Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Manorama Hati

Tragedy Inspirational


3  

Manorama Hati

Tragedy Inspirational


ଆତ୍ମହତ୍ୟା

ଆତ୍ମହତ୍ୟା

8 mins 272 8 mins 272

ସେଦିନ ମିଲନ୍ ଘର ଠାରୁ ସାତ କିଲୋମିଟର ଦୂରରେ ଥିବା ପାହାଡ ପାଖରେ ବସିଥିଲା। ଯେଉଁଠିକି ଅନ୍ୟମାନେ ମନ ଖୁସି ପାଇଁ ବୁଲିବାକୁ ଯାଆନ୍ତି। ଆଉ କିଛି ଲୋକ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଆସନ୍ତି। ସେ ବି ନିଜେ ଏ ଜାଗାକୁ ଖୁବ୍ ଭଲପାଏ। ଅନେକଥର ସାଙ୍ଗ ମାନଙ୍କ ସହ ଆସିଛି ବୁଲିବାକୁ। ହେଲେ ଆଜି କିନ୍ତୁ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଆସିଛି। ବସିଛି ପାଞ୍ଚ ଘଣ୍ଟା ହେଲାଣି। ହେଲେ ପାହାଡ ତଳକୁ ଡେଇଁ ପଡିବାର ସାହସ ସଞ୍ଚୟ କରି ପାରୁନି ମନ ଭିତରେ। ଯେତେଥର ବାହାରିଛି ଠିକ୍ ସେତିକିବେଳେ କେହି ଜଣେ ଯେମିତି ତାକୁ ପଛରୁ କହିଛି ରହିଯାଆ।ଆଉ ତାପରେ ଫେରି ଆସିଛି ପୁଣି ବସିଥିବା ଜାଗାକୁ। ୟାଛଡା ନିଜ କୁ ନିଜେ ମାରିବା କଣ ଏତେ ସହଜ କଥା! 

ଏଥର କିନ୍ତୁ ସେ କିଛି ବି ଭାବିବନି। ଆଖି ବନ୍ଦ କରି ଡେଇଁ ଯିବ ଭାବି ପାଦ ବଢେଇଛି। ପଛରୁ କେହି ଜଣେ କହିଲା-ସତରେ ତୁ ଡେଇଁ ପାରିବୁ ଏତେ ତଳକୁ! ଯଦି ଡେଇଁ ବି ଗଲୁ କାଲି ସକାଳ କଥା ଭାବିଛୁ କଣ ହେବ? କଣ ବିତିବ ତୋ ବାପାମାଙ୍କ ଉପରେ? ଆରେ ଛୋଟ ବେଳେ ନୂଆ ନୂଆ ଚାଲି ଶିଖୁଥିବା ବେଳେ ତୁ ଯେତେବେଳେ ପଡି ଯାଉଥିଲୁ ତୋ ମାର କେମିତି ସ୍ପନ୍ଦନ ଅଟକି ଯାଉଥିଲା। ବାପା କେମିତି ବସିଥିବା ଜାଗାରୁ ଧଡପଡ ହୋଇ ଉଠି ଆସୁଥିଲେ ତୋ ପାଖକୁ ତତେ ସମ୍ଭାଳିନେବା ପାଇଁ। ଥରେ ମନେ ପକେଇଲୁ।କାଲି ଯେତେବେଳେ ତୋ ମା ଜାଣିବ ଏତେ ଉଚ୍ଚାରୁ ନିଜ ଜୀବନ ହାରିଛୁ କେମିତି ପ୍ରତିକ୍ରିୟା ତା ଚେହେରାରେ ଥିବ! ବୋଧେ ପାଗେଳି ହେଇଯିବ। ବାପା ଶବ୍ଦ ଶୂନ୍ୟ ହେଇଯିବେ। ସେ ହାର୍ଟ ପେସେଣ୍ଟ । ହାର୍ଟ ଆଟାକ୍ ବି ହେଇପାରେ। ନିଜ ଯବାନ ପୁଅକୁ ହରେଇବାର ଯନ୍ତ୍ରଣା କେତେ ଅସହ୍ୟ ଏ ନିଷ୍ପତ୍ତି ନେବା ପୂର୍ବରୁ ଥରେ ଯଦି ସେଇ ବୁଢାବାପା ମାନଙ୍କୁ ପଚାରି ଥାନ୍ତୁ ଆଜି ତୁ ଏତେବଡ ଭୁଲ୍ କେବେ ବି କରିବାକୁ ଚାହିଁ ନଥାନ୍ତୁ। ବିଚାରି! ତୋ ଫୁଲ ପରି ସାନ ଭଉଣୀ ଟା ପଥର ପାଲଟିଯିବ ଦୁଃଖରେ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ତୋ ଫଟୋ କୁ ଦେଖି କାନ୍ଦିବ।ସେ ତତେ କଣ କହେ ତ। -"ଭାଇ ମୁଁ ସବୁବେଳେ ଭାବୁଛି ଏ ରାକ୍ଷୀ ପୂର୍ଣ୍ଣିମା ଟା ବର୍ଷକୁ ଥରେ କାହିଁକି ଆସେ। ସବୁଦିନ ପାଳନ ହେଉଥିଲେ କେତେ ଭଲ ହେଇଥାନ୍ତା! ମୁଁ ତମକୁ ମା ପରି ମନଭରି ଖୁଆଇ ଦେଉଥାନ୍ତି। "

ପୁଣି ପଚାରିବ "କୋଉ ଅଧିକାର ରେ ମୋ ଠାରୁ ସେ ଦିନକ ଖୁସି ତମେ ଛଡେଇ ନେଲ? "ୟାର ଉତ୍ତର ତୋ ପାଖରେ ଅଛି। ତୋ ଜୀବନ ଟା ଖାଲି ତୋର ନୁହେଁ। ସେ କେତେଜଣଙ୍କ ମଧ୍ୟରେ ବାଣ୍ଟି ହେଇଯାଇଛି ଥରେ ଆଖି ଖୋଲି ଦେଖ୍। 

ତୁ ଆସିଲା ପରଠାରୁ ମୁଁ ଦେଖୁଛି, ତୁ ଏମାନଙ୍କ ପାଇଁ ଟିକେ ବି ବ୍ୟସ୍ତ ନାହୁଁ ଯେଉଁମାନେ ନିଜ ଠାରୁ ତତେ ଅଧିକ ଭଲପାଆନ୍ତି। ଖାଲି ତାରି ଚିନ୍ତା, ଯିଏ ତତେ ବିଚ୍ ରାସ୍ତାରେ ଜାବଡା ମାରି ଆଉ କାହା ହାତ ଧରି ଚାଲିଗଲା। କଣ କହିଲା ତତେ ତ, 'ୟୁ ଆର୍ ମାଇଁ ଫୁଟ୍। ତମ ପରି ହଜାରେ ପ୍ରେମିକ ମୋତେ ମିଳିବେ"। ଆଉ ଯିଏ ତତେ ମୁଣ୍ଡ ରେ ବସେଇଛନ୍ତି ସେମାନେ ତୋ ପାଇଁ କିଛି ନୁହଁନ୍ତି! ତାକୁତ ତୋ ପରି ହଜାରେ ମିଳିଯିବ, ହେଲେ ତୋ ବାପାମାଙ୍କୁ କଣ ହଜାରେ ପୁଅ ମିଳିଯିବେ! 

ଆରେ ତୋ ସାମନାଘରର ମିଶ୍ର ବାବୁଙ୍କୁ ଦେଖିଛୁ? କେବେ ସମୟ ହେଲେ ତାଙ୍କ ଘର ଆଡେ ଟିକେ ବୁଲି ଆସିବୁ। ଦୁଃଖସୁଖ ପଚାରି ଆସିବୁ। କେମିତି ଚଳୁଛି ତାଙ୍କ ଘର ପୁଅ ବିନା ଦଶବର୍ଷ ହେଲାଣି ?ତାଙ୍କ ସ୍ତ୍ରୀ କେମିତି ରାତି ରାତି ଶୁଅନ୍ତିନି। ପୁଅ ଫେରିବା ଆଶାରେ ଆଜି ବି ମେନ୍ ଦରଜା ପାଖରେ ଘୁମେଇ ପଡନ୍ତି ଅପେକ୍ଷା କରି କରି। ମିଶ୍ର ବାବୁ କେମିତି ପୁଅ ଯିବାର ଆରଦିନ ନିଜ ଫୋନଟାକୁ ଫିଙ୍ଗିଦେଲେ ଘରପାଖ ଦେଇ ବହି ଯାଇଥିବା ନାଳରେ,କଣ ଆଉ ହେବ ସେ ଫୋନ ତାଙ୍କର ଯୋଉ ଫୋନରେ ତାଙ୍କ ପୁଅର କଲ୍ ଆସିବନି ଭାବି।ଯେବେ ନିଜ ସ୍ତ୍ରୀ କୁ ଘର ଭିତରକୁ ବୁଝେଇ ସୁଝେଇ ନିଅନ୍ତି କୋତେଟୋପା ଲୁହ ବରଫ ପାଲଟେ ତା'ର କଳନା ବି କରି ପାରିବୁନି। 

ତାଙ୍କ ଝିଅ ଆଜି ବି ତା ଭାଇ ନମ୍ବର ଡାଏଲ କରେ ଦିନକୁ ଶହେଥର ତା କଥା ମନେପକେଇ। ଦୁନିଆର ସବୁ ଅଭାବ ଭିତରେ ବୋଧହୁଏ ଭଉଣୀ ଟିଏ ବଞ୍ଚିପାରେ ହେଲେ ଭାଇ ବିନା ନୁହେଁ।

ତାଙ୍କ ପୁଅ ଗଲାନି ଯେ ତିନୋଟି ମଣିଷର ସବୁ ଖୁସି ଛଡେଇ ନେଇ ଗଲା। ଦେଖିଛୁ,ଆଜି କି ଦଶବର୍ଷ ହେଲାଣି କେବେ ଦୀପାବଳୀ ରେ ତାଙ୍କ ଘର ଅଗଣାରେ ଦୀପଟିଏ ଜଳିଛି? ଅଗଣା ତ ଦୂରର କଥା ଘରର ଦିଅଁ ପାଖେ ବି କେହି ଦୀପଟିଏ ଜାଳି ପାରୁନାହାଁନ୍ତି ।କେମିତି ଜାଳିବେ? ଯାହା ପାଇଁ ଜଳୁଥିଲା ସେ ତ ନାହିଁ।ଆଲୁଅଟା ଏବେ ତାଙ୍କ ପାଇଁ ଅସହ୍ୟ। ଖୁସି ତ ଲୁହ ଠାରୁ ବଳି। ଜୀବନଟା ଯନ୍ତ୍ରଣା ସଦୃଶ। 

ତୁ ବି କଣ ଚାହୁଁଛୁ ତୋ ବିନା ତୋ ପରିବାର ସେଇ ଏକା ପରିସ୍ଥିତି ର ସାମନା କରନ୍ତୁ। ତୋର ଭୁଲ୍ ପାଇଁ ସେମାନେ ତୋ ସ୍ମୃତି ରେ କାହିଁକି ବଞ୍ଚିବେ ସାରା ଜୀବନ ଜଳିଜଳି? ଯା ଘରକୁ ଫେରିଯା। ମନ ଇଚ୍ଛା ଜୀଇଁଯା ତତେ ଭଲପାଉଥିବା ଲୋକଙ୍କ ସହ।ଶହ ଶହ ଖୁସିର ମୁହୂର୍ତ୍ତ ତତେ ଯୋଡିବାରେ ଅଛି ଫଟୋ କରି ସେମାନଙ୍କ ଆଲବମ୍ ରେ। ଏମିତିରେ ଏ ଜୀବନ ଟା କ୍ଷଣସ୍ଥାୟୀ। କାହିଁକି ତାକୁ ନିଜେ ନଷ୍ଟ କରିବାକୁ ବାହାରିଛୁ? 

ଏଥର ଯୁବକଟି ତା ହାତରେ ଫୋନ ଧରେଇ କହିଲା-ତିନିଘଣ୍ଟା ହେଲାଣି ତୋ ଫୋନ ସୁଇଚ୍ ଅଫ। ଘରେ ସମସ୍ତେ ବ୍ୟସ୍ତ ହେବେଣି। କି କି ଅଶୁଭ ଭାବନା ତାଙ୍କ ମନକୁ ଅଜଗର ପରି ଗ୍ରାସ କରି ସାରିବଣି। ଆଉ ଡେରି କରନା। ରାତି ଏଗାରଟା ହେଲାଣି। ଅଧିକ ରାତିରେ ଏ ପାହାଡୀ ରାସ୍ତା ରେ ଘରକୁ ଫେରିବା ବିପଦଜନକ। 

ଜିଲନ ପଚାରିଲା-ତମେ ଯିବନି?

ତା'ର ସଂକ୍ଷିପ୍ତ ଉତ୍ତର। ମୁଁ କୁଆଡ଼େ ଯିବି? ମୁଁ ତ ଏଇଠି ଦଶବର୍ଷ ହେଲାଣି ଅଛି। ମୋ କାମ ପରା ଏଇଆ। ଆଜି ତୁ ଏଠି ଥିଲୁ କାଲି ଆଉ କିଏ ଥିବ। ମୁଁ ଗଲେ ଭାରି ସେମାନଙ୍କୁ କିଏ ବୁଝେଇବ? ଯିଏ ବୁଝିଲା ଘରକୁ ଫେରିଲା ଆଉ ଯିଏ ନ ବୁଝିଲା ମୋ ସାଥିରେ ରହିଲା। ହଁ, କେବେ କେବେ ମନହେଲେ ଘର ଆଡେ ବୁଲି ଆସେ। 

ଜିଲନ୍ ଫୋନ ସୁଇଚ୍ ଅନ୍ କରି ଦେଖିଲା-ହଜାରେ ମିସ୍ କଲ୍। ଦୁଇଶହ ମା'ର ,ଦୁଇଶହ ବାପାଙ୍କ ର, ଚାରିଶହ ଭଉଣୀ ର ଆଉ ବାକି କଲ୍ ସାଙ୍ଗ ମାନଙ୍କ ର। 

ଯୁବକ ଟି ହସିଲା। କଣ ମିସ୍ କଲ୍ ରେ ଭର୍ତ୍ତି ହେଇଯାଇଛି ତୋ ଫୋନଟା ନା! ମୁଁ ଜାଣିଛି ସେସବୁ କଲ୍ କାହାର ଥିବ, ହେଲେ ତା'ର ଗୋଟେ ବି ନଥିବ ଯାହା ପାଇଁ ସମସ୍ତ ଙ୍କୁ ଭୁଲି ଯାଇଥିଲୁ। ହଉ ଯା ,ଠିଆ ହେଇ ରହିଲୁ ଯେ! 

ଜିଲନ ନିଜ ବାଇକ ଧରି ଘରକୁ ଆସିବା ପାଇଁ ବାହାରିଲା। ଫେରିବା ବାଟରେ ଅନେକ ଥର ଫୋନ ରିଂ ହେଇଥିଲେ ବି ଉଠେଇ ପାରୁନଥିଲା। ତା ହାତ ପାଦ ଥରୁଥିଲା। କେତେବଡ ଭୁଲ୍ ନିଜ ଅଜାଣତରେ ସେ କରିବାକୁ ଯାଉଥିଲା ସତରେ! ଲୋକଟି ଯଦି ଠିକ୍ ସମୟରେ ପହଞ୍ଚି ନଥାନ୍ତା ସେ ତ ଏବେ ସବୁଦିନ ପାଇଁ ସମସ୍ତ ଙ୍କୁ ହରେଇ ବସିଥାନ୍ତା ! ଆଉ ଉପରେ ଥାଇ ଅନୁତାପ ଅନୁଶୋଚନାରେ ଜଳୁଥାନ୍ତା। ଜୀବନ ଜୀଇଁବା ପାଇଁ କଣ ଖାଲି ଗୋଟିଏ ପ୍ରେମିକା ର ପ୍ରେମ ଆବଶ୍ୟକ! ସେ ବି କୋଉ ପ୍ରେମ! ଯୋଉଥିରେ ଖାଲି ସ୍ୱାର୍ଥ ଆଉ ସର୍ତ୍ତ।ଛିଃ! ନିଜ ଉପରେ ଘୃଣା ଆସୁଥିଲା ତାକୁ।

ଘରେ ପହଞ୍ଚୁ ପହଞ୍ଚୁ ମା ପଚାରିଲେ -କୁଆଡେ ଥିଲୁ ରେ? ମୋ ଜୀବନ ଯିବାକୁ ବସିଲାଣି! 

ଜିଲନ କିଛି କହି ପାରିଲାନି। ଖାଲି ଡଗମଗ କରି ବିକଳରେ ଚାହିଁଲା 

 ମା ଙ୍କ ମୁହଁ କୁ।ଭାବୁଥିଲା ଘଡିଏ ନଥିଲି ବୋଲି ଏତେ ବ୍ୟସ୍ତ। ସକାଳେ ଯେବେ ଜାଣିଥାନ୍ତେ ମୁଁ ଆଉ କେବେ ଘର କୁ ଫେରିବିନି ବୋଲି ତାଙ୍କ ଅବସ୍ଥା କଣ ହେଇଥାନ୍ତା! ମା ଆସି ତାକୁ ଜାବୁଡି ଧରିନେଲେ। ତୋ ହାତ ଦେହ ଏମିତି ହେମାଳ କାହିଁକି ପଡିଯାଇଛି?କଣ ହେଇଛି ତୋର? କିଛି କହୁନୁ ଯେ? 

-ଗୋଟେ କଥା ପଚାରିବି ମା? ତମେ ମୋତେ କେତେ ଭଲପାଅ? 

-ଗୋଟିଏ ମଣିଷ ଚାହିଁଲେ ତା'ର ସବୁ କିଛି ଅନ୍ୟକୁ ଦେଇପାରେ ହେଲେ ତା ଆଖିକୁ କଣ କେବେ ଦେଇପାରେ! ତୁ ପରା ମୋ ଆଖି। ତୋ ବିନା ଏ ଦୁନିଆ ଟା ଖାଲି ଅନ୍ଧାର ଆଉ ଅନ୍ଧାରରେ। କଣ ପାଇଁ ଏକଥା ପଚାରୁଛୁ ଛୋଟ ପିଲାଙ୍କ ଧିରେ? ଆସିଲୂ ତୁ ଖାଇବୁ। ତୋ ଫୋନ ଲାଗୁନଥିଲା କାହିଁକି?

-ହଜି ଯାଇଥିଲା। ଜଣେ ଭଲ ଲୋକଟେ ପାଇକି ଦେଲା। 

-ଯାହା ହ ଉ ଏ ଦୁନିଆ ରେ ଆଜି ବି ଭଲ ଲୋକ ଅଛନ୍ତି କହି ମା ଖାଇବା ବାଢିଦେଲେ। ସମସ୍ତେ ସାଙ୍ଗ ହୋଇ ଖାଇ ବସିଲେ। ଜିଲନ ଖାଇବା ପୂର୍ବରୁ ବାପାଙ୍କୁ ଥରେ ଚାହିଁଲା। ବାପା କେମିତି ଜଲଦି ଜଲଦି ଖାଉଥିଲେ ଜୋରରେ ଭୋକ ହେଲାଣି କହି। ସବୁବେଳେ ସଂଧ୍ୟା ସାତଟା ବେଳୁ ଖାଇ ନିଅନ୍ତି। ଆଜି ସେ ନ ଫେରିବା ଯୋଗୁଁ କେମିତି ବ୍ୟସ୍ତ ହେଇ ଖାଇ ନଥିଲେ। ଯଦି ଜାଣିଥାନ୍ତେ କାଲି ମୁଁ ଏମିତି ଭୁଲ୍ କରି ବସିଛି କେତେଦିନ ଏମିତି ଅଖିଆ ଅପିଆ ପଡି ରହିଥାନ୍ତେ କୋଉ ଭଳି ଅବସ୍ଥା ରେ କିଏ ଜାଣେ!

ବାପା ପଚାରିଲେ -କଣ ଏମିତି ଚାହିଁଛୁ ?କଣ ମୋ ଠୁ ବି ଶୁଣିବୁ ମୁଁ ତତେ କେତେ ଭଲପାଏ? ପୁଅ ଥିବା ବାପ ଛାତି ଚଉଡା କରି ବୁଲେ ଆଉ ପୁଅ ନଥିବା ବାପ ର ଅଣ୍ଟା ନ ଇଁ ଯାଏ ବୟସ ଆଗରୁ। ଯେମିତି ଆମ ମିଶ୍ର ବାବୁ। ବେଳେବେଳେ ଖୁବ୍ ଦୁଃଖ ଲାଗେ ତାଙ୍କ ଉପରେ। ଭଗବାନ ଏତେ କଠୋର କେମିତି ପାଲଟି ଯାଆନ୍ତି କେଜାଣି? ଯାହା ଭାଗ୍ୟ ରେ ଯାହା ଅଛି। ଆମେ କହିଲେ କଣ ହେବ! 

ମୁଁ ଛାତ ହେଲେ ତୁ ମୋତେ ସମ୍ଭାଳି ଧରିଥିବା ସ୍ତମ୍ଭ। ଯାହା ବିନା ମୋର ଅସ୍ତିତ୍ୱ ନାହିଁ ତାକୁ କେତେ ଭଲପାଏ କେମିତି କହିବି? 

ଏଥର ଜିଲନ ସାନ ଭଉଣୀ ରିନୁ ଆଡକୁ ଚାହିଁଲାରୁ ସେ କହିଲା-ମୁଁ ତମକୁ କେତେ ଭଲପାଏ ଆଜି ସମାଜ ପେପରରେ ବାହାରିଛି। ସାରା ଓଡିଶା ଜାଣି ସାରିଲାଣି। ତମେ କେତେବେଳେ ଜାଣିବ? ତମ ଟେବଲ ପାଖରେ ପେପର ରଖାହେଇଛି ପଢି ନେବ ଖାଇ ସାରିଲେ। 

ଖାଇ ସାରି ଜିଲନ ଟେବଲ ଉପରେ ପଡିଥିବା ପେପରକୁ ଦେଖିଲା। ଭାଇ ମାନଙ୍କ ପାଇଁ କୋଟ୍ ସବୁ ଲେଖା ଯାଇଥିଲା। ରିନୁ ଲେଖିଥିବା କୋଟ୍ ପାଖରେ ନାଲି ଗାରରେ ଚିହ୍ନ ଦିଆ ଯାଇଥିଲା। ସେଥିରେ ଲେଖା ଥିଲା "ହୁଏତ ଅମ୍ଳଜାନ ବିନା ମୁଁ କିଛି ଦିନ ବଞ୍ଚି ଯାଇ ପାରିବି ମାତ୍ର ମୋ ଭାଇ ବିନା ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରିବିନି"। ପଢି ସାରିଲା ବେଳକୁ ରିନୁ ଆସି ତା ସାର୍ଟ ରେ ମୁହଁ ଲୁଚେଇ ଦେଲା। ଭାଇ! ସତ କହୁଛି, ମୁଁ ତମକୁ ବହୁତ ଭଲପାଏ। ନିଜଠୁ ବି ଅଧିକା।ଆଜି ତମ ଫୋନ ଯେତେବେଳେ ଏତେ ସମୟ ଧରି ଲାଗିଲାନି ମୁଁ କାନ୍ଦି ପକେଇଲି। ମା କହିଲେ-କଣ ପାଇଁ କାନ୍ଦୁଛୁ? ବ୍ୟସ୍ତ ହଅନି। ଫୋନରେ ଚାର୍ଜ ନଥିବ ବୋଧେ!ନହେଲେ ମୋ ପୁଅ କଣ ଏତେ ଦାୟିତ୍ବହୀନ ପିଲା! ତାର କୋଉ ସାଙ୍ଗର କଣ ଅସୁବିଧା ହେଇଥିବ ନିଶ୍ଚୟ। ଦେଖିବୁ ଆଉ ଟିକିଏ ପରେ କବାଟ କେମିତି ବାଡେଇବ। ସତକୁ ସତ ତମେ ଆସି ପହଞ୍ଚି ଗଲ। 

ଜିଲନ୍ ରିନୁ ଆଖିରେ ଢଳଢଳ ହେଇ ବହି ଯାଉଥିବା ଲୁହକୁ ପୋଛି କହିଲା-ହ ଉ ହ ଉ ଆଉ ଏତେ କାନ୍ଦନା ହେଲା। ଚାଲ୍ ସେଲଫି ନେବା। 

-ଏତେ ରାତିରେ! 

ଖୁସି ହେବା ଲାଗି ନିର୍ଦ୍ଦିଷ୍ଟ ମୁହୂର୍ତ୍ତ କଣ ଦରକାର କହି ଜିଲନ୍ ତା ସହ ଆଠ ଦଶଟି ସେଲଫି ନେଇ ଫେସବୁକ ଷ୍ଟାଟସ୍ ରେ ଅପଲୋଡ୍ କରି ଲେଖିଲା-ମୋ ଅଧା ହୃଦୟ ମୋ ଭ ଉଣୀ, ହୁଏତ ଅମ୍ଳଜାନ ବିନା ମୁଁ କିଛି ଦିନ ରହିପାରିବି ହେଲେ ମୋ ଭ ଉଣୀ ବିନା ନୁହେଁ। 

ରିନୁ ଆଶ୍ଚର୍ଯ୍ୟ ହେଉଥିଲା। ଆଜି ଯାଏଁ ତା ଫଟୋ ଅନେକ ଥର କହିବା ପରେ ତାଙ୍କ ଫେସବୁକ ଆଇଡି ରେ ଛାଡି ନଥିଲେ ଆଉ ଆଜି ଏମିତି ଲେଖି ତା ଭାଇ ପୋଷ୍ଟ କଲେ! 

ପୁଣି ତଳକୁ ଜିଲନ ଲେଖିଲା -ଆମେ ଯାହାକୁ ଭଲପାଉ କେବେ କେବେ ମନ ଖୋଲି ଜାହିର କଲେ ବହୁତ ଖୁସି ମିଳେ। କେବେ ଥରେ ଆପଣମାନେ କରି ଦେଖନ୍ତୁ ତ!

ରିନୁ କହିଲା-ଭାଇ ! ଆଜି କାହିଁକି ଇଚ୍ଛା ହଉଛି ପୁଣି ପିଲାଦିନ କୁ ଫେରିଯିବି। ଚାରି ବର୍ଷ ର ଛୁଆ ହେଇଯିବି। ତମେ ମୋତେ ହାତରେ ଉଠେଇ କେମିତି ଖୁସିରେ ଘରଯାକ ବୁଲୁଥିଲ।ମୋତେ ଟିକେ ତଳେ ବି ବସେଇ ଦଉ ନଥିଲ। 

ମା ଆସି କହିଲେ -ଏବେ ତ ତତେ ମୁଣ୍ଡ ଉପରେ ବସେଇଛି। ତୁ ଯେତେବେଳେ ଯାହା କହୁଛୁ ସେଇଆ କରୁଛି।ଆଉ କଣ ବାକି ରହିଯାଇଛି କାଲି ସକାଳେ ମନେପକେଇ କହିଦବୁ। ହ ଉ ତୁ ଯା ଶୋ ଯା। ମୋ ପୁଅ ରେଷ୍ଟ ନ ଉ। 

ଜିଲନ୍ ର ସକାଳୁ ସକାଳୁ ଫୋନ ରିଂ ହେଲା। କମ୍ପାନୀ ରୁ ଫୋନ ଥିଲା। ମ୍ୟାନେଜର କହିଲେ "ତୁମର ପ୍ରମୋସନ ହେଇଯାଇଛି। ଏଥର ଆପଣଙ୍କ ର ଦରମା ଚାଳିଶ ହଜାର। କମ୍ପାନୀ ତରଫରୁ ଆପଣଙ୍କୁ ଏକ ଘର ବି ଅଫର ମିଳିଛି। ଆପଣ ଆସିଲେ ସେ ବିଷୟରେ କଥା ହେବା"।ଜିଲନ୍ ବହୁତ ଖୁସି ହେଇଗଲା। ସାଙ୍ଗେ ସାଙ୍ଗେ ଘରେ ସମସ୍ତଙ୍କୁ ଜଣେଇ ଦେଲା।ମା ଗେଲ କରି କହିଲେ "ମୋ ପୁଅ କୁ କାହା ନଜର ନ ଲାଗୁ। ଏଥର ମନ ଲାଖି ବୋହୂଟିଏ ତୋ ବାପା ଙ୍କୁ ଖୋଜିବାକୁ କହିବି। ତୁ କଣ କହୁଛୁ?" 

ଜିଲନ ମାଙ୍କୁ ଧରି କହିଲା-ତମ ପସନ୍ଦ ମୋ ପସନ୍ଦ। 

ରିନୁ କଥା ଯୋଡିଲା। ଆଉ ମୋ ପସନ୍ଦ?ମୋ ପସନ୍ଦ ସେ ମିଶ୍ରବାବୁ ଙ୍କ ଝିଅ। ଯାହା କୁହ ମା ଏ ଦୁନିଆ ରେ ତାଙ୍କ ପରି ଝିଅ ଟିଏ ମିଳିବା ମୁସ୍କିଲ। ତମେ ଯଦି କହିବ ନା ମୁଁ ତାଙ୍କ ସହ କଥା ହେଇ ତାଙ୍କ ମନକଥା ଜାଣନ୍ତି। 

ମା କହିଲେ -ତୁ ତ ଭଲ ଝିଅ ଟେ ପସନ୍ଦ କରିଛୁ। ନା କରିବାର ପ୍ରଶ୍ନ ହିଁ ଉଠୁନି। ସେ କଣ କହିବ! ତା ବାପା ଯୋଉଠି ହଁ କରିବେ ସେ ରାଜି । ସେ ଖୁବ ସଂସ୍କାରି ପିଲା। 

ଜିଲନ ଚାଲି ଯାଉଥିଲା ହେଲେ ମା ପଛରୁ ଡାକିଲେ। ଶୁଣ୍ ଆସିଲାବେଳେ ମିଠା ଦି ପ୍ୟାକେଟ ଆଣି ମିଶ୍ର ବାବୁଙ୍କ ଘର ଆଡେ ଟିକେ ମୁହଁ ମାରି ଆସିବୁ। ସବୁବେଳେ ତୋ କଥା ପଚାରନ୍ତି। ତତେ ଭାରି ଭଲ ପାଆନ୍ତି। ତୋର ପ୍ରମୋସନ ହେବାର ଜାଣିଲେ ବହୁତ ଖୁସି ହେବେ। 

ସେଦିନ କମ୍ପାନୀ ରୁ ଫେରିବା ବେଳେ ସେଇ ପାହାଡୀ ରାସ୍ତା ପାଖରେ ଘଡିଏ ଅଟକି ଗଲା। ଭାବିଲା କାଲି ଆଉ ଆଜି ଭିତରେ କେତେ ତଫାତ୍। କାଲି ହତାଶ ହେଇ ଜୀବନ ହାରିବାକୁ ଯାଉଥିଲା ଆଉ ଆଜି ଖୁସିରେ ବିଭୋର ହେଇ ଜୀଇଁବା ଲାଗି ସମୟ ବି ଅଭାବ ପଡୁଛି। ବାଇକ୍ ରୁ ଓହ୍ଲେଇ ସେ ଲୋକ ଟିକୁ ଆଖପାଖରେ ଖୋଜିଲା। ତାକୁ ଥରେ ଧନ୍ୟବାଦ ଜଣେଇବା ଲାଗି। ହେଲେ କୋଉଠି ବି ଦେଖିବାକୁ ପାଇଲାନି। ମନେମନେ ଭାବିଲା ସେ ତ କହୁଥିଲେ ଏଠି ସେ ଦିନ ରାତି ରହନ୍ତି ବୋଲି! ବୋଧେ ଆଉ କୁଆଡ଼େ ଯାଇଥିବେ। ସେଠୁ ଆସି ସିଧା ମିଶ୍ର ବାବୁଙ୍କ ଘରକୁ ଗଲା। ମିଶ୍ର ବାବୁ ଦେଖି ତାକୂ ଘର ଭିତରକୁ ଡାକିଲେ। କଣ ପୁଅ, ଝିଅ ର ବାହାଘର ଠିକ୍ ହେଇଗଲା କି? 

-ନା, ମଉସା।ମୋର ପ୍ରମୋସନ୍ ହେଇଗଲା କହି ଜିଲନ୍ ମିଠା ପ୍ୟାକେଟ ତାଙ୍କ ହାତକୁ ବଢେଇ ଦେଲା। ମିଶ୍ର ବାବୁଙ୍କ ସ୍ତ୍ରୀ ତା ପାଇଁ କଫି ନେଇ ଆସିଲେ। "ସବୁ ଘରକୁ ତମ ପରି ଗୋଟିଏ ଗୋଟିଏ ଯୋଗ୍ୟ ପୁଅ ଥିଲେ ବାପାମାଙ୍କର ଦୁଃଖ ବୋଲି କିଛି ନଥିବ। ଆମର ତ ବେଳା ଖରାପ ପୁଅ। ଭଲ ପୁଅଟା ମୋର। କୋଉ ଅଲକ୍ଷଣୀ ଝିଅ କୁ ଭଲପାଇ ବସିଲା କେଜାଣି? ସେ ଆଉ କୋଉଠି ବାହା ହେଇଗଲା ବୋଲି ପାଗେଳାଟା ତା ଜୀବନ ନେଇଗଲା ଆମର ସେ ଭାଲେରି ପାହାଡ ରୁ ତଳକୁ ଡେଇଁ "। ଆଖି ଭରି ଆସିଲା ତାଙ୍କର। 

ଜିଲନ କଫି ପିଉ ପିଉ ସାମନାରେ ଥିବା ଫଟୋରେ ଫୁଲ ମାଳ ଦେଖି ଚମକି ପଡିଲା। ସ୍ଥାଣୁ ପାଲଟିଗଲା। ଫଟୋରେ ଥିଲା ସେଇ ଜଣକ ଯିଏ କାଲି ତାକୁ ବୁଝେଇ ସୁଝେଇ ଘରକୁ ଫେରେଇଥିଲା। 

ସେ ଭିତରେ ଅନୁଭବ କରୁଥିଲା ମରି ଯାଇଥିବା ଲୋକ ବି ବେଳେବେଳେ କେତେ ଯନ୍ତ୍ରଣା ଭିତର ଦେଇ ଗତି କରେ। ସତରେ! ଯନ୍ତ୍ରଣା କାହାର ବି ପିଛା ଛାଡେନି। ଏକଥା ବି ବୁଝି ଯାଇଥିଲା ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ। 


Rate this content
Log in

More oriya story from Manorama Hati

Similar oriya story from Tragedy