ମନ ଗୁଡି ମୋର ଯାଆ ଉଡି
ମନ ଗୁଡି ମୋର ଯାଆ ଉଡି
ମନ ଗୁଡି ମୋର କଥା ତୁ ମାନି କି
ଆକାଶକୁ ଉଡି ଯାଆ
ଉଡ଼ୁଥିବାବେଳେ ପ୍ରଭୁ ନାମ ଜପି
ପ୍ରଭୁ ଚିନ୍ତନରେ ଥାଆ ।
ଉଡିବା ଆଗରୁ ସୂତାକୁ ତୋହର
ଟିକିଏ ପରଖି ନେବୁ
ଉଡୁ ଭଡୁ ତୁହି ଆକାଶ ତଳରେ
ପ୍ରତିଯୋଗୀ ଯେ ନ ହେବୁ ।
ଆକାଶ ର ସେଇ ବିଶାଳତା କଥା
ଫେରିଆସି କହିଦେବୁ
ଅନୁଭବକୁ ତୋ ଜହ୍ନ ଆଲୋକରେ
ଶୀତଳ ଯେ କରି ଦେବୁ।
ଉଡ଼ୁ ଉଡ଼ୁ ତୁହି ମନେ ପକାଇବୁ
ଜୀବନର ଲକ୍ଷ୍ୟ କଥା
ଗରବରେ କେବେ ବାନ୍ଧି ହେବୁ ନାହିଁ
ଏ କଥା ମନେ ରଖି ଥା ।
ମନ ଗୁଡି ମୋର ଯାଆ ତୁ ଉଡିରେ
ଶଙ୍ଖ କ୍ଷେତ୍ର ବୁଲି ଆ
ଫେରିଆସି ତୁହି ଶ୍ରୀକ୍ଷେତ୍ର ଧାମର
ବାରତା ପରଶି ଯାଆ ।
ଭାବ ଭକତିର ନିଆରା ବାର୍ତ୍ତାକୁ
ସମାଜେ ପରଶି ଯାଆ
ଭାବ ଭକତିର ପରଶେ ସୂତାକୁ
ଦୃଢ କରି ରଖି ଥାଆ ।
ମନ ଗୁଡ଼ି ମୋର ଯାଆ ତୁ ଉଡିରେ
ବୃନ୍ଦାବନ ଆଡ଼େ ଯାଆ
ଚିନ୍ତା ଚେତନାରେ ପ୍ରେମର ପରଶ
ଭରି ଦେଇ ତୁ ଆ ।
ପ୍ରେମ ପରିଭାଷା ଅନ୍ତରରେ ଭରି
ଘରକୁ ତୁ ଫେରିଆ
କର୍ମ କର୍ତ୍ତବ୍ୟର ଗୁଢ ରହସ୍ୟକୁ
ସଂସାରେ ପରଶି ଯାଆ ।
ମନ ଗୁଡି ମୋର ଯାଆ ତୁ ଉଡିରେ
ବିଶ୍ଵାସେ ରଙ୍ଗୀନ ହୋଇ
ପ୍ରେମ ଭକତି ର ଶ୍ରଦ୍ଧାର ଡୋରରେ
ଉଡୁ ଥା ନିଶ୍ଚିନ୍ତ ହୋଇ ।
ମନ ଗୁଡ଼ି ମୋର ଯାଆ ତୁ ଉଡିରେ
ଜଗତକୁ ବୁଲି ଯା
ଇଶ୍ଵର ସୃଷ୍ଟିର ପ୍ରତି ଉପାଦାନୁ
ସଦ୍ ଭାବନା ନେଇ ଆ ।
ପ୍ରେମ ଭକତିର ସୁବାସ ଛୁଟାଇ
ସଦ୍ ଭାବନା ବାଣ୍ଟି ଯାଆ
କର୍ମ କର୍ତ୍ତବ୍ୟର ଅମୃତ ପରଶେ
ମୋହ ବନ୍ଧ ଭାଙ୍ଗି ଯାଆ ।
ମନ ଗୁଡ଼ି ମୋର ଉଡି ଉଡି ତୁହି
ଜଗତକୁ ଦେଖୁ ଥାଆ
ସକରାତ୍ମକ ର ବାରତାକୁ ଆଣି
ଜଗତେ ପରିଶି ଯାଆ ।
ତୋହରି ବାରତା ବିଶ୍ଵେ ଦେଉ ଆସ୍ଥା
ଜୀବନ ସାର୍ଥକ କର
ମଣିଷ ଜୀବନ ସାର୍ଥକ ହେଉରେ
ବିଶ୍ଵ ହେଉ ମଧୁମୟ ।