ସମ୍ପର୍କର ସଂଘର୍ଷ
ସମ୍ପର୍କର ସଂଘର୍ଷ
ଆଜି ପାର ବୁଢ଼ୀର ଦାଣ୍ଡ ଦୁଆରେ ଖୁବ୍ ଚହଳି ପଡ଼ିଛି, ଗାଁ ର ଅଧା ଲୋକ ଯେମିତି ଉଠି ଆସି ତା ଅଗଣାରେ ରୁଣ୍ଡ ହୋଇଛନ୍ତି, ସମସ୍ତଙ୍କ ମୁଖରେ ଗୋଟିଏ କଥା ବୁଢ଼ୀ ଭଲ ମଣିଷ ଟେ ଥିଲା ....କାରଣ ପାର ବୁଢ଼ୀ ଆଜି ସବୁ ଦିନ ପାଇଁ ଚାଲି ଯାଇଛି ଈଶ୍ବରଙ୍କ ପାଖକୁ, ବୟସ ୮୫ ପାଖାପାଖି ହେବ ଆଉ କେତେ ଦିନ ବା ବଞ୍ଚିଥାନ୍ତା କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ଅବଶୋଷ କେଡେ ହତଭାଗୀନି ବୁଢ଼ୀ ଟେ ,ଗଲା ବେଳେ ପୁଅ ମାନେ ତା ମୁହଁ ଦେଖି ପାରିଲେନି କି ବିଚାରୀ ତୁଳସୀପାଣି ମୁନ୍ଦାଏ ପାଇଲାନି, କିଏ କହୁଛି ସହରୁ ଶୀଘ୍ର ପହଁଞ୍ଚିବା କଣ ସମ୍ଭବ? ଆଉ କିଏ କହୁଛି ସେମାନେ ଆସିବେନି, ବଞ୍ଚିଥିଲା ବେଳେ ଯା ମୁହଁ ଚାହିଁଲେନି ଏବେ ଆସି କଣ କରିବେ.....।
ଗାଁ ରେ ସମସ୍ତେ ତାକୁ ପାର ବୁଢ଼ୀ ବୋଲି ଜାଣନ୍ତି ଖୁବ୍ ସରଳ ଓ ସ୍ନେହୀ ସ୍ତ୍ରୀ ଲୋକ ଟେ,ପୁରା ନା ପାର୍ବତୀ କିନ୍ତୁ ସ୍ବାମୀ ମଦନା ବାହାଘର ପରେ ତାକୁ ପାର ବୋଲି ଡାକିବାରୁ ସେଦିନରୁ ସେ ଗାଁରେ ମଧ୍ୟ ପାର ନାଁ ରେ ପରିଚିତ।ଅମିତ୍ ଓ ସୁମିତ୍ ଦୁଇ ପୁଅକୁ ନେଇ ତା ଛୋଟିଆ ସଂସାର। ଗାଁ ରେ ଏକ ଛୋଟ ତେଜରାତି ଦୋକାନ କରି ସ୍ବାମୀ ସ୍ତ୍ରୀ ଦୁହେଁ ସୁରୁଖୁରୁରେ ପରିବାର ଚଳାଉଥାନ୍ତି।ପୁଅ ଦୁହିଁକୁ କେବେ କୌଣସି ପ୍ରକାର ଅଭାବ, ଅସୁବିଧାର ଅନୁଭବ ହେବାକୁ ଦେଉ ନ ଥାନ୍ତି। ସମୟ କ୍ରମେ ଦୁହେଁ ବଡ ହେଲେ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା ନ ଥିବାରୁ ଗାଁ ରେ ସହର ଯିବା ପାଇଁ ପ୍ରସ୍ତୁତ ହେଲେ, ପୁଅ ଦୁହିଁକୁ ପାଠ ପଢେଇ ବଡ ମଣିଷ କରିବା ଆଶାରେ ସ୍ବାମୀ ସ୍ତ୍ରୀ ଦୁହେଁ ନିଜ ଚାଷ ଜମି ବନ୍ଧା ପକେଇ ପଇସା ପତ୍ରର ବ୍ୟବସ୍ଥା କରି ଦୁହିଁକୁ ସହରରେ ପାଠ ପଢେଇଲେ।
ଛୋଟିଆ ଚାଳ ଘର ମଧ୍ୟରେ ଅନନ୍ତ ଆକାଶର ପରିସୀମା ମଧ୍ୟ ଛୋଟ ପଡ଼ି ଯାଏ ଯେତେ ବେଳେ ବୁଢ଼ୀ ଜାଣିବାକୁ ପାଏ ଦୁହି ପୁଅ ସହରେ ଏକ କମ୍ପାନୀରେ ଭଲ ଚାକିରୀ ଖଣ୍ଡେ ପାଇ ସାରିଛନ୍ତି। ବୁଢ଼ୀର ଗୋଡ଼ ଆଉ ମାଟି ଛୁଁ ନ ଥାଏ ସତେ ଯେମିତି କୋଟି ଜନ୍ମର ତପସ୍ୟାର ଫଳ ତାକୁ ମିଳି ଯାଇଛି,ଖୁସିରେ ସାହି ପଡିଶା ସାରା ମିଠା ବାଣ୍ଟୁ ଥାଏ। ବୁଢ଼ା କିନ୍ତୁ କହୁଥାଏ "ଆରେ ଏତେ ଖୁସି ଆଉ ହ ନା,ଯେବେ ପୁଅ ଦୁହିଁକୁ ବାହା କରେଇ ନାତି ନାତୁଣୀ ସଙ୍ଗେ ଖେଳିବୁ ସେବେ ଯାଇ ତୋତେ ତ ତପସ୍ୟାର ଫଳ ମିଳିବ"।ବୁଢ଼ୀର କିନ୍ତୁ ସେ କଥା କୁ ଖାତିର ନାହିଁ ,ସେ ତ କେବେଠୁ ସ୍ବପ୍ନ ଦେଖିଛି ଯେ ନାତି ନାତୁଣୀଙ୍କ ଅଜା ଆଈ ଡାକର ସେ ମଧୁର ଧ୍ବନିରେ ନିଶ୍ଚିତ ତା ଘର ଅଗଣା ପୂରି ଉଠିବ। କିନ୍ତୁ ହାୟ, ନିୟତିର ଲେଖନୀ ଯେ ତା ସ୍ବପ୍ନକୁ କେଉଁ ଏକ ଅନ୍ଧାରୁଆ ରାସ୍ତାରେ ଠେଲି ଦେଇ ଆଖିରେ ଲୁହର ଧାରା ସୃଷ୍ଟି କରିବ ସେଇଟା ତାର କଳ୍ପନା ବାହାରେ ଥିଲା ଯେବେ ଘରକୁ ପୁଅ ଦୁହେଁ ଦୁଇ ସହରୀ ଝିଅ କୁ ବାହା ହେଇ ଆସିଲେ ବିନା ଅନୁମତିରେ।ତଥାପି ଆଖିର ଲୁହ କୁ ଆଖିରେ ରଖି ବୁଢ଼ା ବୁଢ଼ୀ ଦୁହେଁ ସ୍ବୀକାର କଲେ ସବୁ।କିଛି ଦିନ ଗାଁ ରେ ରହି ପରିବାର ନେଇ ସହରାଭିମୁଖି ହେଲେ ପୁଅ ବୋହୂ। ତା ଭିତରେ ଅନେକ ବର୍ଷ ବିତି ଯାଇଥିଲେ ବି ପୁଅ ମାନେ କେବେ ବୁଢ଼ା ବୁଢ଼ୀ ପାଖକୁ ଆସି ନାହାନ୍ତି।ମଝିରେ ମଝିରେ କଥା ବାର୍ତ୍ତା ହୁଏ ପଡିଶା ଘର ମାଧିଆର ଫୋନରେ। ଭାଗ୍ୟର ନିଷ୍ଠୁରତା ବେଳେବେଳେ ମଣିଷ କୁ ଏ ଭଳି ପରିସ୍ଥିତିରେ ଆଣି ଠିଆ କରେ ଯେଉଁଠି ତାକୁ ଅନ୍ଧାରର ଅନୁପସ୍ଥିତି ଛଡ଼ା ଆଉ କିଛି ଅନୁଭବ ହୁଏନି।
ଇତି ମଧ୍ୟରେ ସମଗ୍ର ବିଶ୍ୱରେ ମହାମାରୀର ଆତଙ୍କ, କୋରୋନା ଭୂତାଣୁ,ଏକ ମାରାତ୍ମକ ରୋଗ - ଗାଁ ଠୁ ସହର ସବୁଠି ଚର୍ଚ୍ଚା, ଭୟଙ୍କର ପରିସ୍ଥିତି।ବୁଢ଼ୀର ମନେ ମନେ କେତେ ଭାଳେଣି,ସହରରେ ଛୁଆ ଗୁଡାକ କେମିତି ରହୁଥିବେ, ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବ ତ?ଆହୁରି କେତେ କଣ।କିନ୍ତୁ ବୁଢାକୁ କିଛି କହିପାରୁ ନ ଥାଏ କାରଣ କିଛି ମାସ ପୂର୍ବରୁ ଦୁହେଁ ଆଉ ଏକ ଦୁଃଖଦ ପରିସ୍ଥିତି ମୁକାବିଲା କରିଛନ୍ତି ଯେତେବେଳେ ଏକ ଭୟଙ୍କର ବାତ୍ୟା ଓଡ଼ିଶାକୁ ପ୍ରବେଶ କଲା।ବୁଢ଼ୀ ଶୁଣିଛି ଟିଭି ରେ,ଏହି ବାତ୍ୟା 1999 ର ମହାବାତ୍ୟା ରୁ ବି ଆହୁରି ବି ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।ଓଡ଼ିଶା ସହିତ ବାତ୍ୟାର ଚିରା ଚରିତ ସମ୍ପର୍କ। ବିଶେଷ ଭାବରେ ସମୁଦ୍ର ଉପକୂଳ ଅଞ୍ଚଳ ବାସୀଙ୍କ ପାଇଁ।
ସରକାରଙ୍କ ତରଫରୁ ସବୁ ଉପକୂଳ ଅଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଥାଏ।ଗାଁ ଟା ମଧ୍ୟ ସେଇ ପାଖରେ ଥିବାରୁ ଡାକ ବାଜି ଯନ୍ତ୍ରରେ ସୂଚନା ଦିଆ ଯାଉଥାଏ ନିଜ ଆବଶ୍ୟକୀୟ ଜିନିଷ ଧରି ସୁରକ୍ଷିତ ସ୍ଥାନକୁ ପ୍ରସ୍ଥାନ କରିବା ପାଇଁ। ଯିବା ଆଗରୁ ବୁଢ଼ୀର ଏକା ଜିଦ୍ ପୁଅ ମାନଙ୍କ ସହ କଥା ହେବ,ବୁଢ଼ୀର ଜିଦ୍ ଆଗରେ ହାର ମାନି ବୁଢ଼ା ଗଲା ପଡିଶା ଘର ମାଧିଆ ପାଖକୁ,ଫୋନ ଲାଗିଲା।କେତେ ଦିନ ପରେ ପୁଅଙ୍କ ସଙ୍ଗେ କଥା ହେଇ ବହୁତ୍ ଖୁସି ,ବର୍ତ୍ତମାନର ପରିସ୍ଥିତି କଥା କହିଲା କିନ୍ତୁ ପୁଅ ମାନେ ନେଟୱର୍କ ଆସୁନି କହି ଶୁଣି କି ନ ଶୁଣିଲା ଭଳି ଫୋନ କାଟି ଦେଲେ। ବାତ୍ୟାରେ ଉଜୁଡି ଥିବା ଚାଳ ଛପରର ମରାମତି ପାଇଁ କିଛି ସାହାଯ୍ୟ ଆଶାରେ ବୁଢ଼ା ବୁଢ଼ୀ ପୁଅ ମାନଙ୍କୁ ଫୋନ କଲେ କିନ୍ତୁ କେହି ଫୋନ୍ ଉଠେଇଲେନି କି ଆଉ ସେମାନଙ୍କର ଖବର ବୁଝିବା ମଧ୍ୟ ଉଚିତ୍ ମନେ କଲେନି ।ସେଦିନ ରୁ ବୁଢ଼ାର ବହୁତ୍ ରାଗ ପୁଅଙ୍କ ଉପରେ,ଯେଉଁ ମାନଙ୍କୁ ପାଳି ପୋଷି ଆଜି ବଡ ମଣିଷ କଲେ ସେମାନେ ଏଇ ଦୁଃସମୟରେ ଆଡ ଆଖିରେ ଅନାଉ ନାହାନ୍ତି। ତଥାପି ସ୍ବାବଲମ୍ବୀ ମଣିଷ ଯୋଡ଼ାକ ଭାଗ୍ୟକୁ ଆଦରି ଚଳୁଥାନ୍ତି ଭଗବାନଙ୍କ ଭରସାରେ। କିନ୍ତୁ ବୁଢ଼ୀ,ସବୁବେଳେ ଆଖିରେ ଲୁହ ଗଡାଏ ବୁଢ଼ା ଠୁ ଲୁଚି ଲୁଚି, ଯେତେହେଲେ ବି ମାତୃତ୍ଵ ର କୋମଳ ହୃଦୟ ପିତା ର ଅଭିମାନର କଠୋରତା ଆଗରେ ନିଜକୁ ଅସହାୟ ମନେ କରିଥାଏ।
ସହରରୁ ପୁଣି ଏବେ ଗାଁ କୁ ଆସିଲାଣି କୋରୋନା ଭୂତାଣୁ,ଯେତେ ସଚେତନ ହେଲେ ବି ସବୁଆଡେ ସେଇ କୋରୋନା ର କରାଳ ଛାୟା। ପାଞ୍ଚ ଦିନ ହେଲା ବୁଢାକୁ ଜ୍ଵର,ପୁଅ ମାନଙ୍କୁ ଯେତେ ଫୋନ କଲେ ବି ଉଠାଉ ନାହାନ୍ତି । ପଡିଶା ଘରୁ କିଛି ଜ୍ଵର ଔଷଦ ଆଣି କି ଦେଲେ ବି କିଛି କାମ କରୁନି। କରୋନାର ଭୟରେ କେହି କାହାର ପାଖ ମାଡୁ ନ ଥାନ୍ତି।ବୁଢ଼ୀ ନିଜକୁ ଅତ୍ୟନ୍ତ ଅସହାୟ ମନେ କରୁଥାଏ।ବୁଢ଼ା ରାତି ସାରା ଜ୍ବରରେ କମ୍ପୁଥାଏ,ବୁଢ଼ୀ ଯେତେ ଓଦା କନା ଦେଲେ ବି ସବୁ ନିଷ୍ଫଳ। ଶେଷରେ କୋରୋନା ଆଗରେ ହାର ମାନି ସବୁ ଦିନ ପାଇଁ ଆଖି ବୁଜି ଦେଲା ବୁଢ଼ା। ଗାଁ ଲୋକେ ବୁଢ଼ୀର ଅସହାୟତା ଦେଖି କିଛି ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ବୁଢ଼ାର ଶେଷ କୃତ୍ୟ ସମାପନ କଲେ। ବୁଢ଼ାର ମୃତ୍ୟୁ ଖବର ପୁଅ ମାନଙ୍କୁ ଦେବାରୁ କୋରୋନାର ବାହାନାରେ ସେମାନେ ଆସିଲେନି।ତଥାପି ବୁଢ଼ୀ ଛାତିକୁ ଦମ୍ଭ କରି ପୁଅ ମାନଙ୍କ କଥା ଭାବୁଥାଏ, ସେ ଯେମିତି ହେଉ ଚଳି ଯିବ ସେମାନେ ଭଲରେ ଥାଆନ୍ତୁ,ସବୁଦିନ ପ୍ରାର୍ଥନା କରୁଥାଏ।
ହଠାତ୍ ଦିନେ ମାଧିଆ ଆସି କହିଲା,ପାର ମାଉସୀ ତୁମ ପୁଅ ମାନେ ଫୋନ କରିଛନ୍ତି ,ଏଥର ତୁମ ଚିନ୍ତା ଗଲା, ନିଶ୍ଚିତ ତୁମକୁ ତାଙ୍କ ପାଖକୁ ନେଇ ଯିବା ପାଇଁ ଫୋନ କରିଥିବେ।ବୁଢ଼ୀର ମନ ମଧ୍ୟ ଖୁସିରେ କୁରୁଳି ଉଠୁଥାଏ ଯେତେ ହେଲେ ବି ସେ ମାଁ, ପୁଅ କଣ କେବେ ମାଁ କୁ ଭୁଲି ଯାଏ? ଏକ ଅତୁଟ ସମ୍ପର୍କ ରେ ବନ୍ଧା ସେମାନେ। ଏୟା ଭାବି ଫୋନ ଉଠେଇଲା ବେଳେ କିଛି ସମୟର କଥାବାର୍ତ୍ତା ପରେ ଫୋନ ହାତରୁ ଖସି ଗଲା ବୁଢ଼ୀର ଯେତେବେଳେ ସେ ପୁଅଙ୍କ ଫୋନ କରିବାର କାରଣ ଜାଣିଲା।ମାଧିଆ ପଚାରୁ ଥାଏ ,"ମାଉସୀ କଣ କହିଲେ ସେମାନେ କେବେ ଯାଉଛ ସହରକୁ କିଛି କହୁନ ଯେ?"ବୁଢ଼ୀ କିନ୍ତୁ ନିର୍ବାକ ,ନିସ୍ତେଜ ପାଲଟି ଏକ ମୁହାଁ ହୋଇ ଚାଲିଲା ଘରକୁ।ଆଖିରେ ଆଖିଏ ଲୁହ,ଛାତିର କୋହ ସବୁ ଆଜି ଦିଗ ହରା ହୋଇ ଯେମିତି ଆଖି ବାଟେ ଅନବରତ ବହି ଚାଲିଛନ୍ତି। କେତେ ଦୁଃଖ ନ ସହିଛି ସେ ଜୀବନରେ,ବାତ୍ୟାରେ ଉଜୁଡ଼ି ଥିବା ତା ଚାଳ ଛପର ଠୁ କୋରୋନା ଛଡେଇ ନେଇଥିବା ତା ସ୍ୱାମୀର ଜୀବନ ପର୍ଯ୍ୟନ୍ତ।ତଥାପି ଏ ଜୀବନ ସଂଗ୍ରାମରେ ସେ କେବେ ହାର ମାନିନି।ଛାତିକୁ ପଥର କରି ପୁଅ ମାନଙ୍କ ଭରସାରେ ବଞ୍ଚି ରହିଥିଲା କିନ୍ତୁ ଆଜି ସେଇ ପୁଅ ମାନେ ନିଜ ବାପାଙ୍କ ଅନ୍ତ୍ୟେଷ୍ଟି ରେ ନ ଆସି, କୋରୋନା ରେ ମୃତ୍ୟୁ ବରଣ କରିଥିବାରୁ ବୁଢ଼ା ନାଁ ରେ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ଉପରେ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏ ସବୁ କଥା ଭାବି ଭାବି ବୁଢ଼ୀ ଗୁମୁରି ଗୁମୁରି କାନ୍ଦି ଆଖିର ଲୁହ ଥମୁ ନ ଥାଏ।ଆଉ ରାତ୍ରିର ଅନ୍ତିମ ପ୍ରହର ସାଙ୍ଗେ ବୁଢ଼ୀର ଜୀବନ ଦୀପ ମଧ୍ୟ ଲିଭି ଯାଇଥାଏ........।
ଆଉ ସେଦିନ ରାମ ନାମ ସତ୍ୟ ହେ ର ଧ୍ବନିରେ ଆଉ କିଛି ବି ପବନରେ ଗୁଞ୍ଜରିତ ହେଉଥାଏ.....
"ପୁଅ ମାନଙ୍କ ନୀଚ ସ୍ୱାର୍ଥପରତା ରେ ବୁଢ଼ୀର ଅନାବିଳ ନିଃସ୍ୱାର୍ଥ ମମତାର ସମ୍ପର୍କ ଆଜି ଜୀବନ ସଂଘର୍ଷରେ ହାରି ଗଲା....."।
