Manas Nayak

Tragedy Inspirational

4  

Manas Nayak

Tragedy Inspirational

ମାତୃତ୍ୱର ଚିର ଆର୍ତ୍ତନାଦ

ମାତୃତ୍ୱର ଚିର ଆର୍ତ୍ତନାଦ

8 mins
184


ସେଦିନର ସକାଳଟିରେ କିଛି ନୂତନତ୍ବ ର ଅଭିସ୍ପୁରଣ ନଥିଲେ ହେଁ ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟରେ କିଛି ଊଣା ନଥିଲା, ଗବାକ୍ଷଦେଇ କାନ୍ତ କମନୀୟ ସ୍ବର୍ଣ୍ଣାଭ କିରଣ ବିଚ୍ଛୁରିତ ହୋଇ ପଡୁଥାଆନ୍ତି ଶୟନ କକ୍ଷ ଭିତରକୁ ରାତ୍ରି ର ଏକ ଘନ ଅନ୍ଧକାର ର ଯବନିକା ଟାଣି। ମୃଦୁ ମୃଦୁ ବିହଙ୍ଗ କାକଳୀ, ଦୂର ଦେବାଳୟରୁ ଭାସି ଆସୁଥିବା କଳଗାଉନାରେ ଶିବ ପଞ୍ଚାକ୍ଷରୀର ଓଂକାର ଶବ୍ଦ ସାଙ୍ଗକୁ ଧରାପୃଷ୍ଠରେସଦ୍ୟ ଜାଗ୍ରତ ଜୀବଜନ୍ତୁଙ୍କର କ୍ଷିପ୍ର ନିଶ୍ବାସ ଶବ୍ଦର ଗୁଞ୍ଜରଣ ରାତ୍ରି ର ଦୀର୍ଘ ନିସ୍ତବ୍ଧତାକୁ ଭଙ୍ଗ କରି ଆଉ ଏକ ନୂତନ ସକାଳ ର ଆଗମନକୁ ଆହ୍ବାନ କରୁଥାଏ।

ଅଳସଭାଙ୍ଗି ବିଛଣା ରୁ ସିଧା ଝରକା ଆଡକୁ ଟାଣି ହୋଇଗଲା ପଦ୍ମଜା। ମହାନଗରୀ ମୁମ୍ବାଇ ର ପ୍ରଦୂଷଣ ଛୁଇଁବା ପୁର୍ବରୁ ପ୍ରାତଃକାଳର ହାଲକାଏ ଅମ୍ଳଜାନପୂର୍ଣ୍ଣ ଶୀତଳ ପବନ ମୁହଁରେ ବାଜିବାରୁ ଆମୋଦିତ ହୋଇପଡିଲା ସେ। ଆଜି ରବିବାର, କର୍ମମୟ ଜୀବନ ରେ ଏକ ବହୁମୂଲ୍ୟ ଅବକାଶ, ନିର୍ଜୀବ ମେସିନ୍ ମାନଙ୍କ ସହ ସପ୍ତାହେ ଧରି ଏକାକାର ହେବାପରେ ନିଜର ଜୀବନ୍ତ ସତ୍ତାକୁ ହୃଦୟଙ୍ଗମ କରିବାକୁ ଏକ ଦୁର୍ବାର ସୁଯୋଗ। ବାଷ୍ପମାନ କଫି ମଗ୍ ହାତରେ ଧରି ପଦ୍ମଜା ତାର ବାଲକୋନିର କ୍ଷୁଦ୍ର ବଗିଚାରେ ତା ଭଳି ଜୀବନ୍ତ ହେଲେ ନିଶବ୍ଦ, ଆବେଗପୂର୍ଣ୍ଣ ସବୁଜ ସାଥି ମାନଙ୍କ ସହ କିଛି କ୍ଷଣ ଆଖି ର ଇସାରା ଓ ଅଙ୍ଗୁଳି ସ୍ପର୍ଶ ରେ ଭାବ ବିନିମୟ କରିବାକୁ ଲାଗିଲା, ଏହା ତା'ର ଦୈନନ୍ଦିନ ସାପ୍ତାହିକୀ କାର୍ଯ୍ୟାବଳୀ ରେ ଅନ୍ତର୍ଭୁକ୍ତ। ହେଲେ ପର ମୂହୁର୍ତ୍ତରେ ଏକ ଅପ୍ରତ୍ୟାଶିତ ଉନ୍ମାଦନା ରେ ଅବାକ୍ ହେଲା ସେ, ବାଲକୋନିରେ ଏକ କୋଣରେ କିଛି ତେଜ୍ୟ ରବରମ୍ୟାଟ୍ଓ କେଇଖଣ୍ଡ କାଠି ଉପରେ ଟିକି ଚଢେଇ ଅଣ୍ଡା ଟିଏ ସତେ ଅବା ଉନ୍ନିମେଷ ନୟନରେ ତାକୁ ସ୍ଵାଗତ୍ ଜଣାଉଛି। ଅପଲକ ନୟନରେ ଏକ ଉତ୍ସାହିତ ଆବେଗ ସହିତ ପଦ୍ମଜା ଚାହିଁ ରହିଥାଏ ଏକ ନୂତନ ଜୀବନର ଉତ୍ସ ସେହି ଶ୍ୱେତବର୍ଣ୍ଣ ର ସମ୍ଭାବନାଟିକୁ।

ପଲକ ପଡିବା ପୂର୍ବରୁ ମା ଘୁମୁରିପାରାଟି ତାର ଛୋଟ ଚଞ୍ଚୁରେ ଆଉ ଦୁଇଖଣ୍ଡ କାଠିନେଇ ପହଞ୍ଚିଗଲା ସେଠି, ତାର ଅଣ୍ଡାଟି ଯେପରି କୌଣସି କାରଣ ବଶତଃ ଗତିମାନ ହୋଇ ତ୍ରିତଳଯୁକ୍ତ ମହଲାର ସମତଳ ସିମେଣ୍ଟ୍ ଚଟ୍ଟାଣରୁ ତଳକୁ ଖସି ନପଡୁ ତାର ଯଥାସାଧ୍ଯ ସୁରକ୍ଷାରେ ପ୍ରଯତ୍ନଶୀଳ ଥାଏ ମା'ଟି। କୌତୁହଳବଶତଃ ପଦ୍ମଜା ତାର ଅନ୍ତରମନରେ ଭାବି ଚାଲିଲା ବାପା ଘୁମୁରିପାରାଟି କାହିଁ, ତା'ର କଣ କୌଣସି ଦାୟିତ୍ୱବୋଧ ନାହିଁ? ପକ୍ଷୀ ଓ ମଣିଷ ର ଦାମ୍ପତ୍ୟ କଣ ସଂପୂର୍ଣ୍ଣ ଭିନ୍ନ? ତତକ୍ଷଣାତ୍ ବାପା ଘୁମୁରିପାରାଟି ଆସି ପହଞ୍ଚିଲା। ଏବେ ପଦ୍ମଜା ହୃଦୟଙ୍ଗମ କଲା ସେମାନଙ୍କୁ କିଛିଟା ଏୈକାନ୍ତ୍ୟ ଦେବା ଶାଳୀନତା ହେବ ନିଶ୍ଚୟ।

ନିଜର ଘରୋହି ଜଞ୍ଜାଳରେ ବ୍ୟସ୍ତ ହୋଇଗଲା କିଛିସମୟ ପାଇଁ ପଦ୍ମଜା। ଭୋଜନ ସମାପ୍ତି ପରେ ହେଜ ଆସିଲା ତା'ର ଘୁମୁରିପାରା ପରିବାର କଥା । ଧାଇଁଗଲା ସେ ବାଲକୋନିକୁ, କାଚ ଖୋଲି ସେ ଯାହା ଦେଖିଲା ଦ୍ୱିଗୁଣିତ ହୋଇଗଲା ତା'ର ଉତ୍କଣ୍ଠା, ଏବେ ଗୋଟିଏ ନୁହଁ ଦୁଇଟି ଅଣ୍ଡା ଆବିଷ୍କାର କଲା ସେ ସେହି କାଠି କୁଟାର ବସା ମଧ୍ୟରୁ । ମା ପାରାଟି ଅଣ୍ଡାଦୁଇ ଉପରେ ପକ୍ଷ ବିସ୍ତାରି ବସିଥାଏ ଓ ବାପା ପାରାଟି ସୁରକ୍ଷା ପ୍ରହରୀ ପରି ସଦା ଜାଗ୍ରତ, ଚଳ ଚଞ୍ଚଳ ଆଖି ଦୁଇଟି ଚତୁର୍ଦ୍ଦିଗ ଘୂର୍ଣ୍ଣାୟମାନ। ଏବେ ପାରା ଦୁଇଟି ଆତ୍ମୀୟତାର ଆଉ କିଛି ପାହାଚ ଆଗେଇ ଯାଇ ଥାଆନ୍ତି ପଦ୍ମଜା ସହିତ। ତା'ର ଆପେକ୍ଷିକ ନିକଟତର ଅବସ୍ଥିତି ବ୍ୟଥିତ କରୁନଥାଏ ସେମାନଙ୍କୁ। ସତେ ଅବା ନିରୀହ ନିଷ୍କପଟ ମନରେ ସେମାନେ ମଣିଷ କୁ ନିଜର କରିନିଅନ୍ତି ବହୁତ ଶୀଘ୍ର। ତାହେଲେ ବାପା ପାରାଟି କାହାଠାରୁ ସୁରକ୍ଷା ଦେବାକୁ ତତ୍ପର? ଦ୍ବନ୍ଦରେ ପଡୁଥିଲା ପଦ୍ମଜା। କାହାର ଆଭାସରେ ହଠାତ୍ ଆତଙ୍କିତ ହୋଇଉଠିଲେ ପାରା ଦୁଇଟି, ଘୁମୁ ଘୁମୁର ସ୍ବର ଟିକିଏ କ୍ଷୀପ୍ର ଶୁଣାଗଲା ଏଥର, ବିଚଳିତ ହୋଇ ପଦ୍ମଜା ଚତୁର୍ଦ୍ଦିଗକୁ ନିରୀକ୍ଷଣ କରିନେଲା ଓ ଦେଖି ବିବ୍ରତ ହେଲା ଅନତି ଦୂରରେ ଏକ ବାଦାମ୍ ଗଛ ଡାଳରେ ମୁରବୀ କାଉଟିଏ ତାହାର ଆଉ ତିନିଜଣ ପରିବାରବର୍ଗଙ୍କ ସହ ସେମାନଙ୍କ ଆଡକୁ ଦୃଷ୍ଟିନିକ୍ଷେପ କରିଛନ୍ତି।ପ୍ରାୟତଃ ଏକ ସୁପରିକଳ୍ପିତ ଯୋଜନାରେ ମଗ୍ନ ସେମାନେ, ତତକ୍ଷଣାତ ହିଂସାତ୍ମକ ଭାବେ ସାନ କାଉଟିଏ ବାଲକୋନି ପାଖକୁ କ୍ଷୀପ୍ର ଗତିରେ ଉଡି ଆସିଲା, ମାତ୍ର ପଦ୍ମଜା ର ଚିତ୍କାର ଓ ବାପା ପାରାର ସତର୍କତା ତାକୁ ଅକୃତକାର୍ଯ୍ୟ ହୋଇ ଫେରିଯିବାପାଇଁ ବାଧ୍ୟ କଲା।“ ଏ କଣ ଖାଦ୍ୟ ଖାଦକର ସଂଗ୍ରାମ ନା ମଣିଷ ଭଳି ପକ୍ଷୀ ମାନଙ୍କ ଭିତରେ ବି ହିଂସା, ଈର୍ଷା ଓ ସାମର୍ଥ୍ୟ ର ହୀନ ପ୍ରଦର୍ଶନ........ ହେଲେ କୁଆ ମାନଙ୍କୁ କଣ ଆଉକିଛି ଖାଦ୍ୟ ମିଳୁନି, ବିଚରା ନିରୀହ କୋମଳ ପାରା ବଂଶର ଭାବୀ ଦାୟାଦ ର ସମ୍ଭାବନା ସୂଚକ ଏହି ଅଣ୍ଡା ଦୁଇଟି ଉପରେ ହିଁ ସେମାନଙ୍କ ର କୋପଦୃଷ୍ଟି?” ମନକୁ ମନ ପ୍ରଶ୍ନ କରି ଚାଲିଲା ପଦ୍ମଜା। ହେଲେ ତାପରେ ପାରା ଦୁହିଁଙ୍କୁ ଚାହିଁ ସେମାନଙ୍କୁ ଆଶ୍ବସ୍ତି ଦେଲାଭଳି ସ୍ବଗତକ୍ତି କରି ଚାଲିଲା ସେ “ତୁମେ ମାନେ ଜମାରୁ ବ୍ୟସ୍ତ ହୁଅନାହିଁ, ମୁଁ ଏଇଠି ତୁମ ସହ ଅଛି, ସେ ବଦମାସ୍ କୁଆ ଆମର କିଛି କରିପାରିବେନି”। ସତେ ଅବା ପାରା ଦମ୍ପତି ଟି ସବୁକିଛି ବୁଝିପାରି ଧନ୍ୟବାଦ ଦେବା ଉଦ୍ଦେଶ୍ୟ ରେ ତାକୁ ଚାହିଁ ମୁଣ୍ଡ ଟୁଙ୍ଗାରି ଘୁମ୍ ଘୁମ୍ ଶବ୍ଦ କରିବାକୁ ଲାଗିଲେ।

ଅବ୍ୟକ୍ତ ହେଲେହେଁ ଏକ ଅକୁହା ଆତ୍ମୀୟତାରେ ଛନ୍ଦି ହୋଇ ଯାଉଥାଏ ପଦ୍ମଜା। କିଛି କ୍ଷଣ ପରେ ମା ପାରା ଟି ଉଡିଗଲା ଓ ବାପା ପାରାଟି ଅଣ୍ଡା ଦୁଇଟି ଉପରେ ପକ୍ଷ ବିସ୍ତାର କରି ତଦ୍ରୁପ ସୁରକ୍ଷା ଦେବାକୁ ଲାଗିଲା। କେତେ ଅମାୟିକ ଏ ସମ୍ପର୍କର ଉଷ୍ମତା ସତେ, ଉଦ୍ଭିଦ,ଜୀବଜନ୍ତୁ ପ୍ରାଣୀ ଓ ପକ୍ଷୀ ସମସ୍ତ ଙ୍କ ମଧ୍ୟ ରେ ସେହି ଭାବନାଟି ପରିସ୍ପୁଟ। ଆହୁରି ଆଗ୍ରହୀ ହୋଇ ଉଠିଲା ସେ ଓ ମୋବାଇଲ୍ ଇନ୍ଟରନେଟ୍ ରେ ଖୋଜିବାକୁ ଲାଗିଲା ପାରା ମାନଙ୍କ ଜୀବନଚକ୍ରର ବିସ୍ତୃତ ବର୍ଣ୍ଣନା ସବୁ। ଦୀର୍ଘ ୧୬-୧୮ ଦିନ ପରେହିଁ ଅଣ୍ଡାଟି ରୁ ଶାବକ ଟିଏ ଜନ୍ମ ନିଏ ଜାଣିଲାପରେ ପଦ୍ମଜା ସେପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ତ ହୋଇପଡିଲା। ମା ପାରାଟି ଏବେ ଫେରି ଆସିଲା ଓ ଦୁହେଁ ମୁହଁ କୁ ମୁହଁ ଲଗାଇ କିଛି ଅବୁଝା ନିରବ ଭାଷାରେ ପରସ୍ପରକୁ କିଛି ଅବଗତ କରାଇଲେ ପ୍ରାୟ। ସେମାନଙ୍କର ଏବେ ଖାଦ୍ୟ ପାନୀୟର ଆୟୋଜନରେ ଲାଗି ପଡିଲା ପଦ୍ମଜା। ଗୋଟିଏ ଛୋଟ ପ୍ଲାଷ୍ଟିକ ବାଟିରେ କିଛି ଚାଉଳ ଓ ଆଉ ଗୋଟିକରେ ପାଣି ଆଣି ସେମାନଙ୍କ ବସା ପାଖରେ ରଖିଦେଲା ସେ। ଶତ୍ରୁଗଣ ସୀମାରେଖାର ଅନତିଦୂରରେ ଦୃଷ୍ଟିଗୋଚର ହେବାକ୍ଷଣି ସେମାନଙ୍କୁ ରଣହୁଙ୍କାର ରେ ଘୋଉଡାଇ ଦେଉଥାଏ ସେ ଓ ପାରା ଦମ୍ପତି ବି ଜଣେ ପରେ ଜଣେ ହୋଇ ଶାରୀରିକ ଉଷ୍ମତା ପ୍ରଦାନ କରି ଅଣ୍ଡା ଦୁଇଟିକୁ ପ୍ରସ୍ତୁତ କରାଇବାରେ ନିରନ୍ତର ପ୍ରୟାସରତ ଥାଆନ୍ତି। ଅପରାହ୍ନ ପରେ ଅଦୃଶ୍ୟ ହୋଇଯାଆନ୍ତି ଶତୃ କୁଆ ମାନେ ଓ ଏକ ଆଶ୍ବସ୍ତିର ବାତାବରଣ ପ୍ରସ୍ତୁତ ହୁଏ ପୁଣି ଆଉଏକ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ। ବିଧାତାର ଅମୃତମୟ ଇଙ୍ଗିତ ରେ ଲକ୍ଡାଉନ୍ ଆଉ ଦୁଇ ସପ୍ତାହ ବିସ୍ତାରିତ ହେବାର ଖବର ରେ ଉଲ୍ଲସିତ ହୋଇଉଠେ ପଦ୍ମଜା, ଯାହାହେଉ ପାରା ପରିବାରଟିର ଯଥାସାଧ୍ୟ ସୁରକ୍ଷା ନେଇପାରିବ ଭାବି। ରାତ୍ରି ରେ ଝରକା ଆରପଟେ ପାରା ଦୁହିଁଙ୍କର ଘୁମୁରା ଶବ୍ଦ ବେଶ୍ ଏକ ସୁଖଦ ଅନୁଭୂତି ର ସ୍ବାଦ ଆଣିଦେଇଥିଲା ତାପାଇଁ, ସତେ ଅବା ତାର ପରିବାର ବିସ୍ତାରିତ ହୋଇଯାଇଛି ସେମାନଙ୍କ ସହିତ ଏହି କେତେଦିନ ହେଲା।

ପରବର୍ତ୍ତୀ ପ୍ରତିଟି ସୂର୍ଯ୍ୟୋଦୟ ହୋଇଉଠିଥିଲା ବେଶ୍ ସ୍ମରଣୀୟ କିଛି ଆଶ୍ବସ୍ତି ଓ କିଛି ନୂତନ ଅପେକ୍ଷା ସହିତ ପଦ୍ମଜା ପାଇଁ, କ୍ୟାଲେଣ୍ଡର୍ ରେ ଡଟ୍ ମାରି ରୋମାଞ୍ଚିତ ହୋଇଉଠିଥିଲା ସେ ସେଦିନ, ତାହାଥିଲା ୧୫ ଦିନ। ବିଜୁଳି ବେଗରେ ଧାଇଁ ଗଲା ସେ ବାଲକୋନିକୁ, ସାର୍ଥକ ପ୍ରତିପାଦିତ ହୋଇଥିଲା ତାର ପ୍ରତୀକ୍ଷା, ଗୋଟିଏ ଅଣ୍ଡା ରୁ କୁନି ନାଲି ଥଣ୍ଟିଆ ଶାବକ ପାରା ଟିଏ ଶକ୍ତ ଖୋଳପା କୁ ଫଟାଇ ତାର ଜୀବନ ଦାତ୍ରୀ ମା ପାରାଟି କୁ ଅବଲୋକନ କରୁଛି, କୌତୂହଳୀ ହୋଇ ସେ ଦ୍ବିତୀୟ ଅଣ୍ଡା ଟିକୁ ଖୋଜିବାକୁ ଲାଗିଲା ଓ ତାକୁ ମା ପାରାର ପେଟ ତଳେ ପାଇଲା, ଏବେବି ତାର ଜୀବନର ପ୍ରସ୍ତୁତି ବାକି ଅଛି ବୋଧହୁଏ। ଶତୃ କୁଆ ମାନଙ୍କ ର ଆତଯାତ ଟିକିଏ ସଂଶୟଯନିତ ଲାଗୁଥାଏ, ହେଲେ ପଦ୍ମଜା ଓ ବାପା ପାରାର ଉପସ୍ଥିତ ଅନୁକୂଳ ହେଉ ନଥାଏ ସେମାନଙ୍କ ପାଇଁ। ଏବେ ପଦ୍ମଜା ପାରା ମାନଙ୍କ ଖାଇବା ପାଇଁ ଦାନା ଓ ପାଣି ଦିନରେ ଦୁଇଥର କରି ଦେଇଥାଏ ଓ ତାହା ଯେପରି ଅନ୍ୟ ପାରା ବା ଶତୃ କୁଆ ମାନଙ୍କ ର ଆହାର ନହୋଇଯାଏ ତାହା ନିଘା ରଖିଥାଏ। ପରଦିନ ସକାଳଟି ଥିଲା ଆହୁରି ରୋମାଞ୍ଚକର, ଦ୍ବିତୀୟ ଅଣ୍ଡାରୁ ଶାବକଟି ତାର ଜନ୍ମ ର ଆହ୍ବାନ କରିଦେଇଥାଏ, ବେଶ୍ ଆଲ୍ହାଦିତ ଥାଆନ୍ତି ପାରା ଦମ୍ପତିଟି ଓ ପଦ୍ମଜା ବି ସେମାନଙ୍କ ର ଏହି ସୁଖଦ ମୂହୂର୍ତ୍ତରରେ କିଛିଟା ଅବଦାନ କରିପାରିଥିବାରୁ ବେଶ୍ ପ୍ରସନ୍ନ ଅନୁଭବ କରୁଥାଏ।

ଏବେ ପୁଣି ଗୋଟାଏ ମାସ କାଳ ଶାବକ ଦ୍ବୟ ସଂପୂର୍ଣ୍ଣ ରୂପେ ପିତା ମାତାଙ୍କ ଉପରେ ନିର୍ଭରଶୀଳ। ବାପା ପାରାଟି ଏବେ ପ୍ରାୟତଃ ବାହାରକୁ ଚାଲିଯାଏ, ଥରେ ଅଧେ ପରିବାର ସହିତ ନଜର ଆସୁଛି ଆଜିକାଲି। ମା ପାରାଟିବି ଅନେକ ସମୟରେ ତାର ଦୁଇ ଶାବକକୁ ଥଣ୍ଟରେ ଥଣ୍ଟ ମିଶାଇ ମାତୃତ୍ବର ଅନୁଭୂତିକୁ ସ୍ମରଣୀୟ କରିଚାଲିଥାଏ। ହଠାତ୍ ତୃତୀୟ ଦିନ ପ୍ରଭାତରେ ଭୟଭୀତ ହୋଇଉଠିଥିଲା ପଦ୍ମଜା ଝରକା ଆରପଟେ ବାଲକୋନି ରେ ଶତ୍ରୁ କୁଆର କା କା ଶବ୍ଦରେ, ଦୌଡିଯାଇ ସେ ଝରକା କାଚ ଖୋଲିବାକ୍ଷଣି ମୁରବୀ କାଉଟି ବାଲକୋନି ର ଲୁହା ରେଲିଂ ଉପରୁ ସାଏଁ କରି ଉଡିଗଲା। ହେଲେ ଏ କଣ? ଶାବକ ଦ୍ବୟ ସଂପୂର୍ଣ୍ଣ ଏକା! ଲାଲ୍ ଟୁକଟୁକ ଅବୟବ ଉପରେ ଶ୍ବେତବର୍ଣ୍ଣ ର କିଛି ଲୋମ, ଆଂଶିକ ନୀଳ ବର୍ଣର ଲମ୍ବା ଥଣ୍ଟ ଓ ଗୋଡ ଦୁଇଟି ବିକଶିତ ଅବସ୍ଥା ରେ ଏବେ ଶରୀରର ଭାର ବହନ କରିବାକୁ ଅସମର୍ଥ ପ୍ରୟାସ ଟିଏ କରିଚାଲିଛନ୍ତି। ଏମାନଙ୍କୁ ଏପରି ଅସହାୟ ଅବସ୍ଥା ରେ ଆସନ୍ନ ବିପଦର ଘନ ବଳୟ ମଧ୍ୟରେ ଛାଡି ଏ କି ଦୁଃସାହସିକ ପଦକ୍ଷେପ ପାରା ଦମ୍ପତିଙ୍କର? ମନେ ମନେ କ୍ଷୁବ୍ଧ ହୋଇଉଠିଲା ସେ। ଅପରପକ୍ଷରେ ସେ ଅନୁଭବ କଲା ତାର ବି କିଛି ଦାୟିତ୍ୱ ଅଛି ନିଶ୍ଚୟ, ଏକ ବଡ କାଗଜ ପେଟି ଆଣି ତା ଭିତରେ ସେ ତାଙ୍କର ସେ ରବରମ୍ୟାଟ୍ ଓ କାଠି ଯୁକ୍ତ ବସାଟିକୁ ଶାବକମାନଙ୍କ ସହ ସ୍ଥାନାନ୍ତରିତ କରିଦେଇ ସେହି ସ୍ଥାନ ରେ ରଖିଦେଲା ଓ ସେମାନଙ୍କ ର ପିତା ମାତାଙ୍କ ଅପେକ୍ଷା ରେ ରହିଲା।

କିଛିକ୍ଷଣ ପରେ ଫେରିଲା ମା ପାରାଟି, କିନ୍ତୁ ମୁହଁ ରୁ ଏକ ବ୍ୟସ୍ତ ବିବ୍ରତ ର ଚିହ୍ନ ସ୍ପଷ୍ଟ ବାରି ହେଇ ପଡୁଥାଏ। ହୁଏତ ତାର ଶାବକମାନଙ୍କ ଉପରେ କାହାର ଅଲୋଡା ହସ୍ତକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନଥାଏ ସେ। ଅନେକ ସମୟ ପର୍ଯ୍ୟନ୍ତ ତାହାର ଶାବକମାନଙ୍କ ସହ ଖାଲି ଆଖି ମିଳାଉଥାଏ ଯାହା,ହେଲେ ସେହି ନୂଆ କାଗଜ ପେଟି ର ବସା ମଧ୍ୟକୁ ଯାଉ ନଥାଏ , ଝରକା ରେଲିଂ ଉପରେ ଆଗ ପଛ ହୋଇ କେଉଁ ଏକ ଅଜଣା ଆଶଙ୍କା କୁ ତନ୍ନ ତନ୍ନ କରି ଖୋଜିବୁଲୁଥାଏ, ପୁଣି କିଛି ଦୂରକୁ ଉଡିଯାଇ ପୁନର୍ବାର ଫେରି ଆସୁଥାଏ। ମନେ ମନେ ଚିନ୍ତିତ ହୋଇ ଉଠିଲା ପଦ୍ମଜା, ସେମାନଙ୍କ ସୁରକ୍ଷା ନିମିତ୍ତ ତାହାର ପଦକ୍ଷେପ କଣ ସନ୍ଦେହ ସୃଷ୍ଟି କରୁଛି ମା ପାରା ମନରେ? ତାହେଲେ ସେ ପୁଣି କେଉଁ ବିଶ୍ବାସ ରେ ଶାବକ ଦୁହିଁଙ୍କୁ ଛାଡି ଚାଲିଯାଇଥିଲା? ଅନେକ ସନ୍ତର୍ପଣରେ ମା ପାରାଟି ଏବେ ପେଟି ଭିତରକୁ ପଶିଲା ଓ ପିଲା ଦୁହିଁଙ୍କୁ ଥଣ୍ଟରେ ଥଣ୍ଟ ମିଶାଇ କିଛି ଖାଦ୍ୟ ଖୋଇଦେଇ କୋଳରେ ଯାବୁଡି ଧରୁଥିଲା ମାତୃତ୍ବ ର ଅମୂଲ୍ୟ ଆବେଗରେ। ମାତୃତ୍ବର ଅନୁଭୂତି ପ୍ରତ୍ୟକ୍ଷ ନ ହେଲେ ହେଁ ସ୍ପନ୍ଦନ ରେ ଏକ ନିଆରାପଣ ଉପଲବଧି କରିପାରିଥାଏ ପଦ୍ମଜା, କମ୍ ହେଲେବି ସେ ବି କିଛି ମାତ୍ରାରେ ଯୋଗଦାନ ଦେଇଛି ଅଣ୍ଡରୁ ଛୁଆ ଓ ଏଯାବତ୍ ସେମାନଙ୍କ ର ସେବା ଓ ସୁରକ୍ଷା ରେ, ତେଣୁ ଏ ଭାବନା ଟିକକ ତାପାଇଁ କଣ ସ୍ବାଭାବିକ ନୁହଁ? ଏବେ ପ୍ରାୟତଃ ନିର୍ଭୟ ହୋଇ ଯାଇଥାଆନ୍ତି ପାରା ଦମ୍ପତିଟି, ଅନେକ ସମୟ ପିଲା ଦୁଇଟିକୁ ଛାଡିଦେଇ ମା ପାରାଟି କୁଆଡେ ଚାଲିଯାଏ ହୁଏତ ଖାଦ୍ୟ ଅନୁସନ୍ଧାନ ଓ ସହୋଚର ମାନଙ୍କ ସହ ମିଳାମିଶା ପାଇଁ, ବାପା ପାରା ଟି ପ୍ରାୟତଃ ଅନୁପସ୍ଥିତ ଏବେ। ଶାବକମାନଙ୍କ ଭିତରେ ଜଣକୁ ୫ ଦିନ ଓ ଆରଜଣକୁ ୪ ଦିନ ଆଜି, ଲିଙ୍ଗ ନିରୂପଣ କରିବା କଷ୍ଟସାଧ୍ୟ ଥିଲା ପଦ୍ମଜା ପାଇଁ। ହେଲେ ଅଧୁନା ବିକଶିତ ସମାଜରେ ଲିଙ୍ଗ ଜନିତ ଅମାନବୀୟ ତାରତମ୍ୟର ଆଭାସ ପାଇନି ସେ ଏଯାଏ ସେହି ପାରା ଦମ୍ପତିଙ୍କଠାରୁ।

କାଲି ରାତିରେ ତାକୁ ମା ଛୁଆଙ୍କର ଶବ୍ଦ କିଛି ଶୁଭିନାହିଁ, ତେବେ କଣ ମା ପାରା ଟି କାଲି ରାତିସାରା ଛୁଆ ମାନଙ୍କୁ ଏକୁଟିଆ ଛାଡି ଦେଇଛି? ଆଳସ୍ୟ ବଶତଃ ସକାଳୁ ଉଠିବା ଟିକେ ବିଳମ୍ବ ହୋଇଯାଇଛି ପଦ୍ମଜାର, ହେଲେ କାଲିର ଆଶଙ୍କା ମନେ ପଡିଯିବା ମାତ୍ରେ ଧାଇଁଯାଇ ଝରକା କାଚ ଖୋଲି ବାଲକୋନିସ୍ଥ କାଗଜ ପେଟିଟିକୁ ଅନୁଧ୍ୟାନ କଲା ସେ, ସବୁଦିନ ମୁଣ୍ଡ ଉଠାଇ ସ୍ବାଗତ କରୁଥିବା ମା ପାରା ଟି ତ ନାହିଁ ସତରେ?....... ତାହେଲେ ତାର ଆଶଙ୍କା ସତ,ସେ କାଲି ରାତି ସାରା ଆସିନି ଏଠାକୁ! କ୍ରୋଧିତ ହୋଇ ଉଠିଲା ସେ ମା' ପାରାର ଏତାଦୃଶ କର୍ତ୍ତବ୍ୟହୀନତା ପ୍ରତି। ହେଲେ ଏ କଣ? ପିଲା ଦୁଇଟି କାହାନ୍ତି! କଲିଜା ଖସି ପଡିଲା ପରି ଲାଗିଲା ତାକୁ। ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା ସେ ଉପର ତଳ ବାଁ ଡାହାଣ, ପେଟି ଟିକୁ ବାରମ୍ବାର ଉଠାଇ ରଖି......... ନିଜେ ବାହାରିବା ର ସାମର୍ଥ୍ଯ ତ ହୋଇନାହିଁ ଏଯାଏଁ କୁନିକୁନି ପାରାଛୁଆ ମାନଙ୍କ ର, ତାହେଲେ ପାରା ଦମ୍ପତି କଣ ସେମାନଙ୍କୁ ଏଠାରୁ ଅନ୍ୟତ୍ର କେଉଁଠାକୁ ନେଇଗଲେ? ହୁଏତ ଗଛ ଡାଳରେ ବା ଅନ୍ୟ କେଉଁଠି ତାଙ୍କର ମୂଳ ବସାକୁ! କାଳେ ସୁଯୋଗ ଅପେକ୍ଷା ରେ ଥିବା ଶତୃ କୁଆମାନେ......! ନା....ଚିତ୍କାର କରି ଉଠିଲା ସେ। ଲୋମ ମୂଳ ଟାଙ୍କୁରି ଉଠିଲା ତା'ର । ହେଲେ ଫଡ୍ ଫଡ୍ ହୋଇ ଉଡିଆସି ପହଞ୍ଚିଲା ମା ପାରା ଟି। ପଦ୍ମଜାର ଉପସ୍ଥିତିରେ ଆଦୌ ପ୍ରଭାବିତ ନୁହଁ ସେ, ସିଧା ପଶିଗଲା ପେଟି ଭିତରକୁ ଏବଂ ତୁରନ୍ତ ବାହାରକୁ ବାହାରି ଆସି ଚାରିଆଡ଼େ ବ୍ୟସ୍ତ ବିବ୍ରତ ହୋଇ ଚଳ ଚଞ୍ଚଳ ନୟନରେ ଖୋଜିବାକୁ ଲାଗିଲା ତାର ନବଜାତ ଅଂଶ ଦ୍ବୟକୁ। ଶେଷରେ ଅସଫଳ ହୋଇ ପଦ୍ମଜାର ଅତ୍ୟନ୍ତ ନିକଟକୁ ଆସି ମୁଣ୍ଡ ଟେକି ଏକ ଅବୁଝା ଅବ୍ୟକ୍ତ ଢଙ୍ଗରେ ଆଖିରେ ଆଖି ମିଳାଇ ନିସ୍ତବ୍ଧ ହୋଇଗଲା। ପଦ୍ମଜାର ନୟନରୁ ଦୁଇ ଧାର ଲୁହ ଝରି ଗଲା ମା ପାରାର ତାପ୍ରତି ଏତାଦୃଶ ଭାବାତ୍ମକ ଅଭିବ୍ୟକ୍ତି ଅଥବା ଏକ ଅହିଂସାପୂର୍ଣ୍ଣ ଆରୋପ ପାଇଁ। ନିଶ୍ଚିତ ହୋଇଗଲା ସେ ଏ ତାହାଲେ ସେହି ଶତୃ କୁଆ ମାନଙ୍କ ର ନିର୍ମମତା। ବାକ୍ ରୁଦ୍ଧ ହୋଇ ପଡିଲା ସେ, ସକାଳର ଅମ୍ଳଜାନ ତାକୁ ପ୍ରଦୂଷିତ ବିଷାକ୍ତ ଅଙ୍ଗାରକାମ୍ଳ ଭଳି ମନେହେଉଥିଲା। ଦୁଇଟି ମାତୃତ୍ବର ହୃଦୟ, ଚିର ଆର୍ତ୍ତନାଦ କରିଚାଲିଛନ୍ତି ସୃଷ୍ଟି ର କ୍ରୂର ଖାଦ୍ୟ ଖାଦକର ଶୃଙ୍ଖଳ ପ୍ରତି ଆକ୍ଷେପ କରି ।


Rate this content
Log in

Similar oriya story from Tragedy