STORYMIRROR

Subham Kumar Sahoo

Tragedy Fantasy

4  

Subham Kumar Sahoo

Tragedy Fantasy

ବ୍ୟସ୍ତ ରେ ମଣିଷ

ବ୍ୟସ୍ତ ରେ ମଣିଷ

7 mins
363


ଏ ମଣିଷଙ୍କ କଥା କଣ କହିବ କହିଲ ; ମଣିଷ ତ ସବୁବେଳେ ବ୍ୟସ୍ତ ଆଉ ବ୍ୟସ୍ତ । କେତେବେଳେ କାମ ପାଇଁ ବ୍ୟସ୍ତ ତ ଆଉ କେତେବେଳେ କାମ ନଥାଇ ବି ବ୍ୟସ୍ତ ହେବାର ଅଭିନୟ । ବ୍ୟସ୍ତତା ଭିତରେ ବି ଏ ମଣିଷ ନିଜ ଜୀବନକୁ କିପରି ଆଗେଇ ନେଇ ଯାଉଛି ତାହା କେବଳ ଏଇ ମଣିଷ କୁ ହିଁ ଜଣା ।


           ଏଇମିତି ଆମର ଏଇ ରଘୁବାବୁ ।

ଭାରି ବ୍ୟସ୍ତ ଲୋକଟେ । କଥାରେ କଥାରେ ଚିଡି ଯାଆନ୍ତି ।

ବୟସ ପାଖାପାଖି ଚାଳିଶ ହେବ । ଗମେଣ୍ଟ ଏପ୍ଲୋୟୀ । ମାସ ପୁରିବା ମାତ୍ରକେ ପକେଟ୍ ଗରମ୍ । ତାଙ୍କୁ ଦେଖିବା କ୍ଷଣି ପିଲା କଣ ଲୋକମାନେ ବି ପାଟିରେ ତୁଣ୍ଡି ଦିଅନ୍ତି । ପରିବାର କହିବାକୁ ଗଲେ ଦୁଇଟି ଚକରେ ଗଡୁଛି ତାଙ୍କ ସଂସାର ରଥ । ଜଣେ ହେଲେ ରଘୁବାବୁ ଆଉ ଜଣେ ତାଙ୍କ ପ୍ରେଗନେଣ୍ଟ ସ୍ତ୍ରୀ ମଧୁମିତା । ଆଗ ନାହିଁ କି ପଛ ବି ନାହିଁ । ବାପା ତ କେବେଠୁ ମହାମାରୀ ରେ ପଡ଼ି ଯମ ଟଣା ହେଲେଣି ଆଉ ମା' ଜଣକ ଯଦିବା ପାଖରେ ଥିଲେ ଘର କଥା ବୁଝିବାକୁ ତ ସମୟ ନିଅଣ୍ଟ ତାଙ୍କ କଥା ବୁଝିବାକୁ ସମୟ କାହିଁ ସେଥିପାଇଁ ସେ ତାଙ୍କୁ ଛାଡ଼ି ଆସିଛନ୍ତି ପାଖ ବୃଦ୍ଧାଶ୍ରମ ରେ । ଏ କଥା ପାଇଁ ରଘୁବାବୁ ଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ । କିନ୍ତୁ ତାଙ୍କର ଏତିକି ଅବଶୋଷ ଯେ ବାହାଘର କୁ ପ୍ରାୟ ଦୁଇ ବର୍ଷ ବିତିଗଲାଣି ହେଲେ ଆଜିଯାଏଁ ଘରେ ଟିକେ କୁଆଁ କୁଆଁ ଡାକ ଟେ ଶୁଭିଲାନି । ମାତ୍ର ଖୁସିର ଖବର ଯେ ମହାଦେବ ଙ୍କ କୃପାରୁ ମଧୁମିତା ଏବେ ଦଶ ମାସ ର ଗର୍ଭବତୀ ।


         ସବୁଦିନ ଭଳି ସେଦିନ ମଧ୍ୟ ରଘୁବାବୁ ତାଙ୍କର ଧଳା ରଙ୍ଗର ନୂଆ ଫୋର୍ ହ୍ୱିଲର ଧରି ବାହାରିଲେ ଅଫିସ୍ ଅଭିମୁଖେ । କାର୍ ଭିତରେ ଚହଟୁଥାଏ ରଜନୀଗନ୍ଧା ର ଅପୂର୍ବ ବାସ ସାଙ୍ଗକୁ ଶୁଭୁଥାଏ ପୁରୁଣା ଜମାନା ର ସେଇ ରୋମାଣ୍ଟିକ୍ ଗୀତ । ବେଳେ ବେଳେ ରଘୁବାବୁ କାର୍ ଭିତରେ ବସି ଜୋର ପାଟିରେ ଗୀତ ବି ବୋଲୁଥାନ୍ତି । ଏଇମିତି ଗୀତ ତାଳେ ତାଳେ ଛାତି ପକେଟ୍ ରେ ବାଁ ହାତ ମାରି ଦେଖନ୍ତି ତ କାଲି ରଜର୍ଦାଦିଆ ଖାଲି ପାନ ଜରିଟେ ପକେଟ୍ ବାହାରକୁ ମୁଣ୍ଡ ଟୁଙ୍ଗାରୁଛି ଆଉ ସେ ପାନ ଜରି କୁ ଦେଖି ରାଗରେ ନିଜେ ଭୁଟୁରୁ ଭୁଟୁରୁ ହେଇ କହୁଥାନ୍ତି - ହେସ, ଏ କଟିବାବୁ ଟା ପାନରେ ଆଉ ଡିଲକ୍ସ ବେଶି ହେଉନି । ପାଟିଟାକୁ ପୁରା ଆମ୍ବିଳା କରିଦେଲାଣି । ଆଜି ପହଞ୍ଚେ ତାକୁ ବୋହେ ସୁଧିବି । ଏତିକି କଥା ପାଟିରୁ ସରିଛି କି ନାହିଁ ଚକ ଯାଇ ଲାଖିଗଲା କଟିବାବୁ ର ଡିଲକ୍ସ ମିଶା ପାନ ଦୋକାନ ଆଗରେ । ଗାଡିରୁ ପାଦ ନକାଢୁଣୁ ସେପଟୁ ବାଘ ଗର୍ଜନ ଦେଲା ପରି ଶୁଭୁଥାଏ - " ଏ କଟିବାବୁ , କି ପାନ ଦେଇଛୁ ବେ ମୁଟୁରୁ ଡିଲକ୍ସ ର ନାଁ ଗନ୍ଧ ନାହିଁ ଖାଲି ସେ ଶୁଖିଲା ଗୁଆ ଗୁଡାକ ପାନ ରେ ଗଳି ଦେଇଛୁ । ପଇସା ନେଲା ବେଳକୁ ତ ଆଠଣା ଛାଡୁନୁ ସବୁକୁ ଅଣ୍ଟି ରେ ଭଲ ସେ ଭିଡୁଛୁ ହେଲେ ପାନ ଦେଲା ବେଳକୁ ଏତେ ସୁଆଗ କାଇଁ ଦେଖଉଛୁ ମ । ହଉ ତୁ ମୋତେ ଜଳଦି ଡିଲକ୍ସ ବେଶି ପକେଇ ପଚାଶ ଟଙ୍କା ର ପାନ ଦେ ମୋର ପୁଣି ସେପଟେ ଅଫିସ୍‌ କୁ ଲେଟ୍ ହେଲାଣି । "ଏତିକି ଶୁଣି କଟି ବାବୁ ବଡରା ପତ୍ର ପରି ଥରିଥରି ଚଟାପଟ୍ ବନେଇ ଦେଲା ପଚାଶ ଟଙ୍କା ର କଡ଼ା ଜର୍ଦାଦିଆ ଡିଲକ୍ସ ପାନ ଆଉ ବଢ଼େଇଦେଲା ରଘୁବାବୁ ଙ୍କ ହାତକୁ । ହାତକୁ ପାନ ଆସିଛି କି ନାହିଁ ଏକା ଥରକେ ଦିଟା ଜର୍ଦାମିଶା ପାନ କୁ ପାଟିରେ ପୁରାଇ କଟିବାବୁ ହାତରେ ଗୁଞ୍ଜିଦେଲେ ପଚାଶ ଟଙ୍କା ର ଖଡଖଡ଼ିଆ ନୋଟ୍ ଆଉ ଗାଡ଼ି ଧରି ଚାଲିଲେ ତାଙ୍କ ଅଫିସ୍ କୁ ।


        ଅଫିସ୍ ରେ ପାଦ ଦେଉଦେଉ ପିଅନ୍ କୁ ହାତ ଠାରି ପଚାରନ୍ତି -"ମୋତେ କେହି ଖୋଜୁଥିଲେ କି ?"

ପିଅନ୍ ମୁଣ୍ଡ ନଡ଼େଇ ହାତରେ ଗରମ ଚା ଧରି ରଘୁବାବୁ ଙ୍କ ପଛେପଛେ ଚାଲେ ତାଙ୍କ କ୍ୟାବିନ୍ କୁ । ଆଉ କ୍ୟାବିନ୍ ରେ

ଚା କପ୍ ଟିକୁ ରଘୁବାବୁ ଙ୍କ ଟେବୁଲ ଉପରେ ଥୋଇଦେଇ ବାହାରକୁ ପଳେଇଆସେ । ରଘୁବାବୁ ତାଙ୍କ ଲାପଟପ୍ ଟିକୁ ଖୋଲି ଅଫିସ୍ କାମ କରିଛନ୍ତି କି ନାହିଁ ସେପଟୁ ଡାକରା ଆସେ - "ସାର, ଜଲଦି ଉପର ମହଲା କୁ ଆସନ୍ତି ମିଟିଙ୍ଗ୍ ପାଇଁ ଲୋକମାନେ ଆସିଗଲେଣି । " ରଘୁବାବୁ ଚଟାପଟ୍ ଲାପଟପ୍ କୁ ବନ୍ଦକରି ଉପର ମହଲା କୁ ଯାଉଯାଉ ବାହାରେ ବସିଥିବା ପିଅନକୁ କହିଦେଇଯାନ୍ତି କି "ଯଦି ମୋତେ କେହି ଖୋଜେ କହିଦେବୁ ମୁଁ ମିଟିଙ୍ଗ୍ ରେ ବ୍ୟସ୍ତ ଅଛି ବୋଲି " ଏଇ ପଦେ କଥା କହି ଦୌଡ଼ିଚାଲିଯାଆନ୍ତି ଉପର ମହଲାକୁ । ଆଉ ରଘୁବାବୁ ଙ୍କ ଅନୁପସ୍ଥିତି ରେ ତାଙ୍କୁ ଦେଖାକରିବାକୁ ଆସୁଥିବା ଲୋକମାନଙ୍କୁ ପିଅନ୍ ବି ବେଶ୍ ଭଲ ଭାବେ ଚଳେଇ ନିଏ । ମିଟିଙ୍ଗ୍ କୁ ତ ଏବେ ବାହାରର କେତେ ନାମୀଦାମୀ ଲୋକମାନେ ମଧ୍ୟ ପହଞ୍ଚିଗଲେଣି । ମିଟିଙ୍ଗ ତ ଏବେ ପ୍ରାୟ ଆରମ୍ଭ ହେଇଗଲାଣି କହିଲେ ଚଳେ । ଏତିକି ବେଳକୁ ସେପଟେ ତାଙ୍କ ସ୍ତ୍ରୀ ମଧୁଙ୍କର ପେଟ ଯନ୍ତ୍ରଣା ବି ଧୀରେ ଧୀରେ ବଢିବାରେ ଲାଗିଗଲାଣି । ସେଥିପାଇଁ ସେ ବାରମ୍ଵାର ରଘୁବାବୁ ଙ୍କୁ ଫୋନ୍‌ ଉପରେ ଫୋନ୍‌ କରିଚାଲିଥାନ୍ତି । ହେଲେ ସଂଯୋଗ କାହିଁ ? ମିଟିଙ୍ଗ୍ ରେ ଡ଼ିସଟର୍ବ ହେଇଯିବେ ବୋଲି ବାବୁ ଆମର ସେଲ୍‌ଫୋନ୍‌ ଟିକୁ ଛାଡ଼ିଆସିଛନ୍ତି ତାଙ୍କ କ୍ୟାବିନରେ ।

ସେପଟେ ମଧୁଙ୍କର ବି ପେଟଯନ୍ତ୍ରଣା ଧୀରେ ଧୀରେ ବଢିବାରେ ଲାଗିଗଲାଣି । ବୁଦ୍ଧି ଅନ୍ଧାର ଦିଶିଲେ ବି ନିଜେ କେତେ ସାହସ ବାନ୍ଧି ଘରୁ ବାହାରକୁ ଆସି ଦେଖନ୍ତି ତ ଭାଗ୍ୟକୁ ବାହାରେ ଖଣ୍ଡେ ଅଟୋ ଛିଡା ହେଇଛି । ଆଉ ସଙ୍ଗେସଙ୍ଗେ ସେ ସେହି ଅଟୋ ରେ ବସି ଚାଲିଲେ ହସ୍ପିଟାଲକୁ । ବାଟସାରା କେତେ ଭିଡ଼ । ଆଉ ସେଇ ଭିଡ଼ ଭିତରେ ବି ଅଟୋ ଟି ବାଟ କଢେଇ ଚାଲିଥାଏ ଗନ୍ତବ୍ଯସ୍ଥଳକୁ । ପହଞ୍ଚିବାକୁ ଆଉ କେଇ କୋଶ ବାକି ଅଛି ହେଲେ ଏ ଧରମ ଛଡ଼ା ଭାଗ୍ୟ କୁ ଦେଖ ଆଖି ପିଛୁଳାକେ ଅଟୋ ଖଣ୍ଡକ ପିଟି ହେଇଗଲା ଗୋଟେ ମାଲ ବୋଝେଇ ଟ୍ରକ୍ ସହ । ଘଟଣା କିଛି ଘଟିବା ଆଗରୁ ସଙ୍ଗେସଙ୍ଗେ ଲୋକମାନେ ମଧୁଙ୍କୁ ବୋହିନେଲେ ପାଖ ହସ୍‌ପିଟାଲକୁ । ଖବର ଟି ବିଜୁଳି ବେଗରେ ପହଞ୍ଚିଗଲା ରଘୁବାବୁ ଙ୍କ କାନରେ । ଆଉ ରଘୁବାବୁ ହସ୍ପିଟାଲ କୁ ଆସି ଦେଖନ୍ତି ତ ସବୁକିଛି ଉଜୁଡ଼ି ପଡ଼ିଥାଏ । ସରିଯାଇଥାଏ ମଧୁମିତା ଙ୍କ ଆଖିର ଚମକ । ଓଠ ତୁନି ମାରି ଯାଇଥାଏ ଆଉ ଝରିପଡୁଥାଏ ଦୁଇ ଆଖିରୁ ଖାଲି ଧାରଧାର ଲୁହ । କାରଣ ସେଦିନ ସିନା ମଧୁ ନିଜକୁ ଯମ ପାଖାରୁ ଓଟାରି ଆଣିଥିଲେ ହେଲେ ତାଙ୍କ ଭବିଷ୍ୟତ ର କୂଳ ପ୍ରଦୀପ ଟେ ଜଳିବା ଆଗରୁ ହିଁ ଲିଭିଗଲା । କଥାରେ ନାହିଁ " ବିଧିର ବିଧାନ କେ କରିବ ଆନ" । ରଘୁବାବୁ ଏ ସବୁ କଥା ବିଶ୍ୱାସ ନକରିପାରିଲେ ମଧ୍ୟ ଏ ଦୁନିଆ ତାଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଦେଉଥିଲା ।


       ରଘୁବାବୁ ପୁରା ନୀରବ ହୋଇ ମଧୁଙ୍କୁ ଧରି ଫେରିଆସିଲେ ନିଜ ଘରକୁ । ଏମିତିତ ଆଗରୁ ବି ଘରଟା ଖାଲି ଖାଁ ଖାଁ ଲାଗିଯାଉଥିଲା ଆଉ ଏବେ ପୁଣି ବେଡ଼ି ଉପରେ କୋରଡ଼ା ମାଡ । ହେଲେ ଏକା ରହି ରହି ଦୁଃଖ ତ କେବେଠୁ ଦୁଇ ଜଣଙ୍କ ପାଇଁ ଦେହସୁଆ ହେଇଗଲାଣି । ବେଳେବେଳେ ମଧୁଙ୍କ ମନ ଭୁଲେଇବା ପାଇଁ ରଘୁବାବୁ ଫାଙ୍କା ସମୟରେ ବସି କେତେ ମଜାଗପ ଶୁୁଣାନ୍ତି । ଆହୁରି ବେଳେବେଳେ ଠାପାଣି ରେ ବନ୍ଦବସ୍ତ କରିଦିଅନ୍ତି ନାନା ରକମର ପିଠା ସାଙ୍ଗକୁ ନଅଭଜା ଛଅତିଅଣ । କହିବାକୁ ଗଲେ ଛାଇଆଲୁଅ ପରି ଚାଲିଛି ତାଙ୍କ ପରିବାର । ଯାହା ସବୁ ସେଇ ଦଇବ ସାହା । ଦିନେ ମଧୁ ଙ୍କ ସହ କଥା ହେଉହେଉ ହଠାତ୍ ରଘୁବାବୁଙ୍କର ମନେ ପଡିଗଲା ତାଙ୍କ ମା'ଙ୍କ କଥା । ମନରେ ଅନୁତାପ କରି ମଧୁଙ୍କୁ ମା'ଙ୍କ ବିଷୟରେ କେତେ କଥା କହି ଆଖିରୁ ଲୁହ ଝରାଉଥାନ୍ତି । ଆଉ ମଧୁ ତାଙ୍କ ଲୁହ ପୋଛି ଦେଇ ଗମ୍ଭୀର ସ୍ଵରରେ କ ହୁଅନ୍ତି - " ମା' ଙ୍କୁ ଖୋଜି ପାଇଲେ ତାଙ୍କୁ ଘରକୁ ନେଇ ଆସିବ । ଘରଟା ଖାଲି ଖାଁ ଖାଁ ଲାଗୁଛି । " ରଘୁବାବୁ ଆଉ ପାଟି ନ ଫିଟେଇ ଖାଲି ମୁଣ୍ଡକୁ ଟୁଙ୍ଗାରି ହେଉଥାନ୍ତି ।


           ଏଇମିତି ବହୁଦିନ ବିତିଗଲା ପରେ ଦିନେ ସନ୍ଧ୍ୟାରେ ମଧୁମିତା ରଘୁବାବୁ ଙ୍କ ହାତଧରି କହୁଥାନ୍ତି -

ହେଇଟି ଶୁଣୁଛ ମୋତେ ଘରେ ବସି ବସି ପୁରା ବିରକ୍ତ ଲାଗିଲାଣି । କେତେବେଳେ ସେ ହାଣ୍ଡିଶାଳ ତ ଆଉ କେତେବେଳେ ଘରକରଣା । ମୁଁ ଏହା ଭିତରେ ରହି ପୁରା ପେଶି ହେଇଗଲିଣି । ଚାଲୁନ କୁଆଡେ ଦିନେ ବୁଲି ଆସନ୍ତେ । ରଘୁବାବୁ ତାଙ୍କ କଥା ଶୁଣି ନାକଛିଞ୍ଚାଡି ହେଉଥାନ୍ତି ହେଲେ କଥାରେନାହିଁ ସ୍ତ୍ରୀ ର କଥାକୁ ଆଜିଯାଏଁ କିଏ ଅବମାନନା କରିଛି ନା କରିପାରିବ । ଆଉ ଶେଷରେ ରଘୁବାବୁ ବି ମୁଣ୍ଡ ଟୁଙ୍ଗାରି କହୁଥାନ୍ତି - ହଉ ଜଲଦି ରେଡି ହୁଅ ମୁଁ ଗାଡ଼ି ବାହାର କରୁଛି । ଆଉ ସେମାନେ ତାଙ୍କ ଫାର ହ୍ୱିଲର ଧରି ଚାଲିଲେ ବାହାରକୁ ବୁଲିବା ପାଇଁ । ବାଟରେ ଯିବାବେଳେ ରଘୁବାବୁ ମଧୁଙ୍କୁ ସବୁ ଜାଗା ଦେଖାଇ ତା ବିଷୟରେ ଜ୍ଞାତ କରଉ କରଉ ଆଗକୁ ଅନେଇ ଦେଖନ୍ତି ତ ଆଇ ଜି ଛକରେ ଭାରି ଭିଡ଼ ଜମିଛି । ଚକାମାରି ବସିବା ତ ଦୂରର କଥା ପାଦ ପକେଇବାକୁ ବି ଜାଗା ନାହିଁ । ଖାଲି କାନକୁ ଶୁଭୁଛି "ପାଗଳୀ.....ପାଗଳୀ" । ରଘୁବାବୁ ଗାଡିରେ ବସି ରକ୍ତଚାଉଳ ଚେବାଇଲା ଭଳି କହୁଥାନ୍ତି - ହେଇଟି ଦେଖୁନ, ଏ ଭେଣ୍ଡିଆ ମାନଙ୍କର କାମଧନ୍ଦା ତ କିଛି ନାହିଁ ଅଯଥାରେ ବିଚ୍ ରାସ୍ତାରେ ଖାଲି ନାଟ ନଗଉଛନ୍ତି । ତାଙ୍କ ଦସ୍ତୁର ପରା ସେଇହା । ରଘୁବାବୁ ଙ୍କ ମୁଣ୍ଡ ଟିଣ ହେଇଗଲା ଜାଣି ମଧୁ ଧୀମା ଆୱାଜ୍ ରେ ରଘୁବାବୁ ଙ୍କ ହାତ ଧରି କହୁଥାନ୍ତି - ଚାଲ ଘରକୁ ପଳେଇବା , ଏମିତି ରେ ବି ବହୁତ ରାତି ହେଇଗଲାଣି । ଆଉ ଦିନେ କେବେ ଆସିବା ।


               ଏତିକି ଶୁଣି ରଘୁବାବୁ ସେ କଥାରେ ଆଉ ମୁଣ୍ଡ ନ ଖେଳେଇ ଗାଡ଼ିକୁ କୁକୁରଗଳା ରାସ୍ତା ଦେଇ ସୁଲପେଇକି ଘରକୁ ଫେରି ଆସୁଆସୁ ବାଟରେ ନିଜକୁ ନିଜେ ଧିକ୍କାର କରି କହୁଥାନ୍ତି - ଛିଃ....ଛିଃ.....ମୁଁ ଆଜି କାହା ମୁହଁ ଚାହିଁ ଘରୁ ବାହାରିଥିଲି କେଜାଣି । ଅବେଳିଆ ରେ ପଦା କୁ ପାଦ କାଢିଲେ ପରା ଏଇହା ଘଟେ । ଏତିକି କହି ଗାଡି କୁ ଲଗାମଛଡ଼ା ଘୋଡ଼ା ପରି ଦଉଡେଇନେଲେ ନିଜ ଘରକୁ । ଘରେ ପହଞ୍ଚୁ ପହଞ୍ଚୁ ମଧୁଙ୍କୁ ବରାତ୍ କରି ଦିଅନ୍ତି ରାତିର ଡିନର ପାଇଁ ଆଉ ଗୋଡ଼ହାତ ଧୋଇ ବସିଯାଆନ୍ତି ରଙ୍ଗୀନ ଟିଭି ସାମ୍ନାରେ । ଟିଭି ରେ ନ୍ୟୁଜ୍ ଖୋଲିଛନ୍ତି କି ନାହିଁ ସେପଟେ ଆକାଶରୁ ଝିପିଝିପି ମେଘ ଝରିବା ଆରମ୍ଭ କରିଦେଲାଣି । ରଘୁବାବୁ ଝରକା ସେପାଖେ ମେଘ ଝରିବା ଦେଖି ରୋଷେଇଶାଳ କୁ ଯାଇଥିବା ମଧୁଙ୍କୁ କିଛି ନ କହି ଏକନିଶ୍ଵାସିଆ ଛାତ ଉପରକୁ ଦୌଡନ୍ତି ଶୁଖାଯାଇଥିବା ସକାଳ ର ଲୁଗା ଆଣିବା ପାଇଁ । ଛାତରୁ ଲୁଗା ଟେକି ଟିଭି ସାମ୍ନାରେ ହାଜର ହେଇଛନ୍ତି କି ନାହିଁ କାନ କୁ ଶୁଭୁଥାଏ ନ୍ୟୁଜ୍ ରେ ଚାଲିଥିବା ସେଇ ଆଇ ଜି ଛକ ଆକ୍ସିଡେଣ୍ଟ ର ଲାଇଭ କଭରେଜ୍‌ । ଆଉ ହେଡଲାଇନ ରେ ବଡ଼ ବଡ଼ ଅକ୍ଷରରେ ଲେଖାହୋଇଥାଏ " ଏକ୍ସିଡ଼େଣ୍ଟ ରେ ପାଗଳୀ ର ମୃତ୍ୟୁ " । ହେଲେ ଏ କଣ ? ତଳେଥିବା ବ୍ରେକିଙ୍ଗ୍ ନ୍ୟୁଜ୍‌ ରେ ନିଜ ମା'ଙ୍କ ଫଟୋ । ଆଖି ଧୋକା ଖାଇଗଲା ଭାବି ରଘୁବାବୁ ସଙ୍ଗେସଙ୍ଗେ ହୁରି ପକାନ୍ତି ପତ୍ନୀ ମଧୁ ଙ୍କୁ । ଆଉ ପତ୍ନୀ ମଧୁ ରୋଷେଇ ଘର ପଟୁ ଦୌଡ଼ି ଆସି ହଠାତ୍‌ ଟିଭି ରେ ଦେଉଥିବା ନ୍ୟୁଜ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ କହୁଥାନ୍ତି - ଏ...କଣ, ଆଜି ତାହେଲେ ରାସ୍ତାରେ ଯାହାକୁ ଲୋକେ ପାଗଳୀ ବୋଲି କହୁଥିଲେ ସେ ଥିଲେ ଆମ ମା' । ଏତିକି କହି ଦେଇ ମଧୁ ଓ ରଘୁବାବୁ ପୁଣିଥରେ ଗାଡ଼ି ଧରି ବାହାରିଲେ ଆଇ ଜି ଛକ । ମେଘ ତ ଏମି ଝିପିଝିପି ରୁ ପାଟିବାରେ ଲାଗିପଡ଼ିଲାଣି । ସେମାନେ ଆଉ ମେଘକୁ ଖାତିର ନକରି ସିଧା ଚାଲିଲେ ଘଟଣା ସ୍ଥଳକୁ । ଏକ୍ସିଡେଣ୍ଟ ର ଖବର ଜାଣି ପୋଲିସ୍ ଆଇ ଜି ଛକରେ ଥିବା ସମସ୍ତ ଲୋକଙ୍କୁ ଅଟକ ରଖିଥାଏ । ରାସ୍ତା ସାରା ଲାଲି ରକ୍ତ ସବୁ ଗଙ୍ଗା ନଈ ପରି ବୋହି ଯାଉଥାଏ । ସେତିକି ବେଳେ ଭିଡ଼ ଭିତରେ ଧସେଇ ପଶୁପଶୁ ଦୁହିଙ୍କର ଆଖି ଲାଖିଗଲା ମା'ଙ୍କର ରକ୍ତ ଜୁଡୁବୁଡୁ ମୁହଁ ଆଗରେ । ରଘୁବାବୁ ଓ ପତ୍ନୀ ମଧୁ ସେଇଠି ମା' ଙ୍କ ଆଗରେ ଭୋ ଭୋ ହେଇ କାନ୍ଦି ଯାଉଥାନ୍ତି । ରଘୁବାବୁ ଙ୍କର ବାରମ୍ଵାର ଆଖି ଆଗରେ ଝଲସି ଉଠୁଥାଏ ମା' ଙ୍କ ସହ ବିତେଇଥିବା ପ୍ରତିଟି ମୁହୂର୍ତ୍ତ । ଆଉ ସେ ଶକେଇ ହେଇ କହୁଥାନ୍ତି - ମୋ ବ୍ୟସ୍ତତା ଯୋଗୁଁ ମୁଁ ସେଦିନ ମୋ ଛୁଆ କୁ ନିଜ ପାଖରୁ ହରେଇ ଦେଇଥିଲି ଆଉ ଆଜି ନିଜ ମା'କୁ ବି ନିଜ ଠାରୁ ଦୂରେଇ ଦେଲି ।

ଏତିକି ଶୁଣି ପାଖରେ ଛିଡ଼ା ହେଇଥିବା ଲୋକମାନେ ଟାହିଟାପରା କରି କହୁଥାନ୍ତି - " ଛିଃ....ଛିଃ..... ଏ କି ପୁଅ

କେଜାଣି । ପକେଟରେ ପୁଳେପୁଳେ ପଇସା ଗୁଞୁଛି ହେଲେ ନିଜ ମା' ପାଇଁ ଟିକେ ସମୟ ନାହିଁ । " ସେତିକିବେଳେ ଘଟଣାସ୍ଥଳରେ ଥିବା ପୋଲିସ ବାବୁ ଟିକେ ମୁରୁକି ହସି କହୁଥାନ୍ତି - ହଁ ..... ମ , ଇଏ ଭାରି ବ୍ୟସ୍ତ ଲୋକ ଟା ଆଉ ।





Rate this content
Log in

Similar oriya story from Tragedy