STORYMIRROR

Sunanda chowdhury

Tragedy Inspirational Others

3  

Sunanda chowdhury

Tragedy Inspirational Others

ବେଲୁନ

ବେଲୁନ

3 mins
231


ଦୁଇ ବର୍ଷ ଧରି ସେ ବେଲୁନ ବିକ୍ରି କରି ନିଜ ପରିବାର ଚଲାଉଥିଲା। କିଛି ବ୍ୟବସାୟ ପୈତୃକ, ଜାତିଗତ କିମ୍ବା ଇଚ୍ଛାନୁଯାୟୀ ନଥାଏ। କିନ୍ତୁ ପରିସ୍ଥିତି କରାଇ ଥାଏ। ଭଲ ହେଉ କି ମନ୍ଦ, ସରଳ ହେଉ କି କଷ୍ଟ, ମଣିଷ ଶିଖି ଯାଏ।ସେ ବେଲୁନ ଦେଖି ଆଗେ ଭାବୁଥିଲା ଅଳ୍ପ ସମୟ ର ଖେଳଣା, ସୁନ୍ଦର କିନ୍ତୁ ଦୀର୍ଘ ସ୍ଥାୟୀ ନୁହେଁ।ତେଣୁ ଛୁଆ ମାନଙ୍କ ପାଇଁ କିଣିବାକୁ ପସନ୍ଦ କରୁନଥିଲା। କେବେ ଭାବିନଥିଲା ସେ ନିଜେ ଦିନେ ବେଲୁନ ବିକ୍ରି କରିବ, ଦୁଇ ପଇସା ପାଇବା ପାଇଁ ଗ୍ରାହକକୁ ଚାହିଁ ରହିବ। ଅନେକ ରଙ୍ଗ ଓ ଆକାରର ବେଲୂନ ବିକ୍ରି କରି ଯାହା ପଇସା ପାଏ ସେଥିରୁ ନିଜ ମା, ସ୍ତ୍ରୀ, ଓ ଦୁଇଟି ସନ୍ତାନ ର ପେଟ କୁ ଖାଦ୍ୟ ବି ନିଅଣ୍ଟ ହେଉଥିଲା। ନିକଟବର୍ତ୍ତୀ ଘରୋଇ ବିଦ୍ୟାଳୟର ମୁଖ୍ୟ ଫାଟକଠୁ ଅଳ୍ପ ଦୂର ବଜାର ଛକରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବାଉଁଶ ବାଡିରେ କେତେ ପ୍ରକାରର ବେଲୂନ ବାନ୍ଧି ଅପେକ୍ଷା କରୁଥାଏ ,ସ୍ନେହୀ ଓ ଧନୀ ଅଭିଭାବକ ଓ ପିଲା ମାନଙ୍କର, ଯିଏ ତାଠୁ ବେଲୂନ କିଣିବେ।ମେଳା, ପୂଜା ପର୍ବ ଇତ୍ୟାଦିରେ ଅଧିକ ବେପାର ହୁଏ. ସେଇ ସମୟରେ ସେ କିଛି ସଞ୍ଚୟ କରେ। କିନ୍ତୁ କେବେ ନିଜର କି ପିଲାଙ୍କ ସ୍ବପ୍ନ ପୂରା କରି ପାରେନା। ତା ପାଖରେ ସବୁ ରଙ୍ଗର ବେଲୂନ ଥାଏ ଅଥଚ ଖାଇବା ଥାଳି ରେ ସେଇ ଦୁଇ –ତିନିଟା ରଂଗ,ଅଧିକାଂଶ ଧଳା ହି ଥାଏ। ସେ ଓ ତାର ଛୁଆ ମାନେ ବି ସ୍ବପ୍ନ ଦେଖନ୍ତି ତାଙ୍କ ଥାଳିରେ ବି କେତେ ରଂଗ ର ସୁସ୍ବାଦୁ ବ୍ୟଞ୍ଜନ ହୁଅନ୍ତା, ଶୋଇବା ପାଇଁ ଗୋଟିଏ ପୁରୁଣା ସବୁଜ ମସିଣା ବଦଳରେ ସଫା ସୁନ୍ଦର ରଂଗୀନ ଚାଦର ପଡିଥାନ୍ତା, ସ୍ତ୍ରୀ ହାତରେ ଦୁଇ ପଟ ନାଲି କାଚ ସହ କେତେ ରଂଗ ର ସୁନ୍ଦର ଚୁଡି ରୁଣୁଝୁଣୁ କରୁଥାନ୍ତା, ପିଲାମାନେ ସୁନ୍ଦର ଫ୍ରକ ପିନ୍ଧି ହସି ଖେଲୁଥାନ୍ତେ।

ଏମିତି ନଥିଲା ତାର ଜୀବନ। ରଂଗ ମିସ୍ତ୍ରୀ ଭାବେ କାମ କରୁଥିଲା ମୁମ୍ବାଈରେ। କିଛି ବର୍ଷ ତଳେ କାମ କଲାବେଳେ ତିନ ତାଲା ବିଲ୍ଡିଂ ରୁ ଖସି ପଡିଲା, ଦୈବ କୃପାରୁ ପ୍ରାଣ ବଂଚି ଗଲା ସିନା ଗୋଟେ ଗୋଡ଼ ଓ ହାତ ଭାଙ୍ଗିଗଲା। ମାଲିକ ପ୍ରାଥମିକ ଚିକିତ୍ସା କରେଇ ଘରକୁ ପଠାଇଦେଲା। ବହୁତ ଦିନ ଲାଗିଲା ପୂରା ଭଲ ହେବା ପାଇଁ।କିନ୍ତୁ ଆଉ ଆଗ ପରି ଶରୀରରେ ଶକ୍ତି କି ମନରେ ସାହସ ରହିଲାନି। ସଂଚିତ ଧନ ଔଷଧ ପତ୍ର, ଘର ଖର୍ଚ୍ଚରେ ସରିଗଲା।ରଂଗ ବ୍ରଶକୁ ଦେଖିବାକୁ ବି ଇଚ୍ଛା ହେଲାନି।ହେଲେ ଏପରି କେତେ ଦିନ ଚଳନ୍ତା ! ବାଧ୍ୟ ହୋଇ ବେଲୂନ ବିକିବା ଆରମ୍ଭ କଲା। ସ୍ତ୍ରୀ ପରଘରେ କାମ କରିବାକୁ ବାଧ୍ୟ ହେଲା। ନଗର ବସ୍ତି ରେ ରହୁଛି, ସରକାରୀ ମାଟି କାମ କୁ ଛୋଟ ଛୁଆଂକୁ ଛାଡ଼ି ଯାଇ ପାରିବନି। ବୁଢୀ ଶାଶୁକୁ ଅକ୍ଷମ ସ୍ବାମୀ, କେତେ ବେଳେ କୋଉ କଥା ! ତେଣୁ ପାଖ ସୋସାଇଟିରେ କେତୋଟି ଘର ଧରିଥିଲା। ଚାରି ମାସ ନ ପୂରୁଣୁ କାଳ ସାଜି କେଉଁଠୁ ମାଡି ଆସିଲା କୋରୋନା ରୋଗ , ବୋଝ ଉପରେ ନଳିତା ବିଡା। କାମ କରିବାକୁ ମନା କରିଦେଲେ ବାବୁଅଣୀ ମାନେ। କାମ ନାହି କି ପଇସା ନାହିଁ, ଭୋକରେ ମରି ଯାଇଥାନ୍ତେ ଯଦି ‘ସାଇ ସମିତି’ ସଂସ୍ଥାର ସ୍ବେଚ୍ଛା ସେବୀମାନେ ଆସି ଖାଦ୍ୟ ପ୍ୟାକେଟ ଓ ଆବଶ୍ୟକ ସାମଗ୍ରୀ ନ ଦିଅନ୍ତେ। ସରକାରୀ ସାହାଯ୍ୟରେ ଅଳ୍ପକିଛି ଦିନ ଚାଲିଲା। ୮ ମାସ ପରେ ସ୍ଥିତି ଟିକେ ସୁଧୁରିଲା ପରେ ସେ ବେଲୁନ ବିକ୍ରି କାମ ପୁଣି ଆରମ୍ଭ କଲା। କିନ୍ତୁ, ସ୍କୁଲ ବନ୍ଦ। ପିଲେ କାହାନ୍ତି , କିଣିବ କିଏ ? ପୂଜା ପର୍ବ, ମେଳା ସବୁର ଜାକଜମକ ଉପରେ କଟକଣା ତାକୁ ଯେମିତି ଚିଡାଉଥିଲେ, ସବୁ ରଂଗ। ତା ହାତ ପାଖରେ ଏତେ ରଂଗ ,କିନ୍ତୁ ଜୀବନରେ ସବୁ ଫିକା। ସେ ଓ ତାର ସ୍ତ୍ରୀ ମିଶି ଦେଖିଥିବା ରଂଗୀନ ସ୍ବପ୍ନକୁ ଭାବି ଆଖିରେ ଲୁହ ଜକେଇ ଆସିଲା। ସେ ଚନ୍ଦ୍ର ଓ ସ୍ତ୍ରୀ ମଧୁମିତା - ମିଶି ମଧୁଚନ୍ଦ୍ରିକା। କିନ୍ତୁ ଜୀବନର ଆକାଶ ଦୁଃଖରେ ମେଘାଚ୍ଛନ୍ନ ରହି ଗଲା, ଚନ୍ଦ୍ରର ଆଭା କେଉଁଠି ହଜି ଯାଇଛି !

ଆଗକୁ ଦୋଳ ପୁନ୍ନେଇଁ, ତା ପରେ ହୋଲୀ ଆସୁଛି। ଗତ ବର୍ଷ ପରି ଏ ବର୍ଷ ବି ତା ପାଇଁ ରଂଗ ର ପର୍ବ ବେରଂଗ ରହିବ। ଆଖି ବନ୍ଦ କରି ବସିଥିଲା। ହଠାତ କେହି ଡାକ ଦେଇ କହିଲେ – ଆମକୁ କାଲି ସକାଳୁ ୧୫୦ ଟି ବେଲୁନ ଦରକାର। ପାଖ ବସ୍ତି ପିଲାଙ୍କ ପାଇଁ। ରଂଗ ଖେଳ ସିନା ମନା କରିଛନ୍ତି ସରକାର କିନ୍ତୁ ସବୁ ପିଲାଙ୍କୁ ମିଠା ଓ ବେଲୁନ ଦେଇ ହୋଲି ପର୍ବ ପାଳିବୁ ଆମେ। କହି ଦୁଇ ଯୁବକ ତା ହାତରେ ଅଗ୍ରିମ ରାଶି ଧରେଇ ଦେଲେ।ଖୁସିରେ ସେମାନଙ୍କୁ କେତେ ଆଶିଷ ଦେଇ ଦେଲା ମନେ ମନେ। ଯାହା ହେଉ ଏଥର ଆଉ ରଂଗ ର ପର୍ବ ବେରଂଗ ହେବନି। ଆଜି ତାକୁ ତାର ବେଲୁନ ସବୁ ମାତ୍ର ବେଲୁନ ପସରା ନୁହେଁ ବରଂ ମିଠା ଦୋକାନ ପରି ଦିଶିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sunanda chowdhury

ବେଲୁନ

ବେଲୁନ

3 mins ପଢ଼ନ୍ତୁ

Similar oriya story from Tragedy