ଶ୍ରୀ ରଘୁନାଥ ଦର୍ଶନ
ଶ୍ରୀ ରଘୁନାଥ ଦର୍ଶନ
ମନୋହର ବେଶ ଦେଖିଲା ନୟନ
ପୁଣ୍ୟ ଏକାଦଶୀ ଦିନ
ନାଥ ରଘୁନାଥ ଅନୁଜ ଲକ୍ଷ୍ମଣ
ସତୀ ସୀତା ହନୁମାନ।
ମନ୍ଦିରର ବାହ୍ୟ ଶୋଭା ପରିପାଟି
ଆହାକି ଦିଶେ ସୁନ୍ଦର
ଅଭ୍ୟନ୍ତର ଦୃଶ୍ୟ ଅତି ମୁଗ୍ଧକର
ପଲକ ପଡ଼େନି ମୋର।
ବାରମାସେ ଏଠି ଭିନ୍ନ ଭିନ୍ନ ବେଶ
ଧାରଣ କରନ୍ତି ପ୍ରଭୁ
ଗହଳ ଚହଳ ଲାଗିଥାଏ ସଦା
ସଦୃଶ୍ୟ ନେତ୍ରେ ନ ଲିଭୁ।
ପ୍ରବେଶ ପଥରେ ବିଜେ ହୋଇଛନ୍ତି
ପଞ୍ଚମୁଖୀ ହନୁମାନ
ଭକତ କୁହନ୍ତି ଦିବ୍ୟ ଭାବନାରେ
ନରସିଂହ ଭଗବାନ।
ବେନି ହସ୍ତ ଯୋଡି ଚାହିଁଲି ପ୍ରଭୁଙ୍କୁ
ଝରାଇ ଦିଟୋପା ଲୁହ
ଜଗତରେ ଶାନ୍ତି ପ୍ରତିଷ୍ଠା କରହେ
ହୃଦୟେ ଆସିଲା କୋହ।
ମଣିଷ ଭୁଲିଛି ମଣିଷ ପଣିଆ
ଆହେ କୌଶଲ୍ୟା ନନ୍ଦନ
ସମାଜରୁ ଦୁଃଖ ହଟାଇ ନିଅ ହେ
ଏଇ ମୋର ନିବେଦନ।
ଓଡଗାଁ ପ୍ରସିଦ୍ଧ ତୁମ ପାଇଁ ସିନା
ପୁଣ୍ୟ ଅତ୍ରିମୁନି ପୀଠ
ଉପଇନ୍ଦ୍ର ଭଞ୍ଜ ସିଦ୍ଧି ଲାଭ କରି
ହୋଇଥିଲେ କବି ଶ୍ରେଷ୍ଠ।
ରାମ ପରି ରାଜା ନାହାନ୍ତି ଜଗତେ
ସୀତା ପରି ସତୀ ନାହିଁ
ଭରତର ସମ ଭାଇ ମିଳେନାହିଁ
ମସ୍ତକ ଯାଉଛି ନଇଁ।
ହନୁମାନ ପରି ଆଜ୍ଞାବହ ଦୂତ
ଜଗତେ ପାଇବା ନାହିଁ
ରାମାୟଣ ଗ୍ରନ୍ଥ ଶ୍ରୀରାମ ଚରିତ
ରହେ କାଳ କାଳ ପାଇଁ।
କଳି ଯୁଗେ ଦେବ ପୂଜା ପାଉଥିବ
ନିତି ଓଡ଼ଗାଁରେ ଥାଇ
ଭକତ ହୃଦୟେ ସାକାର ମୂରତି
ଏକଥା ଭାବି ଫେରଇ।
ମନର ଭାବନା ଫଳବତୀ ହେଉ
ତଵ ଦରଶନ ପାଇଁ
ଏତିକି ସୁଦୟା ଆହେ ରଘୁନାଥ
ତୁମେତ ଜଗତ ସାଇଁ।