STORYMIRROR

Nikunja Ghosh

Tragedy

3  

Nikunja Ghosh

Tragedy

କୁହୁଡି

କୁହୁଡି

3 mins
251

      ସପ୍ତ ରଂଗରେ ରଙ୍ଗିତ ଦୁଇଟି ମନ , ମୁକ୍ତ ଆକାଶରେ ଉଡିବାର ଅଭିପ୍ରାୟ ନେଇ ଆଶାର ଆଲୋକରେ ସୁସଜ୍ଜିତ ଏକ କୁଡିଆ ଗଢି ତୋଳିବାରେ ବ୍ୟସ୍ତ ହୋଇପଡନ୍ତି ଆକାଶ ଓ ଝିଲୀ । ଏହି ଦୁଇଟି ମନ ଗୋଟିଏ ଗ୍ରାମର ।ଉଭୟ ଉଭୟଙ୍କ ପରିବାରକୁ ବେଶ୍ ଭଲ ଭାବରେ ଜାଣନ୍ତି । ଭଲରେ ମନ୍ଦରେ ଉଭୟ ପରିବାର ପରସ୍ପରଙ୍କୁ ସାହାଯ୍ୟ କରନ୍ତି ।କିନ୍ତୁ ବିଂଶ ଶତାବ୍ଦୀର ଆଧୁନିକତାର ସ୍ପର୍ଶ ପାଇବାର ବହୁତ ଦୂରରେ ରହିଯାଇଛି ମାଧବପୁର ଗ୍ରାମଟି । ଯେଉଁଠି ଏବେ ବି ଜାତିଆଣ ମନୋଭାବର ପାଚେରୀ ଖୁବ୍ ଶକ୍ତ ହୋଇ ଠିଆ ହୋଇଛି । ସେଇ ଶକ୍ତ ପାଚେରୀକୁ କେମିତି ଭାଙ୍ଗି ପାରିବ ଦୁଇଟି ମନ ?ଆଉ ବିବାହ ବନ୍ଧନରେ କେମିତି ବାନ୍ଧିହେବେ ? ମନରେ ଅନେକ ସାହାସ ବାନ୍ଧି ସେଇ ଜାତିଆଣ ମନୋଭାବର ଶକ୍ତ ପାଚେରୀକୁ ଲମ୍ଫ ଦେଇ ଅତିକ୍ରମ କରିବାକୁ ପଡିବ ବୋଲି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେଲେ ଦୁଇଟି ମନ । 

        ଦିନ ପରେ ଦିନ,ମାସ ପରେ ମାସ ଆଉ ସମୟର ଅତିକ୍ରାନ୍ତରେ ଉପନୀତ ଆଜି ଶୀତ ଋତୁ । ସାଧାରଣତଃ ଗ୍ରାମାଞ୍ଚଳରେ ଅଧିକ କାର୍ଯ୍ୟ ବ୍ଯସ୍ତତା ଲାଗିରହିଥାଏ ଏହି ଋତୁରେ । "ଅର୍ଥ ହିଁ ଅନର୍ଥର ମୂଳ କାରଣ" -ଏହା ବେଶ୍ ଭଲ ଭାବରେ ଜଣା ଥିଲା ଆକାଶ ଓ ଝିଲୀକୁ । ହାତରେ କିଛି ଟଙ୍କା ସଞ୍ଚୟ କରିବା ପାଇଁ ଦୁହେଁ ମୁଲ ଲାଗିବାକୁ ବାହାରି ପଡିଲେ । ସେତେବେଳକୁ କ୍ଷେତ୍ରରେ ଧାନ ପାଚିଯାଇଥାଏ, ଚାଷୀ ଧାନ ଅମଳ କରିବା ପାଇଁ କ୍ଷେତକୁ ବାହାରି ପଡିଥାଆନ୍ତି ।ଦୁହିଁଙ୍କ ସପ୍ନ ଥିଲା ଅନେକ । ଟଙ୍କା ସଞ୍ଚୟ କରିବା ପାଇଁ ଦୁହେଁ ମୁଲ ଲାଗିବାକୁ ବାହାରି ପଡିଲେ । କାରଣ ହାତରେ ଟଙ୍କା ହେଲେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ପ୍ରେମର ତାଜମହଲକୁ ସୁସଜ୍ଜିତ କରି ପାରିବାର ବିଶ୍ବାସ ସେମାନଙ୍କର ଥିଲା । ହାତରେ ଯେତିକି ଯେତିକି ଅଧିକ ଟଙ୍କା ସଞ୍ଚୟ ହେଉଥିଲା, ସେମାନଙ୍କ ପ୍ରେମର ତାଜମହଲ ସେତିକି ସେତିକି ଅଧିକ ରଙ୍ଗୀନ ହୋଇ ଉଠୁଥିଲା । 

         ଚଷା ପୁଅ ଚଷା । କ୍ଷେତକୁ ଗଲେ ପେଟ ପୂରିବ ।ପାଖରେ ସେମିତି ବା ଧନ କାହଁ ? ଯେ ଏକ ମନ ମୁତାବକ ଘରଟିଏ ତଳିବାକୁ । ଭାଗ୍ୟ ଆଜି ସୁଖ ସପ୍ନର ବାଧକ ।କାହାକୁ କହିବ ? କେଉଁଠୁ ପାଇବ ତା' ସମସ୍ୟାର ସମାଧାନ ? ଏ ସବୁ ଭିତରେ ସାହସ ବାନ୍ଧେ ଦୁଇଟି ମନ ଏକ ହେବାରେ । ଏକ ଶୀତ ଥୁରୁ ଥୁରୁ ନିଶାଭରା ରାତି ସାଙ୍ଗକୁ କୁହୁଡ଼ିରେ ଘରୁ ବାହାରି ପଡିଲେ ଆକାଶ ଓ ଝିଲୀ । ଛାତି ଭିତରେ ସ୍ପନ୍ଦନର ଗତି ବୃଦ୍ଧି ପାଉଥାଏ ।କାଳେ କିଏ ଦେଖି ନେବ ବୋଲି ମନରେ ଡର ଥାଏ । ସେଇ ଡର ଡର କୁହୁଡ଼ି ରାତିରେ ପହଞ୍ଚିଲେ ଯାଇ ଜଳେଶ୍ୱର ରେଳ ଷ୍ଟେସନରେ । କୁଆଡେ ଯିବା ବୋଲି ଝିଲୀ ଆକାଶକୁ ପଚାରିଲା । ସାନ୍ତ୍ବନା ଦେଇ ଆକାଶ ଝିଲୀକୁ କହିଲା , ପାଖରେ ମୁଁ ଅଛି ନା ବିଶ୍ବାସ ରଖ ସବୁ ଠିକ୍ ହେଇଯିବ । ରାତି ସେତେବେଳକୁ ଠିକ୍ ୧.୩୦ ବାଜି ଯାଇଥାଏ । କିଛି ସମୟ ଅପେକ୍ଷା କରିବା ପରେ ହାଉଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ପହଞ୍ଚିଲା । ସେଇ ଟ୍ରେନ୍‌ରେ ଆକାଶ ଓ ଝିଲୀ ଚଢିଗଲେ । କୁହୁଡ଼ି ରାତିରେ ଟ୍ରେନଟି ହୋର୍ଣ୍ଣ ବଜାଇ ଆଗକୁ ଚାଲୁଥାଏ ।ଶୀତର ପ୍ରକୋପ ବି କିଛି କମ ନଥାଏ ।ଶୀତରେ ଚାଦର,ସୁଇଟର୍ ପିନ୍ଧି ଯାକି ହୋଇ ବସିଥାନ୍ତି । ରାତି ବି ଅନେକ ହୋଇଯାଇଥାଏ । ସମସ୍ତଙ୍କ ଆଖିରେ ପ୍ରାୟ ନିଦ ଆସିଯାଇଥାଏ ।ଆକାଶ ଟ୍ରେନ୍ ର ଝରକା ପାଖରେ ବସିଥାଏ ,ଦେହକୁ ହଠାତ୍ ଗରମ ଲାଗିବାରୁ ଚାଦର ଭିତରୁ ମୁହଁ ବାହାର କରି ଦେଖିଲା ବେଳକୁ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା । କ'ଣ କରିବ କିଛି ବୁଝିପାରିଲାନି ।ବଡ ପାଟିରେ ଚିତ୍କାର କରି ସମସ୍ତଙ୍କୁ ଟ୍ରେନ୍‌ରେ ନିଆଁ ଲାଗିବା ଘଟଣା ଜଣାଇ ଦେଲା । ସମସ୍ତେ ବିବ୍ରତ ହୋଇ ଉଠିଲେ ।କହାକୁ କିଛି ବୁଦ୍ଧି ଦିଶୁ ନ ଥାଏ ହଠାତ୍ ଝିଲୀ ଟ୍ରେନ୍ ର ଚେନ୍ ଟାଣି ଦେଲା ମାତ୍ର ସେତେବେଳକୁ ନିଆଁ ଦେହର ଲୁଗାପଟାରେ ଲାଗିଯାଇଥାଏ । ସମସ୍ତେ ଟ୍ରେନ୍ ଭିତରେ ଚିତ୍କାର କରୁଥିଲେ । ଟ୍ରେନ୍ ଛିଡା ହେଲା ,ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ଗଲେ ସତ କିନ୍ତୁ ନିଆଁ ଦାଉରୁ କେହି ରକ୍ଷା ପାଇ ପାରି ନ ଥିଲେ । ସେଇ କୁହୁଡ଼ି ଅନ୍ଧାର ରାତିରେ ସବୁ କିଛି ଶେଷ ହୋଇଗଲା । ଦୁଇଟି ମନର ମିଳନ ତ ହୋଇ ପାରିଲାନି । କିନ୍ତୁ ଦୁଇଟି ଆତ୍ମା ପରମାତ୍ମାରେ ଲୀନ ହୋଇ ଗଲା ।।

     


Rate this content
Log in

More oriya story from Nikunja Ghosh

Similar oriya story from Tragedy