STORYMIRROR

Bidhu Bhusan Tripathy

Tragedy

2  

Bidhu Bhusan Tripathy

Tragedy

ବନ୍ଧୁ

ବନ୍ଧୁ

3 mins
16.1K


ଅଫିସରେ କାର୍ଯ୍ୟବ୍ୟସ୍ତ ଥାଏ ହଠାତ୍ ବନ୍ଧୁଙ୍କ ଫୋନ ଆସିଲା.... ମୋ' ସହିତ ଟିକେ ଆସି ପାରିବକି ? ପଟିଆ ଯିବା, ନିହାତି ଯିବାର ଅଛି, ମୁଁ ମୋ ଗାଡି ନେଇ ଯାଉଛି, ତୁମେ ତୁମ ଅଫିସ ଗେଟ ପାଖରେ ଥାଅ। କିଛି ପଚାରି ବୁଝିବା ଆଗରୁ ବନ୍ଧୁଙ୍କୁ ହଁ ମାରି ଅଫିସ ଗେଟ ପାଖକୁ ଆସିଲି। ଯଥା ସମୟରେ ବନ୍ଧୁ ଆସି ପହଞ୍ଚିଲେ ଏବଂ ଗାଡି ପଟିଆ ଅଭିମୁଖେ ଚାଲିଲା।

ଗାଡି ପଟିଆର ପାଖ ଏକ କଲୋନୀର ଗୋଟେ ଘର ପାଖରେ ପହଞ୍ଚିଲା। ସେତେବେଳକୁ ସେଇ ଘର ସାମ୍ନାରେ ଲୋକ ଜମା ହେଇଛନ୍ତି ଏବଂ ସେ ଘର ଭିତରୁ ପୋଡା ଧୂଆଁ ବାହାରୁଛି। ଆମେ ଭିତରକୁ ଗଲୁ। ବୁଝିଲା ବେଳକୁ କଥା କ'ଣ ନା, ବନ୍ଧୁଙ୍କ ମା' ସେଠି ରହୁଛନ୍ତି, ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଯାଇଥିଲା, କଲୋନୀ ଲୋକେ ନିଆଁ ଲିଭେଇ ମାଉସୀଙ୍କୁ ଉଦ୍ଧାର କରି ବନ୍ଧୁଙ୍କୁ ଫୋନ କରିଛନ୍ତି। ମାଉସୀ ବୁଢ଼ୀ ଲୋକ କିଂ କର୍ତ୍ତବ୍ୟ ମୂଢ ଅବସ୍ଥାରେ ଥାଆନ୍ତି। ଏହି ସମୟରେ ବନ୍ଧୁଙ୍କ ଅନ୍ୟ ଭାଇମାନେ ବି ଆସି ପହଞ୍ଚିଲେ। କିଛି ସମଯ ଭିତରେ ଘରଦ୍ୱାର ବି ସଫା ହେଇଗଲା ଆମେ ସେଠାରୁ ବିଦାୟ ନେଲୁ। ବାଟରେ ବନ୍ଧୁଙ୍କୁ ପଚାରିଲି... ଏଇ ଘରଟା କାହାର ? ତୁମ ମା' କ'ଣ ଏକୁଟିଆ ଏଠି ରହୁଛନ୍ତି ? ବନ୍ଧୁ ଉତ୍ତର ଦେଲେ, ଘରଟା ଆମର ପୈତୃକ ଘର ତେଣୁ ମା' ସେଇଘରେ ରହୁଛି।

ଦିନେ ସନ୍ଧ୍ୟାବେଳେ ଖଟିରେ ପହଞ୍ଚିଲା ବେଳକୁ ବନ୍ଧୁ ଜଣକ ବିରସ ମନରେ ବସିଛନ୍ତି.... ପଚାରିଲି ବନ୍ଧୁଙ୍କୁ ଆଜି କାହିଁକି ଏତେ ବିରସ ? ବନ୍ଧୁ ଉତ୍ତର ଦେଲେ.....ମା' ରହିଥିବା ପଟିଆ ଘରଟା ଆଜି ବିକ୍ରି ହେଇଗଲା। ମୁଁ ପଚାରିଲି, ଆପଣଙ୍କ ପୈତୃକ ଘର ପରା, ବିକିବାର କାରଣ ? ବନ୍ଧୁ କହିଲେ, ନା, ସେ ଘରଟା ବିଦେଶରେ ରହୁଥିବା ମୋ' ସାନ ଭାଇର। ତେବେ ଭାଇର ଘର ଭାଇ ବିକିଲା ଏଥିରେ ମନ ଦୁଃଖ କାହିଁକି ? ବନ୍ଧୁ କହୁଛନ୍ତି.... ସାନଭାଇ ଘର କିଣିଲା ବେଳେ ମା' ତାକୁ ତା' ପେନସନ ଟଙ୍କାରୁ ପଚାଶ ହଜାର ଟଙ୍କା ଦେଇଥିଲା, ଯେତେବେଳେ ସାନଭାଇ ଘର ବିକିବାକୁ କହିଲା, ମା' ତାକୁ ମନାକରି କହିଲା ଯେ ମୁଁ କେଉଁଠି ରହିବି ? ଭାଇ ଉତ୍ତର ଦେଲା.....ମା' ମୋରତ ଆଉ ବିଦେଶରୁ ଏଠାକୁ ଫେରିବାର ନାହିଁ, ଘରଟା ଏଠି କ'ଣ ହେବ....ମା' କହିଲେ ହଉ ଯେ ତୁ ଘର କିଣିଲା ବେଳେ ମୋ ଠାରୁ ଯେଉଁ ପଚାଶ ହଜାର ଟଙ୍କା ନେଇଥିଲୁ ସେ ଟଙ୍କା ମତେ ଫେରେଇ ଦେ। ପୁଅ ଊତ୍ତର ଦେଉଛି.... ଦେଖ ମା' ! ସହଜେତ ଘରଟା ବହୁତ କମ ଦାମରେ ବିକ୍ରି ହେଲା, ଆଉ ତୁ ଯେଉଁ ଛଅ ବର୍ଷ ହେଲା ଏ ଘରେ ରହିଲୁ ମୁଁ ତ ଘର ଭଡା ଲଗେଇଥିଲେ ଛଅ ଲକ୍ଷ ଟଙ୍କା ଭଡା ପାଇଥାନ୍ତି ତଥାପି ତୁ କହୁଛୁ ତୋ' ଟଙ୍କା ଫେରେଇବି। ବୁଢ଼ୀ ଏକଥା ଶୁଣି ନିରବ ରହିଲେ। ମୁଁ ପଚାରିଲି ଏବେ ତୁମ ମା' ? ବନ୍ଧୁ ଉତ୍ତର ଦେଲେଯେ ମା' ବଡଭାଇଙ୍କ ପାଖରେ ରହୁଛନ୍ତି।

କୌଣସି କାମରେ ସେଦିନ ବନ୍ଧୁଙ୍କ ଘରକୁ ଯାଇଥିଲି, ଦେଖିଲି ମାଉସୀ ବସିଛନ୍ତି, ଭାରି ଖୁସି ଲାଗୁଥିଲେ, ବନ୍ଧୁଙ୍କ ପୁଅ ସହ ଖେଳୁଥିଲେ। ପ୍ରଣାମ କଲି, ମାଉସୀ ହସିକି ପାଖକୁ ଡାକିଲେ.... ଆ ବାପା ! ବସ, ଘରେ ସମସ୍ତେ ଭଲ ଅଛନ୍ତି ? ଭଲ ଅଛନ୍ତି କହିଲି। ଓଃ କି ଆତ୍ମୀୟତା, ମତେ ଭାରି ଖୁସି ଲାଗିଲା।

ସେଦିନ ରବିବାର ଥିଲା, ସକାଳୁ ସକାଳୁ ବନ୍ଧୁଙ୍କ ଘରେ ଯାଇ ପହଞ୍ଚିଲି। ମାଉସୀଙ୍କୁ ବସିବାର ଦେଖିଲି କିନ୍ତୁ ସେହିଦିନ ପରି ମୁହଁରେ ହସ ନଥିଲା ଭାରି ବିରସ ଦେଖା ଯାଉଥିଲେ। ଭିତରକୁ ଯାଇ ପ୍ରଣାମ କଲି ମାଉସୀ କିଛି ଉତ୍ତର ଦେଲେନି। ପୁଣି ଥରେ ପଚାରିଲି, ମାଉସୀ ଭଲ ଅଛନ୍ତି ? ହଁ ! ଭଲ ଆଉ କଣ, ଯିବା ବେଳତ ହେଲାଣି। ଏହି ସମୟରେ ବନ୍ଧୁ ରାଗ ତମତମ ମୁହଁରେ ଘରୁ ବାହାରି ମତେ କହିଲେ ଚାଲଯିବା। ବାଟରେ ବନ୍ଧୁଙ୍କୁ ପଚାରିଲି, ଆଜି ମାଉସୀ କାହିଁକି ଏତେ ବିରସ ଲାଗୁଛନ୍ତି ? ହଠାତ କାହିଁକି କହିଲେଯେ ଯିବା ବେଳ ହେଲାଣି ? ବନ୍ଧୁ ଉତ୍ତର ଦେଲେ.... ସବୁ ମୋର ସେହି ମଝିଆଁଭାଇ ପାଇଁ ଏତେ ପାଲା। କିହୋ ପାଲା ପୁଣି କ'ଣ ? ବନ୍ଧୁ କହୁଛନ୍ତି.....ସାନଭାଇର ଘର ବିକ୍ରି ପରଠାରୁ ମା' ବଡଭାଇ ଘରେ ରହୁଥିଲା ଏବେ ମାସେ ଛ ଦିନ ହେଲା ମୋ' ପାଖରେ ଅଛି କିନ୍ତୁ ଆମର ତିନି ଭାଇଙ୍କ ଭିତରେ କଥା ଛିଣ୍ଡିଥିଲା ଯେ ସମସ୍ତେ ମା'କୁ ମାସେ ଲେଖାଏଁ ରଖିବେ, ଏବେ ମାସେ ପୁରି ଛ ଦିନ ଚାଲିଲାଣି ମଝିଆଁଭାଇ ମା'କୁ ତା' ପାଖକୁ ନେଉନିକି ମୋ' ଫୋନବି ଧରୁନି ସେଥିପାଇଁ ଆଜି ଆମ ଘରେ ପାଟିତୁଣ୍ଡ ତେଣୁ ମା' ମନ ଖରାପ। ବନ୍ଧୁଙ୍କ ଠାରୁ ଏକଥା ଶୁଣି ତାଙ୍କୁ କହିଲି...ତୁମେତ ଏଥିରେ ଖୁସି ହେବା କଥା, ମା'ଙ୍କୁ ନିଜ ପାଖରେ ରଖନ୍ତୁ। ବନ୍ଧୁ କହୁଛନ୍ତି ସେମିତି କେମିତି ହେବ, ଯାହା କଥା ଛିଣ୍ଡିଲାନା.... ମୋର ତ ପୁଣି ସଂସାର ଅଛି, ମୋର ବି ଭଲମନ୍ଦ ଅଛି, ମା' ମୋ ପାଖରେ ରହିଲେ ମୁଁ ଆଉ ବାହାରକୁ କୁଆଡେ ଯାଇ ପାରିବିନି, ତା'ର ବୟସ ହେଲାଣି ତା' ପାଇଁ ଜଣେ ଲୋକ ଦରକାର। ମୁଁ ଆଉ ନିଜକୁ ସମ୍ଭାଳି ନପାରି ବନ୍ଧୁଙ୍କୁ କହିଲି.... ତୁମେ ତାଙ୍କରି ପୁଅଟି ? ଇଏ କି ମନୋଭାବ ତୁମର ? ମତେ ତ ତୁମ ବ୍ୟବହାର ଦେଖି ଯେତିକି ଘୃଣା ଲାଗୁଛି ତୁମ ପାଇଁ ସେତିକି ଦୁଃଖ ବି ଲାଗୁଛି କାହିଁକି ନା ଯିଏ ନିଜ ଜନ୍ମକଲା ମା'ର ନୁହେଁ ସିଏ କେମିତି ଆଉ କାହାର ହେବ। ତୁମ ସହ ବନ୍ଧୁ ହେବାପାଇଁ ମୋର ଯୋଗ୍ୟତା ନାହିଁ। ହଁ, ଦୁଃଖ ଲାଗୁଛି ଏଇଥି ପାଇଁ ଯେ, ତୁମର ସେ ବେଳ ଆଗକୁ ଆସୁଛି ଏବଂ ତୁମ ପୁଅ ତୁମସହ ଏହାଯେ ନ କରିବ। ମୋର ଅନ୍ୟ କାର୍ଯ୍ୟ ଅଛି କହି ମିଛ ବାହାନାରେ ବନ୍ଧୁଙ୍କ ଠାରୁ ବିଦାୟ ନେଲି। ମନେ ମନେ ଈଶ୍ବରଙ୍କୁ କହୁଥାଏ, ହେ ! ଈଶ୍ୱର, ଏହା କ'ଣ ମାଉସୀଙ୍କ କୃତ୍ୟକର୍ମର ଫଳ ନା ଏ ଅଯୋଗ୍ୟ ସନ୍ତାନର ଅନ୍ଧାରକୁ ଆମନ୍ତ୍ରଣ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bidhu Bhusan Tripathy

ବନ୍ଧୁ

ବନ୍ଧୁ

3 mins ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

3 mins ପଢ଼ନ୍ତୁ

Similar oriya story from Tragedy