କୋଇଲା
କୋଇଲା
"ସବୁଦିନ ଗୋଟେ ରାଉ ରାଉ । ଶାନ୍ତିରେ ଟିକେ ବି ଖାଇବାକୁ ଦେବେନି " - ଖାଉ ଖାଉ ହଠାତ ଭାତ ଥାଳିଟିକୁ ଫୋପାଡି ଦେଇ ମୁଁ କହିଉଠିଲି ।ବାଡିପଟ ନଳକୂଅରୁ ହାତ ଧୋଇ ବୋଉର କାନିରେ ମୁଁହ ପୋଛିଲା ବେଳେ ବୋଉ ବୁଝାଉଥିଲା " ମୋ ଧନଟା ସକାଳୁ ଏ ଯାଏଁ କିଛି ଖାଇନୁ ଖାଇ ଦେ ବାପାଙ୍କ କଥାରେ କାହିଁକି ରାଗୁଛୁ ।ବାପା କହିବେନି ତ୍ ଆଉ କିଏ କହିବ ?
"କହିବାର ଗୋଟେ ସୀମା ଅଛି ବୋଉ ମୁଁ ଘରେ ରହିଲେ ବାପାଙ୍କର ଅଶାନ୍ତି ଦେଖେଇ ଦେଖେଇ ଅନେକ କଥା କହୁଛନ୍ତି ।ଚାକିରୀ କଣ ଗଛର ଫଳ ତାକୁ ମୁଁ ତୋଳିଆଣିବି ? "
" ଆରେ ବାପା ସବୁଦିନେ ସେମିତି ସେ ରାଗରେ କହିଲେ ବି ତୋ ପ୍ରତି ତାଙ୍କର ଯଥେଷ୍ଟ ଭଲ ପାଇବା ଅଛି ।ତୁ ଏମିତି କାହିଁକି ଭାବୁଛୁ ।ସେ ତୋ ଭଲ ପାଇଁ କହୁଛନ୍ତି । ଆସିଲୁ ଖାଇ ଦେ ମୋ ଧନ କଳାକାଠ ପଡିଗଲୁଣି ନ ଖାଇ ପିଇ କେମିତି ? "
ବୋଉ ତା ପଣତକାନିରେ ମୋ ଝାଳୁଆ ମୁହଁଟିକୁ ଯେବେ ଅତି ସରାଗରେ ପୋଛିଦିଏ ମୋ ମନ ଆକାଶରେ ଘୋଟିଥିବା ରାଗ ଅଭିମାନର କଳାହାଣ୍ଡିଆ ବାଦଲ ସବୁ କୁଆଡେ ଉଭେଇଯାଏ ନିମିଷେକେ । କିନ୍ତୁ ବାପାଙ୍କର ରୁକ୍ଷ କଥା ମୋ ଦେହରେ କଣ୍ଟା ଫୋଡିଲା ପରି ଲାଗେ ।ଘରେ ପଶୁ ପଶୁ ଆରମ୍ଭ ହୋଇଯାଏ ନିତିଦିନିଆ ବାପାଙ୍କର ଗାଳି -" କୁଳାଙ୍ଗର ପାଠ ଶାଠ ତ୍ ହେଲାନି ।ସାଙ୍ଗ ସାଥୀ ମେଳରେ କ୍ଯାରିୟରଟାକୁ ବରବାଦ କରିଦେଲୁ ।ମଠରେ ଖାଇ ଖଟରେ ଶୋଉଛୁ ।ଭବିଷ୍ଯତ କଥା କେବେ ଚିନ୍ତା କରିଛୁ ।ପଡିଶା ଘର ରାମବାବୁଙ୍କ ଝିଅ କେମିତି ମେଡିକାଲ ପାଇ ଡାକ୍ତରୀ ପଢୁଛି ।ପ୍ରଧାନବାବୁଙ୍କର ପୁଅ ଆଇ ଆଇ ଟି ପାଇ ଖଡଗପୁରରେ ଇଂଞ୍ଜିନିୟରଂ କରୁଛି ।ତୋରି ସାଙ୍ଗ ନା ସେମାନେ ।ସେମାନେ କେଉଁଠି ଆଜି ତୁ କେଉଁଠି ? "
ବାପାଙ୍କ କଥା ଶୁଣି ଶୁଣି ମୋର ଦେହସୁହା ଆସ୍ତେ ଆସ୍ତେ ହୋଇଗଲାଣି ।ବାପା ଜଳ ସମ୍ପଦ ବିଭାଗରେ କିରାନୀ ଭାବେ ଅବସରପ୍ରାପ୍ତ ।ଅବସର ପରେ ଆମେ ଆସି ଗାଁରେ ରହିଲୁ ।ଆମ ଦୁଇ ଭାଇଙ୍କୁ ମଣିଷ କରିବାକୁ ବାପା ବହୁତ କଷ୍ଟ କରିଛନ୍ତି ।ଜମିବାଡି ସବୁ ବିକିଦେଇଛନ୍ତି ଆମ ପାଠ ପଢା ଖର୍ଚ୍ଚରେ ।ବଡଭାଇ ବାହାରେ ଏକ ନାମୀଦାମୀ କମ୍ପାନୀର ଏକ ଇଞ୍ଜିନିୟର ।ମାସକୁ ମାସ ବାପାଙ୍କ ପାଖକୁ ବଡଭାଇ ଦରମା ପଠାଇଦିଅନ୍ତି ।ବାପାଙ୍କର ସ୍ଵଳ୍ପ ପେନସନରେ ପରିବାରଟି ଚଳିଯାଏ ବର୍ଷସାରା ।
ପୁଅ ବଡ ହୋଇଗଲେ ସବୁ ବାପମାଙ୍କର ଚିନ୍ତା ଥାଏ ପୁଅଟା କେମିତି ନିଜଗୋଡରେ ନିଜେ ଠିଆ ହେବା ଶିଖୁ ।ସେମାନଙ୍କ ଉପରେ ବୋଝ ନ ହେଉ ଭବିଷ୍ଯତରେ ଯେମିତି ।ବୃଦ୍ଧକାଳରେ ପୁଅର ପିଠିରେ ନାଉ ହୋଇ ଜୀବନ ବୈତରଣୀ ପାରି ହେବା ସହ ପିଲାମାନଙ୍କର ହସିଲା ପୁରିଲା ସଂସାର ଦେଖି ଶାନ୍ତିରେ ଟିକେ ନିଶ୍ଵାସ ମାରିବାକୁ ।
ବାପା ମୋ ଅପେକ୍ଷା ବେଶି ଭଲ ପାଉଥିଲେ ବଡ ଭାଇ ସଂକେତକୁ । ରାତିରାତି ଉଜାଗର ରହି ବଡଭାଇଙ୍କୁ ମଣିଷ କରିବାକୁ ତା ସାଙ୍ଗରେ ଲାଗିରହୁଥିଲେ ।ଅଫିସରୁ ଯିବା ପୂର୍ବରୁ ଓ ଫେରିଲେ ଖୋଜାପଡେ ସଂକେତକୁ ।କଣ। ପଢିଲା କଣ ନ ପଢିଲା କଣ ଖାଇଲା କଣ ନ ଖାଇଲା କ୍ଲାସରେ କଣ ପଢାଯାଇଛି କେତେ ମାର୍କ ରଖିଲୁ ଏମିତି କେତେ କଣ ।ନିଜ ଚାଲିବା ଗୁଳାରେ ସେ ଚଲାଇ ଶିଖାଉଥିଲେ ପାଦ ସହ ପାଦ ରଖି ମୋ ବଡ ଭାଇଙ୍କୁ ।
ପିଲାଦିନେ ମୋର ମନେ ଅଛି ବାପା ସେଦିନ ବହୁତ ଖୁସିରେ କାନ୍ଦିପକାଇଥିଲେ ଯେଉଁଦିନ ବଡଭାଇ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଵର ରଖି ବେଷ୍ଟ ଟେନ ତାଲିକାରେ ରହିଥିଲେ ।ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଥିଲା ଆମ ଘରକୁ ।ବାପା ଶୋଇଲା ବେଳେ ବୋଉକୁ କହୁଥିଲେ ଆଜି ମୁଁ ବହୁତ ଖୁସି ସ୍ଵପ୍ନ ଆଜି ମୋ ହାତମୁଠାରେ ।ଭଗବାନ ଠିକ ଅଛନ୍ତି ସେ ମୋ ଡାକ ଶୁଣିଛନ୍ତି କିନ୍ତୃସାନ ପୁଅ ସାର୍ଥକ ଟା ପାଇଁ ମୋର ମନ ଦୁଃଖ ।ମଣିଷ ହେଲା ଭଳି ମୋତେ କାହିଁ ସେ ଲାଗୁନି ।ଯାହା ତାର ଭାଗ୍ଯରେ ଥିବ ।
"ଦେଖିବ ରହିଥା ଏ ସାନପୁଅ ଦିନେ ତୁମ ନାଁ ରଖିବ ।" ବୋଉ ଦୃଢ କଣ୍ଠରେ ବାପାଙ୍କୁ ଆଶ୍ଵାସନା ଦେଇ କହିଥିଲା ।ବାପା କିନ୍ତୁ ଏକ ମୁରୁକା ହସଟିଏ ହସି ଦେଇ ଆଉ କିଛି ନ କହି ଶୋଇଯାଇଥିଲେ ।
ବାପା ଯାହାଙ୍କ ପାଖରେ ବସୁଥିଲେ କେବଳ ବଡଭାଇର ପ୍ରଶଂସା ଗାନ କରୁଥିଲେ ।ସଂକେତ ଏତେ ଟଙ୍କା ଦରମା ପାଉଛି ଭଲ ଦାମିକା ଗାଡି ଚଢୁଛି ।ବିଦେଶକୁ ଯିବାକୁ ତାର ଅଫର ଆସିଗଲାଣି ଖୁବ ନିକଟରେ ସେ ଯିବ ।ତାର ବାହାଘରରେ ମୁଁ ଏମିତି ଭୋଜିଭାତ ରୋଷଣୀ କରିବି କେହି ଏ ଖଣ୍ଡମଣ୍ଡଳରେ କରି ନଥିବେ ।ବାଛି ବାଛି ତା ପାଇଁ ଏକ ସୁନାନାକୀ ବୋହୂଟିଏ ଆଣିବି ଯିଏ ଆମ ବୁଢାବୁଢୀ ଦୁଇଜଣଙ୍କ ଆଖିରେ ସବୁବେଳେ ଚାନ୍ଦ ହୋଇ ଝଲସୁଥିବ ।ବାପାଙ୍କ କଥା ଶୁଣି କିଛି ଲୋକ ନିରବରେ ହଁ ହା ମାରି ମନେ ମନେ ଇର୍ଷାରେ ଜଳିଯାନ୍ତି ତ୍ ଆଉ କିଛି ଲୋକ କହିଦିଅନ୍ତି ହଉ ସମୟକୁ ଅପେକ୍ଷା କର ମହାନ୍ତି ବାବୁ ।କେଉଁ ପାଣି କୁଆଡେ ଯାଉଛି ।ଦେଖ ସମୟ ବଡ ବଳବାନ କେତେବେଳେ କାହାକୁ କଣ କରିବ ତାକୁ ହିଁ କେବଳ ଜଣା ।
ସାନପୁଅ କଥା କେହି ପଚାରିଲେ ସେ ମୁହଁଟାକୁ ଆମ୍ଵିଳା କରି କହନ୍ତି କୁଳାଙ୍ଗାରଟା ସିଏ । ଜୀବନଟାକୁ ମାଟି ଅଗାଡି କରିଦେଲା । ନାଟୁଆ ଛତରା ବଜାରୀ ପିଲାମାନଙ୍କ ସହ ପଡି ତାର କ୍ଯାରିୟରଟାକୁ ବରବାଦ କରିଦେଲା ।
ମୁଁ ରାତିରେ ଗାଁ ଡ୍ରାମା ରିହଲସେଲ ସାରି ଫେରିବା ବେଳକୁ ବୋଉ ଶୋଇନଥିଲା ।କଣ ଗୁଡାଏ ଯେମିତି ଭାବୁଥିଲା ।ବାପା ସୋଫାରେ ବସି ଏକ ଲୟରେ ବଡଭାଇର ଫଟୋକୁ ଚାହିଁବସିଥିଲେ ।ଚଳଚଞ୍ଚଳ ବାପା ଯେମିତି ପଥର ପାଲଟିଯାଇଥିଲେ ।ଘରଟା ଯେମିତି ଖାଁ ଖାଁ ଲାଗୁଥିଲା ।ମୁଁ ଡରି ଡରି ଯାଇ ବୋଉ ପାଖରେ ବସି ଆସ୍ତେ ପଚାରିଲି ଏ ବୋଉ କଣ ହୋଇଛି କି ? ବୋଉ କିଛି ନ କହି ଡ୍ରରେ ଥିବା ଏକ ନୀଳ ଲଫାପାଟିଏ ଧରାଇ ଦେଇ ପଢିବାକୁ କହିଲା ।
ଚିଠିରେ ଲେଖାଥିଲା --
"ସମ୍ମାନୀୟ
ବାପା ମୋର ପ୍ରଣାମ ନେବେ ଓ ବୋଉକୁ ମଧ୍ଯ ।ମୋତେ କ୍ଷମା କରିଦେବେ ।ମୁଁ ଆପଣଙ୍କ ବିନା ଅନୁମତିରେ ଏକ ଭୂଲ ନିଷ୍ପତ୍ତି ନେଇସାରିଛି ।ଆପଣ ସବୁବେଳେ କୁହନ୍ତି ସୁଯୋଗକୁ କେବେ ହାତଛଡା କରିବା ଉଚିତ ନୁହେଁ ।ମୋ କ୍ୟାରିୟର ପାଇଁ ଆପଣ ସବୁବେଳେ ଚିନ୍ତିତ ।ସେଥିପାଇଁ କମ୍ପାନୀମାଲିକଙ୍କର ସର୍ତ୍ତମାନି ତାଙ୍କ ଝିଅ ସୋନାଲିକୁ ବିବାହ କରିସାରିଛି ।କାଲି ଆମେ ଦୁହେଁ ଆମେରିକାରେ ଜୟନ କରିଛୁ ।ଏଥିପାଇଁ ଅବଶ୍ୟ ଆପଣଙ୍କୁ ମୋର ଜଣାଇବାର ଥିଲା କିନ୍ତୁ କାର୍ଯ୍ଯବ୍ଯସ୍ତତା ଯୋଗୁ ଜଣାଇପାରିଲି ନାହିଁ ।କିଛି ବ୍ଯସ୍ତହେବେନି ବୋଉକୁ ବୁଝାଇଦେବେ ମୁଁ ଭଲରେ ଅଛି ।ମୁଁ ଏକ ଆଣ୍ଡୋଏଡ୍ ସେଲ ଫୋନ ପଠାଇଦେବି । ଭିଡିଓ କଲିଂ କରି ସୋନାଲିକୁ ଦେଖିନେବ ।ଆର ମାସ ଦରମା ମିଳିଲେ ବାପାଙ୍କ ଆକାଣ୍ଟକୁ ଟ୍ରାନ୍ସଫର କରିଦେବି ।ଦେହପା ପ୍ରତି ଯତ୍ନ ନେଉଥିବ ସାର୍ଥକ ତ ପାଖରେ ଅଛି ତୁମମାନଙ୍କର ଯତ୍ନ ନେବାକୁ ।କେବେ ଓଡିଶାକୁ ଫେରିବି କହିପାରୁନି ।କାର୍ଯ୍ୟବ୍ଯସ୍ତତା ଆମେରିକା ଭଳି ସହରରେ ମୁଁ ନିଜେ ନିଜକୁ ବି ଏଠି ଭୁଲିଯାଉଛି ।ଅଧିକ କିଛି ଭାବିବେ ନାହିଁ । ରହିଲି ।
ତୁମର ସ୍ନେହର ସଂକେତ
ଭାଇଙ୍କ ଚିଠିରେ ବାପାଙ୍କର ସ୍ଵପ୍ନର ଆକାଶଟା ଯେମିତି ଛିଡିପଡିଥିଲା ମାଟି ଉପରକୁ ।ନିରାଶ୍ରୟା ଚଢେଇଛୁଆ ଭଳି ଯେମିତି କିଚିରିମିଚିରି ଶବ୍ଦରେ ସ୍ଵପ୍ନ ସବୁ ଡେଇଁବୁଲୁଥିଲେ ଆମ ଅଗଣାରେ ।ବାପାଙ୍କ ଆଖିରେ ଲୁହ ନ ଥିଲା ନାକତଳୁ ଛାତିଭିତରଟାର ଗରମ ନିଶ୍ଵାସ ସବୁ ବାହାରିଆସୁଥିଲା ଆଗ୍ନେୟଗିରି ଭଳି ।ବୋଉ କାନ୍ଦ କାନ୍ଦ ହୋଇ କହୁଥିଲା କଣ କଲା ମୋ ସଙ୍କେତ ବାପାଙ୍କୁ ଟିକେ ପଚାରିଲାନି ଏତେ ବଡ ନିଷ୍ପତ୍ତି ନିଜେ ନିଜେ ନେଇଗଲା ।
" ଆମେ ବଗିଚାର ମାଳୀ ସୁନ୍ଦର ଫୁଲ ଫୁଟାଇବା ଆମର କାମ ।ଫୁଲ କେବେ ଆମର ହୁଏନା ସେ ଆଉ କାହାର ପକେଟରେ ଶୋଭାପାଏ ।ଯାହାକୁ କିଛି ଅର୍ଥଲୋଭରେ ଆମେ ବିକି ଦେଇଛୁ । ମରିଚିକା ପଛରେ ଗୋଡାଉଥିବା ମୁଁ ଏକ ତୃଷାର୍ତ୍ତଟିଏ ପାଣି ମିଳିଲାନି ସତ କିନ୍ତୁ ଶୋଷଟା ବହୁତ ବଢିଯାଇଥିଲା " ଵାପାଗମ୍ଭୀର କଣ୍ଠରେ କହି ତାଙ୍କ ମୋଟା ଚଷମା ତଳୁ ଦୁଇଧାର ଲୁହ ପୋଛି ଦେଇ ଶୋଇବାକୁ ଚୁପଚାପ ଚାଲିଗଲେ ।
ମୁଁ କେବଳ ଆଁଟା କରି ଚାହିଁ ରହିଥିଲି ବାପାଙ୍କ ମୁହଁକୁ । ମନେ ହେଉଥିଲା ବଡଭାଇ ପାଖରେ ଥିଲେ ତା ଗାଲରେ ଦି ଚଟକଣା ମାରି ବଡଲୋକୀ ହେବାର ନିଶାଟା ଖସାଇ ଦେଇଥାନ୍ତି ।ବାପା ମାଙ୍କ ମନରେ କଷ୍ଟ ଦେଇ ସେ କେବେ ବି ଖୁସିରେ ରହିପାରବ ନାହିଁ ।କଣ ନ କରିଥିଲେ ବାପା ତା ପାଇଁ ।ଜମିବାଡି ଘରଢିଅ ସବୁ ବିକିଦେଇଥିଲେ ତାର ପାଠପଢା ଖର୍ଚ୍ଚ ପାଇଁ ।ଦିନରାତି ଏକ କରିଦେଇଥିଲେ ।ଶେଷରେ ଏଇ ପୁରସ୍କାର ଦେଲା ବାପାଙ୍କୁ ।
ଭାଇ ପଠାଇଥିବା ସେଲ ଫୋନରେ ଆଉ ଭିଡିଓକଲ ଆସିଲାନି ଆଗ ଭଳି ।ଏପଟରୁ କଲେ କାଟିଦିଆଯାଏ ।ମାସକୁ ମାସ ଟଙ୍କା ଆଉ ଆସିଲାନି ।ପୁରା ବନ୍ଦ ହୋଇଗଲା ।ବାପା ଫୋନ କଲେ ସୋନାଲି ଭାଉଜ ଉଠାନ୍ତି ଭାଇ କାମରେ ବ୍ଯସ୍ତ ଅଛନ୍ତି କହି ଫୋନଟା କାଟିଦିଅନ୍ତି ।ଭାଇ ପୁରାପୁରି ଭାଉଜଙ୍କ ହାତ ମୁଠାରେ ବନ୍ଦୀ ହୋଇଗଲେ ।ବାପା ନିରାଶ ହୁଅନ୍ତି ।ମନେ ମନେ କଣସବୁ ତାଙ୍କ ଡାଏରୀରେ ଲେଖିପକାନ୍ତି ।ଦୂର ଆକାଶକୁ ଚାହିଁ ନିରୋଳାରେ କଣ ସବୁ ଭାବନ୍ତି ।ବନ୍ଧୁବାନ୍ଧବ ପଡୋଶୀମାନେ ପଚାରିଲେ ସେ ବଡ ଭାଇକୁ ଆଜି ବି ଭାରି ଟେକନ୍ତି ।ସେ ଆମେରିକାରେ ରହୁଛି ।ସବୁଦିନ ଆମ ବୁଢାବୁଢୀଙ୍କ ସହ ଭିଡିଓ କଲ କରି କଥା ହେଉଛି ।ଆମେରିକା ମୋତେ ଯିବାକୁ ପୁଅବୋହୂର ଭାରି ଜିଦ୍ । ଏଇ ସପ୍ତାହରେ ଟିକେଟ କରି ପଠାଇଥିଲେ ଯିବାକୁ । ତାର ବୋଉର ଭାରି ଡର ଫ୍ଲାଇଟରେ ବସିବାକୁ ।ତାଛଡା ସେଠିକାର ଜଳବାୟୁ ମୋତେ ଜମା ସୁଟ କରିବନି ।ନାତିନାତୁଣୀ ଦୁଇଜଣ ଆମକୁ ନ ଦେଖିଲେ ପାଣି ପିଉନାହାଁନ୍ତି ।ତାଙ୍କର ଭାରି ଇଚ୍ଛା ଗାଁ ଦେଖିବାକୁ ।ଏଇ ଖରାଦିନକୁ ସମସ୍ତେ ଆସିବେ ।
ବାହାରେ କେତେ ମିଛ କହିବେ ବାପା ।ଛାତି ତଳର ଦୁଃଖକୁ କଣ ଦେଖାଇହୁଏ ? ନିରବରେ ଆଖିର ଗରମ ଲୁହକୁ ମାଟି କେବଳ ପିଇଯାଏ ।ଯିଏ ମିଛ କହିଲେ ପିଲାଦିନେ ବେତରେ ପିଠି ଫଟାଇଦେଉଥିଲେ ସେ କେମିତି ଆଜି ଡାହା ମିଛ ଅନର୍ଗଳ ସମସ୍ତଙ୍କ ସାମ୍ନାରେ କହିପାରୁଛନ୍ତି ନିର୍ଦ୍ଵନ୍ଦରେ ।ସମସ୍ତେ ଚାଲିଗଲା ପରେ ବଡଭାଇର ଫଟୋଟିକୁ ଆଉଁସି ଚଷମା ଖୋଲି ମୁହଁ ଲୁଚାଇ କାନ୍ଦନ୍ତି ଛୋଟପିଲା ଭଳି ।ବାହାରକୁନାଲି ଟହଟହ ସୁନ୍ଦର ଦିଶୁଥିବା ଜୀବନର ମହାକାଳଫଳଟି ଭିତରେ ଯେ କେତେ ଦୁଃଖର କାଳିମା ରହିଛି ତାକୁ କିଏବା ଦେଖେ ।
ବାପା ଆଗ ଭଳି ଆଉ ନ ଥିଲେ ।ବଦଳିଯାଇଥିଲେ ଯେମିତି ।ମୋତେ ଆଉ ଗାଳି ଦିଅନ୍ତିନି ବରଂ ପାଖରେ ବସାଇ ସାଙ୍ଗରେ ଖାଇବାକୁ ଡାକନ୍ତି ।ସଙ୍କେତ ବଦଳରେ ସାର୍ଥକ ଡାକିବାକୁ ଅଭ୍ଯାସ ବଦଳାଇବାକୁ ଲାଗିଲେ ।ମୁଁ ଥିଲି ତାଙ୍କର ଏକ ମାତ୍ର ସାହାରା ।ବାପାଙ୍କର ଦାଢୀଭର୍ତ୍ତୀ ମୁଁହକୁ ଦେଖିଲେ ମୋତେ ଭାରି ଅସହାୟ ଲାଗୁଥିଲା ।ବେକାରୀଟିଏ ମୁଁ ।କଣକେମିତି ଭାବରେ ବାପାଙ୍କ ମୁଁହରେ ହସ ଫୁଟାଇପାରିବି ।ନିଜଗୋଡରେ ଆଜିଯାଏଁ ମୁଁ ଠିଆ ହୋଇପାରିଲିନାହିଁ ।ବାପାଙ୍କର ବୁଢାବୟସରେ ମିଳୁଥିବା ପେନସନ ଟଙ୍କାରେ ଭାଗ ବସାଇବାକୁ ଆଉ ଜମା ମନ ଲାଗୁନ ଥିଲା ।ରାତିରାତି ଅନେକ ଭାବିଲି ।ମୁଁ ନିଶ୍ଚୟ କିଛି କରିଦେଖାଇବି ।ବାପାଙ୍କର ଅଧୁରା ସ୍ଵପ୍ନକୁ ପୁରା କରିବି । ପିଲାଦିନେ ବାପା କୁହନ୍ତି ଘାସ କାଟ କି ଘୋଡା ଚଢ ଜୀବନରେ ସବୁବେଳେ ମଣିଷଟିଏ ହେବାକୁ ଚେଷ୍ଟା କର । କଣ ମୁଁ କରିପାରିବି ।ବର୍ତ୍ତମାନ ସମୟରେ ଚାକିରୀଟିଏ ମିଳିବା ଯେ କେତେକଷ୍ଟ ।
ମୋତେ ଗାଁ ଛାଡି ସହରକୁ ଯିବାକୁ ପଡିବ ।ବାପାଙ୍କ ପରାମର୍ଶ କ୍ରମେ ବାପାଙ୍କ ସାଙ୍ଗ ସଦାନନ୍ଦ ମଉସାଙ୍କ ଘରକୁ ଗଲି ।ମଉସା ମାଉସୀ ମୋତେ ଦେଖି ବହୁତଖୁସି ହୋଇଗଲେ ।ବଡଭାଇ କଥା ଶୁଣି ଭାରି ସେମାନେ ମନଦୁଃଖ କଲେ ।ଉଡିବା ଶିଖିଲେ ମଣିଷ ଭୁଲିଯାଏ ଏ ମାଟିକୁ ।କେତେଦିନ ସେ ଉଡିବ ପୁଣି ଦିନେ ଫେରିଆସିବ ସେ ମାଟିକୁ ।ବ୍ଯସ୍ତ ହୁଅନା ସମୟକୁ ଅପେକ୍ଷା କର । ଏମିତି ଆଶ୍ଵାସନା ଦିଅନ୍ତି ମଉସା ମୋତେ ।
ସଦାନନ୍ଦ ମଉସାଙ୍କ ଝିଅ ଅନୀମା ମୋର କ୍ଲାସମେଣ୍ଟ ଥିଲା । ସେ ଏବେ ଓଡିଆ ସାହିତ୍ୟରେ ପାଖ କଲେଜର ଅଧ୍ଯାପିକା । ପି ଏଚ୍ ଡି କରୁଛି ।ମୋତେ ଵହୁଦିନ ପରେ ଦେଖି ଖୁସି ହୋଇଗଲା ପିଲାଦିନର ସାଙ୍ଗଟିକୁ ପାଇ । ପାଖରେ ବସି ଅନେକ ଗପିଲା ।ପିଲାଦିନର ସ୍ମୃତିସବୁ ସମୟର ପୁରୁଣା କ୍ଷତ ଚିହ୍ନରୁ ଉଖାରିବାକୁ ଲାଗିଲା ।ମୋ କ୍ଯାରିୟର ଖରାପ ହୋଇଯାଇଥିବାରୁ ସେ ମନେ ମନେ ଦୁଃଖ ପ୍ରକାଶ କରିବା ସହ ମୋତେ ବହୁତ ଆଶ୍ଵାସନା ଦେଲା । ମଣିଷର ପାଠପଢା କ୍ଯାରିୟର ଖାଲି ନଷ୍ଟ ହୋଇଗଲେ କଣ ତାର ବୁଦ୍ଧି ଦକ୍ଷତା ସାମର୍ଥ କଣ ନଷ୍ଟ ହୋଇଯାଇଛି । ଏବେ ବି ସମୟ ଅଛି ସାର୍ଥକ ଭାଇ । ତୁମେ ତ୍ ମୋ ଠାରୁ ବହୁତ ଇଣ୍ଟଲିଜେଣ୍ଟ । ତୁମେ ପାରିବ ନିଶ୍ଚୟ ପାରିବ ।ତୁମ ଭିତରେ ଥିବା ଦକ୍ଷତାକୁ ତୁମେ ଭୁଲି ଯାଇଛ ।ମୁଁ କିନ୍ତୁ ମନେ ରଖିଛି ତୁମର ସେ ଦକ୍ଷତାକୁ । ମନେ ଅଛିନା ତୁମେ ପିଲାଦିନେ ସ୍କୁଲରେ ନାଟକରେ ଚମତ୍କାର ଅଭିନୟ କରିପାର ।କଣ ଅଭିନୟକୁ ନେଇ କ୍ଯାରିୟର କରିପାରିବନି ଏ ସହରରେ। ଟି ଭି ସିରିୟଲ ସିନେମାର ତାରକା ମାନଙ୍କ ଭିତରେ କାଲି ଯେ ତୁମ ନାମ ନ ରହିବ ଏକଥା କିଏ କହିବ ?
ମୋ ଭିତରେ ଥିବା ଅଭିନୟ ପ୍ରତିଭାକୁ ଅନୀମା ଠିକ ଭାବରେ ଅନୁଧ୍ଯାନ କରିଛି ।ରାତିସାରା ଢେର ଭାବିଲି ।ଆଖିରେ ସ୍ଵପ୍ନର କଳାଚଷମାଟିଏ ନାଇଲି ।ନିଜେ ନିଜକୁ ଚିହ୍ନିବାକୁ ଚେଷ୍ଟା କଲି ।ହନୁମାନ ଭଳି ସୁପ୍ତଥିବା ବଳ ଉଜ୍ଜୀବିତ ହେଲା ଗୋଟିଏ ଲକ୍ଷ୍ଯରେ।
ଅନୀମା ମୋତେ ସକାଳୁ ସକାଳୁ ନେଇଗଲା ଅନ୍ନପୂର୍ଣ୍ଣା ଥିଏଟର ମଞ୍ଚକୁ ।ସେଠାରେ ଥିବା ନିର୍ଦ୍ଦେଶକ ନାଟ୍ଯକାର ଅଭିନେତାଙ୍କ ସହ ମୋର ପରିଚୟ କରାଇଦେଇ କହିଲା " ଏଇ ହେଉଛି ତୁମ ସାଧନାର ପ୍ରାଣ କେନ୍ଦ୍ର ।ଏଇଠୁ ତୁମେ ତୁମର ଯାତ୍ରାପଥ ଆରମ୍ଭ କର ।"
ମୁଁ ରଙ୍ଗମଞ୍ଚର ମାଟି ମୁଠାକୁ ପ୍ରଥମେ ମୋ ମଥାରେ ମାରି ଶପଥ ନେଲି ଏକ ନୂଆ ଜୀବନଟିଏ ଗଢିବାକୁ ।
ମୁଁହରେ ରଙ୍ଗ ପାଉଡର ବୋଳି ପୁଣି ଅଭିନୟ ଆରମ୍ଭ କଲି ।କରତାଳିରେ ପ୍ରେକ୍ଷାଳୟ କମ୍ପିଉଠିଲା ।ଧିରେଧିରେ ସହରସାରା ମୋର ଚର୍ଚ୍ଚା ଚାଲିଲା ।ବହୁ ନାମୀ ଦାମୀ ସିନେମା ପ୍ରଯୋଜକ ନିର୍ଦ୍ଦେଶକ ମାନଙ୍କର ଲମ୍ଵା ଲାଇନ ଲାଗି ଗଲା ସେମାନଙ୍କ ଆଗାମୀ ସିନେମାର ଅଫର ପାଇଁ ।
ଖୁବ କମ ଦିନରେ ରାତାରାତି ସୁପରଷ୍ଡାରଟିଏ ବନିଗଲି ।ବାପା ବୋଉ ସାଙ୍ଗ ସାଥୀ ବନ୍ଧୁବାନ୍ଧବ ଟିଭି ସିନେମା ପରଦାରେ ମୋତେଦେଖିବହୁତଖୁସି ହେଲେ ।ବୋଉବାପାଙ୍କୁକହିଲା ' କଣ କହୁଥିଲି ତୁମକୁ ।ତୁମ ସାନପୁଅ ତୁମସମ୍ମାନ ରଖିଛି । ସବୁଦିନେ ତାକୁ ବାଳୁଙ୍ଗା ଛତରାବଜାରୀ କହି ଟିକିପୋକ କରୁଥିଲ ।ମୋ କଥା ସତ ହେଲା କି ନାହିଁ ।ତାର ନାମ ତୁମେ ବାଛି ଦେଇ ଥିଲ ସାର୍ଥକ । ସିଏ ଆଜି ତୁମ ଜୀବନଟକୁ ସାର୍ଥକ କରିଦେଇଛି ।
ବାପାଙ୍କର ଅଜଣା ଭୟଥାଏ କାଳେ ବଡପୁଅ ପରି ସାନପୁଅ ତାଙ୍କର ହାତ ଛାଡି ବେସାହାରା କରି ଚାଲିଯିବନିତ୍ ।ସୁପରଷ୍ଟାରର ବାପମା ବୋଲି ପରିଚୟ ଦେବାକୁ ତାକୁ ଖରାପ ଲାଗିବନିତ୍ ।ବୋଉର କିନ୍ତୁ ମୋ ଉପରେ ଭାରି ବିଶ୍ଵାସ ଥିଲା ।ସାନପୁଅ ତାର କେବେ ବି ତାର ଏମିତି ହେବନି ।ଯିଏ ଅଭାବ ଅନାଟନ ଦୁଃଖ କଷ୍ଟରେ ସନ୍ତୁଳି ହୋଇଛି ସେ କେବେ ବି ସୁଖର ଆଲୋକରେ ଅନ୍ଧ ହୋଇଯିବନି ।
ଆଜି ଅନେକବାଟ ଚାଲିଆସିଛି କେବଳ ଜଣକ ପାଇଁ ସେ ହେଉଛି ଅନୀମା ।ଆଶାର ଆଲୋକଟିଏ ଜାଳି ମୋ ଭବିଷ୍ଯତର ଅନ୍ଧକାର ଭିତରେ ମୋତେ ହାତ ଧରି ବାଟ କଢାଇ ନେଇଛି ଆଜି ବହୁତଦୂରକୁ ।ଥକିଗଲେ ରାତିରାତି ବୁଝାଇଛି ।ଗାଁର ବାପା ବୋଉର କଥା ମନେ ପଡିଲେ କହିଛି ମୁଁ ଅଛି ମଉସା ମାଉସୀଙ୍କ ପାଖରେ ସବୁଦିନ ।କିଛି ଅସୁବିଧା ନାହିଁ ।ତୁମେ ତୁମ ଲକ୍ଷ୍ଯପଥରେ ଅବିଚଳିତ ରୁହ ।ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ନିଶ୍ଚୟ ଅଛି ଏହାକୁ କେବେ ବି ଅସ୍ଵୀକାର କରାଯାଇପାରେନା । ମୁଁ ସବୁଦିନ ଅନୀମା ପାଖରେ ଋଣୀ ହୋଇ ରହିଗଲି । ବାପା ବୋଉ ଭାରି ଭଲ ପାନ୍ତି ଅନୀମାକୁ ।ତାକୁ ଘରର ସାନବୋହୂ କରିବାକୁ ଭାରି ମନ ।କିନ୍ତୁ କେବେ କହିପାରନ୍ତିନି ସଦାନନ୍ଦମଉସାଙ୍କୁ ମୁଁହ ଖୋଲି ।କାଳେ ମଉସା କିଛି ଖରାପ ଭାବିବେ ।ଏମିତିସୁଗୁଣା ସମ୍ପର୍ଣ୍ଣା ଝିଅକୁ କିଏ ବା ନ ଚାହିଁବ ତାର ଘରେ ବୋହୂଟିଏ କରି ରଖିବାକୁ ।
ବାପା ଆଉ ବୋଉର ମନର କଥା ବୋଧେ ଭଗବାନ ଦିନେ ଶୁଣିଲେ ।ସକାଳୁ ସକାଳ କାରଟିଏ ଆସିଲାଗିଗଲା ଆମ ଦୁଆରେ ।ସଦାନନ୍ଦ ମଉସା ଓ ଅନୀମା ଓହ୍ଲେଇ ପଡିଲେ ।ବାପା ବ୍ଯସ୍ତ ହୋଇ ମଉସାଙ୍କୁ କୁଣ୍ଡାଇ ଧରିଲେ ବହୁଦିନ ପରେ ସାଙ୍ଗଟିକୁ ପାଇ।
" ଆରେ ମୋତେ ଟିକେ ଟେଲିଫୋନ କଲୁନି ତୁ ଆଜି ଆସିବୁ ବୋଲି ।ତୋ ପାଇଁ ଭଲ ଖାସି ମାଂସ ମଗାଇ ଥାନ୍ତି ।"
" କିଛି କରିବା ଦରକାର ନାହିଁ । ଆଗ ଆଁ କଲ - ମିଠା ପ୍ଯାକେଟରୁ ମିଠା ଦୁଇଟି ବାପା ବୋଉକୁ ଖୁଆଇଦେଇ କହିଲେ " ସମୁଦି ସମୁଦୁଣୀ ସାର୍ଥକ ଭଳି ପୁଅଟି ପାଇ ତୁମେ ଧନ୍ୟ ।ସେ ଆଜି କୋଇଲାରୁ ହିରାଟିଏ ପାଲଟିଯାଇଛି କେବଳ ମୋର ଅନୀମାର ପ୍ରେରଣା ପାଇ ଯାହାକୁ ତୁମେ ସବୁଦିନେ ଅଣଦେଖା କରିଆସିଛ ତାର ପିଲାଟି ଦିନରୁ। କୋଇଲାରୁ ହିରାର ଜନ୍ମ ଏ କଥା କାହିଁକି ଭୁଲି ଯାଇଥିଲ ସମୁଦି ।ମୋର ଏଇ ଏକ ମାତ୍ର ଅଲିଅଳ ରାଜକୁମାରୀଟିର ହାତଟିକୁ ତାରି ହାତରେ ଛନ୍ଦି ଦେବାକୁ ସବୁଦିନ ପାଇଁ ସ୍ଥିର କରି ଆସିଛି ।ଦିନବାର ସବୁ ଠିକ କରି ଆଣିଛି ପଣ୍ଡିତଙ୍କ ଠାରୁ ।" କଣ କହୁଛନ୍ତି ?
" ଏଥିରେ ପଚାରିବାର କଣ ଅଛି ଶୁଭଶ୍ଯ ଶିଘ୍ରମ୍ ।ବାପା ହସି ହସି କହିଉଠିଲେ ।
ଅନୀମା ଘରର କବାଟ କୋଣରେ ଲୁଚି ଓଠ ଚିପି ଚିପି ପାଦରେ ଗାର କାଟୁଥିଲା ଓ ମଝିରେ ମଝିରେ କଣେଇ କଣେଇ ମୋତେ ଚାହୁଁଥିଲା ଯେମିତି ସେ ମୋତେ ନୂଆ ଦେଖୁଥିଲା ।ତାର ଚାହାଁଣୀ ଅଲଗା ଅଲଗା ଲାଗୁଥିଲା ।ପ୍ରେମର ଝଳଝଳ ଝରଣାଟିଏ ପରି ସେ ଯେମିତି ମୋ ସାରା ଶରୀରକୁ କଳକଳ ଶବ୍ଦରେ ଛୁଇଁ ଛୁଇଁ ଯାଉଥିଲା ।ତାର ରୁଣ୍ ଝୁଣ୍ ପାଉଁଜିର ଶବ୍ଦ ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ପ୍ରତିଧ୍ଵନିତ ହେଉଥିଲା । ମୁଁ ଏକ ଲୟରେ ସେମିତି ଅନୀମାକୁ ଚାହିଁରହିଥାଏ ।
" ଆରେ ସାର୍ଥକ ଯା ମଉସାଙ୍କ ପାଇଁ କିଛି ଜଳଖିଆ ନେଇ ଆ " ବୋଉର ଡାକରେ ମୁଁ ପ୍ରକୃତିସ୍ଥ ହୋଇଉଠିଲି ।

