ବାଳକ ଧ୍ରୁବ
ବାଳକ ଧ୍ରୁବ


ମୁନି ସ୍ବୟମ୍ଭୁବ ଦୁଇଟି ସନ୍ତାନ
ଉତ୍ତାନପାଦ ,ପ୍ରିୟବ୍ରତ,
ଉତ୍ତାନପାଦର ଅର୍ଥ ଶିର ନୀଚ୍ଚେ
ଶୀର୍ଷେ ଥିବ ବେନି ପାଦ,
ପତ୍ନୀ ତାଙ୍କର ଦୁଇଟି
ସୁନୀତି ସୁରୁଚି ତାଙ୍କରି ନାମଟି
ରୂପ ଗୁଣ ବି ଅପୂର୍ବ ।।
ନୀତିନିଷ୍ଠ ଥିଲେ ସୁପଥେ ମଣିଷ
ସତ୍ୟ ପାଶେ ପହଞ୍ଚିବ,
ଆସୁ ଝଡ଼ଝଞ୍ଜା ଯେତେବି ବିପଦ
ଅବଶ୍ୟ ଦୂରେଇ ଯିବ,
ସତ୍ୟେ ପ୍ରାପ୍ତ ବାସୁଦେବ
ସୁନୀତି ବିନା ଦୁର୍ନୀତିର ପ୍ରବେଶ
ଅକସ୍ମାତ ହୋଇଯିବ ।।
ଋଚିପୂର୍ଣ୍ଣ ସିନା ସାମୟିକ ଖୁସି
ନୁହଁଇ କେବେହେଁ ସ୍ଥିର,
ଭସା ବାଦଲରେ ଉଡି ଚାଲିଯିବ
ଆସିବ ଘୋର ଅନ୍ଧାର,
ଋଚି ଛାଡ଼ି ନୀତି ଧର
ଉତ୍ତମ ନ ହେଉ କିନ୍ତୁ ସତ୍ୟ ଥାଉ
ଆଶୀଷ ଦେବତାଙ୍କର ।।
ଉତ୍ତାନପାଦଙ୍କ ଘର ବାହୁଡାରେ
ପତ୍ନୀ ପୁତ୍ର ଆନନ୍ଦିତ,
ପୁଷ୍ପ ଚନ୍ଦନରେ ପାଟରାଣୀ ତାଙ୍କୁ
କରିଣ ଥିଲେ ସ୍ବାଗତ ,
ସର୍ବେ ଭାବ ବିହ୍ଵଳିତ
ଦୁଇପୁତ୍ର ଉତ୍ତମ ଧ୍ରୁବ ମଧ୍ୟରୁ
ଧ୍ରୁବ କୋଳରେ ମଣ୍ଡିତ ।।
ରାଗେ ଜର୍ଜରିତ ସୁରୁଚି ରାଣୀ ଯେ
ହସ୍ତ ଧରି ଉଠାଇଲେ,
ପାଞ୍ଚ ବରଷର ବାଳକ ଧ୍ରୁବ ତ
କାନ୍ଦି କାନ୍ଦି ପଳେଇଲେ,
କହିଲେ ମାତା ସୁରୁଚି
କିମ୍ପାଇଁ ଏମନ୍ତ ବିଚାର କୁହ ତ
ସେ କି ମୋ ପିତା ନୁହଁନ୍ତି ଭଲେ ।।
କହନ୍ତି ବଚନ ରାଗରେ ଗର୍ଜନ
ପାଟରାଣୀ ପରା ମୁହିଁ,
ପିତାଙ୍କ କୋଳଟି ଉତ୍ତମର ଜାଣ
ନୁହେଁ କେବେ ତୁମ ପାଇଁ,
ମୋ ଗର୍ଭୁ ହୋଇଲେ ଜାତ
କର ତୁ ତପସ୍ୟା ନିର୍ଜନ ପ୍ରଦେଶେ
ପ୍ରାପ୍ତ ପିତା କୋଳ ଭଲେ ।।
ନିଷ୍ପାପ ଶିଶୁଟି ନ ଜାଣେ ତପସ୍ୟା
ଘୋର ବନକୁ ଗମନ,
ପଥେ ଚୋର ଖଣ୍ଟ ପଛରେ ଗମନ
ଦିଅ ଆଭୂଷଣ ମାନ,
ପହଞ୍ଚି ଗଲେ ତତକ୍ଷଣ
ସାହସ ସଞ୍ଚୟେ ଧ୍ରୁବ ପଚାରିଲେ
ଦେଖିଛ କି ଭଗବାନ ।।
ସୁବର୍ଣ୍ଣାଳଙ୍କାର ଘେନି ଗଲେ ଚୋର
ଶୀର୍ଷରୁ ନିକ୍ଷେପ କଲେ,
ନାରାୟଣ ବୋଲି ତୁଣ୍ଡେ ଉଚ୍ଚାରିଣ
ତଳକୁ ତଳକୁ ଗଲେ,
ବିଷ୍ଣୁପ୍ରିୟା ଯେ ଦେଖିଲେ
କୋଳେ ଧରିନେଇ ମଥାରେ ଚୁମ୍ବନ
ଆସିବା କଥା ପୁଚ୍ଛିଲେ ।।
ନାରାୟଣଙ୍କୁ ମୁଁ ଖୋଜୁଛି ଗୋ ମାତା
କେଉଁଠି ବାସ ତାଙ୍କର,
ଗୁରୁ ଯେ ତୁମ୍ଭକୁ ଠିକଣା କହିବେ
ଆଗ ତୁମ୍ଭେ ଗୁରୁ କର,
ଆକାଶ ମାର୍ଗେ ନାରଦ
ଚିନ୍ତିଲେ ତାହାଙ୍କୁ ଯହୁଁ ବିଷ୍ଣୁପ୍ରିୟା
ମିଳିଲେ ପାଶେ ତାଙ୍କର ।।
ଶିଷ୍ୟ ରୂପେ ଧ୍ରୁବ ଗୁରୁ ଯେ ନାରଦ
ଦ୍ବାଦଶାକ୍ଷର ବତାଇ,
ଚାଲିଗଲେ ବିଷ୍ଣୁପ୍ରିୟା ଓ ଦେବର୍ଷି
ଧ୍ରୁବ ଜପ କରୁଥାଇ,
ଖାଦ୍ୟ ତ୍ୟାଗ ପ୍ରଥମରେ
ଜଳତ୍ୟାଗ ପରେ ବାୟୁ ନିରୋଧିଲେ
ଇନ୍ଦ୍ରାସନ ଦୋହଲଇ ।।
ସ୍ଥିର ହୋଇଗଲା ପବନର ଗତି
ଲହଡ଼ି ହୋଇଲା ସ୍ଥିର,
ସୂର୍ଯ୍ୟ ଚନ୍ଦ୍ର ଯେତେ ଗ୍ରହ ଓ ନକ୍ଷତ୍ର
ସଭିଏଁ ହୋଇଲେ ସ୍ଥିର,
ଜୀବଜଗତ ଅସ୍ଥିର,
ନିରୁପାୟ ହୋଇ ପଶିଲେ ଶରଣ
ଯାଇ ବିଷ୍ଣୁଙ୍କ ପୟର ।।
ଅନନ୍ତ ଶୟନ କରିଥିଲେ ବିଷ୍ଣୁ
ଧ୍ରୁବ ପାଶେ ପହଞ୍ଚିଲେ,
ଅତି ଆଦରରେ ଭକତ ଧ୍ରୁବଙ୍କୁ
କୋଳେ ନେଇ ବସାଇଲେ,
ପ୍ରଭୁଙ୍କୁ ଧ୍ରୁବ ପାଇଲେ
ହୋଇଗଲା ମନ କାମନା ପୂରଣ
ସ୍ବର୍ଣ୍ଣାକ୍ଷରେ ଲେଖାହେଲେ ।।