ଅରାତି ଦୂରେଇ ଯାଉ
ଅରାତି ଦୂରେଇ ଯାଉ
ଦେଶ ତମାମ ଶୁଣୁଅଛି ଆମ କାନ ଆମ
ସ୍ବାଧୀନତାର ଅନେକ ଗାଥା
ମୁକ୍ତି ଆହ୍ବାନର ସମ୍ମିଳିତ ସଂଗଠିତ ବଳେ
ଦୂର ହେଲା ପରାଧୀନତା ।
ଗ୍ରାମେ ଗ୍ରାମେ ପଡିଶାପଣରେ ଥିଲା ପ୍ରଥା,
ପିଠା ପଣା ଦିଆ ନିଆ
ମୋ ଘର ଆଟିକାରେ ଫୁଟଣ ଛୁଙ୍କେ ଅନ୍ୟ
ଘରେ ନାଚୁଥିଲେ ଛୁଆ ।
କେଉଁ ସ୍ତ୍ରୀ ର ହାତ କଟିଗଲେ ପଡୋଶୀ
ଘର ସ୍ତ୍ରୀ ଶିଳରେ ବାଟେ
ଘର ଶିଳଟି ଯାଇଥିଲେ ଘୋରି ଆର ଘରେ
ବାଟିବା କାମଟି ତୁଟେ ।
କାହା ଘରେ ଆହା'ଟେ ହେଲେ ପଡିଶା
ଲୋକର ଦେହକୁ କାଟୁଥିଲା
ହଳ ବଳଦ ଲଙ୍ଗଳ ଯୁଆଳି ଅଦଳ ବଦଳେ
ଚାଷ କାମ ତୁଟୁଣ ଥିଲା ।
ଦିନ ଥିଲା ଗାଆଁର ମଣିଷ ଚଳୁଥିଲା ହସ
ଖୁସି ଓ ଲୁହ କୁ ବାଣ୍ଟି
ଆଜି ଗ୍ରାମରେ ଏଇ କଥା କହିଲେ ଲୋକେ
ଭାବିବେ ଏ ସବୁ ଖଟି ।
ଦୀର୍ଘ ଦିନର ଗୋରା ବିଦେଶୀ ଶାସନ
କେବେଠୁଁ ତ ଗଲାଣି ହଟି
ଆମେ ସ୍ୱାଧୀନ ହୋଇଣ ଭୁଲିଛୁ ଚାଷ
ବାସ କାମ ଓ ଲଙ୍ଗଳ ମୁଠି।
ତ୍ରିରଙ୍ଗା ଆମ ଦେଶର ବିଜୟ ପତାକା,
ଶାନ୍ତିର ବାର୍ତ୍ତାକୁ ବାଣ୍ଟୁଛି
ଗାଁ ଠୁ ସହର ଧରମ ଓ ଜାତି ନାମେ
ଆଶାନ୍ତିର ନିଆଁ କିଏ ଜଳାଇଛି।
ନାରୀର ସମ୍ମାନ ପାଇଁ ଯେଉଁ ଦେଶ
ଗର୍ବିତ ଓ ମହାଭାରତ ହୋଇଲା
ସେହି ଦେଶେ ନାରୀକୁ ମବ୍ ଦ୍ୱାରା ବିଚ୍
ବଜାରେ ଉଲଗ୍ନ କରାଗଲା।
ସଭିଏଁ ସମାନ, କେହି ନୁହେଁ ସାନ ଦେଶ
ସାରା ଡିଣ୍ଡିମ ବାଜୁଅଛି
ଧନୀ ଚଳୁଛି ପ୍ରାଚୁର୍ଯ୍ୟଶଯ୍ୟାରେ ଗରିବ
ଭୋକରେ ଶେଉଅଛି।
ଚୋରି ତସ୍କରୀ ଲାଂଚଗିରି ଗାଁରୁ ସହର
ସବୁଆଡେ ଦେଖ ବ୍ୟାପି ଅଛି
ଛୁଆଁ ଅଛୁଆଁର ଭେଦଭାଵ ଧର୍ମ ଦ୍ୱାହି ଦେଇ
ଆମ ରକ୍ତରେ ମିଶି ଯାଇଛି ।
କ୍ଷମତା ଯାର ଆଇନ ତାର, କି ହୋଇଛି
ଆଜ ଆମର ଏ ଗଣତନ୍ତ୍ର
ଭାଷଣେ ରାମ ଗାନ୍ଧୀ ପଟେଲ, କାମରେ
ରାବଣ, ଗ୍ରାସିଛି ସ୍ବାର୍ଥତନ୍ତ୍ର ।
ପାହିନାହିଁ ରାତି ହଟିନି ଅନ୍ଧାର ଜାଗ
ଜାଗ ଭଉଣୀ ଭାଇ ମୋର
ଅରାତି ଦୁରେଇ ଯାଇ ଶାନ୍ତି ବିରାଜିତ
ହେବା ପାଇଁ ସଂଗ୍ରାମ କର।