Soumya Rath

Horror

3.5  

Soumya Rath

Horror

ଟପ୍ ଟପ୍

ଟପ୍ ଟପ୍

5 mins
232



ମାଧୁରୀ ଆଉ ସୁରେଶଙ୍କ ବାହାଘର ପାଞ୍ଚ ମାସ ପୁରିଗଲାଣି । ଦୁହେଁ ବହୁତ ଖୁସି ଥାଆନ୍ତି ପରସ୍ପର ସାନ୍ନିଧ୍ୟରେ । କିନ୍ତୁ ମାଧୁରୀକୁ ସୁରେଶର ଗୋଟିଏ ଅଭ୍ୟାସ ବହୁତ ବିଚିତ୍ର ଲାଗେ । ସେଇଟା ହଉଛି କୌଣସି ପ୍ରକାର ପାଣି କି ତରଳ ପଦାର୍ଥ ସେ ଟପ୍ ଟପ୍ ହେଇ ପଡ଼ୁଥିବାର ଦେଖିଲେ ପାଗଳ ପ୍ରାୟ ହେଇଯାଏ, ଦଉଡ଼ି ଦଉଡ଼ି ତାକୁ ଖୋଜି ସେ ଶବ୍ଦ ବନ୍ଦ ନ ହେବା ଯାଏ ଏତେ ବ୍ୟସ୍ତ ହେଇଯାଏ ଯେ ତାକୁ ଦେଖିଲେ ଯେ କେହି ଡରିଯିବ । ତା ଆଖିରେ ଗୋଟିଏ ଅଜବ ଭୟ ଉଙ୍କି ମାରୁଥାଏ ସେତେବେଳେ । ଦିନେ ମାଧୁରୀ ଅଡ଼ି ବସିଲା ସୁରେଶଠୁ ଏହାର ରହସ୍ୟ ଜାଣିବାକୁ । ସୁରେଶ ବହୁତ ମନା କରୁଥାଏ । କିନ୍ତୁ ଶେଷରେ ମାଧୁରୀ ଜିଦ ଆଗରେ ହାର ମାନିଲା ଆଉ କହିବା ଆରମ୍ଭ କଲା । 

ଘଟଣାଟି ଠିକ ଦଶ ବର୍ଷ ପୁରୁଣା । ସୁରେଶ ନୂଆ କରି ଭବାନୀପାଟଣା କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥାଏ । ଏତେ ସୁନ୍ଦର ଜାଗାରେ ନୂଆ ଚାକିରୀ । ସୁରେଶ ବହୁତ୍ ଖୁସି ଥାଏ । କ୍ୱାର୍ଟର୍ସ୍ ବି ମିଳିଥାଏ ତାକୁ କଲେଜଠୁ ଟିକେ ଦୂରରେ । ଯିବା ଆସିବା ରାସ୍ତାଟି ଜଙ୍ଗଲିଆ, ଏମିତିରେ ତ ପୁରା ଭବାନୀପାଟଣାଟି ଘଞ୍ଚ ସବୁଜ ବନାନୀରେ ସୁଶୋଭିତ । କିନ୍ତୁ ସେଇ ରାସ୍ତାଟି ପାଇଁ ସେଠିକା ଲୋକ ଟିକେ ବେଶି ଭୟ ପାଉଥିବାର ସୁରେଶ ଲକ୍ଷ୍ୟ କରେ । ସମସ୍ତେ ସନ୍ଧ୍ୟା ଆଗରୁ ସେ ରାସ୍ତାରେ ଘରକୁ ଫେରିଯିବା ପସନ୍ଦ କରନ୍ତି । ଏ ବାବଦରେ କଲେଜରେ ଥିବା ବୟୋଜ୍ୟେଷ୍ଠ ପିଅନକୁ ପଚରା ପଚାରି କରିବାରୁ, ସେ କହିଲା ବାବୁ ଆପଣ ଏ ସବୁ ବିଶ୍ୱାସ କରିବେନି, ଖାଲି ଚେଷ୍ଟା କରିବେ ସନ୍ଧ୍ୟା ପରେ ସେ ରାସ୍ତାରେ ଆଉ ନ ଯିବାକୁ । ଆଉ ଅଧିକ କିଛି କହିବାକୁ ମଙ୍ଗୁ ନଥାଏ ସେ , କହିଲା ଆପଣ ପିଲା ଲୋକ ଏତେ କଥା ଶୁଣନ୍ତୁନି ଡର ବସିଯିବ ମନରେ । ଖାଲି ଦିନ ଥାଉ ଥାଉ ସେ ଜାଗା ପାର ହେଇଯିବେ । 


ଏଣୁ ସୁରେଶ ବି ଆଉ ସେ କଥାରେ ଏତେ ଗୁରୁତ୍ୱ ଦେଲାନି ଆଉ କ୍ରମେ ଭୁଲି ବି ଗଲା । ଦିନେ କଲେଜରେ ଏକ ଗୁରୁତ୍ୱପୂର୍ଣ୍ଣ କାମ ପଡ଼ିବାରୁ ତାର ଅନେକ ଡେରି ହେଇଗଲା । ଫେରୁ ଫେରୁ ରାତି ଆଠ, ଶୀତଦିନ ସବୁଆଡ଼ ଶୁନଶାନ୍ । ଆଉ ମଝିରେ କେବଳ ରାତ୍ରିଚର ପକ୍ଷୀଙ୍କ ସ୍ୱର । ସୁରେଶ ତା ସ୍କୁଟର ନେଇ ଫେରୁଛି, ଠିକ୍ ସେଇ ରାସ୍ତାରେ ଗାଡ଼ିଟି ବନ୍ଦ ପଡ଼ିଗଲା । ସୁରେଶ ଭାବିଲା ଗାଡ଼ି ପେଟ୍ରୋଲରେ ମଳି ଯୋଗୁଁ କି ଉଠାଣି ପାଇଁ ଗାଡ଼ି ବନ୍ଦ ହେଇଛି, କିକ୍ ପରେ କିକ୍ ମାରୁଥାଏ । କେହି କୁଆଡ଼େ ଦେଖା ଯାଉନଥାନ୍ତି, ହଠାତ୍ ସୁରେଶ କିଛି ଗୋଟେ ଟପ୍ ଟପ୍ ହେଇ ପଡୁଥିବାର ଶୁଣିଲା । ଚାରିଆଡ଼େ ଦେଖିଲା କିଛି ଦେଖାଯାଉନଥାଏ, ଟିକେ ଛାନିଆ ଲାଗିବାରୁ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲା, ଆଉ ହଠାତ୍ ଗାଡ଼ିଟି ଷ୍ଟାର୍ଟ ହେଇଗଲା । ଅବିଳମ୍ବେ ଜୋରରେ ସେ ଘର ଆଡ଼େ ମୁହେଁଇଲା । ତା ପରଦିନ କଲେଜରେ ସେ ପୁଣି ଡେରିଯାଏ ରହିଯାଇଥାଏ, ଟିକେ ଡର ତ ଲାଗୁଥାଏ କିନ୍ତୁ ଘର ଅଭିମୁଖେ ବାହାରିଲା । ତାକୁ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ଗାଡ଼ିଟି ପୁଣି ସେଇ ଜାଗାରେ ବନ୍ଦ ପଡ଼ିଗଲା, ଆଉ କାନକୁ ଆଉ ଟିକେ ପାଖରୁ ଟପ୍ ଟପ୍ ଶବ୍ଦ ଆସୁଥାଏ । ସେ ଡର ଛାଡ଼ି ଗାଡ଼ି ସଜାଡୁଥାଏ, କାକର ପଡ଼ି କୋଉଠି ଏମିତି ଶବ୍ଦ ହଉଛି ଭାବୁଥାଏ । ହଠାତ୍ ତାକୁ ଲାଗିଲା ଶୁଖିଲା ପତ୍ର ଉପରେ କେହି ଜଣେ ପଛ ଆଡୁ ତା ଆଡ଼କୁ ଚାଲି ଚାଲି ଆସୁଛି । ସେ ବୁଲି ଦେଖିବାକୁ ଭାବିଲା ବେଳକୁ ତା ମୋବାଇଲଟି ବାଜି ଉଠିଲା, ମାଆ ଫୋନ୍ କରିଥିଲା । ଫୋନ୍ ଉଠେଇବା ଭିତରେ ଗାଡ଼ି ବି ଷ୍ଟାର୍ଟ ହେଇଗଲା ଆଉ ସେ ପଛକୁ ନଦେଖି ସେଇଠୁ ପଳେଇଲା । 

ଏ ଘଟଣାକୁ କୋଡ଼ିଏ ଦିନ ବିତି ଯାଇଥାଏ, ଆଉ ଦିନେ ରାତିରେ ତାକୁ କଲେଜରୁ କିଛି ଜରୁରୀ କାଗଜ ପତ୍ର ଆଣିବାକୁ ଯିବାକୁ ପଡ଼ିଲା । ଅନିଚ୍ଛା ସତ୍ତ୍ୱେ ସେ ବାହାରିଲା, ଠିକ୍ ସେଇ ଜାଗାରେ ପହଞ୍ଚିଛି, ଗାଡ଼ି ଆଲୁଅରେ ଜଣେ ଅଳ୍ପ ବୟସ ବିବାହିତା ଝିଅଟିଏ ତା ଆଡ଼କୁ ଖୁବ ଜୋରରେ କାନ୍ଦି କାନ୍ଦି ଦୌଡ଼ି ଆସୁଥିବାର ଦେଖିଲା । ବ୍ରେକ ମାରୁ ମାରୁ ସେ ପ୍ରାୟ ରାସ୍ତା ତଳକୁ ବଣ ଭିତରକୁ ଛିଟିକି ପଡ଼ିଲା ଆଉ ଚେତାଶୂନ୍ୟ ହେଇଗଲା । କେତେ ଘଡ଼ି ବିତିଗଲା ଜଣା ନାହିଁ । ସୁରେଶର ଚେତା ତା ମୁହଁରେ କିଛି ଗୋଟେ ଉଷୁମ ତରଳ ପଦାର୍ଥ ଟପ୍ ଟପ୍ ହେଇ ପଡୁଥିବାର ଅନୁଭବ ସହ ଆସିଲା । ସେ ଧଡ଼ପଡ଼ ହୋଇ ଉଠି ଗତ ଘଟଣା ମନେ ପକେଇବାକୁ ଚେଷ୍ଟା କରୁଥାଏ । ସେତେବେଳକୁ ସେ ଝିଅ କଥା ତାର ମନେ ପଡ଼ିଲା, ସେ ଉଠିଲା ବେଳକୁ ଗୋଡ଼ରେ ଆଘାତ ଲାଗିଛି ଆଉ ଠିକରେ ଚାଲି ହେଉନି । ଏବେ ବି ରାତି ଗାଢ଼ ଥାଏ ସେ ଛୋଟେଇ ଛୋଟେଇ ଗାଡ଼ିଟି ସିଧା କରି ହେଡ-ଲାଇଟ ଜଳେଇଲା । ତା ଆଖି ସେ ଝିଅଟିକୁ ଖୋଜୁଥାଏ କାଳେ କୋଉଠି ଖାଣ୍ଡିଆ ଖାବରା ହେଇ ପଡ଼ିଥିବ । ଅଚାନକ୍ ତା ଆଖି ନିଜ ଉପରକୁ ଗଲା । ସେ ସମ୍ପୂର୍ଣ୍ଣ ରୁପେ ରକ୍ତରେ ସ୍ନାନ କଲା ଭଳି ଦିଶୁଥାଏ, ସେ ଚାରିଆଡ଼େ ଅଣ୍ଡାଳି ପକେଇଲା କୋଉଠି କଣ ହେଇଛି ବୋଲି, କିନ୍ତୁ ଗୋଡ଼ରେ ଟିକେ ଆଞ୍ଚୁଡ଼ା ଦାଗ ଛାଡ଼ ଆଉ କୋଉଠି ସାମାନ୍ୟ କ୍ଷତ ନାହିଁ । 

ଠିକ୍ ସେହି ସମୟରେ ପୁଣି ସେ ଟପ୍ ଟପ୍ ଶବ୍ଦ ଜୋରରେ ଆସିବାକୁ ଲାଗିଲା । ସୁରେଶ ଗାଡ଼ି ହେଡ-ଲାଇଟ ସେପଟେ ବୁଲେଇଲା । ଯାହା ଦେଖିଲା ତା ଶରୀର ଭୟରେ ଥରିଗଲା । ସେ ଯୋଉ ଜାଗାରେ ପଡ଼ିଥିଲା, ସେ ଜାଗାରେ ଗୋଟାଏ ଛୋଟିଆ ରକ୍ତର ଗଡ଼ିଆ, ଆଉ ସେଇଟା ତିଆରି ହେଇଛି ଉପରୁ ଟଙ୍ଗା ହେଇଥିବା ଗୋଟିଏ ବିରାଟ ବସ୍ତାରୁ ଟପ୍ ଟପ୍ ହେଇପଡୁଥିବା ରକ୍ତବୁନ୍ଦାରୁ । ଦେଖୁ ଦେଖୁ ସେ ବସ୍ତାଟି ଗଛରୁ ଧୁମ କରି ଖସି ପଡ଼ିଲା ଆଉ ତା ମୁହଁ ଖୋଲି ତା ଭିତରୁ ଦୁଇଟି ଖଣ୍ଡ ବିଖଣ୍ଡିତ ଶରୀର ବାହାରକୁ ଛିଟିକି ଆସିଲା । ଏକ ମୁଣ୍ଡ ଗଡ଼ି ଆସି ସୁରେଶ ପାଦ ପାଖରେ ପଡ଼ିଗଲା, ମୁଣ୍ଡଟି ସେ ଝିଅର ଥିଲା ଯିଏ ଟିକେ ଆଗରୁ ସୁରେଶକୁ ସାହାଯ୍ୟ ମାଗୁଥିଲା । ସୁରେଶ କିଛି ଭାବିବା ଆଗରୁ ସେ କଟାମୁଣ୍ଡଟିର ଆଖି ଖୋଲିଗଲା ଆଉ ସେ ବିକଟାଳ ଅଟ୍ଟହସ୍ୟ କରିବାକୁ ଲାଗିଲା । ସୁରେଶ ଏତେ ମାତ୍ରାରେ ଡରି ସାରିଥିଲା ଯେ ସେଇଠି ଚେତାଶୂନ୍ୟ ହେଇ ପଡ଼ିଗଲା । 

ଆଖି ଖୋଲିବା ବେଳକୁ ସେ ଏକ ହସ୍ପିଟାଲ ବେଡରେ ଶୋଇଛି ଆଉ ତା ଚାରିପଟେ ସମସ୍ତେ ଘେରି ତାକୁ ଦେଖୁଛନ୍ତି । ଡାକ୍ତର ବାବୁଙ୍କଠୁ ଜାଣିଲା କାଲି ସେ ଦୁର୍ଘଟଣାରେ ପଡ଼ିବା ପରେ ସେଇଠି ଚେତାଶୂନ୍ୟ ଅବସ୍ଥାରେ ଗାଁ ଲୋକଙ୍କୁ ମିଳିଲା । ସେମାନେ ତାକୁ ଡାକ୍ତରଖାନାକୁ ନେଇ ଆସିଲେ । ସେ ଡାକ୍ତରବାବୁଙ୍କୁ ଆଉ କେହି ମୃତ କି ଆହତ ଲୋକ ମିଳିଛି କି ପଚାରିବାକୁ ଯାଉଥିଲା କିନ୍ତୁ ଗତ ରାତିର ଅନୁଭୂତି କଥା ଭାବି ଏବେ ବି ତାର ଦେହ ଶିତେଇ ଯାଉଥାଏ ଆଉ ସେ ସେଇଠି ଚୁପ୍ ରହିବା ଉଚିତ୍ ମନେ କଲା । 

ଡାକ୍ତରଖାନାରୁ ଡିସଚାର୍ଜ୍ ହେବା ପରେ ସୁରେଶ ସିଧା ତାଙ୍କ କଲେଜର ସେଇ ପିଅନ ମଉସାଙ୍କ ପାଖକୁ ଦୌଡ଼ିଲା । ଜିଦ କରି ବସିଲା, ସେ କଣ ତାକୁ ଲୁଚାଉଛନ୍ତି ଜାଣିବାକୁ । ମଉସା ଟିକେ କୁଣ୍ଠାର ସହିତ କହିବା ଆରମ୍ଭ କଲେ । 

ଥରେ ଏକ ନବବିବାହିତ ଯୋଡ଼ି ରାତିରେ ସେଇ ରାସ୍ତା ଦେଇ ତାଙ୍କ ଗାଁକୁ ଫେରୁଥିବା ବେଳେ ଏକ ଦୁର୍ବୃତ୍ତ ହାବୁଡ଼ରେ ପଡିଗଲେ । ସେ ତାଙ୍କଠାରୁ ସବୁ ଲୁଟ୍ କରି ସାରିବା ପରେ, ସେମାନଙ୍କୁ ମାରି ତାଙ୍କର ଦେହକୁ ଖଣ୍ଡ ଖଣ୍ଡ କରି କାଟି ଏକ ବସ୍ତାରେ ପୁରେଇ, ଗଛ ଡାଳରେ ବାନ୍ଧି ଟଙ୍ଗେଇ ଦେଇଥିଲା । ଆଉ ତାଙ୍କର ଏହି ଦୟନୀୟ ମୃତ୍ୟୁ ପରେ ସେ ଜାଗାଟି ଅଭିଶପ୍ତ ହେଇଯାଇଥିଲା, ସନ୍ଧ୍ୟା ପରେ ଯିଏ ବି ସେ ରାସ୍ତାରେ ଯାଆନ୍ତି ସେ ନବବିବାହିତା ଝିଅଟି ବିକଳ ହୋଇ ସାହାଯ୍ୟ ମାଗିବାକୁ ଲୋକଙ୍କ ଆଗକୁ ଦଉଡ଼ି ଆସେ ଓ ଲୋକ ସେଇଠି ଦୁର୍ଘଟଣା ଗ୍ରସ୍ତ ହେଇଯାଆନ୍ତି । ଏହି ପରି ଲଗାତାର ହେବା ପରେ ଲୋକେ ସନ୍ଧ୍ୟା ପରେ ସେ ରାସ୍ତାରେ ଯିବା ଆସିବା ବନ୍ଦ କରିଦେଲେ । ଆଉ ଯିଏ ବି ନ ମାନି ଯାଇଛି ବହୁତ୍ ଅସୁବିଧାରେ ପଡ଼ିଛି । 

ସୁରେଶ ସବୁ ଶୁଣିଲା, ଅବିଶ୍ଵାସ କରିବାର କିଛି କାରଣ ନଥାଏ କାରଣ ସେ ସେଦିନ ରାତିରେ ଯେଉଁ ଭୟଙ୍କର ଅନୁଭୂତି ଦେଇ ଗତି କରିଥିଲା, ତାହା କେବଳ ସେ ହିଁ ଜାଣିଥିଲା । କିଛି ଦିନପରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁତ୍ ଅନୁରୋଧ କରି ସେ ଜାଗାରୁ ନିଜ ବଦଳି କରେଇନେଲା । ଜାଗାଟି ସିନା ଛାଡ଼ିଦେଲା କିନ୍ତୁ ତା ମନରେ ସେ ରାତି ସବୁଦିନ ପାଇଁ ଛାପି ହେଇ ରହିଯାଇଥାଏ । ଆଉ ଏବେ ବି କୌଣସି ଜିନିଷର ଟପ୍ ଟପ୍ ପଡ଼ିବାର ଶବ୍ଦ ଶୁଣିଲେ ତା ମେରୁଦଣ୍ଡରେ ଏକ ଶୀତଳ ଲହରୀ ଖେଳିଯାଏ । 

ମାଧୁରୀ ମୁକ ହେଇ ଶୁଣୁଥାଏ, ଏତିକି ବେଳେ ଗାଧୁଆ ଘରୁ ପାଣି ବାଲ୍ଟିରେ ଟପ୍ ଟପ୍ ହେଇ ପାଣି ପଡ଼ିବା ଶୁଣି ସୁରେଶ ପାଗଳଙ୍କ ପରି ସେଇଆଡ଼େ ଦୌଡ଼ି ଚାଲିଗଲା ତାକୁ ଅଟକେଇବା ପାଇଁ । 



Rate this content
Log in

More oriya story from Soumya Rath

Similar oriya story from Horror