ଅସାମାଜିକ
ଅସାମାଜିକ
ସନାତନ କଟା
"ଅସହ୍ଯ ହେଉଛି ଅସାମାଜିକ କାର୍ଯ୍ଯକଳାପ ।" ସକାଳୁଆ ଚା'ପିଆ ସହିତ ଖବରକାଗଜର ଶୀର୍ଷକ ପରେ ଶୀର୍ଷକ ପଢି ଚାଲିଥା'ନ୍ତି ସୁମନ୍ତବାବୁ । ହେଲେ, କାଇଁ କେଜାଣି ଅସାମାଜିକ ଶବ୍ଦଟି ମନରେ ଅନେକ ପ୍ରଶ୍ନ ଆନ୍ଦୋଳିତ କଲା । ଅଟକି ଗଲେ ସେ ।
ଚା' କପ୍ ରେ ଓଠ ଲଗେଇ ସିପ ନେଇ ମନେ ପକଉଥିଲେ, ଯେତେବେଳେ ସିଏ କଲେଜ ପଢୁଆ ଯୁବକ ଥିଲେ ଏଇ ସାମାଜିକ ଆଉ ଅସାମାଜିକ ଶବ୍ଦର ପ୍ରଭେଦ ବୁଝଉଥାନ୍ତି, ରାଜନୀତି ବିଭାଗ ପ୍ରଫେସର ହୋତା ସାର୍।
"ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ବିନା ସେ ତିଳେମାତ୍ର ତିଷ୍ଠିପାରେନା । ବିନା ସମାଜରେ ତିଷ୍ଠି ପାରନ୍ତି ହୁଏତ ଈଶ୍ବର ଅଥବା ପଶୁ ।"
ନିଜକୁ ପୁଣି ଘାଣ୍ଟିଲେ ସୁମନ୍ତବାବୁ । ହେଲେ, ଏ ଅସାମାଜିକ ମାନେ କ'ଣ ହେଇପାରେ । ଠିକ୍ ଠିକ୍ ବୁଝିବାକୁ ଗଲେ ଯିଏ ସାମାଜିକ ନୁହଁ ଅଥବା ସମାଜ ସହିତ ତିଷ୍ଠିବାକୁ ଚାହେଁନା, ସିଏ ଅସାମାଜିକ । ଆହୁରି ମଧ୍ଯ ସାମାଜିକ ସମ୍ପର୍କ ତଥା କାର୍ଯ୍ଯକଳାପରେ ବିଶ୍ବାସ ରଖୁ ନ ଥିବା ବ୍ଯକ୍ତି ମଧ୍ଯ ଅସାମାଜିକ ହେଇ ପାରେ ।
ଏଥର ଆହୁରି ଅନେକ ସ୍ମୃତି ଉଙ୍କି ମାରିଲା । ସକାଳୁଆ ଖବର କାଗଜ ସହିତ ଚା'ର ନିବୀଡତାକୁ ତ ସେ ଆଗରୁ ଅନେକ ଥର ଅନୁଭବ କରିଥିଲେ, ତା'ର ମଜା ନଉଥିଲେ; କିନ୍ତୁ ଆଜି ଅନେକ ଅସମାହିତ ପ୍ରଶ୍ନ ତାଙ୍କୁ ବ୍ଯତିବ୍ଯସ୍ତ କରି ପକାଉଛି ।
ଅନେକ ଦିନ ହେଲା, ଚାକିରୀ କଲା ପରଠୁ ସେ ନିଜେ କୌଣସି ସାମାଜିକ କାର୍ଯ୍ଯକଳାପ ରେ ପ୍ରତ୍ଯକ୍ଷ ଭାବରେ ଭାଗ ନେଇ ନାହାନ୍ତି । ସାମାଜିକ ସମ୍ମାନ ଲାଳସାରେ ଆଜି ସେ ଉଚ୍ଚ ପଦବୀରେ ଅବସ୍ଥାପିତ ।
କେତେ ବନ୍ଧୁମିଳନ, ବିବାହ ଉତ୍ସବ, ଅନ୍ତ୍ଯେଷ୍ଟିକ୍ରିୟା ପରି ଏମିତି କେତେ ଯେ ସାମାଜିକ ଅନୁଷ୍ଠାନ ରେ ସେ ଯେ ଭାଗ ନେଇ ନାହାନ୍ତି । ସବୁବେଳେ କାର୍ଯ୍ଯବ୍ଯସ୍ତତାକୁ ଆଳ କରି ଆଡେଇ ଚାଲିଲେ ।
ଚା ପିଇ ସାରି ଖାଲି ଥିବା କପ୍ ଟିକୁ ଟିପୟ ଉପରେ ରଖିଦେଲେ ।
ଏକ ଦୀର୍ଘଶ୍ବାସ ନେଇ ପୁଣି ଅନ୍ଯମନସ୍କ ହେଲେ ।
ପୁଅ ବୋହୂ ବିଦେଶରେ ଚାକିରୀ । ସେଇଠି ନାତି ନାତୁଣୀ । କେବେ କେମିତି ଫୋନ୍ କଲ୍ ଆସେ । ବେଳେ ବେଳେ ଭିଡିଓ କଲ୍ କରନ୍ତି । ଦେଖିକି ଖୁସିରେ ଆତ୍ମହରା ହୁଅନ୍ତି । କାଚ ବାକ୍ସର ମିଠା କେବଳ ଦେଖି ହୁଏ, ଖାଇ ହୁଏନା ମର୍ମରେ ନିଜକୁ ନିଜେ ବୁଝାନ୍ତି ।
ହେଲେ, ଗତ କିଛି ମାସ ହେଲା ଆଉ କଲ୍ ଆସୁନି । ସମସ୍ତେ କର୍ମବ୍ଯସ୍ତ । ନାତି ନାତୂଣୀ ବି ପଢାରେ ବ୍ଯସ୍ତ । ସମୟ ବା କାହିଁ?
ବହୁତ ଏକା ଅନୁଭବ କଲେ ସେ । ନା ବନ୍ଧୁ, ନା ବାନ୍ଧବ, ନା ପୁଅ-ବୋହୂ, ନା ନାତି-ନାତୂଣୀ, କେହି ନାହାନ୍ତି ।
ଜୀବନଯାକର କଷ୍ଟ ଉପାର୍ଜିତ ଅର୍ଥରେ ଏ ସୁରମ୍ଯ ଅଟ୍ଟାଳିକାର ଗୁରୁତ୍ବ ବା କ'ଣ? ଘର ଶୂନଶାନ୍ । ଚାରିଆଡେ ଖାଁ ଖାଁ । ରକ୍ତମାଂସଗଢା ମଣିଷଟେ ଅଛି ବୋଲି, କାଲିକି ଏହା ଭୂତ ବଙ୍ଗଳାରେ ଯେ ପରିଣତ ନ ହେବ; କିଏ କହିବ? ପୁଅ-ବୋହୂ ଯେ ନିକଟ ଭବିଷ୍ଯତରେ ଆସି ଏଠି ରହିବେ, ତା'ର କୌଣସି ସମ୍ଭାବନା ମଧ୍ଯ ନାହିଁ।
ଦୂର ଦିଗବଳୟରେ ଉଦିତ ସୂର୍ଯ୍ଯ ଧୀରେ ଧୀରେ ଉପରକୁ ଉଠୁଥିଲେ ।
ସୁମନ୍ତବାବୁ ନିଜକୁ ନିଜେ ପଚାରୁଥିଲେ, ଯେହେତୁ ସିଏ ସାମାଜିକ ସମ୍ପର୍କର ବହୁତ ଦୂରରେ, ମାନେ ସିଏ ନିଜେ ବି ଜଣେ ଅସାମାଜିକ???
ସମ୍ପ୍ରତି ଦୁନିଆଁରେ ଏମିତି ଆହୁରି କେତେ ଯେ ଉଚ୍ଚାଭିଳାଷୀ ବ୍ଯକ୍ତି ସାମାଜିକ ସମ୍ମାନ ତଥା ପ୍ରତିଷ୍ଠା ପଛରେ ଗୋଡେଇ ଗୋଡେଇ ଅଜାଣତରେ ଅସାମାଜିକ ହେଇ ସାରିଛନ୍ତି ।
ସତରେ ଭାରି ଅସହ୍ଯ ଏ ଅସାମାଜିକ ଜୀବନ ।
ସିଲୁଆଁ, ଟିଟିଲାଗଡ଼, ବଲାଙ୍ଗୀର
ମୋ ୯୪୩୭୮୬୮୨୫୩