କଳା ମେଘ
କଳା ମେଘ
ଆକାଶେ ଭାସୁ ତୁ ମାଳ ମାଳ ହୋଇ କଳା ମେଘ,
ତତେ ଦେଖି ବନେ ମୟୁର ନାଚଇ ଚଉଦିଗ।
ଚଷା ପୁଅ ଖୁସି ହୁଅଇ କେତେ ତୋ ଆଗମନେ,
ତରୁ ଲତା ପକ୍ଷୀ ଚାତକ ପିଆସୀ ଥାନ୍ତି ବନେ।
ତୋ କରୁଣା ବଳେ ସିଞ୍ଚି ଦେଏ ତିଳେ ଶୀତ ଜଳ,
ସେଇ ଜଳେ ତରୁ ଲତା ବନେ ପାଇବେ ଯେ ବଳ।
ମାତା ବସୁମତୀ ଚରଣ ଧୋଇଦେ' ଉଠି ଆସି,
ତୋ ପରଶେ ମାତା ହେବ ସବୁଜିମା ହସି ହସି।
ନଦୀ ପୁଷ୍କରିଣୀ ଚାହିଁ ବସିଛନ୍ତି ତୋର ବାଟ,
ତିଳେ ଆଉ ତୁହି ବିଳମ୍ବ ନକରି ହୁଅ ଭେଟ।
ତୋ ଦୟା ହୋଇଲେ ତରତର ହୋଇ ଉଠେ ଚାଷୀ,
ତୋ ଜଳ ପାଇଲେ କେତେ ଲତା ଧରେ ଫୁଲ କଷି।
ସାଗର ଜଳେ ତୁ ହୋଇଚୁ ଯେ ଗଢ଼ା ରବିକରେ,
ଅନନ୍ତ ଗଗନେ ଭାସି ଭାସି ଯାଉ ଆନନ୍ଦରେ।
ସରଗୁ ଓହ୍ଲାଇ ଆସେ ଯହିଁ ତୋର ଧାରା ବାରି,
ଓଳି ତଳେ ଫୁଲ ଫୁଟଇ ଯେମନ୍ତ ହୀରା ପରି।
ତତେ ଦେଖି କେତେ କେ ଆନନ୍ଦେ ନାଚେ ମର୍ତ୍ତ୍ୟପୁରେ,
ତୋର ପାଇଁ ଶସ୍ୟ ସମ୍ପଦ ହୁଅଇ ମଞ୍ଚପୁରେ।