Kanan Bala Nayak

Romance Inspirational

4.4  

Kanan Bala Nayak

Romance Inspirational

ଅବଶିଷ୍ଟ ରାସ୍ତା

ଅବଶିଷ୍ଟ ରାସ୍ତା

4 mins
458



     

 ଆରେ ତୁମକୁ କିଛି ଦେଖା ଯାଉନି ନାଁ କଣ? ଏମିତି ଦିନ ଦ୍ୱିପ୍ରହରଟାରେ ମୋ ଗାଡି ଆଗକୁ ଚାଲି ଆସୁଛ ମରିବା ପାଇଁ l ନିଜ ଗାଡିରୁ ଓହ୍ଲାଇ ମହିଳାଜଣଙ୍କୁ ତଳୁ ଉଠାଉ ଉଠାଉ କହିଲେ ନିଲେଶ୍ l ହେଲେ ମହିଳାଙ୍କୁ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ନିଲେଶ୍ l ଆରେ ଇଏ ତ ସମୀକ୍ଷା l ତାଙ୍କ ସମୀକ୍ଷା l ଯାହାକୁ ଦୀର୍ଘ ୨୬/୨୭ବର୍ଷ ଧରି ପାଗଳଙ୍କ ପରି ଖୋଜି ଚାଲିଛନ୍ତି ସେ l 


 ଠିକ୍ ତିରିଶ ବର୍ଷ ତଳେ ଏମିତି ରାସ୍ତା ପାରି ହେଉଥିବା ସମୟରେ ଦେଖା ହୋଇଥିଲା ନିଲେଶ୍ ଓ ସମୀକ୍ଷାଙ୍କର l ସେ ସମୟରେ ମଧ୍ୟ ସମୀକ୍ଷା ଏଇମିତି ଭାବରେ ରାସ୍ତା ପାରି ହେଉଥିବା ସମୟରେ ଜଣଙ୍କ ଗାଡ଼ି ଆଗକୁ ଆସିଯିବା ପୂର୍ବରୁ ନିଲେଶ୍ ତା ହାତଧରି ଟାଣି ନେଇଥିଲେ ଓ ତା ଜୀବନ ବଞ୍ଚାଇ ଥିଲେ l ତୁମ ଆଖିକୁ କଣ କିଛି ଦେଖା ଯାଉନି? ମୁଁ ଯଦି ଠିକ୍ ସମୟରେ ପହଞ୍ଚି ନ ଥାଆନ୍ତି ତେବେ କଣ ହୋଇ ଥାଆନ୍ତା କହିଲ?ସମୀକ୍ଷା କହିଲା ଜାଣିଛନ୍ତି ମୋତେ ଏକୁଟିଆ ରାସ୍ତା ପାରି ହେବାପାଇଁ ଭାରି ଭୟ ଲାଗେ l ଗାଁରେ ଥିବା ବେଳେ ସବୁ ବେଳେ ମୋ ମାଆ ଓ ଭଉଣୀମାନେ ମୋତେ ରାସ୍ତା ପାରି କରି ଦିଅନ୍ତି l ନୂଆ କରି ଏ ସହରକୁ ଆସିଛି l ଏଇ ପାଖ କଲେଜରେ +୩ କଳାରେ ଆଡମିସନ ହୋଇଛି l ତେଣୁ ରାସ୍ତା ପାରି ହେବା ପାଇଁ ସବୁ ଦିନ ଅସୁବିଧାର ସମ୍ମୁଖୀନ ହେଉଛି l  


 ନିଲେଶ୍ କହିଲେ ଆଉ ବ୍ୟସ୍ତ ହୁଅନି l କାରଣ ତୁମେ ଯେଉଁ କଲେଜରେ ଆଡମିଶନ ହୋଇଛ, ମୁଁ ମଧ୍ୟ ସେଇ କଲେଜରେ +୩ ବିଜ୍ଞାନରେ ଆଡମିଶନ ହୋଇଛି l ଆଉ ସବୁଦିନ ଏଇଠୁ ହିଁ ବସ୍ ଚଢୁଛି l ଏ ଥର ସବୁ ଦିନ ମୁଁ ତୁମକୁ ରାସ୍ତା ପାରି କରି ଦେବି l ସେ ଦିନ ପାଖରୁ ନିଲେଶ୍ ସବୁଦିନ ସେଇ ଜାଗାରେ ସମୀକ୍ଷାକୁ ଅପେକ୍ଷା କରନ୍ତି ଓ ତା ହାତଧରି ରାସ୍ତା ପାର କରି ଦିଅନ୍ତି l ଏଇ ଭଳି ଭାବରେ ରାସ୍ତା ପାରିରୁ ସୃଷ୍ଟି ହୋଇଥିବା ସମ୍ପର୍କଟା କେତେବେଳେ ଯେ ପ୍ରେମରେ ପରିଣତ ହୋଇ ଯାଇଥିଲା ଉଭୟ ମଧ୍ୟ ଜାଣି ପାରି ନଥିଲେ l ଉଭୟେ ସ୍ଥିର କରିଥିଲେ ପ୍ରଥମେ ନିଜର କ୍ୟାରିୟର ଗଢିବେ ଓ ତା ପରେ ବାପା ମାଆଙ୍କ ଆଶୀର୍ବାଦ ନେଇ ନିଜ ସଂସାର ଗଢିବେ l  


 ହେଲେ ସମୀକ୍ଷା ଜୀବନରେ ଅଚାନକ ଆସିଥିବା ଏକ ସୁନାମି ଉଭୟଙ୍କର ସବୁ ସ୍ୱପ୍ନକୁ ଦୂରକୁ ଭସାଇ ନେଇ ଥିଲା l ଗୋଟେ ସଡକ ଦୁର୍ଘଟଣାରେ ସମୀକ୍ଷା ବାପାଙ୍କର ଅଚାନକ ଦେହାନ୍ତ ହୋଇ ଯାଇଥିଲା l ସମୀକ୍ଷାର ମାଆ ଏତେ ବଡ଼ ଦୁର୍ଘଟଣାକୁ ମୁକାବିଲା କରି ନ ପାରି ପାଗଳ ପ୍ରାୟ ହୋଇ ଯାଇଥିଲେ l ଘରର ବଡ଼ ଝିଅ ହିସାବରେ ମାଆ ଓ ଭାଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ସମୀକ୍ଷା ଉପରେ ପଡିଥିଲା l ସେଥିପାଇଁ ସମୀକ୍ଷାକୁ ନିଜର ପାଠ ପଢାରେ ଡୋରି ବାନ୍ଧି ତା ମାମୁଁଙ୍କ ସହ ସେ ଚାକିରୀ କରିଥିବା ସହରକୁ ଯିବାକୁ ପଡିଲା l ସବୁ କିଛି ଏତେ ଅଚାନକ ଘଟି ଯାଇଥିଲା ଯେ ସମୀକ୍ଷା କିଛି ଚିନ୍ତା କରିବା ପାଇଁ ସମୟ ପାଇ ନଥିଲା l  


 କଲେଜ ଛାଡିବା ପୂର୍ବରୁ ସମୀକ୍ଷା ନିଲେଶକୁ ଦେଖା କରିବା ପାଇଁ ତା ମେସକୁ ଯାଇଥିଲା l  l ଆଉ ତା ଠାରୁ ଦୂରେଇ ଯିବା ପାଇଁ ଅନୁରୋଧ କରି କହିଥିଲା ନିଲେଶ୍ ଜୀବନର ସବୁ ସ୍ୱପ୍ନ ସବୁବେଳେ ସତ ହୁଏନା l ଆମେ ଦେଖିଥିବା ସ୍ୱପ୍ନ ମଧ୍ୟ ସେମିତି l ମୋତେ ବର୍ତ୍ତମାନ ମୋ ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ନିର୍ବାହ କରିବାର ଅଛି l ମୋ କର୍ତ୍ତବ୍ୟ ଆଗରେ ମୋ ଭଲ ପାଇବା କେବେ ବାଧା ସୃଷ୍ଟି ନ କରୁ ସେଥିପାଇଁ ମୁଁ ମୋର ସବୁ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଦେଇଛି l ଆଉ ତୁମକୁ ମଧ୍ୟ ଗୋଟେ ଅନୁରୋଧ କରୁଛି ଯେ ତୁମେ ମୋ କଥା ଚିନ୍ତା କରି ତୁମ ଭବିଷ୍ୟତକୁ ନଷ୍ଟ କରିବ ନାହିଁ l ନିଜ କ୍ୟାରିୟରକୁ ନେଇ ଦେଖିଥିବା ସ୍ୱପ୍ନକୁ ସାକାର କରିବ l ତୁମେ ମୋତେ ଭୁଲି ଯାଇ ନିଜର ଘର ସଂସାର କରିବ l ମୋର ନ ହେଲା ନାହିଁ, ତୁମର ସ୍ୱପ୍ନ ଯଦି ସାକାର ହୁଏ ତେବେ ମୁଁ ଭାବିବି ମୁଁ ସବୁ କିଛି ହରାଇ ମଧ୍ୟ ଜିତି ଯାଇଛି l ମୋତେ ଭୁଲ ବୁଝିବ ନାହିଁ l 


 ଏତିକି କଥା କହିସାରି ଗୋଟେ ମୁହାଁ ହୋଇ ବାହାରକୁ ବାହାରି ଆସିଥିଲା ସମୀକ୍ଷା l ନିଲେଶର ଉତ୍ତରକୁ ମଧ୍ୟ ଅପେକ୍ଷା କରି ନଥିଲା l ସେଦିନ ପରେ ଦୀର୍ଘ ୨୬/୨୭ ବର୍ଷ ପରେ ଆଜି ପୁଣି ଦୁଇ ଜଣଙ୍କର ଦେଖା l ନିଲେଶ୍ ପଚାରିଲେ କେମିତି ଅଛ ସମୀକ୍ଷା l ତୁମ ମାଆ ଓ ଭାଇ ଭଉଣୀମାନେ କେମିତି ଅଛନ୍ତି?ସମୀକ୍ଷା କହିଲା ତୁମ ସହ ସବୁ ସମ୍ପର୍କ ଛିନ୍ନ କରି ଚାଲି ଆସିଲା ପରେ ମାଆ ଓ ଭାଇ ଭଉଣୀଙ୍କୁ ଧରି ମାମୁଁ ଚାକିରୀ କରିଥିବା ସହରକୁ ଚାଲି ଆସିଲୁ l ମାମୁଁ ସେଠାରେ ମୋ ପାଇଁ ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରୀ ଟେ ଯୋଗାଡ଼ କରି ଦେଇଥିଲେ l ହେଲେ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା ମୋ ପାଇଁ କଷ୍ଟକର ହୋଇ ପଡିଲା l  


 ଘର ଖର୍ଚ୍ଚ ସହ ଭାଇ ଭଉଣୀଙ୍କ ପାଠ ପଢା ଖର୍ଚ୍ଚ l ସେଥିପାଇଁ ଦିନରେ କମ୍ପାନୀ ଚାକିରୀରେ କାମ କରିବା ସହ ରାତିରେ କିଛି ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କଲି l ଏବେ ମୋ ଭାଇ ଭଉଣୀମାନେ ଚାକିରୀ କରି ନିଜ ନିଜର ସଂସାର ମଧ୍ୟ କଲେଣି l ମାଆ ମଧ୍ୟ ଦୁଇ ବର୍ଷ ହେଲାଣି ମୋତେ ଛାଡ଼ି ଚାଲି ଗଲାଣି l ହେଲେ ଜାଣିଛ ନିଲେଶ୍ ଯେଉଁ ଭାଇ ଭଉଣୀ ମାନଙ୍କୁ ମଣିଷ କରିବା ପାଇଁ ମୁଁ ତୁମ ଠୁ ଦୂରେଇ ଯାଇଥିଲି, ବଡ଼ ହେଲା ପରେ ସେଇ ଭାଇ ଭଉଣୀମାନେ ମୋତେ ତାଙ୍କ ଠାରୁ ଦୂରେଇ ଦେଇଛନ୍ତି l ଆଜି ମୁଁ ତାଙ୍କ ପାଇଁ ଅଲୋଡା ହୋଇ ପଡିଛି l ସେମାନେ ସମସ୍ତେ ମୋ ଠାରୁ ଅଲଗା ହୋଇ ଯାଉଛନ୍ତି l ମୁଁ ଏକୁଟିଆ ଗୋଟେ ଭଡ଼ା ଘର ନେଇ ରହିଛି l ମୋ କଥା ତ ଶୁଣିଲ ଏବେ ତୁମ କଥା କୁହ? ତୁମ ସ୍ତ୍ରୀ ଓ ପିଲା ଛୁଆଙ୍କ ବିଷୟରେ କୁହ l 


 ନିଲେଶ୍ କହିଲେ ତୁମେ ସିନା ସେଦିନ ମୋତେ କିଛି କହିବାର ସୁଯୋଗ ନ ଦେଇ ନିଜର ନିଷ୍ପତ୍ତି ଶୁଣାଇ ମୋ ଠାରୁ ଦୂରେଇ ଆସିଲ l ନିଜର ଠିକଣା କି ଫୋନ୍ ନମ୍ବର କିଛି ବି ଦେଲନି l ତୁମେ ବୋଧେ ମୋ ଉପରେ କି ମୋ ଭଲ ପାଇବା ଉପରେ ଭରସା କରି ପାରି ନ ଥିଲ l ଆଉ ମୋତେ ଏକୁଟିଆ ଛାଡି ଚାଲି ଆସିଥିଲ ନିଜ କର୍ତ୍ତବ୍ୟ ପୁରଣ ପାଇଁ l ଜାଣିଛ ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ତୁମକୁ ସବୁଆଡ଼େ ଖୋଜି ଚାଲିଛି, କାଳେ କେତେବେଳେ ରାସ୍ତା ପାରି ହୋଇ ପାରୁ ନଥିବା ବେଳେ ମୋ ଦୃଷ୍ଟିରେ ପଡିବ l ଆଉ ତୁମେ କେମିତି ଭାବିଲ ଯେ ତୁମ ଛଡ଼ା ମୁଁ ଆଉ କାହାକୁ ନିଜର କରି ପାରି ଥାଆନ୍ତି ବୋଲି l ଆଜି ବି ମୁଁ ତୁମ ସୃତିକୁ ନେଇ ବଞ୍ଚିଛି l 


 ଆମେ ଦେଖିଥିବା ସ୍ୱପ୍ନ ଅନୁସାରେ ଭଲ ଚାକିରିଟିଏ ପାଇଛି l ଏଇ ପନ୍ଦର ଦିନ ହେଲା ଏ ସହରକୁ ଆସିଛି l ଯାହା ହେଉ ଏତେ ଦିନ ପରେ ତୁମେ ମୋତେ ମିଳିଛ l ନିଲେଶ୍ କହିଲେ ଯଦି ଖରାପ ନ ଭାବିବ ଗୋଟେ କଥା କହିବି- ଜୀବନର ଅବଶିଷ୍ଟ ରାସ୍ତା ମୋ ସହ କାଟିବାରେ ତୁମର କିଛି ଆପତ୍ତି ଅଛି? ଯେଉଁମାନଙ୍କ ପାଇଁ ତୁମେ ତୁମ ଜୀବନର ସବୁ କିଛି ତ୍ଯାଗ କରି ଦେଲ, ସେମାନେ ତୁମ ତ୍ଯାଗର ମୂଲ୍ୟ ବୁଝି ପାରିଲେ ନାହିଁ l ମୁଁ ତ ବିତି ଯାଇଥିବା ସମୟ ଆଉ ଫେରାଇ ଦେଇ ପାରିବି ନାହିଁ l କିନ୍ତୁ ତୁମକୁ କଥା ଦେଉଛି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମର ସାଥି ହୋଇ ରହିବି ଓ ତୁମକୁ ଖୁସିରେ ରଖିବାର ଚେଷ୍ଟା କରିବି l  


 ସମୀକ୍ଷା କହିଲା ଜାଣିଛ ନିଲେଶ୍ ତୁମକୁ ଛାଡି ଆସିବାର ୨୬/୨୭ ବର୍ଷ ହେଲାଣି l ମୁଣ୍ଡରେ ଚୁଟି ମଧ୍ୟ ପାଚିବାକୁ ଆରମ୍ଭ କଲାଣି, ହେଲେ ଆଜି ବି ମୋତେ ଏକୁଟିଆ ରାସ୍ତା ପାରି ହେବା ପାଇଁ ଭାରି ଭୟ ଲାଗେ l ଏତିକି କହି ସେ ନିଲେଶ୍ ଆଡକୁ ନିଜର ହାତ ବଢ଼ାଇ ଦେଇ ଥିଲା ଜୀବନର ଅବଶିଷ୍ଟ ରାସ୍ତାକୁ ସାଥି ହୋଇ ପାରି ହେବା ପାଇଁ l 



Rate this content
Log in

Similar english story from Romance