Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeet kumar Das

Tragedy

3  

Rajeet kumar Das

Tragedy

ଅନ୍ୟ ଏକ ଭାଗିରଥି

ଅନ୍ୟ ଏକ ଭାଗିରଥି

3 mins
482


ଅନ୍ୟ ଏକ ଭାଗିରଥି

ବଡି ଭୋର ରୁ ଭାଗିରଥି ଗାଧୋଇ ପଡି ଜାମା ଯୋଡ଼ ହଳେ ପିନ୍ଧି ବାହାରି ପଡ଼ିଲା ତହସିଲ ଅଫିସ କୁ,ନୋଟିସ ଆସିଛି ତା ଜମି କୁ କୋଉ କମ୍ପାନୀ ନେଉଛି।ଜମି ବୋଇଲେ ଦୁଇ ମାଣ ଗୋସବାପା ଙ୍କ ଅମଳରୁ ଯେଉଁ ଜମି ଦଶ ମାଣ ଥିଲ ତାକୁ ଭଉଣୀ ମାନଙ୍କ ବାହାଘର ପାଇଁ ବିକି ଭାଙ୍ଗି ଆଉ ମାତ୍ର ଦୁଇ ମାଣ ଅଛି।

ଆଠଟା ସୁଧା ତହସିଲ ଅଫିସ ରେ ପହଂଚିଗଲା, ଅଫିସର ୧୦ ଟା ପରେ ଆସିବେ।ନାଲି ନୋଟିସ ଖଣ୍ଡ କ ଅଣ୍ଟାରେ ମାରି ତହସିଲ ସାମନା ବରଗଛ ମୂଳେ ବସିପଡ଼ିଲା।ମନ ଭିତରେ ଅନେକ ପ୍ରଶ୍ନ , ଜମି ଚାଲିଗଲେ ଆମେ ଖାଇବୁ କଣ ।ଯେନ ତେନ ପ୍ରକାରେ ଧାନ ଗଣ୍ଡାକ ବର୍ଷେ ନ ହେଲେ ବି ୮/୧୦ ମାସ ଚଳି ଯାଉଥିଲା।ଆଉ ଦୁଇ ମାସ ମୂଲ ମଜୁରୀ ଲାଗି ଚଳେଇ ନେଉଥିଲା। ଛବି ଦାଦି କହୁଥିଲା କମ୍ପାନୀ ଜମି ନେଲେ ବହୁତ ଟଙ୍କା ଦେବ, ଜଣକୁ ଚାକିରି ବି ମିଳିବ ହେଲେ ଏ ବୟସରେ ସେ କି ଚାକିରୀ କରିବ। ପୁଅ ଟା ପାଖରେ ଥିଲେ ସିନା କିଛି କାମ ଧନ୍ଦା କରିଥାନ୍ତା।ହେଲେ ସେ କୋଉ ପାଖରେ ଅଛି, ଗଲା ୫ବର୍ଷ ହେଲା ତା ଭାର୍ଯ୍ୟା କୁ ଧରି ସୁରଟ ଯାଇଛି ଯେ ଆସିବାର ନା ଧରୁ ନାହିଁ କି ପଇସା ପତ୍ର ବି ପଠାଉ ନାହିଁ।

ଅନ୍ଧୁଣି ମାଆ ଟା କଥା ବି ତାର ମନେ ପଡୁନି।

ଅସରନ୍ତି ଭାବନା ଭିତରେ କେତେବେଳେ ୧୦ଟା ବାଜିଗଲାଣି ତାକୁ ଜଣାପଡିନି।ତହସିଲ କାର୍ଯ୍ୟାଳୟ ରେ ଗହଳି ଚହଳି ଲାଗିଗଲାଣି।ଅଣ୍ଟା ରୁ ନାଲି କାଗଜ ଟେ କାଢି ଅଫିସ ଆଡକୁ ପାଦ ବଢ଼ାଇଲା। ଅଫିସର ଙ୍କ ଟେବୁଲ ପାଖରେ ପହଞ୍ଚି ବିନମ୍ର ପ୍ରଣିପାତ ଟିଏ ଜଣାଇଲା, ଅଫିସର ତା ହାତରୁ ନୋଟିସ ଟି ନେଇ ତାକୁ ପଚାରିଲେ ତୁ ଭାଗିରଥି ନାୟକ,କଅଁଳିଆ ହଁ ଟେ ମାରିଲା ଭାଗିରଥି।ତଗଡା ସ୍ୱର ରେ ଅଫିସର କହିଲେ ତୋର ୫ ଭଉଣୀ ଅଭିଯୋଗ କରିଛନ୍ତି ସେମାନେ ଜମିରୁ ଭାଗ ନେବେ।ଆସନ୍ତା ମାସରେ ଭଉଣୀ ମାନଙ୍କୁ ଆଣି ତମ ଟଙ୍କା ନେଇଯିବ। ଅଦିନରେ ଚଡକ ପଡ଼ିଲା ପରି ନଥ କରି ବସିପଡ଼ିଲା ଭାଗିରଥି ।ବାପା ମରିଗଲା ପରେ ଯୋଉ ଭଉଣୀ ମାନଙ୍କୁ ବଡ କରି ଭଲ ଘରେ ବାହା ଦେଲା,ସେମାନେ ଆଜି ତା ଟଙ୍କାକୁ ବନ୍ଦ କରିଛନ୍ତି।ମୁଣ୍ଡ ଟା ତାର ଚକର ଖାଇଗଲା।ତଥାପି ସାହସ ବାନ୍ଧି ଘରକୁ ଫେରିଲା।

ଦାଣ୍ଡ ପିଣ୍ଡାରେ ଅନ୍ଧୁଣି ସ୍ତ୍ରୀ ବସିଥିଲା।ସ୍ୱାମୀ ର ଫେରିବା ଜାଣିପାରି ପଚାରିଲା କେତେ ଟଙ୍କା ମିଳିଲା,ଦିର୍ଘ ନିଶ୍ୱାସ ଟେ ଛାଡି କହିଲା ଟଙ୍କା କଣ ଆଉ ମିଳିବ,ଭଉଣୀମାନେ କେସ କରିଛନ୍ତି ପରା। ତମେ ଯାଇ ସେମାନଙ୍କୁ କୁହ ,ଆମେ ତ ବହୁତ ଅସୁବିଧାରେ ଚଳୁଛେ,ସେମାନେ ତ ବହୁତ ଭଲରେ ଅଛନ୍ତି।ତାଙ୍କୁ କହିଲେ କଣ ତମ କଥା ଶୁଣିବେନି। ହଉ ଦେଖିବା, ଛୋଟିଆ ଉତ୍ତର ଟେ ଦେଇ ଦାଶରଥି ମସିଣା ଖଣ୍ଡକ ଧରି ଅଗଣା କୁ ଚାଲିଗଲା।

ଦୁଇ ଦିନ ପରେ ଭାଗିରଥି ବାହାରିଲା ଭଉଣୀ ମାନଙ୍କୁ ମନେଇବା ପାଇଁ,ପାଞ୍ଚ ଭଉଣୀ ମଧ୍ୟରୁ ୨ଜଣ ବହୁତ ଭଲ ପାଆନ୍ତି ତାକୁ,ସେମାନେ କହିଲେ ଆମର କଣ ଜମିବାଡ଼ି ନାହିଁ ଯେ ତମ ଜମି ରୁ ଭାଗ ନେବୁ।ଏ ଅଳପେଇସା ଛୁଆ ଗୁଡା ମାଉସୀ ମାନଙ୍କ ବୁଦ୍ଧି ରେ ପଡି ଏମିତି ହେଉଛନ୍ତି।ତାପରେ ଅନ୍ୟ ୩ ଭଉଣୀ ସିଧା ସିଧା ମନା କରି ଦେଲେ କେସ ଉଠାଇବାକୁ।ଯେତେ ଅନୁରୋଧ କଲେବି କିଛି ଲାଭ ହେଲାନାହିଁ।ମନ ଦୁଃଖରେ ଘରକୁ ଫେରି ଆସିଲା ଭାଗିରଥି।ସ୍ତ୍ରୀ ପଚାରିବାରୁ କହିଲା କିଛି ଲାଭ ହେଲାନାହିଁ।ମନା କରିଦେଲେ ସେମାନେ।

ପାଖାପାଖି ୩ ଦିନ ହେବ ଘରେ ଚୁଲି ଜଳିନି, ପଖାଳ ଗଣ୍ଡାକ ଥିଲା ଯେ ତାହା ମଧ୍ୟ ଖରାପ ହୋଇଗଲାଣି ୨/୩ ଦିନ ହେବ କାମ ଧନ୍ଦା ବି ବନ୍ଦ।ଯାହା ଚାଉଳ ଗଣ୍ଡାକ ବଣା ରେ ପଡିଛି, ହେଲେ ଚୁଲି ଲଗାଇବାକୁ ଜୁ ପାଉନାହିଁ।

ଏମିତି ଏମିତି ୧୫ଦିନ ଚାଲିଗଲା।ଗାଁ ର ପ୍ରାୟ ସବୁ ଲୋକ ଟଙ୍କା ଆଣିସାରିଲେଣି।ସଂଧ୍ୟା ରେ ସ୍ତ୍ରୀ କହିଲା ଗାଁ ଲୋକ କହୁଛନ୍ତି ଦଣ୍ଡା ସାହି ଛବି ଦାଦି କୁଆଡେ ଅଫିସର ଙ୍କୁ ହାତ କରି ଟଙ୍କା ଉଠାଇ ଆଣୁଛି।ତମେ ଯାଇ ପଚାରୁନ। କଥା ପଦକ ଶୁଣି ଭାଗିରଥି ମନରେ ଟିକେ ଦକ ପଶିଲା।

ତା ପରଦିନ ସକାଳୁ ସକାଳୁ ଯାଇ ଛବି ଦାଦି କୁ ସବୁକଥା ବଖାଣି ଗଲା।ଅଫିସର ଙ୍କ ସହ କଥା ହୋଇ ଜଣାଇବା ର ପ୍ରତିଶୃତି ନେଇ ସେଠୁ ଫେରିଲା।ତାର ଠିକ ୨ ଦିନପରେ ଛବି ଦାଦି ଖବର ଦେଲା ୫୦ହାଜର ଯୋଗାଡ଼ କର, ଅଫିସର ଙ୍କୁ ଦେଲେ ସେ ଭଉଣୀ ମାନଙ୍କ ନା କାଟି ତୋ ଟଙ୍କା ପେମେଣ୍ଟ କରିଦେବ।୫୦ହଜାର କଥା ଶୁଣି ତାର ବଞ୍ଚିଥିବା ସବୁତକ ଆଶା ପାଣିଫୋଟକା ପରି ମିଳେଇ ଗଲା।କଣ କରିବ ବୁଦ୍ଧି ବାଟ କିଛି ଦେଖାଯାଉନି ।ମନ ଦୁଃଖ ରେ ଘରେ ପହଂଚିଲା ବେଳକୁ ,ପୁଅ ସୁରଟ ରୁ ଆସି ପହଞ୍ଚିଛି।୧୦ ବର୍ଷ ହେଲା ଯୋଉ ପୁଅ, ବାପା ମା ମଲେଣି କି ଗଲେଣି ଦେଖିବାକୁ ଆସୁନଥିଲା, ସେ ଆସିଛି ମାନେ କିଛି କାରଣ ନେଇ ଆସିଛି।ମାକୁ ପଚାରି ବାରୁ କହିଲା,ସେ ଜମି ଟଙ୍କା ରୁ ଭାଗ ନେଇ କଣ ଗୋଟେ ଗାଡି ବାହାର କରିବ। କାନ୍ଥ କୁ ଆଉଜି ବସିପଡ଼ିଲା ଭାଗିରଥି, ରାତି ପାଖାପାଖି ୧୦ ତା ବାଜିଲାଣି,ଖାଇବାକୁ ଡାକିଲେ ମଧ୍ୟ ଉଠିବାକୁ ତାର ଇଚ୍ଛା ନାହିଁ।ଏମିତି ଏମିତି ଅଫିସର ଙ୍କ ଏକ ମାସ ସମୟଟା ମଧ୍ୟ ଅତିକ୍ରମ କରିଗଲା।ଭଉଣୀ ,ପୁଅ ସେମାନଙ୍କ ଟଙ୍କା ଉଠାଇ ନିଜ ନିଜ ବାଟରେ ଚାଲିଗଲେ।

ସଞ୍ଜ ଆକାଶ ର ତାରା ଗୁଡିକ ମିଞ୍ଜି ମିଞ୍ଜି ହୋଇ ଜଳୁଥାନ୍ତି,ଦାଣ୍ଡ ଅଗଣାରେ ଛିଣ୍ଡା ମସିଣା ଟେ ପକାଇ ଆକାଶକୁ ଚାହିଁ ରହିଛି ଭାଗିରଥି।ବାପା ତାର ସ୍ୱର୍ଗ ରୁ ଡାକୁଛି ଆ ସେଠି କାହିଁକି ପଡି ରହିଛୁ।ମୋ ପାଖକୁ ଚାଲିଆ, ନଚେତ ସେମାନେ ତୋତେ ମଧ୍ୟ ବିକିଦେବେ.......

ରଜୀତ

ସିଙ୍ଗିଟାଳି

ପାରାଦୀପ


Rate this content
Log in

Similar oriya story from Tragedy