STORYMIRROR

Saudamini Tripathy

Others

3  

Saudamini Tripathy

Others

ଜୀବନ ଯମୁନା

ଜୀବନ ଯମୁନା

1 min
203

ଜୀବନ ସଂସାର ତେଲ ଲୁଣ ଖେଳ

ବେଳା ଭୂମି ବାଲି ଘର 

କେତେ ପାଦ ଚିହ୍ନ ଧୋଇ ଲିଭେ କ୍ଷଣେ 

ଜୀବନ କ୍ଷଣ ଭଙ୍ଗୁର ।


ଉଷା ଉପସ୍ଥିତ ରଜନୀ ସ୍ତବ୍ଧିତ 

ସୀମାରେ ସୁସଂଯୋଜିତ 

ଜୀବନ ଯମୁନା କାମିନୀ କାଂଚନ

କାଳ ବଳେ ଅପହୃର୍ତ୍ତ। 


ଉଦୟ ଅସ୍ତ ମଞ୍ଚ ନେପଥ୍ୟ

ଖରା ଛାଇ ଲୁଚକାଳି 

ରାଜା ଭିକାରୀ ବାଳ ବୃଦ୍ଧ ଶିରୀ 

ରୋଦନ ବା ହୁଳହୁଳି ।


ଜୀବନ ନାଟକେ ଅଭିନୟ ମଞ୍ଚେ 

ଦୁଃଖ ସୁଖ ହସ କାନ୍ଦ 

ରଜନୀ ଉଷାର ଚକ୍ରେ ଦିବା ରାତ୍ର 

ବର୍ଷ ମାସ ଦିନ ଦଣ୍ଡ। 


ନଦୀ ଭରେ ଜଳେ କୂଳରୁ ଉଛୁଳେ

ଗରବେ ଛାତି ଫୁଲାଇ

ଜୀବନ ଯମୁନା ଅଥଳ ଜଳ ଗର୍ବେ 

ପ୍ରତିବନ୍ଧ ନ ମାନଇ ।


ବଦଳେ ଭୂଗୋଳ ଜୀବନ ଯମୁନାର 

ଅଢେଇ ଦିନେ ବଢେଇ

ଇତିହାସେ ଲୁଚେ ଦାର୍ଶନିକ ତତ୍ତ୍ୱେ

 ହିସାବେ ଗଣିତ ହୋଇ ।


ବଦଳେ ଜ୍ୟାମିତି ପ୍ରସ୍ଥରେ ପରିଧି 

 ଗଭୀର ଗର୍ଭ ଅସୁସ୍ଥି 

ଜଳର ଉଚ୍ଚତା ଲମ୍ବେ ନଦୀ ବ୍ୟଥା 

ଜୀବନ ଯମୁନା ବାନ୍ଧି ।


ଜୀବନ ଯମୁନା ଘୋଳ ଘାଣ୍ଟ ଛୁଙ୍କ 

ଅନୁଭବ ମସଲାରେ 

ଅଢେଇ ଦିନର ବଢେଇ କିମ୍ପାଇଁ 

ଶେଷେ ମିଶିବା ମାଟିରେ ।


ଛ ଖଣ୍ଡ ବାଉଁଶ ଛଅ ହାତ ଜମି

ଛଅ ଜଣ ଶ୍ମଶାନରେ 

ଛଅ ଘଣ୍ଟା ସମୟେ ଜଳି ପାଉଁଶରେ

ମିଶି ଯିବୁ ତୁ ମାଟିରେ।


ଛଅ ରାତି ପାହିଲେ ଧୋଇ ବସ୍ତ୍ର ଚିଜ

ଆସବାବ ଶୁଦ୍ଧି ଘରେ 

ଦୁଇ ଛଅ ଦିନ ଶ୍ରାଦ୍ଧ ପିଣ୍ଡ ବାଢି

ଭୂଲି ସମୟ ସ୍ରୋତରେ। 


ମୋହର ମାୟାରେ ସାଉଁଟୁଛୁ ଦୁଃଖ 

ଲୋଭ ମୋହ କାମ କ୍ରୋଧେ 

ଉଡିଗଲେ ପକ୍ଷୀ ଶବ ବୋଲାଇବ 

ଜୀବନ ଯମୁନା ବନ୍ଧେ । 


ହିସାବ ନିକାସ ଗଣିତ ଜ୍ୟାମିତି 

ଜୀବନ ଯମୁନା ପଥ 

ଇତିହାସ ଭୂଗୋଳ ପୃଷ୍ଠାରେ ଲୁଚିବ

ଭୁଲି ବୃତ୍ତି ଶ୍ରମ କଷ୍ଟ। 


ଫୋଟୋରେ ଟାଙ୍ଗିବେ ବାସି ଫୁଲମାଳେ 

ବହଳ ଧୂଳି ପରସ୍ତ 

ଭାଗ ବାଣ୍ଟି ନେବେ ଗହଣା ସଂପତ୍ତି 

ଜୀବନ ଯମୁନା ନଷ୍ଟ। 


ବେଳ ଥାଉଁ ଭଜୋ ନାରାୟଣ 

ପ୍ରଭୁ ସତ୍ୟ ସନାତନ 

 ଯମୁନାର ଧାରେ ରାମ ନାମ ତରୀ

ସାକ୍ଷୀ ଆତ୍ମ ନିବେଦନ ।


ଦୁଃଖ ସୁଖ ଧନ ମାନ ସନମାନ 

ଜୀବନ ଯମୁନା ପଥେ

ଆଖି ବୁଜିଦେଲେ କୋକେଇ ବାନ୍ଧିବେ 

ଶୁଦ୍ଧ ହେବେ ବାଢି ଶ୍ରାଦ୍ଧେ। 


ଟ୍ରେଜେରୀ ଏଟିଏମ୍ ବ୍ୟାଙ୍କରେ ଜମା

ଗହଣା ପ୍ରାସାଦ ଭୂମି

ମାଡ ଗୋଳ ହୋଇ ସାଉଁଟିବେ ବାନ୍ଧି 

ଖୋଲା ହାତେ ଶୂନ୍ୟଗାମୀ ।


ଅଢେଇ ଦିନିଆ ବଢେଇ ଛାଡରେ

ବାଇମନ ଜୀବନରେ

 ଜୀବନ ନଦୀରେ ଯମୁନା ଘାଟରେ 

ମିଳ କହ୍ନେଇ ସାଗରରେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍