AKSʜAYA SAʜOO

Horror

3  

AKSʜAYA SAʜOO

Horror

ଶୂନସାନ ରାତି

ଶୂନସାନ ରାତି

6 mins
287


  ଶୁକ୍ଳା ମହାନ୍ତି ଓରଫ୍ ଶୁକ୍ଳା ଜଣେ ବେସରକାରି କମ୍ପାନୀର  କର୍ମଚାରୀ । ସହଜେ ତ ପ୍ରାଇଭେଟ ଜବ୍ ଛୁଟି କମ୍ ମିଳେ । ବାପ ମାଆଙ୍କର ଗୋଟେ ବୋଲି ପୁଅ । ଗାଆଁ ଗୁଣପୁର । ବାପା ଗାଆଁ ସ୍କୁଲରେ ଉତ୍ତମ ଶିକ୍ଷକ ତେଣୁ ଗାଆଁ ସାରା ଶୁକ୍ଳାବାବୁ ବାପାଙ୍କ ନାଁ ଡାକ । ଗୋଟେ ବୋଲି ପୁଅ ସେଥିପାଇଁ ବାପା କଷ୍ଟ କରି ପାଠ ପଢେଇଲେ ପୁଅ ବି ଭଲ ପାଠ ପଢି ପ୍ରାଇଭେଟ କମ୍ପାନୀରେ ଭଲ ଦରମାରେ ଚାକିରୀ ପାଇଲେ ତେଣୁ ଆଜି ସେ ଶୁକ୍ଳା ବାବୁ ବା ମହାନ୍ତି ବାବୁ ଭାବରେ ପରିଚିତ । ପ୍ରାଇଭେଟ ଜବ୍ ଛୁଟି ବର୍ଷରେ ବହୁତ କମ୍ ମିଳେ । ଗାଆଁ କଥା ମନେ ପଡିବାରୁ ପାଞ୍ଚ ଛଅ ଦିନ ଦେହ ଖରାପ ଛୁଟି ନେଇ ଆସିଛନ୍ତି ।

  ସେଦିନ ଟ୍ରେନ୍ ଧରୁ ଧରୁ ଡେରି ହୋଇଗଲା । ଷ୍ଟେସନ ଠାରୁ ଘର ପ୍ରାୟ ଛଅ କି.ମି । ଘରେ ପହଞ୍ଚିବା ପାଇଁ ପ୍ରାୟ ଦେଢଘଣ୍ଟା ଲାଗିବ । ପୁଣି ବାଟରେ ଗୋଟେ କିଲୋମିଟର ଗଲା ପରେ ସ୍କୁଲ ପୁଣି ସ୍କୁଲ ଠାରୁ ଗୋଟେ କିଲୋମିଟର ପରେ ମନ୍ଦିର ପୁଣି ଗୋଟେ କିଲୋମିଟର ପରେ ମଶାଣି ପଡିବ ବାସ୍ ସତେ ଯେମିତି ଏ ସବୁ ଗୋଟେ ଗୋଟେ ମାଇଲ ଖୁଣ୍ଟ । ମଶାଣି ଟପିଗଲେ ପିଚୁ ରାସ୍ତା ପିଚୁ ରାସ୍ତା ଆରପଟ ଗଡାଣିଆ ଶେଷ ମୁଣ୍ଡରେ ସୁକୁଟା ଗୁଡିଆ ଦୋକାନ। ସୁକୁଟା ବି ରାତି ସାଢେ ତିନିଟାରୁ ଆସେ ଦୋକାନ କରିବା ପାଇଁ । ଗାଆଁରୁ ସହରକୁ ଲୋକମାନେ ବେପାର କରିବା ପାଇଁ ଯାଆନ୍ତି ସେମାନଙ୍କ ପାଇଁ ସୁକୁଟା ଏତେ ସକାଳୁ ଦୋକାନ କରେ। ସେଇଠୁ ଘର ଆଉ ଅଳ୍ପବାଟ । ତା ଦୋକାନ ପାଖରେ ପହଞ୍ଚି ଗଲେ ଆଉ ଅସୁବିଧା ନାହିଁ ।

  ଏମିତି ଭାବୁ ବାବୁ ଟ୍ରେନ୍ ଆସି ପହଞ୍ଚିଗଲା ଗୁଣପୁର ଷ୍ଟେସନରେ । ସବୁଦିନ ଭଳି ଆଜି ବି କେହି ନ ଥାନ୍ତି ଷ୍ଟେସନରେ। ଶୁକ୍ଳାବାବୁ ଘଣ୍ଟା ଦେଖିଲା ବେଳକୁ ରାତି ୧:୪୫ ଆଗକୁ ଦି ପାଦ ଯାଇଛନ୍ତି କି ନାହିଁ ଆଷାଢ ମାସ ପୁନେଇଁ ଜହ୍ନକୁ ଢାଙ୍କି ଦେଇ କଳାବାଦଲ ପ୍ରାୟ ୧୫ ମିନିଟ୍ ଧରି ବର୍ଷା ଅଜାଡି ଦେଇଗଲା ।ଯାତ୍ରୀ ନିବାସ ଛାତ ତଳେ କିଛି ସମୟ ରହିବା ପରେ ରାତି ଦୁଇଟା ବେଳକୁ ତରତର ହୋଇ ବହାରିପଡିଲେ ଗାଆଁ ଅଭିମୁଖେ । 

  ନିଶା ଗରଜୁ ଥାଏ ସେଥିରେ ପୁଣି କୁକୁର ବିଲୁଆଙ୍କ ଶବ୍ଦ ।ଚାକୁଣ୍ଡା ଗଛରେ ଥିବା ପେଚା ମାନେ ବି ଗୁଁ....ଗୁଁ ......ହୋଇ ବିକଟାଳ ରଡି କରୁଛନ୍ତି ଆଉ ସେଥିରେ ଝିଣ୍ଟିକାମାନଙ୍କର ଝିଙ୍କାରୀ ଓ ମୃଦୁମନ୍ଦ ବହୁଥିବା ଭୟ ମିଶା ଦଲକାଏ ଶୀତଳ ପବନରେ ଦେହ ଶୀତେଇ ଯାଉଥାଏ ପରିସ୍ଥିତି ପୁରା ଭୟଙ୍କର । ସେଥିରେ ପୁଣି ଗାଆଁ ମଶାଣି ଦେଇ ଯିବାକୁ ପଡିବ । ଆଜି ପୁଣି ପୁନେଇ । ଆଜି ଭୂତମାନଙ୍କ ପାଦୁର୍ଭାବ ଅଧିକ । ରାତି ଦୁଇଟା ହେଲାଣି ପାଦଚଲା ନାଲିମାଟି ରାସ୍ତା ପୁଣି ସେଥିରେ ବର୍ଷା କାଦୁଅ ପଚ ପଚ ରାସ୍ତାରେ ଯାଉ ଯାଉ ମନେ ପଡିଲା ତାଙ୍କ ବୋଉ କହୁଥିବା ଗପ କଥା । କୁଆଡେ ତାଙ୍କ ଗାଆଁ ମଶାଣିର ବରଗଛରେ ଦଶଜଣ ଫାଶୀ ଦେଇ ମରିଛନ୍ତି । ଆଉ ସେମାନେ ଭୂତ ହେଇ ବୁଲନ୍ତି ପୁନେଇ ରାତିରେ ତାଙ୍କ ଶକ୍ତି ଅଧିକ ସେମାନେ ସେଦିନ ବାହାରି ମଣିଷ ଭୋଜି କରନ୍ତି । ଆଉ ସେ ଚମ୍ପେଇ ବୋଉ ଡାହାଣୀଟା ସେ ଛୁଆମାନଙ୍କୁ ମଶାଣିକୁ ନେଇ ନିଆଁ ଜାଳି ସେକେ । ପୁଣି ସେ ନିରୁଆ ଅଜା ମରିଯାଇ କୁଆଡେ ବ୍ରହ୍ମ ରାକ୍ଷସ ହେଇଥିଲା ଜଣେ ବାବାଜୀ ହିମାଳୟରୁ ଆସି ତାକୁ ବିଦା କଲା । ଆଉ ଆର ବର୍ଷ ସେ ଚିଣ୍ଟୁଟା ବାହାଘର ପୂର୍ବରୁ ମରିଗଲା ଯେ ସେ ପିଶାଚ ହେଇ ବୁଲିଲା । ବରଗଛରେ ବସି ଲୋକଙ୍କୁ ହଇରାଣ କଲା । ସନିଆ ଭଉଣୀ ଦେହରେ ଆସିଲା ଯେ ଆଉ ଗଲାନି ସେମାନେ କଲିକତାରୁ ଗୁଣିଆ ଆଣି ଝଡାଝଡି କଲେ ଶେଷରେ ତା ଭଉଣୀ ପିତ୍ତଳ ଲୋଟା କାମୁଡି ପଡିଲା ସେବେଠୁ ସେ ଭୂତ କଲିକତା ଗୁଣିଆ ପାଖରେ ବନ୍ଦୀ । ଭୂତମାନଙ୍କ ବଡ ବଡ ନାଲ୍ ଆଖି ରକ୍ତ ଲଗା ନଖ ଟାଆଁସିଆ ଚୁଟି ବିଭତ୍ସ ରୂପ ଇତ୍ୟାଦି କଥା ମନେପଡି ଦେହହାତ ଶିତେଇ ଉଠୁଥାଏ କିନ୍ତୁ ମନକୁ ବୁଝାଇବା ପାଇଁ ହେ ଏ ସବୁ ମିଛକଥା ଭୂତ ଫୂତ କିଛି ନାହିଁ ଏ ସବୁ ମନର ଭୁଲ୍ ଧାରଣା ଛଡା ଆଉ କିଛି ନୁହେଁ ଏମିତି ଭାବି ରାସ୍ତା ଚାଲିଥାନ୍ତି ଶୁକ୍ଳା ବାବୁ ।

  ଏମିତି ଚିନ୍ତାକରୁ କରୁ ଶୁକ୍ଳା ବାବୁଙ୍କ ମନେ ପଡିଲା ସନା ଅଜା କଥା । ସାହାସୀ ଲୋକଙ୍କ କଥା ପଡିଲେ ଆଖପାଖ ଦିଇଟା ଗାଆଁରେ ସନା ଅଜା କଥା ପଡେ । ତାଙ୍କ ସହ ଶୁକ୍ଳା ବାବୁଙ୍କ ଭଲ ପଡେ । ସେ ଆଉ ଅଜା ବୟସର ତାରତମ୍ଯ ଥିଲେ ବି ଦୁଇ ସାଙ୍ଗ ଭଳି । କେତେକଥା ଥଟ୍ଟା ମଜା ଚାଲେ ଦୁହିଁଙ୍କ ଭିତରେ । ସେ ଏତେ ସାହାସୀ ଥିଲେ ଯେ ଦିନେ ଗୋଟେ ଭୂତ କୁଆଡେ ତାକୁ ଧରିଥିଲା । ଆଉ ସେ ତାର ଅଦମ୍ୟ ସାହସ ଦେଖେଇ ସେ ଧରିଥିବା ଆଠ ଫୁଟିଆ ଠେଙ୍ଗାରେ ପିଟି ପିଟି ସେ ଭୂତକୁ ସାବାଡ୍ କରି ଦେଇଥିଲେ । ସେଇଥିପାଇଁ ଅଜାକୁ ସବୁ ଭୂତ ଡରନ୍ତି । ଆଉ ଅଜା ବି ରାତା ଅଢେଇଟା ତିନିଟା ଯାଏ ଆରାମରେ ବୁଲା ବୁଲି କରେ । ରାତି ଆସି ଦୁଇଟା ପଇଁଚାଳିଶି ହେଲାଣି ଏବେ ସନା ଅଜା ବୁଲୁ ଥିବ କାଳେ ଭେଟ ହେଇଯିବ । ଭେଟ ହୋଇଗଲେ ଭଲକଥା । ଦେଖାହେଲେ କଥା ହେଇ ବାଟ ଚାଲିବା ଆଉ ଡର ଲାଗିବନି । ବାଟ ବି ଜଣାପଡିବନି ।

  ଏମିତି କେତେକଥା ଭାବୁ ଭାବୁ ସେ ଆସି ମଶାଣି ପାଖରେ ପହଞ୍ଚିଗଲେ । ଏ କଣ ତାଙ୍କ ଗୋଡକୁ କିଏ ଜଣେ ମାଡି ବସିଛି । ନିଜର ମୋବାଇଲର ଟର୍ଚ୍ଚ ମାରି ଦେଖିଲେ କେହି ନାହିଁ ତ । ଏ ସବୁ ଭ୍ରମ ଛଡା ଆଉ କିଛି ନୁହେଁ । ଏ କଥା ଭାବି ସେ ନିଜ ଚାଲିବାର ବେଗ ବଢାଇଲେ ଏ କଣ କିଏ ଜଣେ ପଛରୁ ଡାକୁଛି ଶୁକ୍ଳା ବାବୁ ପଛକୁ ଅନେଇଲେ ଏ କଣ କେହି ନାହାନ୍ତି ଏଥର ତାଙ୍କ ମନରେ ଛନକା ପଶିଲା । ସେ ଆହୁରି ଦ୍ରୁତ ଗତିରେ ଚାଲିବାକୁ ଲାଗିଲେ ଠିକ୍ ମଶାଣି ମଝିରେ ହେଇଛନ୍ତି କି ନାହିଁ ଦୁମ୍ କରି କଚି ହୋଇ ପଡିଲେ ସାର୍ଟ ପ୍ୟାଣ୍ଟ ପୁରା କାଦୁଅ। ଡରରେ ଗୋଟାପଣେ ଥରୁଥାନ୍ତି ଶୁକ୍ଳା ବାବୁ । 

  ଏ ଅସମୟରେ ତାଙ୍କୁ କିଏ ସାହାଯ୍ୟ ହାତ ବଢେଇଲା ପରି ହାତ ବଢେଇଲା ଭୟରେ ସେ ଆଖି ବନ୍ଦକରି, ଜୀବନ ବିକଳରେ ତା ହାତ ଧରି ପକେଇଲେ । ହାତଟି ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଥିଲା ପୁନେଇଁ ଜହ୍ନର ଝାପ୍ସା ଆଲୁଅରେ ତା ମୁହଁକୁ ଦେଖିଲେ ପରିଚିତ ମୁହଁଟି ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ହୋଇଛି । ହାତରେ ପ୍ରାୟ ଆଠଫୁଟିଆ ଠେଙ୍ଗା । ସେ ପରିଚିତ ମୁହଁକୁ ଦେଖି ଶୁକ୍ଳା ବାବୁ କହିଲେ 

- ଆରେ ସନା ଅଜା ତୁ ?

- ହୁଁ

- ଅଜା ଏବେ ବୁଲୁଥିଲୁ ?

-ହୁଁ

-ଏବେ କୁଆଡେ ଯାଉଛୁ କ'ଣ ଘରକୁ ?

-ହୁଁ

- ଏ ଖଣ୍ଡିଆ ସବୁ କେମିତି ହେଲା ? ପଡିଗଲୁ କି? ଗୋଡ ଖସିଗଲା କି?

-ହୁଁ

ଏମିତି କଥା କହୁଥାନ୍ତି ଆଉ ସନା ଅଜା ହୁଁ ମାରୁଥାନ୍ତି । କଥା ହେଉ ହେଉ ଶୁକ୍ଳା ବାବୁଙ୍କ ଗୋଡରେ ଗୋଡି ଫୁଟିଗଲା।

-ଆରେ ମୁଁ ତ ଯୋତା ପିନ୍ଧିଥିଲି ଗୋଡି କେମିତି ଫୁଟିଲା। 

ଟର୍ଚ୍ଚ ମାରି ଦେଖିଲେ ଗୋଟେ ପାଦରେ ଯୋତା ନାହିଁ ।

- ଆରେ ୧୪୦୦ ଟଙ୍କା ଦେଇ ଯୋତା କିଣିଥିଲି ସେଇଠି ପଡିଯାଇଚି ବୋଧହୁଏ ଆଉ। ହଁ ମ ପଡୁ ସନା ଅଜା ପାଖରେ ଅଛି ଦୁଇଜଣ ମିଶି ନେଇ ଆସିବୁ। ଆରେ ସନା ଅଜା ଚାଲ୍ ଯିବା ଯୋତାଟା ମଶାଣିରୁ ନେଇ ଆସିବା।

ଏମିତି ତଳକୁ ଦେଖୁ ଦେଖୁ ଦୃଷ୍ଟି ଗୋଚର ହେଲା ସନା ଅଜାର ପାଦ ଏ କଣ ପାଦ ଦିଇଟା ଓଲଟା ପୁଣି ପାଦ ଉପରେ ଉଡୁଛି ପୁଣି ହାତ ଏତେ ଥଣ୍ଡା ଥିଲା ତା ସହ ପୁଣି ଦେହରେ କ୍ଷତ ଆରେ ଏଇଟା ତ ପିଶାଚଟେ ଇଏ ବୋଧହୁଏ ମୋତେ ବରଗଛରେ ମାରି ଖାଇବ ବୋଧହୁଏ । ଏମିତି ଚିନ୍ତା କରୁ କରୁ ପିଶାଚ କହିଲା

- ଆରେ ତୁ ଯୋତା ଆଣିବୁ ପରା, ଚାଲ୍ ମୁଁ ତୋତେ ହିଁ ନେବା ପାଇଁ ଆସିଥିଲି ନେଇଯିବି ଚାଲ୍ ।

ଶୁକ୍ଳା ବାବୁ ଦେଖିଲେ ପାଖରେ ବରଗଛର ଓହଳ ସବୁ ସେ ପିଶାଚର ହାତ ଭଳି ମାଡି ଆସୁଛି ଏ ସବୁ ଦେଖି ଶୁକ୍ଳା ବାବୁଙ୍କ ରକ୍ତ ପାଣି ଫାଟିଗଲା । ଏ ସବୁ ଦେଖି ସେ ଆଉ ସେଠାରେ କଣ ଥୟ ଧରି ରୁହନ୍ତି । ଜୟ ହନୁମାନ ଧ୍ୱନି କରି ଏକାମୁହାଁ ହୋଇ ଦୌଡିଲେ ପିଚୁ ରାସ୍ତା ଆଡକୁ । ପିଚୁ ରାସ୍ତା ଗଡାଣିଆରୁ ଗଡି ଗଡି ଆସି ପଡିଲେ ସୁକୁଟା ଗୁଡିଆର ଦୋକାନ ଆଗରେ ସେତେବେଳକୁ ରାତି ସାତେ ତିନି ମୁହଁ ଅନ୍ଧାର ସମୟ । 

  ଦୋକାନ ଖୋଲିବାକୁ ଆସି ସୁକୁଟା ଦେଖିଲା ଲୋକଟେ ବେହୋସ ହୋଇ ପଡିଛି । ପାଣି ଛାଟି ଚେତା ଫେରେଇ ଆଣିଲା । ଚେତା ଫେରିବା ପରେ ଶୁକ୍ଳା ବାବୁ ଗୋଟି ଗୋଟି କରି ସବୁ କଥା କହିଲେ । ସୁକୁଟା ମୁଣ୍ଡରେ ହାତ ଦେଇ କହିଲା

-ବାବୁ ତମେ ଜାଣିନ କି ଆଜିକୁ ଆଠ ଦଶ ଦିନ ହବ ସନା ଅଜା ମରି ଭୂତ ହୋଇଗଲାଣି ପରା ।

-କଣ ସନା ଅଜା ମରିଗଲାଣି ।

-ହଁ, ଖାଲି କଣ ସେତିକି ସେ ମରିବାର ଦି ଦିନ ହେଇନି ଗାଆଁକୁ ଆସି ଉତ୍ପାତ କଲା । ତା ପରେ ଗୁଣିଆ ଆସି ନିମ୍ବଗଛରେ କିଳା ମାରି ତାକୁ ବନ୍ଦୀ କଲା କିନ୍ତୁ କଣ ହବ ତା ପରଦିନ କିଏ ସେ କିଳାକୁ କାଢିଦେଇଛି ଯେ , ଏ ପାଞ୍ଚ ଦିନ ଭିତରେ ସନା ଭୂତ ତିନିଟା ମୁଣ୍ଡ ନେଲାଣି । ଖାଲି ଯାହା ଗାଆଁକୁ ପଶିପାରୁନି ନହେଲେ କେବେଠୁ ଗାଆଁକୁ ନିପାତ କରିସାରନ୍ତାଣି । ଖାଲି ସେତିକି ନୁହେଁ ଆର୍ମିରେ ଚାକିରୀ କରିଥିବା ତମ ସାଙ୍ଗ ପହରଦିନ ଫେରୁଥିଲା ମଶାଣି ବାଟେ କଣ ହେଲା କେଜାଣି ସେ ଭୂତ କଣ କଲା କେଜାଣି ଆଠ ଦଶଫୁଟିଆ ବଳିଷ୍ଠ ଭେଣ୍ଡାଟା ଦିନ ଗୋଟାରେ ଡାଙ୍ଗ ହେଇଗଲା କାଲି ରାତିରେ ସେ ରକ୍ତ ବାନ୍ତି କରି ମଲା । ଯା ହେଉ ଏଥର ତମ ପାଳି ଥିଲା ତମେ ବଞ୍ଚିଗଲ । ଏବେ ଘରକୁ ଯାଅ ଏବେ ସେ ଆଉ ତମର କିଛି କରିପାରିବନି ଭୋର୍ ହେଲାଣି ଯାଅ ।

  ଏକଥା ସବୁ ଶୁଣିବାପରେ ଶୁକ୍ଳା ବାବୁଙ୍କ କାନରେ ଗୋଟେ କଥା ପ୍ରତିଧ୍ଵନିତ ହୋଇ ଶିହରଣ ଖେଳାଇଦେଇଗଲା - "ତୋ ବୋଉ ଦୁତିଆ ପୂଜିଥିଲା ବୋଲି ବଞ୍ଚିଗଲୁ ନହେଲେ ଆଜି ତୋ ପାଳି ଥିଲା । "



Rate this content
Log in

More oriya story from AKSʜAYA SAʜOO

Similar oriya story from Horror