STORYMIRROR

pranati tripathy

Tragedy

3  

pranati tripathy

Tragedy

ମଣିଷ

ମଣିଷ

10 mins
170

    ରାତିରେ ଖାଇ ପି ଶୋଇଛନ୍ତି ସୁଲଗ୍ନା ଓ ସୁଧୀର ।ଫୋନ ରିଙ୍ଗରେ ସୁଲଗ୍ନା ନିଦ ଭାଙ୍ଗିଗଲା ।ଘଣ୍ଟାକୁ ଚାହିଁଲା ରାତି ଗୋଟାଏ ।ଆଖି ମଳି ମଳି ଫୋନ ଆଣିଲା ।ଦେଖିଲା ଗାଁର ଜଣେ ପୁତୁରା ହିସାବ ହେବ ଫୋନ କରିଛି ।ଫୋନ ରିସିଭି କରି ଯାହା ସୁନୀଲ ପାଦ ତଳୁ ମାଟି ଖସି ପଡ଼ିଲା । ବିଶ୍ୱାସ,ଅବିଶ୍ୱାସ ଭିତରେ ସୁଲଗ୍ନା ସୁଧୀରଙ୍କୁ ଉଠେଇ ସାରିଥିଲା । ସୁଧୀର ଆଦୌ ବିଶ୍ୱାସ କରୁନଥିଲା ।ଭୂଇଁରେ ଗଡି ଯାଉଥିଲା ପିଲାଙ୍କ ଭଳି । ମିଛକଥା... ବାପାଙ୍କର କିଛି ହେଇନି ।ସନ୍ଧ୍ୟା ଆଠଟାରେ ବାପା ମୋ ସହ କଥା ହୋଇଛନ୍ତି ।ଶୀଘ୍ର ଚାଲ ଶୀଘ୍ର ଚାଲ କହି ବ୍ୟସ୍ତ ହୋଇପଡୁଥିଲା କୋହ ଭରା କଣ୍ଠରେ ସୁଲଗ୍ନା । ତା ମୁଣ୍ଡରେ କିଛି ପଶୁନଥିଲା ।ଯେମିତି ଉଠିଲା ସେମିତି ଚାଲିଲା ଖଣ୍ଡେ ଶାଢ଼ୀ କି ସାୟା ପୁରେଇବାର ହୋସ ନଥିଲା ।ଚୋର କି ଆତଙ୍କବାଦୀଙ୍କର ଭୟ କିମ୍ବା ରାତ୍ରିର ଗାଢ଼ ଅନ୍ଧାର ତାଙ୍କୁ ଅଟକାଇ ପାରୁନଥିଲା।ବାଇକରେ ଦୁଇଜଣ ଛୁଟିଥିଲେ ଗାଁ ଅଭିମୁଖେ ।

       ରାସ୍ତା ସାରା ମନେ ପଡିଯାଉଥିଲା ବାପାଙ୍କର ପ୍ରତିଟି କଥା ।କେହି କାହାକୁ ପ୍ରକାଶ କରିବା ପରିସ୍ଥିତିରେ ନଥିଲେ ।ଯେତେବେଳେ କୋହ ନିଜ ଆୟତ ବାହାରେ ହୋଇଯାଉଥିଲା ସେତେବେଳେ ଦୁହେଁ ଦୁହିଁଙ୍କୁ ମିଛ ସାନ୍ତ୍ୱନା ଦେଉଥିଲେ କାନ୍ଦ ନା ବାପାଙ୍କର କିଛି ହୋଇ ନଥିବ ।ଚାରିଦିନ ତଳେ ଗାଁ ରୁ ଚାକିରୀ ଜାଗାକୁ ଆସିଥିଲେ ସେମାନେ ।ଯଜ୍ଞରେ ଏକାଠି ହୋଇଥିଲେ ନଣନ୍ଦ ଭାଉଜ ସବୁ ଗାଁ'ରେ ।ଶଶୁର ବୋହୁ ଆଗରୁ କଥା ହୋଇଥିଲେ ସମସ୍ତେ ଏକାଠି ହେଲେ ଶଶୁରଙ୍କ ଜନ୍ମଦିନ ପାଳିବ ।ଶଶୁର କହୁଥିଲେ ତାଙ୍କ ଜନ୍ମଦିନ ଅଠେଇଶରେ ପଡୁଛି ।କିନ୍ତୁ ବୋହୁ କୋଡିଏରେ ପ୍ରତିବର୍ଷ ପାଳିବାର ନିଷ୍ପତି ନେଇଛି।ମହାପାତ୍ର ବାବୁ ବୋହୁକୁ ଡାକି କହିଲେ-ମା'ରେ ଏଥର ପ୍ରତିବର୍ଷ ମୋ ଜନ୍ମଦିନରେ ଚକୁଳି ପିଠା ଭୋଗ ଲଗେଇବୁ ।ମୋ ମା ପରି । ଆଜ୍ଞା ବାପା ସୁଲଗ୍ନା ଉତ୍ତର ଦେଲା ।ରାତିରେ ପିଠଉ ବାଟି ଫ୍ରିଜରେ ରଖିଲା ।ନଣନ୍ଦ,ଭାଉଜ ମିଶି ଦହିବରା କଲେ ।

ସକାଳୁ ଉଠି ପ୍ରତିଦିନ ପରି ନିଜର ନିତ୍ୟକର୍ମ ସାରି ପୂଜାରେ ବସିଗଲା ସୁଲଗ୍ନା ।ପୂଜାରୁ ଉଠି ପ୍ରଥମେ ସରୁ ଚକୁଳି ସାତ ଫଡା ସଡ ଦାସୀ ମା ପାଇଁ ଆଉ କେଇ ଫଡା ଠାକୁର ଓ ତୁଳସୀଙ୍କ ପାଇଁ କଲା ।ଗୁଡ଼,ଦହି,କଦଳୀ ନେଇ ପୂଜା କଲା ।ତାପରେ ଶଶୁରଙ୍କ ଖୁସି ପାଇଁ କହିଲା,ଦେଖନ୍ତୁ ବାପା ଭୋଗ ଲଗେଇଲି ।ଶଶୁର ମୁଚୁକେଇ ହସୁଥାନ୍ତି ।ଶାଶୁ କହୁଥାନ୍ତି ଏ କଅଁଳା ଛୁଆ ଟା ତୋର ନର୍ମାଲ ହେଲା ନା ସିଜରିଂ ।ତାଙ୍କ କଥାରେ ସମସ୍ତେ ହସି ଉଠିଲେ ।ସୁଲଗ୍ନା ସେତିକିରେ ସନ୍ତୁଷ୍ଟ ନଥିଲା ।ତା ଶଶୁରଙ୍କ ଜନ୍ମଦିନ ପାଇଁ କାଜୁ,ବାଦାମ,ଗାଜର,ବିତ ପକେଇ ହାଲକା ମିଠା ଦେଇ ପଲାଉ କଲା ।ତାଙ୍କ ପସନ୍ଦର ପୋଡ଼ ପିଠା କଲା ।ଶଶୁର ଗାଧୋଇ ସରିବା ପରେ ତାଙ୍କ ପାଇଁ ଆଣିଥିବା ଧୋତି,ଗଂଜି,ତଉଲିଆ ପିନ୍ଧିବାକୁ ଦେଲା ।ଚନ୍ଦନ ସିନ୍ଦୁର ଲଗେଇ ଦୀପ ଜାଳି ବନ୍ଦାପନା କଲା ।ତାଙ୍କ ଲାଗି ଆଣିଥିବା ଚପଲ ହଳକ ପିନ୍ଧିବାକୁ ଦେବାରୁ ସେ ଏତେ ଖୁସି ହେଉଥିଲେ ସତେକି ପାଞ୍ଚ ବର୍ଷର ଶିଶୁ ଟିଏ ।ହଟାତ ଗାଡିର ବେଗ କମିଯିବାରୁ ସୁଲଗ୍ନା ଭାବନା ରାଇଜରୁ ଫେରି ପ୍ରକୃତିସ୍ଥ ହେଲା ।ଦେଖିଲା ଗାଁର ଘର ସମ୍ମୁଖରେ ପହଂଚି ଗଲେଣି ।

    ପଟିକୋରେ ଶୁଆଇ ଦିଆଯାଇଛି ଏକ ବିଶାଳକାୟ ଶରୀର ।ମୁଣ୍ଡ ପାଖରେ ବସିଛନ୍ତି ବୋଉ ।ସୁଲଗ୍ନା ଓ ସୁଧୀର ଲୋଟି ପଡୁଥିଲେ ତାଙ୍କ ଶରୀର ଉପରେ ।ବୋଉ ସ୍ଥାଣୁ ପାଲଟି ଯାଇଥିଲେ ।ଚେୟାର ଉପରେ ବସି ଗୁଡାଖୁ ଘସି ଘସି ପାଞ୍ଚଟା ପୁଅ ଝିଅଙ୍କର ବହାବ୍ରତ କରିଥିଲେ ।କାହାକୁ ଆଞ୍ଚ କାଞ୍ଚ ଲାଗିନଥିଲା ।ଦେଖିବାକୁ ଯେମିତି ବିରାଟ ଶରୀର ତାଙ୍କ ଖାଇବା,ଚାଲି ଚଳନ ସେମିତି ବିରାଟ ଓ ଆଡ଼ାଚଉଡା ଥିଲା ।ସେ ଆଜି ଅସମୟରେ ଝଡି ପଡିଛନ୍ତି ।ଝିଅ,ପୁଅ,ନାତି,ନାତୁଣୀ ମାନଙ୍କୁ ଖବର ହୋଇଛି ଜଣେ ଜଣେ ପହଂଚୁ ଛନ୍ତି।ପ୍ରଥମେ ସୁଲଗ୍ନା ଓ ସୁଧୀର ପହଞ୍ଚିଥିଲେ ।କାନ୍ଦ ବୋବଳୀରେ ଗାଁ ଦାଣ୍ଡ ଫାଟି ପଡୁଥାଏ ।ଲୋକମାନେ କଥା ହେଉଥାନ୍ତି ଭଲ ମରଣ ମାରିଛନ୍ତି ।ପଡ଼ିଥିଲେ ତାଙ୍କୁ ଟେକିବା କଷ୍ଟ ହୋଇଥାନ୍ତା ।ଗୀତା, ଭାଗବତ ମୁହଁରେ ପଢି ମରିବା କଣ ସମସ୍ତଙ୍କ ଭାଗ୍ୟରେ ଯୋଟିଥାଏ ।କଏହି କେହି କହୁଥାନ୍ତି ମହାପାତ୍ର ବାବୁ ଏତେ ବଡ଼ ଚାକିରୀ କରିଥିଲେ ଗୁଡ଼ାଏ ଟଙ୍କା ରାଖଥିବେ ।ସୁଧ ହେବା ପାଇଁ ପୁଅ ମାନଙ୍କୁ ଚିନ୍ତା ପଡିବନି ।

   ଏବେ ଅନ୍ତିମ ବିଦାୟ ଦେବାର ସମୟ ।ସେଥିପାଇଁ ସବୁ ସରଞ୍ଜାମ ଆଣିବାକୁ ପଡିବ ।ମହାପାତ୍ର ବାବୁ ନାହାନ୍ତି ଯେ। ସବୁ ଖର୍ଚ୍ଚ ବହନ କରିଦେବେ ।ସମସ୍ତେ ଆଗଭର ହୋଇ ଜିନିଷ ନେଇ ଆସିବେ କାରଣ ସମସ୍ତେ ଜାଣିଛନ୍ତି ଟଙ୍କା କର ଜିନିଷ ଆଣିଥିଲେ ମହାପାତ୍ର ବାବୁ ଦୁଇ ଟଙ୍କା ଧରେଇ ଦିଅନ୍ତି ତେଣୁ ସମସ୍ତେ ମାସ ମାସ ପଡିକି କାମ ତୁଲେଇଥାନ୍ତି । କିନ୍ତୁ ଏବେ...?ଟଙ୍କା ଦେବା ଵାଲା ସୋଇଛନ୍ତି ଚିର ନିଦ୍ରାରେ । ଜୋଇଁ ମାନେ ଖଣ୍ଡେ ଦୂରରେ ଛିଡା ହୋଇଛନ୍ତି । ପୁଅ ମାନେ ବାପାଙ୍କ କୋକେଇ ବନ୍ଧା ଦେଖୁଛନ୍ତି ।ସେମାନେ ବି ଚିନ୍ତା କରୁନାହାନ୍ତି ଟଙ୍କା କୋଉଠୁ ଆସିବ । ମହାପାତ୍ର ବାବୁ ଝିଅ,ପୁଅ,ଜୋଇଁ କାହାକୁ ଆବଶ୍ୟକ ଠାରୁ ଅଧିକ ଦେଇନାହାନ୍ତି ବୋଲି କହିବନି ।ତଥାପି ସମସ୍ତେ ନିରବ ।ମାଗିବ କିଏ??

   ସୁଲଗ୍ନା କାହାକୁ ଅପେକ୍ଷା ନକରି ଟଙ୍କା ବାହାର କଲା ଆବଶ୍ୟକ ଉପକରଣ ପାଇଁ । ହାଣ୍ଡି,ଖଇ, କଉଡ଼ି ଇତ୍ୟାଦି... ।ତୁଠରୁ ଆସିଲେ ଖାଇବା ପାଇଁ ଚୁଡା,ଦହି,କଦଳୀ,ମିଠା ଆଦି ମଗାଇଲା । ଜୋଇଁ ମାନେ ଯିବା ପୂର୍ବରୁ ସୁଧୀର ବଡ଼ ଭିଣେଇ ଓ ଭଉଣୀଙ୍କୁ ଡାକି କହିଥିଲା କାମ କେମିତି ହେବ କଣ କରିବା ଟିକେ ବୁଝା ବୁଝି କରି ଯିବା ପାଇଁ ।କିନ୍ତୁ ସବୁ ଜୋଇଁ ଫେରିଯାଇଥିଲେ । ଝିଅ ମାନେ ଥିଲେ ।ସେମାନଙ୍କ ତୁଳନାରେ ଶଳାମାନଙ୍କର ଅଭିଜ୍ଞତା ଶୁନ ।କିଛି ବିଷୟରେ ଧାରଣା ନାହିଁ ।ଆଜି ପର୍ଯ୍ୟନ୍ତ ସେମାନେ ବାପାଙ୍କର ଛୋଟ ପିଲା ଭଳି ଚାଲିଥିଲେ ବଡ଼ ହୋଇନଥିଲେ ।ମହାପାତ୍ର ବାବୁ କେବଳ ଦେଇ ଆସିଥିଲେ ତାଙ୍କ ମନ ଜାଣି କେହି କେବେ ଟଙ୍କାଟିଏର ଜିନିଷ ଦେଇନଥିଲେ ତଥାପି ସେ ଖୁସି । ଦୁଇଦିନ ପରେ ସୁଲଗ୍ନା ଦିଅର ସଂଜୀବ ଓ ଜା ମିତାକୁ ଡାକି କହିଲା ତମେ କିଛି ଦିଅ ମୁଁ କିଛି ଦେବୀ କାମ କରୁଥିବା ତାପରେ ବେଭାର ଆସିଲେ କାମ କରିବା ।ସଂଜୀବ ନିଜ କକ୍ଷକୁ ଡାକି ନେଇ କହିଲା ବାପାଙ୍କର ଏଟିଏମ ଆଣ କେତେ ଟ୍ରାଞ୍ଜେକ୍ସନ ହୋଇଛି କେତେ ଅଛି ଦେଖିବା ଉଠେଇ କାମ କରିବା ।ଶାଶୁ କହୁଥିଲେ ଶହେ ଟଙ୍କା ପଡିଛି ସୁଲଗ୍ନା ପାଟିରୁ ଶୁଣୁ ଶୁଣୁ ସଂଜୀବ କହିଲେ ସରି... ମୁଁ ଦେଇପାରିବିନି ।ଫେରି ଆସିଲା ସୁଲଗ୍ନା ନିରାଶ ହୋଇ ।ସୁନୀଲ ଛାତ ଉପରେ ସମସ୍ତଙ୍କର ପାଟି ଶୁଭୁଚି ।ଶାଶୁ,ନଣନ୍ଦ ଦୁଇ ଜଣ ଏବଂ ସୁଧୀର ଥିଲେ ।ତାଙ୍କ ଆଗରେ ସୁଲଗ୍ନା କହୁ କହୁ ସଂଜୀବ ପହଞ୍ଚିଗଲେ ।କିଛି ସମୟ ପାଇଁ ଶୀତଳ ଯୁଦ୍ଧ ଚାଲିଲା ଭାଇ ଭଉଣୀଙ୍କ ମଧ୍ୟରେ ।ସମସ୍ତେ ମନା କଲେ ସଂଜୀବ ହାତରେ ଏଟିଏମ ଦେବା ପାଇଁ ।କାରଣ ଏଇ ଏଟିଏମ ଯୋଗୁଁ ମହାପାତ୍ର ବାବୁ ସାନପୁଅ ସଂଜୀବ ପାଖରୁ ଅସି ବଡ଼ପୁଅ ଘରେ ଗାଁରେ ସବୁଦିନ ରହିବାର ନିଷ୍ପତି ନେଇଥିଲେ । ଶେଷରେ ସୁଧୀର ସମସ୍ତଙ୍କୁ ଚୁପ କରି କହିଲା କେହି କିଛି କରିବା ଦରକାର ନାହିଁ ମୋ ବାପାଙ୍କ କାମ ମୁ କରିବି ।ଦୁଇ ଝିଅ ଓ ଶାଶୁ ତାକୁ ସମର୍ଥନ କରିଥିଲେ ।

    ସମସ୍ତେ ଜାଣିଛନ୍ତି ବର୍ଷେ ହେବ ଚାକିରୀ ନାହିଁ ସୁଧୀରର।ତଥାପି ଏଭଳି ନିଷ୍ପତିକୁ ସୁଲଗ୍ନା ଅମାନ୍ୟ କରିନଥିଲା ।ସୁଲଗ୍ନାକୁ କେହି ଦାଇତ୍ୱ ଦେଇ ନଥିଲେ ।ନିଜେ ଖର୍ଚ୍ଚ କରୁଥିଲା ହିସାବ ରଖୁଥିଲା ଗୋଟେ କାଗଜରେ ।କାରଣ ସେଠି ଖାତାଟେ ମଧ୍ୟ ନଥିଲା ।ଶାଶୁ,ନଣନ୍ଦଙ୍କୁ ନଜଣେଇ ଟଙ୍କାଟିଏ ମଧ୍ୟ ମନେ ମନେ ଖର୍ଚ୍ଚ କରୁନଥିଲା ।କୌଣସି ନିଷ୍ପତି ନେଲା ପୂର୍ବରୁ ମଧ୍ୟ ସମସ୍ତଙ୍କ ପରାମର୍ଶ ଲୋଡୁଥିଲା ।ଏମିତିକି ଚାଲିଯାଇଥିବା ନଣନ୍ଦ ମାନଙ୍କୁ ଫୋନରେ ସମସ୍ତ ଘଟଣା ଜଣାଉଥିଲା ।ତିନି ଝିଅ ଓ ଶାଶୁ ସମ୍ପୂର୍ଣ ସାହସ ଦେଉଥିଲେ ତୁ କରିଚାଳ ଆମେ ଅଛୁ ।ଖର୍ଚ୍ଚ ଦିନକୁ ଦିନ ବଢି ଚାଲିଥିଲା ସୁଲଗ୍ନା ରତୀର ନିଦ ହଜି ଯାଉଥିଲା ।କଣ କରିବ ଏତେ ଟଙ୍କାର ଋଣ ସେ ସୁଝିବି କେମିତି ।ରାତି ଅଧରେ ଶାଶୁଙ୍କ ପାଖରେ କାନ୍ଦେ ପାଗଳ ପରି ଲାଗୁଛି ବୋଉ ।ସେତେବେଳେ ଶାଶୁ ଥରଟିଏ କୁହନ୍ତିନି ତୁ ବ୍ୟସ୍ତ ହୋନା ମୋ ଝିଅଙ୍କ ଉପରେ ଦାଇତ୍ୱ ଦେଇଦେ ସେମାନେ ବୁଝନ୍ତୁ ।ତୁ ନିଶ୍ଚିନ୍ତ ହୋଇଜ ଯା ।କିନ୍ତୁ କୁହନ୍ତି ମୁଁ ବଞ୍ଚିଛି ତୁ ମୋର ପୁଅ ପରି କାମ କରୁଚୁ ତୋତେ ହଇରାଣ ହେବାକୁ ଦେବିନାହିଁ ।ଗୋଟେ ଫୋନ ମାରିଲେ ସବୁ ବାକି ସୁଝିଯିବ ।ମଣିଷର ଅର୍ଥ ବଳ ଅପେକ୍ଷା ମାନସିକ ବଳ ଅଧିକ କାମ କରିଥାଏ ।ସେ ତା ଶାଶୁ,ନଣନ୍ଦଙ୍କ ଠାରୁ ପାଉଥିଲା ।

ମିତା ଶାଶୁଙ୍କ ଆଗରେ ବାରମ୍ବାର କହୁଥିଲା ଝିଅ ମାନେ ହିସାବ ରଖନ୍ତୁ ବୋଲି ଶାଶୁ କହୁଥିଲେ ।ସଂଜୀବ ବାରମ୍ବାର ସୁଲଗ୍ନାକୁ କହୁଥିଲା ଟିକି ନିକି ହିସାବ ଲେଖୁଥିବ ଭାଉଜ ।ହସ ଲାଗିଲେ ବି ହଁ ଲେଖୁଛି ବୋଲି ସୁଲଗ୍ନା କୁହେ ,ବାପ ମରିକି ଶୋଇଛନ୍ତି କେମିତି କାମ ଉଠିବ ସେ ଚିନ୍ତା ନାହିଁ ଟଙ୍କାଟିଏ ନ ଦେଇ ହିସାବ ଉପରେ ଗୁରୁତ୍ୱ ଦେଉଛନ୍ତି । ମିତା ଶାଶୁଙ୍କୁ ଓଲଟି ପ୍ରଶ୍ନ ପଚାରୁଛି ତମେ କାନ୍ଦିଲା ବେଳେ କି ଟଙ୍କା ରଖିଚ କହୁଥିଲ? କେତେ ଟଙ୍କା ରଖିଚ? ସୁଲଗ୍ନା ପ୍ରଥମରୁ ଉପସ୍ଥିତ ଥିଲେ ଏମିତି କାନ୍ଦିକି ଶାଶୁଙ୍କ ମୁଖରୁ କୌଣସି କଥା ସେ ଶୁଣି ନଥିଲା । ମିତା ଯେମିତି ତା ଭଉଣୀ ମଧ୍ୟ ସେମିତି ସେମାନେ ଶବ ନିକଟରେ ପଡିଥିବା ଟଙ୍କାର ହିସାବ ରଖିବା ଲୋକ ।ଏମିତି କିଛି କଥା ତ ଭଉଣୀ କଣାରେ ପଡିଥିଲା ସେ ମିତାକୁ କହିଥିବାରୁ ସେ ପ୍ରଶ୍ନ ପଚାରିଛି ବୋଲି ଶାଶୁ ସ୍ପଷ୍ଟ ଜାଣି ପାରୁଥିଲେ ।ଧିକ... ଧିକରେ ତୁମ ମଣିଷ ପଣିଆ ।

ଛଅଦିନ ଚାହୁଁ ଚାହୁଁ ହେବାକୁ ବସିଲାଣି ।ଯାହା ଆଣିଥିଲା ସବୁ ଖର୍ଚ୍ଚ ସରିଲାଣି ।ପୁନର୍ବାର ସଂଜୀବ ଓ ମିତା ଆସି ସୁଲଗ୍ନା ପିଣ୍ଡ ରାନ୍ଧୁଥିବା ବେଳେ କହିଲେ ବାପାଙ୍କର ଏଟିଏମ ଓ ବଣ୍ଡ ବନ୍ଧା ପକେଇ ସୁଧକୁ ଯୋଉ ଟଙ୍କା ମିଳିବ କାମ କରିବା ।ଯଦି ସୁଧକୁ ଆଣି କାମ କରିବାକୁ ଚାହୁଁଚ ତେବେ ମୁଁ ବିନା ବନ୍ଧକରେ ଲୋନ ଆଣିପାରିବି ବ୍ୟସ୍ତ ହୁଅ ନାହିଁ ।କିନ୍ତୁ ତୁମେ ସୁଝିବ ମୁଁ ସୁଝିବି । ସେମାନେ ହଁ ମାରିଲେ ।ସେ ଠିକ ଜାଣି ପାରିଥିଲା ସେ ବାପାଙ୍କ ଜିନିଷ ତା ଅଧିନକୁ ନେଇ ସମସ୍ତଙ୍କୁ ନଚେଇବାକୁ ଚାହୁଁଚି କିନ୍ତୁ ଶଶୁର କାମରେ ବିଘ୍ନ ସୃଷ୍ଟି ନହେଉ ସେଥିପାଇଁ ତା ହଁ ରେ ହଁ ମାରୁଥିଲା ।ପଡିଶାରେ କେତେ ଜଣ ସକୁନି ପ୍ରକୃତିର ଲୋକଙ୍କର ଜମା ହଜମ ହେଉନଥିଲା ବିନା ପାଟି ତୁଣ୍ଡରେ ଦୁଇ ଜା ,ଭାଇ କାମ କରୁଥିବାରୁ ।କେତେ ଜଣ ସୁଲଗ୍ନାକୁ ମଧ୍ୟ କହିଛନ୍ତି ତୁ ଏକା କାହିଁକି ସାରୁଛୁ ସେ ଅଧା ତୁ ଅଧା ଦେଇ କାମ କର ।ଝିଅ ମାନଙ୍କୁ ବି କୁହ ତାଙ୍କୁ କଣ ନଦେଇଛନ୍ତିକି ତାଙ୍କ ବାପା ।ଏସବୁ କଥାକୁ ଗୁରୁତ୍ୱ ଦେଇନଥିଲେ ସୁଲଗ୍ନା ।ଲୋକ ଦେଖିବାକୁ ସଂଜୀବ,ମିତା ସାମିଲ ଅଛନ୍ତି କିନ୍ତୁ ସେମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ହାତକୁ ନେଉନଥାନ୍ତି ।ତାଙ୍କର ମନ ବାପାଙ୍କ ଏଟିଏମ ଉପରେ ।

 ସୁଲଗ୍ନା ପୁଅ ନିକୁର ଗୋଡ଼ ମକଚି ଚାଲି ପାରୁନି ।ଦେହ ଜରରେ ଖାଇ ଫୁଟୁଛି ବୋଲି କଲେଜ ତାକୁ ଘରକୁ ପଠେଇଦେଇଛି ସେଇ ଦିନ ତା ଜେଜେଙ୍କ ଦେହାନ୍ତ।ସୁଧୀର ମୁଖାଗ୍ନି ଦେଇ ବସିବାକୁ ସଂଜୀବ,ମିତାଙ୍କର ଠେଲି ପେଲି କାମ ।ନିକୁ ସବୁ ଦାଇତ୍ୱ ମୁଣ୍ଡକୁ ନେଇ କରି ପକାଉଥାଏ ।କକା ପୁଅ ମାନେ ଓ ତାଙ୍କ ନାତି ମାନେ ଯେତିକି ଦାଇତ୍ୱ ବୁଝୁଥାନ୍ତି ତାଙ୍କ ଦଦେଇ କାମ ଭାବି କାଣୀଚେ ଯଦି ନିଜ ପୁଅ ବୁଝିଥାନ୍ତା ସମସ୍ତେ ବାହା ବାହା କରିଥାନ୍ତେ ।ତଥାପି ସବୁ ଲିଷ୍ଟ ସଂଜୀବକୁ ପଚାରି ବନାଉଥିଲା ।କେତେ ଲୋକ ଖାଇବେ,କେତେ ଲୋକଙ୍କ ପାଇଁ ଲୁଗା ହେବ ସବୁ ଦିଅର ଭାଉଜ କରୁଥିଲେ ।ସାଙ୍ଗ ହୋଇ ଲୁଗା ଆଣିବାକୁ ଯାଇଥିଲେ ସଂଜୀବ ଓ ମିତା ସୁଲଗ୍ନା ସହ ।ମିତା ଝିଅକୁ ପସନ୍ଦ ନହେବାରୁ ସମସ୍ତଙ୍କଠୁ ଅଧିକ ଦାମରେ ଆଣିଥିଲା ସଂଜୀବ ।ନିରୁତର ଥିଲା ସୁଲଗ୍ନା ।ନିଜର ମଣିଷ ପଣିଆ ଠୁ ଅଧିକ ଯେଉଁମାନେ ଧନ ଟଙ୍କାକୁ ଗୁରୁତ୍ୱ ଦିଅନ୍ତି ତାଙ୍କୁ କହିବ କଣ ।ଅଶାନ୍ତି ବଢିବ ।ଲୁଗା ପଟା କିଣି ଭୋଜି ଖାଇ ଚାଲିଗଲେ ଚାକିରୀ କରୁଥିବା ଭଡା ଘରକୁ ସେଠି ତାଙ୍କ ନୂଆ ଘର କାମ ବୁଝି ମନ୍ଦିର ଧାନ କଥା ବୁଝି ତାପରଦିନ ଦୁଇଟାରେ ଫେରିଲେ ।ଚିନ୍ତା କରୁନଥିଲେ ଭୋଜି ଡିସ,ଡେକଚି,ବାଲ୍ଟି ଏକା କେମିତି ମାଜିବ ସୁଲଗ୍ନା ।ତାପରେ ଲୁଗା ଲିଷ୍ଟ କରି ସାରି ଶୋଇଲା ବେଳକୁ ରାତି ଗୋଟାଏ ।ପ୍ରତିଦିନ ରାତିରେ ମେଡ଼ିସିନ ଖାଇ ବାମ ଲଗାଇ ଶୋଉଥିଲା ସୁଲଗ୍ନା ।ତାକୁ ବି କଷ୍ଟ ହେଉଥିଲା ।ଖଲି ପତର ଗୋଟେଇ ପୋଡିବାଠୁ ଆରମ୍ଭ କରି ଚୁଲିରୁ ପାଉଁଶ କାଢି ଗୋବରରେ ଲିପିବା।ପଇତା କିଏ ତିଆରି କରିବା ଠୁ ପଲା,ରୋହି ସିତଲା ପାଇଁ ଲୋକ ଠିକ କରିବା ବି ସୁଲଗ୍ନା ବୁଝୁଥିଲା ।ସେ ନିଜ ଇଚ୍ଛାରେ ତ ବୁଝୁନଥିଲା ତାକୁ ଲୋକ ମାନେ ପଚାରିଥିଲେ,ମାଗିଥିଲେ ସଂଜୀବକୁ ପଚାରିଲେ ସେ ସୁଲଗ୍ନା ପାଖକୁ ପଠେଇ ଦେଉଥିଲା ।ସୁଲଗ୍ନା ତ କହିନଥିଲା ଏସବୁ ବୋଝ ତା ମୁଣ୍ଡରେ ଲଦି ଦିଅ ବୋଲି ।ଦଶଦିନା ଦିନ ସବୁ କାମ ଛିଡ଼ାଇ ତୁଠକୁ ଗଲା ସେଠୁ ନଣନ୍ଦ,ଭାଉଜ ଶୀଘ୍ର ଫେରି ଆସିଥିଲେ ମାଲଭାଇଙ୍କ ସମେତ ତୁଠ ନିମନ୍ତ୍ରିତ ଅତିଥିଙ୍କୁ ଲୁଗା ପ୍ରଦାନ କରିବା ପାଇଁ ।କିନ୍ତୁ ଭିତରକୁ ପ୍ରବେଶ ନିଷେଧ କରାଗଲା ।କଣ କରିବ ଶାସ୍ତ୍ର କେହି ଦେଖନ୍ତି ନାହିଁ ଗାଁ ରେ ସମସ୍ତେ ଜଣେ ଜଣେ ପଣ୍ଡିତ ନିୟମ ଏମିତି କୁହନ୍ତି ସତେକି ଶାସ୍ତ୍ର ପଢି କହୁଛନ୍ତି ।କିଏ ଲୁଗା ଦେବ,କେମିତି ଦେବ ପରାମର୍ଶ ପାଇଁ କେହି ନାହାନ୍ତି ।ବୋଧହୁଏ ଘର ଲୋକ ଜାଣିଶୁଣି ବାଦ କରୁଥିଲେ ।ବୁଝିପାରିଲେନି ୟା ଦ୍ୱାରା ବାପାଙ୍କ କାମରେ ବ୍ୟାଘାତ ହେବ।ତଥାପି ସୁଲଗ୍ନା ବିଚଳିତ ନ ହୋଇ ଧୋତି,ତଉଲିଆ,ଲୁଗା ନଣନ୍ଦଙ୍କ ହାତକୁ ବଢ଼ାଉ ଥିଲା ସେ ଗୋଟି ଗୋଟି କରି ଦେଉଥିଲେ ।ୟା ଭିତରେ ଧୋତି ମିଳିଲା ନାହିଁ କିନ୍ତୁ ଘରେ ଥିଲା ଏଭଳି ପରିସ୍ଥିତିରେ ଲୋକ ମାନେ ନାନା କଥା କହୁଥିଲେ ।ସୁଲଗ୍ନା ବେଭାର ଧୋତି ତଉଲିଆ ସବୁ ଦେଇସାରିଲାଣି କିନ୍ତୁ ଆଣିଥିବା ଧୋତି ପାଉନି ।ଉପାୟ ଶୂନ୍ୟ ହୋଇ ମିତାକୁ କହିଲା ତୋ ବାପା ଘର,ବନ୍ଧୁ ଘର ଧୋତି ଆଣେ କାମ ଚଳେଇଦେବା ।ତୁ ତ ଜାଣିଚୁ ଆମେ ଆଣିଛେ କିନ୍ତୁ ଏବେ ମିଳୁନି ।ବାହାର ଲୋକଙ୍କ ଆଗରେ ଅପଦସ୍ତ କାହିଁକି ହେବା ଚାଲ କାମ ଚଳେଇଦେବା ।ସେ ଶୁଣିଲା ନାହିଁ ।

ସେ ଯେମିତି ଏମିତି ଏକ ସୁଯୋଗକୁ ଚାହିଁ ବସିଥିଲା।ଶେଷରେ ଲୁଙ୍ଘି,ତଉଲିଆ ଦେଇ ସନ୍ତୁଷ୍ଟ କଲା ।ତାପରେ ମଧ୍ୟ କେହି ସେମାନଙ୍କୁ ଡାକି ଖାଇବାକୁ ଦେଲେ ନାହିଁ ।ତୁଠରୁ ଆସିଲେ ଖାଇକି ଯାଆନ୍ତି ସମସ୍ତେ ତ ଗୋଟିଏ ବଂଶର ।କିନ୍ତୁ....କହିବୁ କାହାକୁ ଯୋଉ ଭଣଜାକୁ ମହାପାତ୍ର ବାବୁ ନିଜର ବଡ଼ପୁଅ ଭଳି ପାଳିଥିଲେ ରୋଜଗାର କ୍ଷମ କରିଥିଲେ ସେମାନେ ପର ଅପର ଭଳି ଦୋଷ,ତ୍ରୁଟି ଖୋଜି ବୁଲିଲେ ।ସେମାନେ ବେଶି ପ୍ରଚାର କଲେ ତେବେ ବାହାର ଲୋକଙ୍କୁ କଣ କୁହାଯିବ ।ଘରକୁ ବନ୍ଧୁ ଡକାଯାଏ ଏ ସମୟରେ ନିଜେ ଛୁଇଁକି କରି ହୁଏନି ବୋଲି ବନ୍ଧୁ କାମ ଆଗେଇ ନେବେ କିନ୍ତୁ ଏଠି ସମସ୍ତେ ଏକା ।ତାଙ୍କର ଜଣେ ଭଣଜା ଚୌକି ଉପରେ ବସି ସୁଲଗ୍ନାକୁ କହୁଥାଏ ଭାଉଜ,ରାସ୍ତାରେ ଖାଲି ପତର ପଡିଛି ତାକୁ ସଫା କରି ରାସ୍ତାକୁ ଧୁଅ ।ଏଇ କଣ ମଣିଷ ପଣିଆ??ବନ୍ଧୁର କର୍ତ୍ତବ୍ୟ?

ଅଭାବ ହେଉ ପଛେ ଭାଇ ଯଦି ସାଙ୍ଗରେ ଥାଏ ଭାଇର ସତ ସିଂହର ବଳ ଆସେ ।କିନ୍ତୁ ଏଠି ଭାଇ ପ୍ରଥମ ଶତ୍ରୁ ।ବାପା କାମରେ ବି ଫାଇଦା ଖୋଜୁଛି ।ବାହାର ଲୋକ ଆଙ୍ଗୁଠି ଦେଖେଇବେନି କାହିଁକି ।ଯେମିତି ସଂଜୀବ,ମିତା ଜାଣି ଗଲେ ବେଭାର ଟଙ୍କା ନିଅଣ୍ଟ ହେଲା ହାତରୁ ବାଜିବ ଆରମ୍ଭ କରିଦେଲେ ଝଗଡା ।ମାଛ ତେଲରେ ମାଛ ଭାଜିବର ସ୍ବପ୍ନ ଦେଖିଥିଲେ ସେମାନେ ।ନହେଲାଠୁ ଝଗଡା କରି ସଡୁ ଘରେ ରହିଲେ ।ସବୁ ଠାରୁ ନିକୃଷ୍ଟ କାମ କରିକି ଗଲେ ଲୁଗା ଦୋକାନିକୁ ନିଜ ଘରର ଝଗଡା କଥା କହି ସୁଲଗ୍ନାକୁ ମାଗିବା ପାଇଁ ତାଙ୍କ ଫୋନ ନମ୍ବର ଦେଇଦେଲେ ।ପ୍ରକୃତ ପୁରୁଷ କଣ ତାକୁ କୁହାଯାଏ ଯିଏ ଘରର ସ୍ତ୍ରୀ ଲୋକ (ସେ ମା,ହେଉ କି ଭଉଣୀ,ସ୍ତ୍ରୀ ହେଉକି ଭାଉଜ )ଙ୍କ ସମ୍ମାନକୁ ତଳେ ପକେଇଦିଏ ।ସେ ହିଂଜିଡା ହେବାର ବି ଯୋଗ୍ୟ ନୁହେଁ କାରଣ ହିଂଜିଡା ମାନେ ଆଜିକାଲି ନିଜ ବାପା,ମା ଙ୍କ ପାଇଁ ଯାହା କରୁଛନ୍ତି ନିଜକୁ ପୁରୁଷ ବୋଲାଉଥିବା ପୁଅ ତାର କଣିଚାଏ ଯଦି କରୁଥାନ୍ତା ତେବେ.....।

   ଏସବୁ ଦୁଃଖରେ ଥିବା ବେଳେ ସୁଲଗ୍ନା ଭଉଣୀର ଫୋନ ଆସିଲା ।ଜୀବନରେ ଟଙ୍କାଟିଏ ଧାର କରି ଚାଲିବାର ଅଭ୍ୟାସ ନାହିଁ ।ନଥିଲେ ଉପାସ ରହିବା ପସନ୍ଦ କରିଛି କିନ୍ତୁ ଆଜି ଲକ୍ଷେ ଟଙ୍କାର ଋଣ ତା ମୁଣ୍ଡ ଉପରେ ।କାମ ସାରି ସବୁ ଭାଇ ଭଉଣୀ ଚାଲିଗଲେ ।ସେମାନେ ସୁଖ ନିଦ୍ରାରେ ଶୋଉଥିବା ବେଳେ ତା ଆଖିରୁ ଲୁହ ଶୁଖୁନାହିଁ ।ତାପରେ ନାନା ଅପବାଦ ଭଳି କଥା ଶୁଣିବାକୁ ପଡୁଛି ଶାଶୁଙ୍କ ମୁହଁରୁ ।ଭଉଣୀ ସବୁ ଶୁଣି ସାରିଲା ପରେ କହିଲା ତୋର ସମ୍ପୂର୍ଣ୍ଣ ଭୁଲ ।

ସୁଲଗ୍ନା-ସମ୍ପୂର୍ଣ୍ଣ ଭୁଲ?ତୁ ବି କହୁଚୁ!ଶଶୁର ମୃତ୍ୟୁ ଶଯ୍ୟାରେ ଥିବା ବେଳେ ଭାଇ ଭାଗ ଖୋଜିବା ଟା ଠିକ?ଦେଲେ କରିବି ନହେଲେ ନାହିଁ ଏୟା ଠିକ!ସୁବିଧା,ଅସୁବିଧା ସମସ୍ତଙ୍କୁ ଜଣାଉଥିଲି ସେମାନେ କହିଲେ ତୁ କରି ଚାଲ ଆମେ ଅଛୁ ।କାମ ସରିଗଲା ପରେ.....

ଭଉଣୀ-ସେଇଥିପାଇଁ କହିଲି ତ ତୁ ଭୁଲ ।ତାଙ୍କ ଝିଅ,ଜୋଇଁ ଆଗରୁ ବୁଝନ୍ତି ଏବେ ବି ବୁଝିଥାନ୍ତେ ।ତୁ କଣ ତୋ ପରିବାରକୁ ଜାଣିନୁ ।ତୋ ସାନ ନଣନ୍ଦ ବାହାଘରକୁ କାମ କରି କରି ଘା ହୋଇଯାଇଥିଲା ତୋ ବେକ ।ସେତେବେଳେ କେତେ ପ୍ରଶଂସା କରୁଥିଲେ ।ବାହା ବାସୀ ଦିନ ତୋତେ ଆଉ ମା କୁ କିଭଳି ବେଜିତ କରି ଛାଡିଲେ ।ଭୁଲି ଗଲୁ କେମିତି ।

ସୁଲଗ୍ନା-ଆରେ ଝିଅ ଜୋଇଁ କାମ କଲେନି ମୁଁ ଆଗରୁ ତାଙ୍କୁ ଦାଇତ୍ୱ ଦେଉଥିଲିକି ତେବେ ଏବେ ମୁଁ କାହିଁକି କହିବି ।ତଥାପି ମିତା ସବୁବେଳେ ଶାଶୁଙ୍କୁ କହୁଥିଲା ତାଙ୍କ ଝିଅ,ଜୋଇଁ ଏମିତି କାମ କରୁଥିଲେ ସେମିତି ହାଣ୍ଡି,ଡେକଚି ଆଦି ମାଜୁଥିଲେ ଯେ ଶାଶୁ ରାଗିକି ତା ପାଖରୁ ଉଠି ଆସି ମୋତେ କହୁଥିଲେ ତାଙ୍କର କଣ କଲେ ମୋ ଆଗରେ ମିତା କହି ମୋତେ ରାଗାଉଛି ।ମୋ ଜୋଇଁଙ୍କର କ୍ୱାଲିଟି ଅଛି ସେମାନେ ଏ କାମ କରିବେନି ।ଏବେ କହୁଛନ୍ତି ମୋ ଝିଅ ଜୋଇଁଙ୍କୁ କହିଥିଲେ କରିଥାନ୍ତେ ।ତାପରେ ସବୁ ଜାଣିଚି ବୋଲି ତାଙ୍କ ପ୍ରଶଂସା ଶୁଣି କହିଥିଲି ମୋ ଶଶୁରଙ୍କ କାମ ଅନ୍ତର ସହକାରେ କରୁଛି ।ପ୍ରଶଂସା ବାହାର ଲୋକଙ୍କୁ କରାଯାଏ ଘର ଲୋକଙ୍କୁ ନୁହେଁ ।ହଁ ଆଗକୁ ବିପଦ ଦସ୍ତକ ଦେଉଛି ସେତେବେଳେ ତୁମ ମାନଙ୍କର ପ୍ରଶଂସା କାମକରିବ ।

ମୁଁ ନିଜକୁ ଭୁଲ ଭାବୁନାହିଁ ।ଆଇନା ଆଗରେ ନିଜ ମୁହଁ ଦେଖି ପାରୁଛି ।ଯଦି କିଛି କରିନଥାନ୍ତି ଭଗବାନଙ୍କ ଆଗରେ କାନ୍ଦିବା ପାଇଁ ବି ଲାଜ ଲାଗିଥାନ୍ତା ।

ଶଶୁରଙ୍କର କଣ ନାହିଁ କଣ ଦେଇନାହାନ୍ତି ଏଇ କୁଳାଙ୍ଗରମାନଙ୍କୁ ।ଆଜି ଯୋଉ ନିଶ୍ୱାସ,ପ୍ରଶ୍ୱାସ ନେଉଛନ୍ତିନା ସେ ପବନ ଟିକକ ବି ବାପାଙ୍କର ଦାନ ।କିନ୍ତୁ ପାଞ୍ଚ ଜଣ ଯାକ ବାଦ କରି ବିଘ୍ନ ସୃଷ୍ଟି କଲେ ।କିଏ କହିଲା ତୁମେ ଜମିବାଡ଼ି ଖାଉଛ ତ କିଏ କହିଲା ଏଟିଏମ,ବଣ୍ଡ ଦିଅ ।ଧିକ ଧିକ ତୁମ ମଣିଷ ପଣିଆ ।ନିଜ ରକ୍ତ ଛିଞ୍ଚି ଯିଏ ମଣିଷ କରିଥିଲା ମଲା ପର୍ଯ୍ୟନ୍ତ କେବଳ ଦେଇଚାଲୁଥିଲା ସେ ମଣିଷ କାମରେ .... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from pranati tripathy

ମଣିଷ

ମଣିଷ

10 mins ପଢ଼ନ୍ତୁ

Similar oriya story from Tragedy