Subhasmita Mohanty

Horror

1.5  

Subhasmita Mohanty

Horror

ଏକାକୀ ବେଳାର ମନର ଭୟ

ଏକାକୀ ବେଳାର ମନର ଭୟ

2 mins
118


ଚିନୁ! ଚିନୁ! ,

   ଜେଜେମା'ଙ୍କ ଡାକରେ ଚିନୁର ନିଦ ଭାଙ୍ଗିଗଲା। ସାତ ବର୍ଷର ଝିଅଟି। ଘରେ ବାପା,ମାମା, ଜେଜେମାଙ୍କର ସେ ଅତି ପ୍ରିୟ। ଦେଖିବାକୁ କଣ୍ଢେଇ ପରି। ସମସ୍ତଙ୍କର ସବୁ କଥା ମାନେ। କେବେ କେଉଁ କଥାରେ ଜିଦି କରେନି। 

    ସବୁଦିନ ପରି ବାପା, ମାମା ଅଫିସ୍ ଚାଲିଯିବା ପରେ ଚିନୁ ଜେଜେମାଙ୍କ ପାଖରେ ଖେଳି ଖେଳି ଶୋଇ ପଡ଼ିଥିଲା। ଖାଇବା ସମୟ ହେବାରୁ ଜେଜେମା ଚିନୁକୁ ନିଦରୁ ଉଠାଇ ଦୁହେଁ ମିଶି ଖାଇନେଲେ। ଖାଇ ସାରିବା ପରେ ଶୋଇବାକୁ ଆସିବାରୁ ଚିନୁ କହିଲା - ଜେଜେମା ମୋତେ ଗୋଟିଏ ଗପ କୁହନା । ହଁ କିନ୍ତୁ ରାଜା କି ଅସୁର ଗପ ଚଳିବନି। ଆଜି ମୋତେ ଗୋଟିଏ ଭୂତ ଗପ କୁହ। 

     ଜେଜେମା କହିଲେ - ମା'ରେ ତୋର ଏହି ବୟସରେ ଭୂତ ଗପ ଶୁଣିଲେ ତୁ ଡରି ଯିବୁନି? ଚିନୁ କହିଲା ଜେଜେମା ମୁଁ ହେଉଛି ସାହସୀ ଝିଅ। ମୁଁ ଡରିବି ନାହିଁ। ଜେଜେମା ବହୁତ ମନା କରିବା ସତ୍ତ୍ୱେ ନାତୁଣୀ ନ ମାନିବା ରୁ ବାଧ୍ୟ ହୋଇ କହିଲେ ଆଚ୍ଛା ଶୁଣୁ ତେବେ -

   ଗୋଟିଏ ଦିନ ତୋର ଜେଜେ ଆଉ ମୁଁ ଘରେ ଥିଲୁ। ତୋର ମାମା ତୋ ଅଜା ଘରକୁ ଯାଇଥାଏ, ଆଉ ତୋ ବାପା ଅଫିସ୍ କାମରେ ପାଞ୍ଚ ଦିନ ପାଇଁ ବାହାରକୁ ଯାଇଥାଏ। ଦୁଇ ଦିନ ବର୍ଷା ପ୍ରବଳ ହେଉଥାଏ। ଟିକିଏ ଛାଡ଼ିବାର ନା' ଧରୁ ନଥାଏ। ସେଥିପାଇଁ ଲାଇନ୍ ବି ନଥାଏ। ଦିନ ସରି ସନ୍ଧ୍ୟା ହେବାକୁ ଲାଗିଲା। ବର୍ଷା ଟିକିଏ କମିବାରୁ ଜେଜେ ବଜାର ଗଲେ। ମହମବତୀ ଲଗେଇ ମୁଁ ଘରେ ଏକା ଥାଏ। ହଠାତ୍ ରୋଷେଇ ଘରୁ ବାସନ ପଡ଼ିବାର ଶବ୍ଦ ହେଲା। ବିଲେଇ ପଶିଯାଇଛି ଭାବି ଯେତେବେଳେ ମୁଁ ସେ ଘରକୁ ଯାଇଛି କେହି କୁଆଡ଼େ ନାହାନ୍ତି। ବାସନ ବି କିଛି ପଡ଼ିନି। ଭାବିଲି ଏହା ବୋଧେ ମୋ ମନର ଭ୍ରମ। ତା' ପରେ ଫେରିଆସି ବାହାର ଘରେ ବସିଥାଏ। କେହି ଜଣେ ଯିବାର ଛାଇ ଦେଖାଗଲା। ମୁଁ ହଠାତ୍ ଚମକି ପଡ଼ି ଉଠିଗଲା ବେଳକୁ ପବନରେ ମହମବତୀ ବି ବନ୍ଦ ହୋଇଗଲା। ଡରରେ ମୋ ଦେହରୁ ଝାଳ ଗମ୍ ଗମ୍ ବାହାରୁଥାଏ। କ'ଣ କରିବି କୁଆଡ଼େ ଯିବି। ଫୋନ୍ ବି ଶୋଇବା ଘରେ ଥାଏ। ଅନ୍ଧାରରେ କିଛି ଦେଖା ଯାଉନି। ମୋତେ ଲାଗିଲା ଯେମିତି ମୋ ପାଖରେ କେହି ଜଣେ ବସିଛି। ଡରରେ ମୋ ପାଟିରୁ ଶବ୍ଦ କିଛି ବାହାରୁ ନଥାଏ। ମନେ ମନେ ହନୁମାନ ଚାଳିଶା ପଢ଼ିବାକୁ ଲାଗିଲି। 

      ଠିକ୍ ସେହି ସମୟରେ ବାହାର କବାଟ୍ ଟି ଶବ୍ଦ ହେଲା। ମୁଁ ଆହୁରି ଡରିଯାଇ ଚିତ୍କାର କରିବାକୁ ଲାଗିଲି। କୌଣସିମତେ ତୋ ଜେଜେ କବାଟ୍ ଫିଟେଇ ମୋ ପାଖକୁ ମୋବାଇଲ଼ ର ଲାଇଟ୍ ଆଣି ମୋତେ ସମ୍ଭାଳି ନେଲେ। ସୈାଭାଗ୍ୟ ବଶତଃ ସେହି ସମୟରେ ଲାଇନ୍ ବି ଆସିଲା । ମୁଁ ପୁରା ଡରିଯାଇ ଅଚେତ୍ ହୋଇଯାଇଥିଲି। ଜେଜେ ମୋ ମୁହଁରେ ପାଣି ଛିଞ୍ଚି ମୋତେ ଉଠାଇଲେ। ସେ ରାତିରେ ଡରି ଡରି ଶୋଇ ପଡ଼ିଥିଲି। ସକାଳୁ ଉଠି ଶୁଣିଲି ଯେ ପାଖ ସାହିରେ ଜଣେ ଲୋକ ହୃଦଘାତରେ ପ୍ରାଣ ହରାଇଥିଲେ। ଓଃ ଆଉ ମନେ ପକେଇ ପାରିବିନି କହି ଜେଜେମା ଯେତେବେଳେ ଚିନୁକୁ ଦେଖିଛନ୍ତି ଚିନୁ ଆରାମ୍ ରେ ଶୋଇ ପଡ଼ିଥାଏ। ଜେଜେମା ମନେ ମନେ ଭାବିଲେ ଯାହା ହେଉ ଛୁଆଟି ଏଇ ପୁରା କଥା ଶୁଣିନି। ନ ହେଲେ ମୋ ଭଳି ତା'ର ଅବସ୍ଥା ଖରାପ ହୋଇଯାଇ ଥାଆନ୍ତା।


Rate this content
Log in

Similar oriya story from Horror