ଅନୁରାଗ
ଅନୁରାଗ
ଗୁରୁଜନ ମନ ତୋଷିବି ମୁଁ ତାଙ୍କୁ ଭକତି କରି,
ଲଘୁ ଜନ ମନ କିଣି ନେଇ ଯିବି ସ୍ନେହ, ପ୍ରେମ ଆଉ ଆଦର ଭରି I
ଭଲ ପାଇବାର ଭଲ ଗୁଣଟିକୁ ରଖିବି ହୃଦୟେ ଯୋଡି,
ହିଂସା, କପଟତା ପାଖକୁ ମୋହର ନ ଆସିବ କେବେ ଡରି I
ପୋଷା ମାନି ମୋର ପାଖକୁ ଆସିବେ ପଶୁ ପକ୍ଷୀ ନାନା ଜାତି,
ଯେତେ ହିଂସ୍ର ହେଉ ଝୁରି ହେବେ ମୋର ଭଲ ପାଇବାକୁ ନିତି I
ଭଲ ପାଇବି ମୁଁ ବୃକ୍ଷ ଲତା ତରୁ ଲଗାଇବି ହସି ହସି,
ତାହାରି ଛାୟାରେ ବାଟୋଇ ହସିବ ଅଧରେ ଛୁଟାଇ ଖୁସି I
ଦୁଃଖୀ ରଙ୍କୀଙ୍କୁ ବି ଭଲ ମୁଁ ପାଇବି ଶକ୍ତି ମୁତାବକ ସାହାଯ୍ୟ କରି,
କିଞ୍ଚିତ ସାହାଯ୍ୟ ପାଇ ମୋ ଫୁଟିବ ତାଙ୍କରି ଅଧରେ ହସ ଲହରୀ I
କୃଷକ ଭାଇଙ୍କୁ ଭଲ ମୁଁ ପାଇବି ଫସଲକୁ ତାର ସମ୍ମାନ କରି,
ଖାଦ୍ୟ ଯୋଗାଇ ଯେ ହସୁଥାଏ ନିତି ଆମରି ଭୋକିଲା ପେଟକୁ ଭରି I
ଶିକ୍ଷକମାନଙ୍କୁ ଭଲ ପାଇବି ମୁଁ ଯେ ଆମ ଅନ୍ଧାର କରନ୍ତି ଦୂର,
ଜ୍ଞାନ ଆଲୋକକୁ ପ୍ରସ୍ପୁଟିତ କରି ଆମକୁ ଦେଖାନ୍ତି ଶିଖର ସ୍ତର I
ଭଲ ପାଇବି ମୁଁ ସେଇ ଡାକ୍ତରଙ୍କୁ ରୋଗୀଙ୍କୁ ଯେ ନୂଆ ଜୀବନ ଦିଏ
ଦ୍ଵିତୀୟ ଈଶ୍ଵର ଭାବରେ ମନରେ ତାଙ୍କ ପ୍ରତି ମୋର ସମ୍ମାନ ଥାଏ I
ସେଇ ସୈନିକଙ୍କୁ ଭଲ ମୁଁ ପାଇବି ଦେଶ ପାଇଁ ଯିଏ ଜୀବନ ଦିଏ,
ପ୍ରଣିପାତ ତାଙ୍କ ଚରଣେ କରେ ମୁଁ, ରହିଥାନ୍ତୁ ସଦା ଅମର ସିଏ I
ଭଲ ପାଇବି ମୋ ଜନମ ମାଟିକୁ, ତା ପାଇଁ ଜୀବନ ଦେବି,
ତ୍ରିରଙ୍ଗା ଧ୍ଵଜାକୁ ଆତ୍ମାରେ ବସାଇ ତା ସଂଗୀତ ଗାଉ ଥିବି I