ସାବଧାନ୍ ଦୁବୃର୍ତ୍ତ
ସାବଧାନ୍ ଦୁବୃର୍ତ୍ତ
କୁହୁ କୁହୁ ତାନ କୋଇଲିର ସ୍ୱନ
ଆମ୍ବ ଡାଳ ମେଳେ ଶୁଭୁଛି
ମଉଳା ବଉଳ ଶୁଖିଲା ପତରେ
କୋଇଲିକୁ ଆଖି ଖୋଜୁଛି l
ହଜାଇ ନିଜକୁ ପତ୍ର ଗହଣରେ
ଏକା ବିଳାପ କରୁଛି
ସାଙ୍ଗ ସାଥି ଆଉ ଆତ୍ମ ପରିଜନ
ହାରି ସଭିଙ୍କୁ ଝୁରୁଛି l
ଅଣ୍ଡା ଦେଇଥିଲା ବରଗଛ ଡାଳେ
ପାଳନ କରିଲା କାଉ
ଝଙ୍କାଳିଆ ବର ଡାଳ ସବୁ କାଟି
ମଣିଷ ସାଧିଛି ଦାଉ l
ପାଉନି ନିଜର ଛୁଆ ପିଲାଙ୍କୁ ସେ
କି ଖୁସି ଗୀତ ଗାଇବ
ଘର ଚଟିଆ ମଇନା ସାରୀଙ୍କୁ
କି ଦୁଃଖ କଥା କହିବ l
ଏତେବଡ଼ ଗଚ୍ଛ କେତେ ବାସ ବସା
ଜୀବଙ୍କର ଆସା ଭରସା
ଗୁଣ୍ଡୁଚି ବଣୀ ଓ ଗୋବରା ଚଢେଇ
ସଭିଙ୍କ ଆରାମ ଦିଶା l
ଖରା ଦୁଇ ଘଡି ଉଦୁଉଦିଆରେ
ଗାଈ ଜଗାଳିଆ ଥକା ମାରଇ
ଶୀତଳ ପବନ ପାଇ ଆରାମରେ
ବାଟୋଇ ଘଡିଏ ନିଦରେ ଶୋଇ l
କାହିଁ କେଉଁଠାରୁ ଆସିଲା ଦୁବୃର୍ତ୍ତ
କାଟିଲା ଗଛକୁ ମେସିନ ନେଇ
ଭାଙ୍ଗି ଗଲା କେତେ ବସ ବାସ ପୁଣି
ଏଡେ ବଡ ଗଚ୍ଛ ପଡିଲା ଶୋଇ l
ଭଣ ଭଣ ହୋଇ ମହୁମାଛି ପଲହ
କଟାଳି ମାନଙ୍କୁ ବିନ୍ଧିଲେ ଯାଇ
କିଛି ଦିନ ପରେ ଜାଗା ଖାଲି ହେଲା
କାଠ ପତ୍ର ସବୁ ନେଲେଟି ବୋହି l
ଜୀବ ଜନ୍ତୁ ସବୁ ମରି ହଜି ଗଲେ
ଛାର ଖାର ହେଲା ପ୍ରକୃତି ଶିରୀ
ଅକାଳ ଗରମ ମାଡି ଆସିଲା ହେ
ମଣିଷ ସଭିଙ୍କୁ ହୋଇଲା ଭାରି l
ଅତି ଚାଲାକିରେ ଜଙ୍ଗଲ ଗଚ୍ଛକୁ
କାଟି ସଫା କରି ଦେଇ
ଘର ଅଟ୍ଟାଳିକା କଳ କବଜା
ଗଢୁଛି ସ୍ଵାର୍ଥକୁ ନେଇ l
ଗରମ ଉତ୍ତପ୍ତ ପର୍ଯ୍ୟାବରଣ
ବିଷାକ୍ତ ସ୍ଥିତି ଜଟିଳ
ଅଚିରେ ମରଣ ଅକାଳରେ ରୁଗ୍ଣ
ସଂସାରେ ହୋଇଛି କାଳ l
ବେଳ ହୁଁ ସାବଧାନ୍ ନ ହେଲେ ସଭିଏଁ
ଅବେଳେ ସୃଷ୍ଟି ବିନାଶ
ଜଳର ଅଭାବ କଷ୍ଟ ପରାଭବ
ଅମ୍ଳଜାନ ବିନା ଶ୍ଵାସ l
ପୋକ ମାଛି ପରି ଜନଙ୍କ ଅବସ୍ଥା
କେହି ନ ହୋଇବେ ସାହା
ନିଜ ହାତେ ଗାତ ନିଜ ପାଇଁ ଖୋଳା
ନ କହିବେ କେହି ଆହା l