Saismita Majhi

Tragedy

4.8  

Saismita Majhi

Tragedy

ମୋର ଯାହା କହିବାର ଥିଲା

ମୋର ଯାହା କହିବାର ଥିଲା

4 mins
559


   ଆଜିକୁ ଦୁଇ ବର୍ଷ ବିତିଗଲାଣି। ଦି ବର୍ଷ ତଳର କଥା କେମିତି ପାଗେଳି ଥିଲି ମୁଁ ତମ ପାଇଁ ! ମନେ ପଡି଼ଲେ ଏବେ ବି ହସ ଲାଗେ । ହାଏ କି ଦିନ ଥିଲା ସତରେ ! ତମର ଗୋଟିଏ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଥିଲି ୱାଟ୍ସପରେ । ତମର ମେସେଜ୍ ମୋ ପାଇଁ କଉ ଅମୁଲ୍ୟ ବସ୍ତୁଠାରୁ କମ୍ ନଥିଲା । ତମ ସାଥିରେ କଥା ହେଇ ହେଇ କେତେବେଳେ ଯେ ସମୟ କଟିଯାଏ ଜଣାପଡୁ଼ନଥିଲା । ତମେ ବି ରହିଯାଉଥିଲ କଥା ହେଇ ହେଇ, 'ବାୟ୍' କହିବା ପରେ ବି ଆମେ କଥା ହେଉଥିଲୁ । କେମିତି ଗୋଟିଏ ଅଦୃଶ୍ଯ ଚୁମ୍ବକୀୟ ଆକର୍ଷଣ ରହିଥିଲା ବୋଧେ ଆମ ଦୁହିଁଙ୍କ ମଧ୍ୟରେ । ତମ ସ୍ବପ୍ନ ଦେଖୁଥିଲି କେବଳ ତମ କଥା ଭାବି ଭାବି ଦିନ ସାରା ରହିଯାଉଥିଲି, ଏବେ ଭାବିଲେ ଆଶ୍ଚର୍ଯ୍ଯ ଲାଗେ । ଏତେ ଭଲପାଇବା ମୁଁ କେଉଁଠାରୁ ଆଣିଥିଲି ସତରେ

     ତମ ଗୁଡ୍ ମର୍ନିଙ୍ଗ ମେସେଜ ରୁ ମୋର ଦିନ ଆରମ୍ଭ ହେଉଥିଲା । ତମକୁ ଭାବି ଭାବି ମୋର ସବୁ କାମ ସରି ଯାଉଥିଲା, ଯେମିତିକି ତମେ ମୋର ସବୁ କାମରେ ସାମିଲ ଥିଲ । ଏତେ ଭଲପାଇବା, ଏତେ ସମ୍ମାନ, ଏତେ ବିଶ୍ୱାସ ଥିଲା ଯେ କ'ଣ କହିବି, ସାରା ଦୁନିଆ ଗୋଟେ ପଟେ ହେଲେ ତମେ ଆର ପଟେ ।ମୋତେ ସବୁ କଥା ସେୟାର କରୁଥିଲ । ସୁଖଦୁଃଖ ସବୁ ବାଣ୍ଟି ନେଉଥିଲ ମୋ ସାଥେ । ମୁଁ ବି ତମର ଶୁଭ ମନାସୁଥିଲି, ତମର ଖୁସି ପାଇଁ ଅଡି଼ ବସୁଥିଲି । କେବେ ମନ୍ଦିର ନ ଯିବା ମଣିଷ କେବଳ ତମ ପାଇଁ ଭଗବାନଙ୍କ ନିକଟରେ ଦୀପ ଜାଳୁଥିଲି । ଧେତ୍ ଏତେ ପାଗଳ ଥିଲି ସତରେ !

    ତମର ଗୋଟିଏ ଗୋଟିଏ କଥା ଦିନସାରା ମୋ କାନରେ ପ୍ରତିଧ୍ଵନିତ ହେଉଥିଲା । ତମର ଛୋଟ ଛୋଟ ଜିନିଷର ଖିଆଲ୍ କରୁଥିଲି ମୁଁ । ତମକୁ କଣ ଭଲ ଲାଗେ , କଣ ନାହିଁ ସବୁ ଜିନିଷ ପ୍ରତି ଯତ୍ନବାନ ହେବାରେ ଲାଗିଥିଲି, ଯଦିଓ ତମ ସହିତ କେବେ ଭେଟ ହେଇନଥିଲା ! ତଥାପି କାହିଁକି କେଜାଣି ଏକ ଅଦ୍ଭୁତ ଆକର୍ଷଣ ମୋତେ ତମ ନିକଟକୁ ଟାଣିନେଉଥିଲା । ନିଜକୁ ରୋକି ପାରୁନଥିଲି ତମକୁ ଭଲପାଇବା ପାଇଁ । ମୁଁ କେବଳ ତମର ସାନିଧ୍ୟ ଲୋଡିଥିଲି । କେବେ ହୃଦୟ ଖୋଲି କହିପାରିଲିନି ତମକୁ ସତ କିନ୍ତୁ ତୁମ ପ୍ରତି ମୋ ଭଲପାଇବା ସ୍ଵଚ୍ଛ, ନିର୍ମଳ । ତମ ପ୍ରୋଫାଇଲ୍ ସବୁଦିନ ଦେଖିବା ମୋ ରୁଟିନ ରେ ପରିଣତ ହେଇଜାଇଥିଲା । ତମ ଅୱାଜ୍ କେବେ ଶୁଣି ନଥିଲି, କେବେ ସତରେ ଦେଖିନଥିଲି ସେତିକିରେ ବି ମୁଁ ପାଗଳୀନି ସାଜିଥିଲି ତମ ପାଇଁ !

    ତମର ସବୁ କଥା ଭଲ ଲାଗୁଥିଲା, ରାତିରେ ଟିକେ କଥା ହେବି ବୋଲି ଦିନ ସାରା ଅପେକ୍ଷା କରି ରହୁଥିଲି । ଦିନକୁ ଦିନ ମୋ ପ୍ରେମ ତମ ପ୍ରତି ଗଭୀର ରୁ ଗଭୀର ହୋଇ ଚାଲିଥିଲା । ନିଜକୁ ଅଟକେଇ ପାରୁ ନଥିଲି, ବାଧ୍ୟ ହେଉଥିଲି ତମକୁ ଭଲପାଇବା ପାଇଁ । ଏତେ ମାତ୍ରାରେ ଆଶକ୍ତ ହୋଇପଡିଥିଲି ଯେ ତମ ସହିତ କଥା ନ ହେଲେ ମୋର ଦିନ ସରୁ ନଥିଲା , ଆଉ କଥା ହେଲେ ଲାଗୁଥିଲା ସମୟ ଯେମିତି ଦ୍ରୁତଗତିରେ ଚାଲିଯାଉଛି। ଅନ୍ୟମନସ୍କ ରହୁଥିଲି । ସାଙ୍ଗ ମାନେ ନିଜ ନିଜ ଭିତରେ କଥା ହେଇ ହେଇ ମୋତେ ଟାହି ଟାପରା କରୁଥିଲେ, ମୁଁ ବି ଲାଜରେ ଝାଉଁଳି ପଡୁଥିଲି । ଏତେ ଗଭୀର ସମ୍ପର୍କ ଥାଇ ମଧ୍ୟ ଆମ ସମ୍ପର୍କର ନାମ କିଛି ନଥିଲା। ଆମେ କେବଳ ସାଙ୍ଗ ଥିଲୁ ବୋଧେ ! ମୁଁ ଭାବୁଥିଲି କହିଦେବି କି ମୋ ମନକଥା କିନ୍ତୁ ତମର ଅନୁଭବ ମୁଁ ଜାଣିବାକୁ ଚାହୁଁଥିଲି । ଦି ବର୍ଷର ଆମ ବନ୍ଧୁତ୍ୱ, କେବେ ଦେଖା ସାକ୍ଷାତ ବି ନାହିଁ କେବଳ ଯାହା ମେସେଜ ରେ, ୱାଟ୍ସପରେ ! ଆଶ୍ଚର୍ଯ୍ଯ ଲାଗେ ତଥାପି ମୁଁ କାହିଁକି ଏତେ ଆଶକ୍ତ ଥିଲି ତମ ପାଇଁ ଜାଣେନା ।

      ତମ ମୁଁହଁରୁ ସେଇ ଗୋଟିଏ ପଦ ଶୁଣିବି ବୋଲି କାହିଁ କେତେ ଦିନୁ ଅପେକ୍ଷା କରି ରହିଥିଲି । ତମେ ବି ମୋତେ ଚିଡେବାର ଗୋଟିଏ ବି ସୁଯୋଗ ହାତଛଡା କରୁନଥିଲ । ସବୁଦିନ କହୁଥିଲ "ଗୋଟେ କଥା କହିବାର ଅଛି" ମୁଁ ବଡ ଉତ୍ସାହର ସହ ତମ କଥାକୁ ଅପେକ୍ଷା କରି ରହୁଥିଲି । ତମକୁ ବଡ ମଜା ଲାଗୁଥିଲା ବୋଧେ, ଆଉ ଏପଟେ ମୋର ହ୍ରୁତ୍ ସ୍ପନ୍ଦନ ତୀବ୍ର ହୋଇଉଠୁଥିଲା । ତା'ପରେ ତମେ କହୁଥିଲ "କାଲି କହିବି, ଗୁଡ଼ ନାଇଟ୍" ବାସ୍ । ମୁଁ ବି ତମ କାଲିକୁ ଅପେକ୍ଷା କରି ରହୁଥିଲି । ଆଉ ତମ କାଲି କେବେ ଆସୁନଥିଲା । ରାଗ ମାଡେ଼, ବହୁତ କଷ୍ଟ ଲାଗେ କେମିତି ତମେ ମୋ ଅପେକ୍ଷାକୁ ବୁଝିପାରୁନଥିଲ । କିନ୍ତୁ କ'ଣ କହିବି ସବୁ ତ ତମ ହାତରେ ଥିଲା । ମୋତେ ବୁଲେଇ ବଙ୍କେଇ ବହୁତ କଥା କହିଥିଲ, ମୁଁ ବି ସତ ହିଁ ମଣୁଥିଲି ।

    ଥରେ ରାତି ୩ଟା ବେଳକୁ ମୋର ନିଦ ହଠାତ୍ ଭାଙ୍ଗିଗଲା, ନିଦ ବି ହେଲାନି, ଦର ଲାଗିଲା । ଫୋନ ରେ କିଛି ଦେଖିବାକୁ ଚେଷ୍ଟା କାଲି, ତଥାପି ହେଲାନାହିଁ । ତା'ପରେ ୱାଟ୍ସପରେ ଦେଖିଲି ତମେ ଓନଲାଇନ୍ ଥିଲ । ମରୁଥିବା ପ୍ରାଣରେ ଜୀବନ ସଞ୍ଛରି ଉଠିଥିଲା ଯେମିତି ତମକୁ ଓନଲାଇନ୍ ଦେଖି । ଡେରି ନ କରି 'ହାଏ' ମେସେଜ କଲି, ତମେ ବି ମୋତେ ଅପେକ୍ଷା କରି ରହିଥିଲା ଭଳି ସାଙ୍ଗେ ସାଙ୍ଗେ ରିପ୍ଲାୟ୍ ଦେଇଥିଲ । ଖୁସିରେ କୁରୁଳି ଉଠିଥିଲି । ତାପରେ କହିଥିଲି ମୋତେ ଡର ଲାଗୁଛି ବୋଲି, ତ ତମେ କହିଥିଲ ଯେପର୍ଯ୍ୟନ୍ତ ତମକୁ ନିଦ ଆସିନି ମୁଁ ଅଛି, କଥା ହେଉଥିବି ତମ ସାଙ୍ଗରେ; ହାୟେ ସାହାସ ଭରିଦେଇଥିଲ ମୋ ମନ ରେ । ମୁଁ ସେମିତି ହିଁ କଥା ହେଇ ହେଇ କେତେବେଳେ ଯେ ଶୋଇପଡିଲି ଜାଣିପାରିଲିନାହିଁ । ଏତେ ଖୁସି ଲାଗିଥିଲା ମୋତେ , ସତରେ କେତେ ଚିନ୍ତା କରୁଥିଲ ତମେ ମୋ ପାଇଁ । ଏସବୁ ତମ ପାଇଁ କଣ ଥିଲା ମୁଁ ଜାଣିନି । ଏତେ ସବୁ କେବଳ ବନ୍ଧୁମାନଙ୍କ ଭିତରେ ନଥାଏ । ତମ ଆଡୁ କଣ ଥିଲା କି ମୁଁ କିନ୍ତୁ ଭଲପାଉଥିଲି ତମକୁ ।

      ଦିନେ ତମେ ମୋତେ ମେସେଜ କଲ କଣ କହିବ ବୋଲି, ମୁଁ ଜାଣିଥିଲି ଏଥର ବି ତମେ ମୋତେ ବୋକା ବନେଇବ କିନ୍ତୁ; ତମେ ଗମ୍ଭୀର ଦେଖାଗଲ ତ ଜାଣିଲି ସତରେ ହିଁ କିଛି କହିବାର ଅଛି । ଅପେକ୍ଷା କରି ରହିଥିଲି ତମର ସେଇ କଥାକୁ ସହ୍ରୁଦୟତାରେ, ଲାଗୁଥିଲା ସେଦିନ ଯେମିତି ମୋ ଅପେକ୍ଷାର ଅନ୍ତ ଘଟିବ । ବହୁତ ଖୁସି ଥିଲି , ଭାବପ୍ରବଣ ହୋଇ ଉଠିଥିଲି । ତମେ ସନ୍ଧ୍ୟାରେ କହିଥିଲ ସ୍ମୃତି 'ହଁ' କହିଲା ଆଜି, କାଲି ପ୍ରୋପଜ୍ କରିଥିଲି ! ମୁଁ କଣ କହିବି ବୁଝିପାରୁନଥିଲି ସେଇ ଜାଗାରେ ଲୁହକୁ ଅଟକେଇ ପାରିଲିନି, କୋହ ଚାପି କହିଥିଲି "ଅଭିନନ୍ଦନ, ମୁଁ ବହୁତ ଖୁସି ତମ ଦୁହିଁଙ୍କ ପାଇଁ।" ସେଇ ରାତ୍ରି ମୋ ପାଇଁ କାଳରାତ୍ରି ସାଜିଥିଲା, ରାତି ପାହୁ ହିଁ ନଥିଲା, କାନ୍ଦି କାନ୍ଦି ଆଖି ଭିଜି ଯାଇଥିଲା । ମୋର ଏତେ ଭଲପାଇବା, ତମ ପ୍ରତି ଏତେ ଅନୁଭବର ପରିଣାମ କଣ ଏହା ଥିଲା । ନିଜ ଉପରେ ଘୃଣା ଲାଗିଲା, ମୁଁ ହିଁ ନିଜେ ନିଜେ ନିତି ତମ ସ୍ୱପ୍ନର ଜାଲ ବୁଣି ଚାଲିଥିଲି, ଭୁଲ ମୋର ଥିଲା । ତମେ ସବୁବେଳେ ଖୁସିରେ ରୁହ । ବାସ୍ ଏତିକି ହିଁ ମୋର କହିବାର ଥିଲା ।



Rate this content
Log in

Similar oriya story from Tragedy