ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ମାଗୁଣି

ମାଗୁଣି

2 mins
1.6K



ବାଲ୍ମୀକି କରୁଆଁ

ବଡ଼ନାନୀ ହାତ ଟାଣି ଶୀଘ୍ର ଚାଲିବାକୁ ବାରମ୍ବାର ମୋତେ କହୁଥାଏ । ମୁଁ ବି ଶୀଘ୍ର ଶୀଘ୍ର ଚାଲୁଥିଲି ; ମାତ୍ର ବ୍ୟସ୍ତ ହେବାର କୌଣସି କାରଣ ହିଁ ନ ଥିଲା । ଆମ ପାଖରେ ଢେର୍‌ ସମୟ ଥିଲା । ଚାଲି ଚାଲି ଆମେ ବସ୍‌ ଷ୍ଟପ୍‌ରେ ପହଞ୍ଚିଲୁ । ନାନୀ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲା । ଇଣ୍ଟରଭ୍ୟୁ ଭଲ ହେଲା କି ନାହିଁ ଜଣା ନାହିଁ ; କିନ୍ତୁ ସେ ଅତ୍ୟନ୍ତ ବିରକ୍ତ ହେଉଥିଲା । ଅବଶ୍ୟ ପରେ ଶାନ୍ତ ଅବସ୍ଥାକୁ ଫେରି ଆସିଥିଲା । ଆମେ ଦୁହେଁ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିଲୁ ।

ଟିଂ ଟିଂ ଘଣ୍ଟି ବଜାଇ ଗୋଟିଏ ରିକ୍ସାବାଲା ଆସି ବସ୍‌ ଷ୍ଟପ୍‌ରେ ଥିବା ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ କହୁଥାଏ - ‘‘ କୁଆଡ଼େ ଯିବେ ବାବୁ... ଆସ ଛାଡ଼ିଦେବି । ’’ ସେ ଲୋକଟି ଥରେ ଅଧେ ଆମ ଆଡ଼କୁ ବି ଚାହିଁ ତା’ ରିକ୍ସାରେ ବସିବାକୁ କହୁଥାଏ । ସେଠାରେ ଉପସ୍ଥିତ ଲୋକ ତା’ କଥାକୁ ଶୁଣି ନ ଶୁଣିଲା ଭଳି ରହୁଥା’ନ୍ତି । ମୋତେ କିନ୍ତୁ ସେହି ରିକ୍ସାରେ ଯିବା ପାଇଁ ବହୁତ ଇଚ୍ଛା ହେଉଥାଏ । କାରଣ ଅନେକ ଦିନ ହେଲା ମୁଁ ରିକ୍ସାରେ ବସି ନ ଥିଲି । ନାନୀକୁ ମୁଁ ବାରମ୍ବାର କହିବାକୁ ଲାଗିଲି - ‘‘ଚାଲ ଆମେ ରିକ୍ସାରେ ଯିବା । ’’ ଏହି ସମୟରେ ମୁଁ ସେହି ରିକ୍ସାବାଲାର ନିରୀହ ଆଖି ଦୁଇଟିକୁ ଚାହିଁଲି । ସେ ଅପେକ୍ଷା କରିଥାଏ ତା’ ରିକ୍ସାରେ କେହି ଜଣେ ଗଲେ ତାକୁ କିଛି ଟଙ୍କା ମିଳିଯିବ । ତା’ର ଏ ଅବସ୍ଥା ଦେଖି ମୋ ମନରେ ରିକ୍ସାରେ ଯିବା ପାଇଁ ବହୁତ ଇଚ୍ଛା ହେଉଥାଏ ; ମାତ୍ର ନାନୀ ମୋ କଥା ନ ଶୁଣି ଗୋଟିଏ ଅଟୋକୁ ଅଟକାଇଲା ଏବଂ ମୋ ହାତକୁ ଜୋର୍‌ରେ ଧରି ଅଟୋ ଭିତରକୁ ଟାଣିନେଲା । ଅଟୋ ଭିତରେ ସେ ମୋତେ କହୁଥାଏ - ‘‘ଅଟୋରେ ଗଲେ ଆମେ ଶୀଘ୍ର ପହଞ୍ଚିବା , ରିକ୍ସାରେ ଗଲେ ରାତି ପାହିଯିବ... । ’’ ଅଟୋରେ ବସିଲା ପରେ ମୋର ମନେ ପଡୁଥାଏ , ଯେତେବେଳେ ନାନୀକୁ ମୁଁ ସେହି ରିକ୍ସାରେ ଯିବା ପାଇଁ ମୁଁ ଜିଦ୍‌ କରୁଥିଲି , କିଛି ଲୋକ ମୋତେ ଚାହୁଁ ଥିଲେ ଏବଂ ତାଚ୍ଛଲ୍ୟଭରା ସ୍ମିତ ହସ ସେମାନଙ୍କ ଓଠରେ ଲାଖି ରହିଥିଲା । ପୁଣି ଅଟୋ ଚାଲିବା ପରେ ମୁଁ ପଛକୁ ବୁଲି ଦେଖିଲି ସେହି ଲୋକଟି ନିରୀହ ଆଖିରେ ଆମକୁ ଅନେଇ ରହିଥାଏ ମୁହଁ ଶୁଖେଇ । ତା’ ଆଖି ଦୁଇଟି ମୋତେ ମନେପକେଇ ଦେଉଥାଏ ‘ମାଗୁଣିର ଶଗଡ଼ ’ ଗଳ୍ପକୁ । ବାସ୍ତବରେ ଆଜି ମଧ୍ୟ ମାଗୁଣି ଅନେଇ ରହିଛି ବ୍ୟସ୍ତବହୁଳ ଜୀବନ ବଞ୍ଚୁଥିବା ମଣିଷ ଆଡ଼କୁ କିଛି ଆଶାକୁ ମନରେ ବାନ୍ଧି ।


Rate this content
Log in

Similar oriya story from Tragedy