Manaswini Singh

Tragedy Others

4.5  

Manaswini Singh

Tragedy Others

ଈଶ୍ୱରଙ୍କ ଦାନ

ଈଶ୍ୱରଙ୍କ ଦାନ

2 mins
481



ଆଜି ସାରାବିଶ୍ୱ କୋରନା ଭୂତାଣୁ କବଳରେ ବାନ୍ଧି ହୋଇରହିଛି, କେତେ ଯେ ସମ୍ପର୍କ ଚିରଦିନ ପାଇଁ ହଜିଯାଇଛି ତାର କଳନା କରିହେବ ନାହିଁ। କାହାର ହସଖୁସିର ସଂସାର କ୍ଷଣିକ ମାତ୍ରେ ଦୁଃଖର ଲହଡ଼ିରେ ଭାସିଯାଇଛି ତ କେହି ନିଜର ଅତି ଘନିଷ୍ଠମାନଙ୍କୁ ହରାଇ ଦେଇଛନ୍ତି। ପ୍ରତିଦିନ ଖବରକାଗଜ ଓ ନ୍ୟୁଜ ଚ୍ୟାନେଲ ସବୁ କୋରନା ପ୍ରକୋପର ବାର୍ତ୍ତା ଦେଇଥାନ୍ତି।

ଆମ କଲୋନୀର ସୁକାନ୍ତି ମାଉସୀ, ଭାରି ମେଳାପୀ ସ୍ତ୍ରୀ ଲୋକଟିଏ । ମୁହଁରେ ସବୁବେଳେ ହସଟିଏ ଥାଏ । ମାଉସୀ, ମଉସା (ତାଙ୍କ ସ୍ବାମୀ), ସିପୁନ ଓ ଦିପୁନ ଦୁଇ ପୁଅଙ୍କୁ ନେଇ ତାଙ୍କର ସଂସାର। ମାଉସୀ ଶିକ୍ଷକତା ପଦବୀରୁ ଅବସର ନେବା ପରେ ଘରେ ନିଜ ପରିବାର ସହିତ ଅଧିକ ସମୟ ବ୍ୟତୀତ କରୁଥିଲେ । ଖୁବ୍ ସରଳ ପ୍ରକୃତିର ଅଟନ୍ତି ସେ । ବଡ଼ପୁଅ ସିପୁନ ର ବାହାଘର ବି କରିସାରିଥିଲେ । ସର୍ବଗୁଣ ସଂପନ୍ନା ବୋହୁଟିଏ ବି ପାଇଥିଲେ। କିନ୍ତୁ ଗୋଟିଏ ଦୁଃଖ ଥିଲା ଯେ, ବାହାଘରର ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ସିପୁନ ଓ ମିତା ନିଃସନ୍ତାନ ଥିଲେ। ବହୁ ଚିକିତ୍ସା ପରେ ବି ବିଫଳତା ମିଳୁଥିଲା । ଦୁଇ ଦୁଇ ଥର ଆଇ. ଭି. ଏଫ କରି ମଧ୍ୟ ସଫଳ ହୋଇପାରୁ ନଥିଲେ । ପରିଶେଷରେ ସରଗେସୀ ମାଧ୍ୟମରେ ସନ୍ତାନ ସୁଖ ପାଇବା ପାଇଁ ବିଚାର କରୁଥିଲେ କିନ୍ତୁ ଭଗବାନଙ୍କ ଆଶୀର୍ବାଦ ରୁ ହଠାତ ମିତା ଗର୍ଭବତୀ ଥିବା ଜଣା ପଡ଼ିଲା । ଖୁସିର ବର୍ଷାରେ ଯେପରି ମାଉସୀଙ୍କ ସଂସାର ପୁରା ଭିଜିଯାଇଥିଲା। ଏତେ ଦିନର ଆଶା ଯେ ଆଜି ପୂରଣ ହେବାକୁ ଯାଉଛି ତେଣୁ ଘରେ ସମସ୍ତେ ବହୁତ ଖୁସି ଥିଲେ। କିନ୍ତୁ ଏ କଣ ହେଲା ଖୁସିଟିକୁ ଯେମିତି କାହାର ନଜର ଲାଗିଗଲା ।

କୋରନା ର ପ୍ରଥମ ଲହରରେ ଦିନେ ହଠାତ ମଉସାଙ୍କ ଦେହ ଅସୁସ୍ଥ ହେଲା ଏବଂ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ। ମାଉସୀଙ୍କର ମୁହଁରୁ ହସ ଯେପରି କୁଆଡେ ଉଭେଇ ଯାଇଥିଲା । କିନ୍ତୁ ନିଜକୁ ସମ୍ଭାଳି ପୁଣି ଜୀବନରେ ନିଜ ଛୁଆପିଲା ଓ ତାଙ୍କର ସନ୍ତାନମାନଙ୍କୁ ଦେଖିବାର ଆଶା ନେଇ ଜୀଇଁ ଉଠିଥିଲେ ସୁକାନ୍ତି ମାଉସୀ । କିନ୍ତୁ ଦଇବ ତାଙ୍କର ଏ ଖୁସିଟିକୁ ବି ସହିପାରିଲାନି ବୋଧେ।


କୋରନା ର ଦ୍ଵିତୀୟ ଲହରରେ ସାନପୁଅ ଦିପୁନ ସଂକ୍ରମିତ ହୋଇ ଚିରଦିନ ପାଇଁ ଆଖି ବୁଜିଦେଲା । ଏ ଖବରଟି ଶୁଣି ମାଉସୀ ଦୁଃଖରେ ଭାଙ୍ଗି ପଡିଲେ ସତେ ଯେପରି ସ୍ଥାଣୁ ପାଲଟି ଯାଇଥିଲେ। ପ୍ରଥମେ ସ୍ୱାମୀ ଏବଂ ପରେ ପୁଅକୁ ହରାଇ ମାଉସୀ ମୌନବ୍ରତୀ ହୋଇଯାଇଥିଲେ ।

ଏସବୁ ଦୁଃଖ ଭିତରେ ମିତାର ପ୍ରସବ ସମୟ ପାଖେଇ ଆସୁଥିଲା । ଆଉ କିଛି ଅଘଟଣ ନ ଘଟୁ ବୋଲି ପ୍ରତିଦିନ ଦିନରାତି ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ମାଉସୀ। 

ଶେଷରେ ଈଶ୍ୱରଙ୍କ ଆଶୀର୍ବାଦରୁ ମିତା ଦୁଇଟି ଯମଜ ପୁତ୍ରକୁ ଜନ୍ମ ଦେଲା । ମାଉସୀ ଏହି ଖବରଟି ଶୁଣି ଖୁସିରେ ଆତ୍ମବିଭୋର ହୋଇ ଉଠିଲେ। ସତେଯେମିତି ଈଶ୍ୱର ତାଙ୍କ ସ୍ୱାମୀ ଏବଂ ପୁଅକୁ ପୁନର୍ଜନ୍ମ ଦେଇ ଫେରାଇ ଦେଇଛନ୍ତି ତାଙ୍କ ପାଖକୁ। ବୋଧହୁଏ ମାଉସୀଙ୍କ ଦୁଃଖ କିଛିଟା କମିଯିବ ଏ ଦୁଇଜଣଙ୍କ ହସ ହସ ମୁହଁ ଦେଖି । ପ୍ରତିଦିନ ସନ୍ଧ୍ୟାରେ ମାଉସୀଙ୍କୁ ଦୁଇ ନାତିଙ୍କ ସହିତ ବାଲକୋନୀ ରେ ବସିଥିବା ଦେଖେ । ଆଉ ମାଉସୀଙ୍କର ହସଟି ଯେ ପୁଣି ଫେରିଆସିଛି ସେଥିପାଇଁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଥାଏ ।


Rate this content
Log in

Similar oriya story from Tragedy