ତା କରି ପାରିଲା ନାହିଁ ।ଏହା ଛଡା ସୌମ୍ୟର ମଧ୍ୟ କିଛି କହିବାର ବା କରିବାର ସାହସ ନଥିଲା । କାରଣ ତାର ପ୍ରଥମ ସ୍ତ୍ରୀ ଥିଲା ଅତ୍ୟନ୍ତ ଦୁଷ୍ଟ ସ୍ୱଭାବର । ଯାହାର ଅକଥନୀୟ ଅତ୍ୟାଚାରର ଶିକାର ହୋଇ ସେ ଘର ଛାଡ଼ି ବମ୍ବେ ଚାଲି ଯାଇଥିଲା ଟିକିଏ ଶାନ୍ତିରେ ବଂଚିବା ପାଇଁ । ଶାନ୍ତି ଖୋଜୁ ଖୋଜୁ ପୁଣି ଆଉ ଏକ ଅଶାନ୍ତିକୁ ସାଙ୍ଗରେ ଆଣି ଘରେ ପହଁଚିଲା ପରେ ପ୍ରଥମ ସ୍ତ୍ରୀ ଆହୁରି ଉଗ୍ର ହୋଇ ଉଠିଲା । ନିଜର ବାପାମା ମଧ୍ୟ ସାଥ ଦେଲେ ନାହିଁ । ଏହି ପରିସ୍ଥିତିରେ ସୌମ୍ୟ ସୀମାକୁ ଛାଡିବା ବ୍ୟତୀତ ଅନ୍ୟ କିଛି ବି ଉପାୟ ସେ ଖୋଜି ପାଇଲା ନାହିଁ । କାରଣ ନିଜର ସ୍ଥିତି ଯେତେବେଳେ ଅସମ୍ଭାଳ ସେ ସୀମାକୁ ବା ସହଯୋଗ କରିବ କେମିତି ?


  ଏମିତି ପରିସ୍ଥିତି ଦେଖି ସୀମା ଚିନ୍ତାଗ୍ରସ୍ତ ହୋଇ ନିଜର ସୁରକ୍ଷା ଦୃଷ୍ଟିରୁ ଶାଶୁ ଘର ଛାଡି ବାହାରି ପଡିଲା ନିଜ ଛୁଆକୁ ସାଙ୍ଗରେ ଧରି । ସୌମ୍ୟ ମଧ୍ୟ ତାକୁ ପ୍ରତିରୋଧ କଲା ନାହିଁ ପରିବାର ଚାପର ସମ୍ମୁଖୀନ ହୋଇ । ସେ ନିଜର ଦ୍ୱତୀୟ ପତ୍ନୀକୁ ସୁରକ୍ଷା ଦେବାକୁ ପୂର୍ଣ୍ଣ ଅକ୍ଷମତା ପ୍ରକାଶ କଲା ।


   ସୀମା ଶାଶୂଘର ଛାଡିଲା ଦେଲା ସିନା । ଅନେକ ଅସମାହିତ ପ୍ରଶ୍ନ ତାକୁ ବ୍ୟତିବ୍ୟସ୍ତ କରି ପକାଉ ଥାଏ । ନିଜ ବାପଘରକୁ ଯିବାର ବାଟ ସେ ନିଜେ ବନ୍ଦ କରି ସାରିଛି । ଛୋଟ କଅଁଳା ଛୁଆଟିକୁ ଧରି କୁଆଡେ ଯିବ ? କେଉଁଠି ରହିବ ? କିଏ ତାକୁ ସାହାରା ଦେବ ଏହି ଅସହାୟ ଅବସ୍ଥାରେ ? ତଥାପି ମନରେ ଅଦମ୍ୟ ସାହସ ଓ ଧର୍ଯ୍ୟକୁ ସଂଚୟ କରି ଆଗକୁ ବଢିଲା । କାରଣ ତାର ଆର୍ଥିକ ଅଭାବ ନ ଥିଲା । ବମ୍ବେରେ ଚାକିରୀ କରିବା ସମୟରେ ଭଲ କିଛି ଅର୍ଥ ସେ ସଂଚୟ କରି ରଖିଥିଲା ।ମନେ ମନେ ସ୍ଥିର କଲା କେଉଁଠି ଏକ ଘର ଭଡା ନେଇ ନିଜ ଛୁଆକୁ ଧରି ରହିବା ସହିତ ନିଜ ଭବିଷ୍ୟତ ନିଜେ ଗଢ଼ିବ । ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି ଯେତେବେଳେ, କାହାକୁ ବା ଦୋଷ ଦେବ କେମିତି ? ଶେଷରେ ନିଜ ଶାଶୂଘର ଅନତି ଦୂରରେ ଏକ ଛୋଟ ବଜାରରେ ଘର ଭଡା ନେଇ ରହିବାକୁ ଆରମ୍ଭ କଲା ସୀମା ।ପାଖରେ ଛୋଟ ଛୁଆକୁ ରଖି ନିଜକୁ ହିଁ ସବୁ କରିବାକୁ ପଡିବ ବୋଲି ମନକୁ ବୁଝେଇ ସାରିଥିଲା । ଯାହା ହେଉ କୌଣସି ମତେ ନିଜ ସଂସାର ଗାଡ଼ି ଗଡ଼ି ଚାଲିଥାଏ ଆଗକୁ । କଥାରେ କହନ୍ତି ନାରୀ ଅବଳା ଦୁର୍ବଳା । ଆଜିକାଲି ଏହି କଳୁଷିତ ସମାଜରେ ନାରୀଟିଏ ସ୍ୱାଧୀନ ଭାବରେ ଏକାକୀ ବଞ୍ଚିବା ବହୁତ କଷ୍ଟ ଏବଂ କାଠିକର ପାଠ । କାରଣ ସମାଜରେ ରାବଣ ମାନଙ୍କର ଅଭାବ ନାହିଁ ।ସେଥିପାଇଁ ସୀମା ନିଜକୁ ଭୟମୁକ୍ତ କରି ପାରୁ ନ ଥାଏ ।


  ଘରଭଡା ନେଇ ରହିବାର ପାଖାପାଖି ବର୍ଷେ ବିତିଯାଇଥାଏ । କିନ୍ତୁ କେବେ ଦିନେ ହେଲେ ତାର ସ୍ୱାମୀ ସୌମ୍ୟ ତା ପାଖକୁ ଆସି ନା ଦେଖା କରିଛି ନା ତା ଭଲମନ୍ଦ ବୁଝିଛି । କଥାରେ କହନ୍ତି ‘ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ’ । ଏହାର କାରଣ ସୌମ୍ୟକୁ ତାର ପ୍ରଥମ ସ୍ତ୍ରୀ ତରଫରୁ ଧମକ ଦିଆ ଯାଇଛି ଯେ ସେ ସୀମା ପାଖକୁ ଯିବାର ଜଣା ପଡିଲେ ତାକୁ ଜୀବନରେ ମାରି ଦିଆଯିବ । ସେଥିପାଇଁ ସୀମା ଠାରୁ ସୌମ୍ୟ ଦୁରେଇ ରହିବା ପାଇଁ ଗାଁ ଛାଡି ଦେଇଥିଲା ।


  ବିଧିର ବିଧାନ ବଡ଼ ବିଚିତ୍ର । ସୀମା ରହୁଥିବା ବଜାରରେ ତା ଭଡ଼ାଘର ପାଖରୁ ଖୁବ କମ ଦୂରରେ ଜଣେ ଫଳ ଦୋକାନୀ ଦୋକାନ କରିଥାଏ । ସୀମାର ଦରକାର ବେଳେ ତା ପାଖରୁ ଫଳ କିଣେ । ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ି ଉଠି ସାରିଥାଏ । ସେହି ଦୋକାନୀ ମଧ୍ୟ ଭଲ ମନ୍ଦରେ ସୁବିଧା ଅସୁବିଧାରେ ସୀମାକୁ ସାହାଯ୍ୟ କରୁଥାଏ । ଏହା ମଧ୍ୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଲେ । ସୀମା ବିବାହିତା ଏବଂ ତାର ଏକ ସନ୍ତାନ ଅଛି, ଏହା ଜାଣି ମଧ୍ୟ ଫଳ ଦୋକାନୀ ସିପୁ ସୀମାକୁ ବିବାହ କରିବ ବୋଲି ପ୍ରତିଶୃତି ଦେଲା । ଆଉ ଏକ ଭୁଲ ରାସ୍ତାରେ ସୀମା ପାଦ ରଖିବା ପୂର୍ବରୁ କେବଳ ଟିକିଏ ସାହାରା ପାଇଁ ଭଲ ମନ୍ଦ ବିଚାର ନ କରି ସିପୁକୁ ବିବାହ କରି ନେଲା । ସିପୁ ଘର ମଧ୍ୟ ସେହି ବଜାର ପାଖରେ ଏବଂ ସେ ବି ବିବାହିତା ଥିଲା । ଏ କଥା ଜାଣି ବି ସୀମା ଏମିତି ପଦକ୍ଷେପ ନେବା ଠିକ ନ ଥିଲା । ପୁନର୍ବିବାହ ପରେ ସିପୁର ଘର ଲୋକମାନଙ୍କ ସହିତ ଗାଁ ଲୋକମାନେ ମଧ୍ୟ ସୀମାକୁ ଏକ ଖରାପ ସ୍ତ୍ରୀ ଲୋକ ଭାବି ମାରିଦେବା ପାଇଁ ଯୋଜନା କଲେ । ଏକଥା ସିପୁ ଜାଣି ପାରି ସୀମାକୁ ସୁରକ୍ଷା ଦେବା ସହିତ ନିଜେ ସୁରକ୍ଷିତ ରହିବା ପାଇଁ ସୀମାକୁ ସାଙ୍ଗରେ ଧରି ବାହାରକୁ ଚାଲିଗଲେ । ସିପୁ ସ୍ଥିର କଲା ପାଖ ସହରରେ ଘର ଭଡା ନେଇ ଉଭୟେ ରହିବେ ଏବଂ ସିପୁ ନିଜ ଫଳ ବ୍ୟବସାୟ ପୁଣି ଆରମ୍ଭ କରିବ ସେହି ସହରରେ । ତାହା ହିଁ ହେଲା । ସେମାନେ ଆସି ଢେଙ୍କାନାଳରେ ଘର ନେଇ ରହିଲେ ଏବଂ ଫଳ ଦୋକାନ ଭଲ ଚାଲିବା ସହିତ ଭଲ ରୋଜଗାର ମଧ୍ୟ ହେଲା । ଟିକିଏ ସୁଖ ଶାନ୍ତିରେ ରହିବାକୁ ଆରମ୍ଭ କଲେ ।ଏହା ମଧ୍ୟରେ ସିପୁର ନିଜ ଘର ଏବଂ ଶଶୁର ଘର ଲୋକେ ପପୁକୁ ଖୋଜୁଥାନ୍ତି । ପପୁର ନିଜ ଘର ଲୋକେ ସୀମାକୁ ମାରିଦେବା ଯୋଜନାରେ ଥିବାବେଳେ, ଶଶୁର ଘର ଲୋକମାନେ ସିପୁକୁ ମାରିଦେବା ପାଇଁ ଯୋଜନାରେ ଥାନ୍ତି । ସେଥିପାଇଁ ସୀମାକୁ ସୁରକ୍ଷା ଦେବା ପ୍ରାଥମିକତା ଭାବି ସିପୁ ବାରମ୍ବାର ଭଡ଼ାଘର ପରିବର୍ତ୍ତନ କରି ଚାଲିଥାଏ ।


  ସମୟର ଚକ ଗଡ଼ି ଗଡ଼ି ଚାଲିବା ସହିତ ସିପୁ ଏବଂ ସୀମା ଉଭୟ ଭୟ ଓ ଆଶଙ୍କାରେ ସମୟ କଟାଉ ଥାନ୍ତି । ଇତି ମଧ୍ୟରେ ସୀମା ଗର୍ଭବତୀ ହୋଇ ଠିକ ସମୟରେ ଆଉ ଏକ ପୁତ୍ର ସନ୍ତାନ ଲାଭ କଲା । ପୁତ୍ର ସନ୍ତାନକୁ ଜନ୍ମ ଦେଇ ଡାକ୍ତରଖାନାରେ ଥିବାବେଳେ ସିପୁର ଘର ଲୋକମାନେ ସୀମାକୁ ତା ପୁଅ ସହିତ ମାରି ଦେବା ପାଇଁ ବହୁ ଚେଷ୍ଟା କରି ବିଫଳ ହେଲେ । କଥାରେ କହନ୍ତି 'ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ' ।


  ବାପମାଙ୍କର ଏକମାତ୍ର ଅତି ଅଲିଅଳୀ କନ୍ୟା ସୀମାର ଗୋଟିଏ ଭୁଲ ଆଜି ତାକୁ ଶହ ଶହ ଭୁଲ କରିବାକୁ ବାଧ୍ୟ କରୁଛି । ସେ ଯଦି ପ୍ରଥମ ଭୁଲ କରିବା ପୂର୍ବରୁ ଥରୁଟିଏ ମାତ୍ର ଚିନ୍ତା କରି ନିଜ ବାପାମାଙ୍କର ପରାମର୍ଶ ନେଇଥାନ୍ତା, ଆଜି ହୁଏ ତ ତାକୁ ଏଭଳି ପରସ୍ଥିତି ସାମନା କରିବାକୁ ପଡି ନଥାନ୍ତା । ଏହି କଥା ତାର ହୃଦୟ ଭିତରେ ବାରମ୍ବାର ଆନ୍ଦୋଳିତ ହେଉଥାଏ । ହେଲେ କଣ ଆଉ କରିବ ? କେବଳ ପସ୍ତେଇବା ଛଡ଼ା ଅନ୍ୟ ଉପାୟ ନଥିଲା ତା ପାଖରେ । ସ୍ୱାମୀ ସକାଳରୁ ସନ୍ଧ୍ୟା ଯାଏ ନିଜ ବ୍ୟବସାୟରେ ବ୍ୟସ୍ତ ରହେ । ବ୍ୟବସାୟରେ ଅବହେଳା କଲେ ସହରରେ ଘରଭଡ଼ା ସହିତ ଛୁଞ୍ଚି ଠାରୁ କୋଦାଳ ଯାଏ କିଣି ଚଳିବା ଆଦୌ ସମ୍ଭବ ନୁହେଁ । ତା ସହିତ ଦୁଇ ଦୁଇଟି ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ବହୁତ ଅଧିକ । କାରଣ ଭଲ ସ୍କୁଲରେ ପଢେଇବାକୁ ହେଲେ ମୋଟା ଅଙ୍କର ଅର୍ଥ ତ ଦେବାକୁ ପଡିବ । ଦୈନନ୍ଦିନ ଜୀବନରେ ଫଳ ଦୋକାନ କାମକୁ ବାଦ ଦେଲେ ଘରର ଯାବତୀୟ କାମ ଠାରୁ ଆରମ୍ଭ କରି ବାହାର କାମ ପର୍ଯ୍ୟନ୍ତ ସବୁ କିଛି ପ୍ରାୟ ସୀମା ହିଁ କରିଥାଏ । ବେଳେବେଳେ ନିଜକୁ ଏକୁଟିଆ ବି ଅନୁଭବ କରେ ହେଲେ କହିବ କାହାକୁ ଶୁଣିବ କିଏ ।


  ସଂସାର ରଥକୁ ଠେଲୁ ଠେଲୁ ଅଧିକାଂଶ ସମୟରେ ହାଲିଆ ହୋଇ ନିଜକୁ ଅସହାୟ ମନେ କରେ ସୀମା । ନିଜ ପରିବାର ସହିତ ସୀମା ରହୁଥିବା ଭଡାଘରର ପାଖ ଘରେ ଭଡ଼ାରେ ରହୁଥାଏ ମମତା ଦିଦି । ସେହି ଦିଦି ଜଣକ ସହରର ମୁଖ୍ୟ ଚିକିତ୍ସାଳୟରେ ସେବିକା ଭାବେ ଚାକିରୀ କରୁଥାଏ । ଭଲରେ ମନ୍ଦରେ ସାହାଯ୍ୟ ହେବାପାଇଁ ମମତା ପାଖକୁ ତା ନିଜ ଭାଇ ମହେନ୍ଦ୍ର ପ୍ରାୟ ଯିବା ଆସିବା କରୁଥାଏ । ମମତା ତା ଭାଇ ମହେନ୍ଦ୍ରକୁ ସୀମା ବିଷୟରେ ସବୁକିଛି କହି ସାରିଥାଏ । ଦିନେ ପୁଅର ସ୍କୁଲ ସମୟ ହୋଇଯାଇଥାଏ ଏବଂ ତାକୁ ଟିଫିନ ଦେବା ପାଇଁ ଘରେ କିଛି ବି ନ ଥାଏ । ସୀମା ବ୍ୟସ୍ତହୋଇ ମମତା ଘରକୁ ଗଲା । ଯୋଗକୁ ସେଠାରେ ମହେନ୍ଦ୍ର ଥାଏ । କିଛି କହିବା ପୂର୍ବରୁ ମହେନ୍ଦ୍ର ସୀମାକୁ ବ୍ୟସ୍ତ ହେବାର କାରଣ ପଚାରିଲା । ସୀମା ବାଧ୍ୟ ହୋଇ ପିଲାଙ୍କ ପାଇଁ କିଛି ବିସ୍କୁଟ ଓ କେକ୍ ଆଣିବାକୁ କହିବାରୁ, ମହେନ୍ଦ୍ର ସଙ୍ଗେ ସଙ୍ଗେ ସୀମାକୁ ତା ଜିନିଷ ଆଣି ଦେଲା । ସୀମା ସେହି ଯୁବକର ଏପରି ସାହାଯ୍ୟ ମନୋବୃତ୍ତିକୁ ପସନ୍ଦ କରି ମନେ ମନେ ଭାବିଲା ମମତାର ଭାଇ ମହେନ୍ଦ୍ର ଯଦି ତାର ଧରମର ଭାଇ ହୁଅନ୍ତା ତେବେ ତାକୁ ଟିକେ ସାହା ହୁଅନ୍ତା ।କାରଣ ସୀମାର ନିଜର ଭାଇ ବୋଲି କେହି ନଥାନ୍ତି ।


   ସମୟର ସୁଯୋଗ ନେଇ ଦିନେ ସୀମା ମହେନ୍ଦ୍ରକୁ ନିଜ ଘରକୁ ଡାକିଲା । ମହେନ୍ଦ୍ର ମନା କରୁଥିଲା । ମାତ୍ର ସୀମା କହିଲା 'ମୁଁ ଯଦି ତୁମର ନିଜ ଭଉଣୀ ହୋଇଥାନ୍ତି ତୁମେ କଣ ମୋ ଘରକୁ ଆସି ନ ଥାନ୍ତ' । ଏତିକି ଶୁଣିବା ପରେ ମହେନ୍ଦ୍ର କିଛି ନ କହି ସୀମା ଘରକୁ ଗଲା । ସୀମା ହେଳା ନ କରି ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କ ମହାପ୍ରସାଦ ମହେନ୍ଦ୍ର ହାତରେ ଦେଇ କହିଲା 'ଏହି ଅସହାୟ ଭଉଣୀର ତୁମେ ଆଜିଠାରୁ ବଡ଼ ଭାଇ ହେଲ' । ଏହା ଶୁଣି ମହେନ୍ଦ୍ର ଆଶ୍ଚର୍ଯ୍ୟ ହେଲା ଏବଂ ସୀମାର ପ୍ରସ୍ତାବକୁ ସ୍ୱୀକାର ନ କରିବାର ବାଟ ବି ନଥିଲା । ସେହି ଦିନଠାରୁ ମହେନ୍ଦ୍ର ଭାଇ ହିସାବରେ ସୀମାକୁ ସବୁ କାମରେ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇ ଆସିଛି । ଏମିତି କୌଣସି କାମ ନାହିଁ ଯେଉଁଥିରେ ମହେନ୍ଦ୍ରର ସହଯୋଗ ନାହିଁ ।ବେଳେବେଳେ ମହେନ୍ଦ୍ର ମନେ ମନେ ବିରକ୍ତ ହୁଏ କିନ୍ତୁ କିଛି କହିପାରେ ନାହିଁ ।କଥାରେ ଅଛି 'ଅନ୍ୟର ଉପକାର କରିବାକୁ ହେଲେ ନିଜର କ୍ଷତି ସହିବାକୁ ପଡିବ' । ଏମିତି ନିଜ ମନକୁ ବୁଝେଇ ଦିଏ ମହେନ୍ଦ୍ର ।


  ସମୟ ବଡ଼ ବଳବାନ । ଏହି ସଂସାରରେ ନିୟତିର ନିର୍ଦ୍ଦେଶରେ ଯାହା ଯେତେବେଳେ ହେବା କଥା ତାହା ନିଶ୍ଚୟ ଘଟିବ । କେହି ତାକୁ ବନ୍ଦ କରି ପାରିବେ ନାହିଁ । କଥାରେ କହନ୍ତି 'ବିଧିର ବିଧାନ କପାଳ ଲିଖନ, କେବେ ହେବନାହିଁ ଆନ' । ଆମେ ଯାହା ଭାଗ୍ୟର ବିଡମ୍ବନା ବୋଲି ଭାବୁ ତାହା ବାସ୍ତବରେ ପୂର୍ବ ନିର୍ଦ୍ଧାରିତ । କିନ୍ତୁ ତା ଅର୍ଥ ନୁହେଁ ଯେ ଆମେ କର୍ତ୍ତବ୍ୟରେ ଅବହେଳା କରିବା ଏବଂ ଭୁଲ ବାଟରେ ଯାଇ ଅସୁବିଧାରେ ପଡି ଭାଗ୍ୟକୁ ଦୋଷ ଦେବା । ସୀମା ମହେନ୍ଦ୍ରକୁ ନିଜର ସମସ୍ତ ଅସୁବିଧା ଅବଗତ କରେଇବା ପରେ ମହେନ୍ଦ୍ର ସୀମାକୁ ଅଭୟ ବାଣୀ ଦେଇ କହିଥାଏ 'ପ୍ରତ୍ୟେକ କ୍ଷେତ୍ରରେ ଭଲ ମନ୍ଦରେ ତୋର ଏ ଭାଇ ନିଶ୍ଚୟ ତୋ ପାଖରେ ଠିଆ ହେବ ।କେବେ ବି ନିଜକୁ ଏକୁଟିଆ ଭାବିବୁ ନାହିଁ' । ସୀମାକୁ ସାହାଯ୍ୟ କରିବା ସହିତ ମହେନ୍ଦ୍ରକୁ ବି ବଂଚିବାକୁ ହେବ ।ସବୁ ସମୟ ଯଦି ସୀମା ପାଇଁ ମହେନ୍ଦ୍ର ଦେଇ ଦିଏ ତେବେ ତାକୁ କିଏ ଖାଇବାକୁ ଦେବ ।ତେଣୁ ମହେନ୍ଦ୍ର ନିଜ କର୍ମମୟ ଜୀବନ ଭିତରେ ଯଥା ସମ୍ଭବ ସୀମାକୁ ସମୟ ଦେଇ ଚାଲିଥାଏ ଏବଂ ସବୁ କାମରେ ସୀମା ମହେନ୍ଦ୍ରର ପରାମର୍ଶ ନେଇ ନିଜର ସମାଧାନ କରୁଥାଏ ।


  ଏହି ମହେନ୍ଦ୍ରର ଇତିହାସ ମଧ୍ୟ ଅଦ୍ଭୁତ ।ବୃତ୍ତିରେ ଜଣେ ଗାଡ଼ି ଚାଳକ ହୋଇ ଜୀବନରେ କେବେ ବିବାହ ନ କରି ବଞ୍ଚି ରହିବା ପାଇଁ ପ୍ରତିଜ୍ଞାବଦ୍ଧ ସେ। ପ୍ରେମ ଜୀବନରେ ପ୍ରେମିକା ଠାରୁ ଶକ୍ତ ଧୋକା ଖାଇବା ପରେ ବିବାହ ନ କରିବା ପାଇଁ ନିଜକୁ ବୁଝେଇ ଦେଇଛି ।ସଂସାର ପ୍ରତି ବିତୃଷ୍ନା ଭାବ ପୋଷଣ କରୁଥିବା ମହେନ୍ଦ୍ରର ଚାଲିଚଳନ ଏବଂ ବ୍ୟବହାର ଅତି ସୁନ୍ଦର ।ସମସ୍ତେ ତାକୁ ଭାରି ଭଲ ପାଆନ୍ତି ।କାରଣ ସେ ସବୁବେଳେ କହୁଥାଏ ତାର ନା କେହି ଆଗକୁ ଅଛି ଯାହା ପାଇଁ ଭାବିବାକୁ ହେବ କିମ୍ବା ପଛକୁ ଅଛନ୍ତି ଯିଏ ତା ପାଇଁ ଭାବିବ । ସେଥିପାଇଁ ପେଟକୁ ଗଣ୍ଡେ ଦାନା, ଦେହକୁ ଖଣ୍ଡେ କନା ଏବଂ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ହେଲେ ତାର ହେଲା । ଏହି ଗୁଣକୁ ଲକ୍ଷ୍ୟ କରି ବୋଧେ ସୀମା ତାକୁ ଧରମ ଭାଇ କରି ପକେଇଛି ।


  ଯେମିତି କଥାରେ କହନ୍ତି 'ଅରକ୍ଷିତକୁ ଦଇବ ସାହା' । ଭଗବାନ ଏମିତି, ସେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଆମ କର୍ମ ଯୋଗୁ ଆମେ ଦୁଃଖ ଭୋଗ କରି ଅଯଥାରେ ଭଗବାନ ବା ଭାଗ୍ୟକୁ ଦୋଷ ଦେଇଥାଉ । ଭଗବାନ ଯାହା ବି କରନ୍ତି କେବଳ ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ।ଯେମିତି ଏହି ସୀମାର ଦୁଃଖ ସହି ନ ପାରି ମହେନ୍ଦ୍ର ଭଳି ଭାଇଟିଏ ତାକୁ ଦେଲେ ।


  ଧରମ ଭାଇ ପାଇଁ ସବୁ ଯେମିତି ଠିକଠାକ ଚାଲିଥାଏ ।ସୀମା ନିଜ ପିଲାଛୁଆ, ସ୍ୱାମୀ ଓ ନିଜ ପାଇଁ ସମୟ ଦେଇ ସବୁ କାମ କରୁଥାଏ ଏବଂ ମହେନ୍ଦ୍ରକୁ ମଧ୍ୟ ଅନେକ ସମୟରେ ଭରସା କରି ତା ସାହାଯ୍ୟ ଓ ସହଯୋଗରେ ସମସ୍ୟାର ସମାଧାନ କରେଇ ନେଉ ଥାଏ । କିନ୍ତୁ ସୀମା କେବେ ଦିନେ ଭାଇ ମହେନ୍ଦ୍ରର ଭଲମନ୍ଦ କଥା ପଚାରେ ନାହିଁ ।ବେଳେବେଳେ ଏକଥା ଭାବି ମହେନ୍ଦ୍ର ଭାରି ମନ ଦୁଃଖ କରେ ସିନା ହେଲେ ନିଜ ସମସ୍ୟା ପ୍ରକାଶ କରି ପାରେ ନାହିଁ ।ଦିନେ ମହେନ୍ଦ୍ରର ଦେହ ବହୁତ ଅସୁସ୍ଥ ହେଇ ପଡିଲା ।ଡାକ୍ତରଙ୍କୁ ଦେଖେଇ ମହେନ୍ଦ୍ର ଔଷଧ ଖାଇ ଖଟିଆରେ ଶୋଇ ରହିଲା ଏବଂ ମନେ ମନେ ନିଜକୁ ଭାରି ଅସହାୟ ମନେ କଲା । ନା ତାର ସେବା କରିବାକୁ କିଏ ଅଛି ନା ମୁହଁରେ ମୁଠେ ଦାନା ଦେବା ପାଇଁ ରୋଷେଇ କରିବାକୁ ।ଏକୁଟିଆ ରହି ନିଜ କାମ ନିଜେ କରୁଥିବା ମଣିଷ ଯେତେବେଳେ ଅସୁସ୍ଥ ହେଇଯାଏ ସେତେବେଳେ ସେ ଅନୁଭବ କରେ ସଂସାର ଓ ସମ୍ପର୍କର ମୂଲ୍ୟବୋଧ କେତେ । ଯାହା ମହେନ୍ଦ୍ର ଭାବୁଛି । କଥାରେ କହନ୍ତି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଯେଉଁ ଭଉଣୀ ପାଇଁ ସେ ନିଜକୁ ଉତ୍ସର୍ଗ କରି ଦେଇଛି ସେ ବି ଟିକେ ଦେଖିବାକୁ ଆସୁନାହିଁ । ଏମିତି ଭାବି ଭାବି ମହେନ୍ଦ୍ର ନିଘୋଡ଼ ନିଦରେ ଶୋଇ ଯାଇଛି । ଏହା ମଧ୍ଯରେ ସୀମା ମହେନ୍ଦ୍ରକୁ ଚାରି ଥର ଫୋନ କରି ସାରିଲାଣି । ମହେନ୍ଦ୍ର ନିଦ ଭାଂଗୁନି କି ଫୋନ ଉଠାଉ ନାହିଁ । ସୀମା ବ୍ଯତିବ୍ଯସ୍ତ ହେଲେ ମଧ୍ଯ ନାଚାର । ମହେନ୍ଦ୍ରର ଘର ଠିକଣା ତାକୁ ଜଣାନାହିଁ । ବାଧ୍ଯ ହୋଇ ସୀମା ପପୁକୁ ଯେତେବେଳେ ଫୋନ କରିଛି, ପପୁ ମଧ୍ଯ ଫୋନ ଉଠାଉ ନାହିଁ । ଏଣେ ପିଲାମାନଙ୍କର ସ୍କୁଲରୁ ଫେରିବା ସମୟ ହେଇ ଗଲାଣି । ଯଦିଓ ପପୁର ଫଳ ଦୋକାନ ସୀମା ଦେଖିଛି କିନ୍ତୁ ଯାଇ ପାରୁନି । ପିଲାମାନେ ସ୍କୁଲରୁ ଫେରିଲେ ।ସେମାନଙ୍କୁ ସୀମା ଖୁଆଇ ପିଆଇ ବାହାରି ପଡିଲା ପପୁ ଦୋକାନକୁ ପିଲା ଦୁଇଙ୍କୁ ସାଙ୍ଗରେ ଧରି ।ଟେମ୍ପୋ ଭଡା କରି ଦୋକାନରେ ପହଂଚି ଦେଖେ ତ ଦୋକାନ ବନ୍ଦ ଅଛି ।ପାଖ ପାନ ଦୋକାନୀକୁ ପଚାରିବାରୁ ସେ କହିଲା ସକାଳେ ଖୋଲା ଥିଲା ଉପରବେଳା କେହି ଆସି ନାହାନ୍ତି । ସୀମା ଦୋକାନୀର କଥା ଶୁଣି ଗୁମ ମାରି ଚିନ୍ତାଗ୍ରସ୍ତ ହୋଇ ପଡିଲା । କାରଣ ପପୁ ଦ୍ଵିପ୍ରହରେ ଖାଇବା ବେଳେ ଭାରି ଅନ୍ୟମନସ୍କ ଥିବାର ସୀମା ଲକ୍ଷ୍ୟ କରିଥିଲା । କିନ୍ତୁ କିଛି ପଚାରି ନଥିଲା । ପୂର୍ବରୁ ଏମିତି ବେପାର ଏବଂ ନିଜର ଭବିଷ୍ୟତ ନେଇ ପପୁ ଅନ୍ୟମନସ୍କ ରହୁଥିଲା ସୀମା କେବେ କେବେ ପଚାରିଲେ ସେ କିଛି ନୁହଁ ବୋଲି କହି କଥାକୁ ବାରମ୍ବାର ଏଡେଇ ଦେଉଥିଲା।


  ଭାରାକ୍ରାନ୍ତ ମନରେ ପିଲାଙ୍କୁ ସାଙ୍ଗରେ ଧରି ସୀମା ନିଜ ବସାକୁ ଫେରିଲା ।କଣ କରିବ କାହାକୁ ଆଉ ପଚାରିବ କିଛି ଚିନ୍ତା କରି ପାରୁ ନଥିଲା ।ତେଣେ ମହେନ୍ଦ୍ରର ଦେହ ଖରାପ । ଭଲ ମନ୍ଦ ବୁଝୁଥିବା ମହେନ୍ଦ୍ରକୁ ଛାଡିଲେ ଏତେ ବଡ଼ ସହରରେ ସୀମାର ନିଜର ବୋଲି କେହି ନାହାନ୍ତି । ଏମିତି ଭାବୁ ଭାବୁ କେତେବେଳେ ଅଟୋ ଆସି ଘର ପାଖରେ ପହଂଚି ଯାଇଥିଲା ସୀମା ଜାଣି ପାରିଲା ନାହିଁ ।ଅଟୋ ଚାଳକକୁ ତା ଭଡା ଦେଇ ବିଦା କଲା ଏବଂ ଘରେ ମନସ୍ତାପରେ ଖଟ ଉପରେ ବସି ପଡିଲା । ପୁଣି ମହେନ୍ଦ୍ରକୁ ଫୋନ କଲା ।ଏଥର ମହେନ୍ଦ୍ର ଫୋନ ଉଠେଇ ସୀମା ଠାରୁ ସବୁ ଶୁଣିଲା ଏବଂ ଧର୍ଯ୍ୟ ଧରିବାକୁ କହି ଫୋନ କାଟିଲା । 


  ସନ୍ଧ୍ୟା ହେଇ ଆସୁଥାଏ । ସୀମା ଭୟ ଓ ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସି ଭାବୁ ଥାଏ ନିଜ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ । ପପୁ ବାହାରେ ଥିବାବେଳେ ଅତି କମରେ ଦିନକୁ ଦୁଇ ତିନିଥର ଫୋନ କରେ ।ବିଶେଷ କରି ସନ୍ଧ୍ୟା ପୂର୍ବରୁ ଫୋନ କରି ପିଲାଙ୍କ ଭଲମନ୍ଦ କଥା ପଚାରି ବୁଝେ ଏବଂ ଫେରିବାବେଳେ କଣ ଖାଇବା ଜିନିଷ ନେବ କି ନାହିଁ ପଚାରେ । ସନ୍ଧ୍ୟା ଯାଇ ରାତି ହେଲାଣି କିନ୍ତୁ ଫୋନ ଆସୁନି ।ଏହା ମଧ୍ୟରେ ସନ୍ଧ୍ୟା ଧୂପ ଦେବାକୁ ସୀମା ଭୁଲି ଯାଇଛି ।ପିଲାମାନେ ମୋବାଇଲି ଧରି ଗେମ ଖେଳିବାରେ ବ୍ୟସ୍ତ ।ସେମାନଙ୍କର ଯାଏ କେତେ ଆସେ କେତେ । ହଠାତ କିଏ କଲିଂ ବେଲ ମାରିଲା ।ସୀମା ଚମକି ପଡି ପ୍ରକୁତିସ୍ଥ ହେଲା ଏବଂ କବାଟ ଖୋଲି ଦେଖିଲା ମହେନ୍ଦ୍ର ଠିଆ ହୋଇଛି । ସୀମା ମହେନ୍ଦ୍ରକୁ ଦେଖି କାନ୍ଦି ପକେଇଲା ଏବଂ ଘରକୁ ଡାକିଲା । ମହେନ୍ଦ୍ର କିଛି ଜଳଖିଆ ଆଣିଥିଲା ପିଲାମାନଙ୍କୁ ଡାକି ସୀମାକୁ ମଧ୍ୟ ଖାଇବାକୁ କହିଲା । କିନ୍ତୁ ସୀମା ପିଲାଙ୍କ ସହିତ ମହେନ୍ଦ୍ରକୁ ଖାଇବାକୁ କହି ନିଜେ କିଛି ଖାଇଲା ନାହିଁ ।ମହେନ୍ଦ୍ରକୁ ଜର ଛାଡି ନ ଥାଏ ତେଣୁ ସେ ମଧ୍ୟ ଖାଇଲା ନାହିଁ । 


  ସୀମା କାନ୍ଦ ବନ୍ଦ ହେଉ ନ ଥାଏ ।ମହେନ୍ଦ୍ର ତାକୁ ଡାକି ପାଖରେ ବସେଇଲା ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ଧର୍ଯ୍ୟ ଧରି ଅପେକ୍ଷା କରିବାକୁ କହି ଯିବାକୁ ବାହାରିଲା । ସୀମା ମନା କଲା ଯିବା ପାଇଁ । ଉଭୟଙ୍କ ଭିତରେ ଭାଇ ଭଉଣୀର ପବିତ୍ର ସମ୍ପର୍କ ଥିଲେ ମଧ୍ୟ ସୀମା ଘରକୁ ମହେନ୍ଦ୍ରର ଆସିବାକୁ ପଡିଶା ଘର ଲୋକମାନେ ନ ସହି ପାରି ଖରାପ ଦୃଷ୍ଟିରେ ଦେଖୁଥିଲେ । ଭଉଣୀ ମମତା ବି ମହେନ୍ଦ୍ରକୁ ବେଳେବେଳେ ବାରଣ କରୁଥାଏ । କିନ୍ତୁ ନିଜ ଭାଇର ଚରିତ୍ର ପ୍ରତି ମମତାର ତିଳେ ମାତ୍ର ସନ୍ଦେହ ନ ଥାଏ । ଏସବୁ କଥା ସୀମା ଜାଣି ମଧ୍ଯ ହେୟ ମନେ କରୁଥିଲା । କିନ୍ତୁ ମହେନ୍ଦ୍ର ଏହାକୁ ଟିକେ ଗୁରୁତର ଭାବେ ନେଇ ସୀମା ଘରକୁ ପପୁ ନଥିବା ବେଳେ ବାରମ୍ବାର ଆସିବାକୁ ଦ୍ଵିଧା ମନେ କରୁଥିଲା । ସେଥିପାଇଁ ମହେନ୍ଦ୍ର ରହିବାକୁ ମନା କଲା । ସୀମା କାନ୍ଦି କାନ୍ଦି ଅଭିମାନ ଭରା ସ୍ୱରରେ କହିଲା 'ମୁଁ ଯଦି ତୁମ ନିଜ ଭଉଣୀ ହେଇଥାନ୍ତି, ତୁମେ କଣ ଏହି ଅବସ୍ଥାରେ ମୋତେ ଛାଡି ଚାଲି ଯାଇଥାନ୍ତ'। ମହେନ୍ଦ୍ର ଆଜିକାଲି ସମାଜର ପରିସ୍ଥିତିକୁ ନେଇ ସୀମାକୁ ବୁଝେଇବାକୁ ଚେଷ୍ଟା କଲା । କିନ୍ତୁ ସୀମା ନ ବୁଝିବାରୁ ମହେନ୍ଦ୍ର ବାଧ୍ୟ ହୋଇ ସେଦିନ ରାତିରେ ତା ଘରେ ରହିଲା । ରାତିରେ ରୋଷେଇ ନ କରି ବାହାରୁ ମଗେଇ ସମସ୍ତେ ଖାଇଲେ । 


  ପିଲାମାନେ ସିନା ଶୋଇଗଲେ, ମାତ୍ର ସୀମା ଓ ମହେନ୍ଦ୍ର କେହି ବି ଶୋଇ ପାରିଲେ ନାହିଁ । ଉଭୟ ନୀରବରେ ଅନେକ ରାତି ଯାଏ ସେମିତି ପରସ୍ପରକୁ ମୁହଁ କରି ବସି ରହିଥାନ୍ତି । ମଝିରେ ମଝିରେ କେବଳ ଉଭୟେ ଉଭୟଙ୍କୁ ଶୋଇବାକୁ କହୁଥାନ୍ତି । ଘର କାନ୍ଥରେ ଝୁଲୁଥିବା କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ନିଶବ୍ଦ ରାତିର ନିରବତାକୁ ଭଙ୍ଗ କରି ଚାଲିଥାଏ ।ବେଳେବେଳେ ବାହାରେ ବୁଲା କୁକୁର ମାନଙ୍କ ଭୁକିବା ଶବ୍ଦ ମଧ୍ୟ ବାରି ହୋଇ ପଡୁଥାଏ । ଏହା ମଧ୍ୟରେ ମହେନ୍ଦ୍ର ଚଉକିରେ ବସି ବସି କେତେବେଳେ ଶୋଇ ଯାଇଛି ସୀମାକୁ ଜଣା ନାହିଁ । ହଠାତ କାଉ ରାବରୁ ରାତି ପାହିବାର ସଂକେତ ପାଇ ସୀମା ଭାବନା ରାଇଜରୁ ଫେରି ଆସିଲା । କାନ୍ଥ ଘଣ୍ଟାକୁ ଚାହିଁ ଦେଖିଲା ରାତି ଚାରିଟା ବାଜିଛି । ନିଜକୁ ପ୍ରସ୍ତୁତି କରି ନେଲା ।କାରଣ ପ୍ରତିଦିନ ପ୍ରାୟ ଏହି ସମୟରେ ହିଁ ସୀମା ଉଠିଥାଏ ।ନିତ୍ୟକର୍ମ ସାରି ସ୍ୱାମୀ ଏବଂ ପିଲାମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କଲେ, ପିଲାମାନେ ଖାଇ ଟିଫିନି ନେଇ ସକାଳ ୭ଟାରେ ସ୍କୁଲ ଯାଆନ୍ତି ଏବଂ ସ୍ୱାମୀ ତାର ଜଳଖିଆ ଖାଇ ଶୀଘ୍ର ଯାଇ ଫଳ ଦୋକାନ ଖୋଲନ୍ତି । ମହେନ୍ଦ୍ରକୁ ଚଉକି ଉପରେ ଶୋଇବାର ଦେଖି ତାକୁ ଡାକି ଖଟ ଉପରେ ଶୋଇବା ପାଇଁ କହିଲା ସୀମା। କାରଣ ଟିକିଏ ଶାନ୍ତିରେ ନ ଶୋଇଲେ ମହେନ୍ଦ୍ରର ଜରୁଆ ଦେହ ହୁଏତ ବେଶୀ ଖରାପ ହେଇଯିବ ଭାବିଲା ସେ । ତା ପରେ ସୀମା ଚିରାଚରିତ ଢଙ୍ଗରେ ନିଜ କାମରେ ଲାଗି ପଡିଲା । ଠିକ ସକାଳ ୬ଟା ବାଜିବାକୁ ଯାଉଛି ବାହାରୁ କିଏ କଲିଂ ବେଲ ମାରିଲା । କ୍ଷୀରଵାଲା ଆସିଲା କି ଭାବି ସୀମା କବାଟ ଖୋଲି ଦେଖିଲା ପପୁ ଠିଆ ହୋଇଛି । ସୀମା କିଛି କହିବା ପୂର୍ବରୁ ପପୁ ଚୁପଚାପ ଘରକୁ ପଶିଲା ଏବଂ ସିଧା ଶୋଇବା ଘରକୁ ଗଲା । ଦେଖିଲା ମହେନ୍ଦ୍ର ନିଘୋଡ଼ ନିଦରେ ଶାନ୍ତିରେ ଶୋଇଛି । ଶୋଇବା ଘରୁ ହଠାତ ପଛକୁ ବୁଲି ଆସିବା ସମୟରେ ସୀମା ଦେହରେ ବାଡେଇ ହେଇଗଲା । ଉଭୟ ବାହାରକୁ ବାହାରି ଆସିଲେ ।


  ପପୁ କିଛି ଗୋଟିଏ ଖୋଜୁଥିବାର ନଜର କରି ସୀମା ପଚାରିଲା, କଣ ଖୋଜୁଛ ? ପପୁ କିଛି ନ କହି ରୋଷେଇ ଘରକୁ ପଶିଲା ଏବଂ ପନିକି ଧରି ରାଗରେ ବାହାରି ଆସି ଶୋଇବା ଘରକୁ ଯିବା ପୂର୍ବରୁ ସୀମା ତାକୁ ପଛରୁ ଜାବୁଡି ଧରିଲା । ପ୍ରଚଣ୍ଡ ରାଗରେ ପପୁ ସୀମାକୁ ଅତି ଖରାପ ଭାଷାରେ ଗାଳିଗୁଲଜ କରି ଜୋରରେ ଠେଲି ଦେଲା ।ସୀମା ମୁଣ୍ଡ କାଠ ଚଉକିରେ ପିଟି ହୋଇ ଫାଟିଗଲା ।ପାଟିତୁଣ୍ଡ ଏବଂ ସୀମା ଚଉକିରେ ବାଡେଇ ହେବା ଶବ୍ଦ ଶୁଣି ମହେନ୍ଦ୍ର ଉଠିବା ସମୟରେ ପପୁ ପନିକିରେ ତାକୁ ଚୋଟ ମାରିଲା ।ଆତ୍ମ ରକ୍ଷା କରିବାକୁ ଯାଇ ମହେନ୍ଦ୍ର ନିଜ ହାତ ଦେଖେଇ ଦେବାରୁ ତା ହାତ ମଣିବନ୍ଧ ଉପରୁ ଦୁଇ ଖଣ୍ଡ ହେଇଗଲା । ମହେନ୍ଦ୍ର ଜୋରରେ ଚିତ୍କାର କରିବାରୁ ପଡିଶା ଘର ଲୋକେ ପହଂଚି ଗଲେ ଏବଂ ପପୁକୁ କାବୁ କରି ନେଲେ ।ସୀମା ମୁଣ୍ଡରୁ ରକ୍ତ ଝର ଝର ବହି ଯାଉଥାଏ ।ସେ ମୁଣ୍ଡକୁ ଚାପି ଧରି ବୋକା ହୋଇ ଠିଆ ହୋଇଥାଏ ।ସେତେବେଳକୁ ଅନେକ ଲୋକ ରୁଣ୍ଡ ହୋଇ ସାରିଥାନ୍ତି ପପୁ ଚୁପଚାପ ଗୁମ ମାରି ବସିଥାଏ ।ପିଲା ଦୁଇଟି ମାଆକୁ ଧରି କାନ୍ଦୁଥାନ୍ତି । ପ୍ରଥମେ ମହେନ୍ଦ୍ର ଓ ସୀମାକୁ ସମସ୍ତେ ମିଶି ଡାକ୍ତରଖାନା ନେଇଗଲେ । ମହେନ୍ଦ୍ରର କଟିଯାଇଥିବା ହାତକୁ ବି ସଙ୍ଗରେ ନେଇ କି କଲେ । ସୀମାକୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଗଲା ।ମହେନ୍ଦ୍ରକୁ ଢେଙ୍କାନାଳରୁ ଆମ୍ବୁଲାନ୍ସ ଯୋଗେ କଟକ ପଠେଇ ଦିଆଗଲା ତା କଟିଥିବା ହାତ ପାପୁଲିକୁ ଯତ୍ନରେ ବରଫରେ ରଖି । କଟକରେ ପହଞ୍ଚିବା ମାତ୍ରେ ଡାକ୍ତରମାନେ ମହେନ୍ଦ୍ରକୁ ଅସ୍ତ୍ରୋପଚାର ଗୃହକୁ ନେଇ ହାତ ଯୋଡିବା ପାଇଁ ପ୍ରୟାସ ପ୍ରୟାସ ଆରମ୍ଭ କରିଦେଲେ ଏବଂ ବହୁ କଷ୍ଟରେ ସଫଳ ହେଲା ଅସ୍ତ୍ରୋପଚାର।ଚିକିତ୍ସାର ସମସ୍ତ ଖର୍ଚ୍ଚ ସୀମା ହିଁ ବହନ କଲା । ଏହା ମଧ୍ୟରେ କେହି ଜଣେ ପୋଲିସକୁ ଫୋନ କରି ଦେବାରୁ ପପୁକୁ ପୋଲିସ ଥାନାକୁ ନେଇସାରି ଥିଲେ ।


  ପର କଥା ଶୁଣି ସନ୍ଦେହରେ ପଡି ପପୁ ଜାଣିଶୁଣି ସେଦିନ ବାହାରେ ରହିଥିଲା । ଏସବୁ କରିବା ପାଇଁ ସେହି ପଡୋଶୀ ଯିଏ ସୀମା ଓ ମହେନ୍ଦ୍ରର ପବିତ୍ର ସମ୍ପର୍କକୁ ପାପ ଦୃଷ୍ଟିରେ ଦେଖୁଥିଲା ସେ ହିଁ ପପୁ ମନରେ ବିଷ ଭରିଥିଲା । ଥାନାରୁ ଆଣିବା ପାଇଁ କେହି ନ ଯିବାରୁ ପୋଲିସ ପପୁକୁ କାରାଗାରକୁ ପଠେଇ ଦେଇଥିଲେ । ସମସ୍ତ ଘଟଣାର ଅନୁସନ୍ଧାନ କରି ପୋଲିସ ପପୁର ସ୍ତ୍ରୀ ସୀମା ଏବଂ ଦୁଇ ପିଲାଙ୍କ ମାଧ୍ୟମରେ ଜାଣି ସାରିଥିଲା ଯେ ମହେନ୍ଦ୍ର ଓ ସୀମା ମଧ୍ୟରେ କୌଣସି ପାପ ସମ୍ପର୍କ ନ ଥିଲା । ପପୁକୁ ମଧ୍ୟ ଜେରା କରି ଘଟଣାର ସୂତ୍ରଧର ସେହି ପଡୋଶୀକୁ ପୋଲିସ ସତର୍କ କରେଇ ଦେଇଥିଲା ବିନା ପ୍ରମାଣରେ କାହା ମନରେ ଭବିଷ୍ୟତରେ ଏମିତି ସନ୍ଦେହର ବୀଜ ନ ବୁଣିବା ପାଇଁ ।


   ଡାକ୍ତରଖାନାରେ ଗୋଟିଏ ମାସ ରହିବା ପରେ ମହେନ୍ଦ୍ର ଘରକୁ ଫେରିଲା । ଅନ୍ତରାଳେ ରହି ମହେନ୍ଦ୍ର ସୀମାର ସ୍ୱାମୀକୁ କାରାଗାର ମୁକ୍ତ କରେଇବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପରେ କାହାକୁ କିଛି ନ କହି ସବୁଦିନ ପାଇଁ ସହର ଛାଡି ଚାଲି ଯାଇଥିଲା । ପପୁ ଘରକୁ ଫେରିବା ପରେ ସମସ୍ତ ଘଟଣାର ସତ୍ୟାସତ୍ୟ ଜାଣିଲା । ଅନୁତାପ ନିଆଁରେ ଜଳି ଜଳି ନିଜକୁ ଧିକାର କରୁଥିଲା ସିନା, ମହେନ୍ଦ୍ର ଭଳି ମହାନ ବ୍ୟକ୍ତିକୁ କ୍ଷମା ମାଗିବାକୁ ଖୋଜି ପାଇ ନଥିଲା ।


Rate this content
Log in

More oriya story from ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Similar oriya story from Tragedy