ମନପୀଡ଼ା ମୋର ହୋଇବ ଊଣା
ମନପୀଡ଼ା ମୋର ହୋଇବ ଊଣା
ମନମୋହନଙ୍କ ଦରଶନ ଲାଗି
ବ୍ୟାକୁଳିତ ହୁଏ ସଦା ମୋ ପ୍ରାଣ,
ମୁହଁ ଖୋଲି ଏହା କା' ଆଗେ କହିବି
କେ ଅବା କରିବ ମୋର କଲ୍ୟାଣ !
ଯେତେ ତୀର୍ଥ-ଦେବାଳୟ,ଗିରି-ବନ
ପାହାଡ଼,ଝରଣା ସବୁଠି ସତ୍ତା ,
ପୂରିଅଛି ସିନା ଆକାଶେ-ପବନେ
କେଉଁଠାରେ କିନ୍ତୁ ପାଉନି ପତ୍ତା ।
କେମିତି ଭଜିବି, କି ମନ୍ତ୍ରେ ପୂଜିବି
ମାର୍ଗ ଦେଖାଅ କେ ବହି କରୁଣା ,
ସେ ପ୍ରିୟତମଙ୍କ ସାକ୍ଷାତ ଲଭିବି
ମନପୀଡ଼ା ମୋର ହୋଇବ ଊଣା ।
ଅନ୍ତର୍ଯ୍ୟାମୀ ହୋଇ,ଅନ୍ତରରେ ଥାଇ
ବୁଝି ପାରନ୍ତିନି କେମିତି ବ୍ୟଥା,
କା' ଆଗେ କହିଲେ ବିଶ୍ୱାସ କରିବ
ତାଙ୍କ ସଙ୍ଗେ ଭାବ ଯୋଡ଼ିବା କଥା ।
ମୋ ମାନସ ପଟେ ଉଙ୍କିମାରେ ସଦା
ତାଙ୍କର ସେ ମନମୋହନ ଛବି,
ଏ ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ସତେ
ଥରୁଟିଏ ତାଙ୍କ ଦେଖା ପାଇବି !
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।