ଲଣ୍ଠନ
ଲଣ୍ଠନ


ପିଲାଦିନ ଫେରିଛି । ମନର ପୃଷ୍ଠାରେ ଲଣ୍ଠନଟା ମନେ ପଡ଼ିବାରୁ। ଉଖୁରେଇ ହୋଇ ତାଜା ହେଲା ଅତୀତର ଘଟଣା ପ୍ରବାହ ବୋଉର ତାଗିଦ୍ ହୁସିଆର, କାଚରେ ହାତ ଲଗାନି,ପାଣି ପଡ଼ୁଥିବା ପାଖେ ନେଏନି କାଚଟା ଫାଟି ଯିବ ଯେ ଯୋର ତେଜନି କାଚ କଳା ହେବ, କାନେଇକି ଜଳୁଛି ଆଜି, ଆଜି ପାଇଁ ଥାଉ ପୁଣି କାଲି ସନ୍ଧ୍ୟା ପୂର୍ବର କଥା ସଫା ହେବ କେବେଠୁ କଳାପଡି ପଡ଼ି ଦାଗ ଲାଗିଲାଣି ଭଲକି ଦେଖା ବି ଯାଉନି, ଆଲୁଅ ଲାଲ ଦିଶିଲାଣି । ଏଥର ବାପା ହାଟକୁ ଗଲେ ଚୂନ ଆଣିବାକୁ ମନେ ପକାଇବୁ,ଚୂନ ଦେଇ ଛିଣ୍ଡା କନାରେ ଘଷିଦେଲେ ସବୁ ଦାଗ ଉଠିଯିବ ଯେ ଅରଖ ନୂଆ ଭଳି ଦେଖାଯିବ।
କେବେ କେବେ ପବନ ଆଡ଼କୁ ଧରି ଗଲେ ପାଟି କରି ଉଠନ୍ତି ବୋଉ, ହେଇ, ସିଆଡେ ନେଏନା ଧପ୍ କରି ଲିଭିଯିବ ସବୁ ଅନ୍ଧାର ହୋଇଯିବ,ଡରିବୁ କେତେ କଥା ଆଜି ସବୁ ମନେ ପଡ଼ି ଲାଗେ ମନ ବ୍ୟଥା ବୋଉର ସେ ଲଣ୍ଠନଟା ଘରେ କେଉଁ କୋଣରେ ପଡ଼ିଛି । ବୋଉର ଦେହ ଖରାପ ହେବା ଠାରୁ ତାର ଆଉ ଯତ୍ନ ନାହିଁ। ସେଥିରେ ଜଙ୍ଗ୍ ଲାଗି ଫୁଟିଗଲାଣି ତାକୁ ଆଉ କେହିବି ଖୋଜୁ ନାହାଁନ୍ତି ।ବୋଉ ଭଲ ଥିଲା ବେଳେ ସନ୍ଧ୍ୟାରେ ସଞ୍ଜବତୀ ଜାଳି ଠାକୁରଙ୍କୁ କଣ ପୁଳା ମନାସି ଆସି ତା ବାହାଘର ବେଳର ସେ ଲଣ୍ଠନଟାକୁ ସଫାକରି ଲଗାଇ ଘର ହାଲୋର କରେ। ସେ ତାର ଗୋଟେ ସ୍ମୃତି । ଆମେ ତା ଚାରିପାଖେ ବହି ଖଣ୍ଡେ ଖଣ୍ଡେ ଧରି ବସି ପଡୁ ସ୍ୱର ଲମ୍ବାଇ ଆରମ୍ଭ କରିଦେଉ ବହି ପଢା ତେଣେ ବୋଉ ଚୂଲି ମୁଣ୍ଡ ରେ ଡାଲି ଘୋରୁ ଘୋରୁ ପାଟି କରି ଉଠେ- ଆରେ ଏକଡୁ ଟିକେ ଛାଡି ବସ ଅନ୍ଧାର ହେଉଛି ମୋତେ କିଛି ଦେଖା ଯାଉନି ଘରର ଅବସ୍ଥା ଯାହା ଅଧିକ ଲଣ୍ଠନ ଆଉ ତା ସଙ୍ଗେ କିରାସିନି ତେଲ କିଣିବା କଷ୍ଟକର, ବାପା ବିଲ କାମ କରି ଥକି ପଡିଥାନ୍ତି। କେତେଟା ପଇସା ବା ମଜୁରି ସେଥିରେ ଘର ଚଳାଇବାରେ ଭାରି କଷ୍ଟ ହୁଏ ବାପାଙ୍କୁ , ତେଣୁ ବେଳେବେଳେ ଲଣ୍ଠନକୁ ନରମେଇ କମ ତେଲରେ ବି ପଢିବାକୁ ପଡ଼ିଛି।
ଆଜି ସବୁ ସେ ଗପ ହୋଇଗଲାଣି ତେଲ ଲଣ୍ଠନ ବଦଳରେ ରିଚାର୍ଜବାଲା ଲଣ୍ଠନ ବଜାରକୁ ଆସିବା ପରେ ସେଥିରୁ ଗୋଟେ ଆଣି ବୋଉକୁ ଦେଇଛି ତା ସ୍ମୃତି ତା ମନରେ ସାଇତିବା ପାଇଁ ହେଲେ କଣ ହେବ ତାକୁ ମନ ମାନେନି ତାର ସେହି ଲଣ୍ଠନ କଥା ମନେ ପଡେ । ରାତିର ଘନଘଟା ଅନ୍ଧାରର ବୁକୁ ଚିରି ନରମା ଅବସ୍ଥାରେ ଲଣ୍ଠନଟା ରାତିରେ ଜଳେ କାଳେ ଆମ୍ଭେମାନେ ଡରିଯିବୁ । ଆଉ ବୋଉ ତା କାହାଣୀ ପେଡି ଖୋଲି ରଜା ପୁଅ ମନ୍ତ୍ରୀ ପୁଅ ଠୁ ଆରମ୍ଭ କରି ବୁଢୀ ଅସୁରୁଣୀ ଯାଏ ବଖାଣେ ବସେ ଆମ୍ଭେ ଶୋଇବା ଯାଏ ଏମିତି କେତେ କଥା ସବୁ ପଡେ । କଥା ଗପି ଗପି ଶୋଇପଡୁ ଆଉ ୟା ଭିତରେ କେତେଥର ମଧ୍ୟ ବୋଉ କହି ସାରିଲାଣି, ମୁଁ ମରି ଗଲେ ମୋତେ ମୋ ଲଣ୍ଠନଟା ଦେବୁ । ମୁଁ ଭାରି ଚିଠି ଉଠେ ବୋଉ ତୁ ସେ ଅଲକ୍ଷଣା କଥା କହନି। ବୋଉ ଟିକେ ନିରବି ଯାଇ ପୁଣି କହେ, ମୁଁ ଆଉ କଣ ମରିବିନି? ମୁଁ ଆଜି ବୁଝୁଛି କାହିଁକି ସେ ନିରବିଯାଉ ଥିଲା ମୁଁ ମରିଗଲେ ମୋ ଛୁଆ ମାନେ କେମିତି ରହିବେ? ବାସ ଏ ପ୍ରଶ୍ନ ତା ମନରେ ଉଙ୍କି ମାରୁଥିଲା, ଏହା ତ ସ୍ୱଭାବିକ ମାତ୍ର ପିଲା ଅବସ୍ଥାରେ ଆମେ ବୁଝି ପାରୁନଥିଲୁ । ଲଣ୍ଠନର ଧିମା ଆଲୋକ ପରି ବୋଉ ଆଜି କାହିଁକି କହିଲା ବେଳେ ଧିମେଇ ଯାଉଥିଲା। ଯେତେବେଳେ ଆମେ ବୁଝିବାକୁ ଚେଷ୍ଟା କରିଛୁ ସେତେବେଳକୁ ବୋଉ ଆମ ପର ପାରି........।