କୋଭିଡରେ ଜୀବନ
କୋଭିଡରେ ଜୀବନ
ସକାଳୁ ଉଠୁ ଉଠୁ ଫୋନଟା ଦେଖିଲି । ଚାରିଟା ମିସଡ କଲ । ମୋର ପିଲାଦିନ ସାଙ୍ଗ ସନ୍ତୋଷ ଫୋନ କରିଥିଲା । ସାଙ୍ଗେ ସାଙ୍ଗେ ଫୋନ ଲଗେଇଲି । ସେପଟୁ କହିଲା ତୋ ଭାଉଜର ଦେହ ଖରାପ । କଟକ ନେଇକି ଯାଉଛି । ମୁଁ ବି ବ୍ୟସ୍ତ ହେଲି। କହିଲି, କୋଭିଡ଼ ସମୟରେ କଣ କୌଣସି ହସ୍ପିଟାଲରେ ଭର୍ତ୍ତି କରିବେ ? ସେ କହିଲା କଥା ହେଇଛି ଏସ୍.ସି.ବି.ରେ। ମୁଁ କହିଲି ହଉ ଆ । ଅସୁବିଧା ସୁବିଧାରେ ମତେ ଫୋନ କରିବୁ।
ଫୋନ ରଖି ଘର କାମରେ ବ୍ୟସ୍ତ ହେଲି । ପୁଣି ଦଶଟା ପଖା ପାଖି ଫୋନ ଲଗେଇ ପଚାରିଲି, ପହଁଚିଲୁ ? ସନ୍ତୋଷ କହିଲା ହଁ ରେ, ହେଲେ ଏଇଠି ଆଡ଼ମିଶନ ପାଇଁ ମନା କରୁଛନ୍ତି ।
ମୁଁ କହିଲି ତୁ କିମ୍ସକୁ ନେଇ ଆସ । ମୋର ଜଣେ ଚିହ୍ନା ଡାକ୍ତର ଅଛନ୍ତି ।
ପୁଣି ବାରଟା ବେଳକୁ ଫୋନ କଲି । ମୁଁ କିଛି ପଚାରିବା ପୂର୍ବରୁ କହିଲା, ତୋ ଭାଉଜ ଆଉ ନାହିଁ । ଆମେ କେପିଟାଲ ହସ୍ପିଟାଲରେରେ ଅଛୁ ।
ଫୋନର କନେକ୍ସନ କଟିବା ପୂର୍ବରୁ ମୋ ଆଖିରୁ ଲୁହ ଆସିବା ଆରମ୍ଭ ହୋଇ ଯାଇଥିଲା । ବାହାରେ ଥିଲି । ସେଥିପାଇଁ ଜୋରରେ କାନ୍ଦି ପାରିଲି ନାହଁ । ଭିତରେ କିନ୍ତୁ ଜୋରରେ କାନ୍ଦିବା ଆରମ୍ଭ କରିଦେଇଥିଲି । ହଠାତ କେମିତି ? ଜୋରରେ ବର୍ଷା ହେଉଥାଏ । ମୁଁ ଦୌଡ଼ିଗଲି ହସ୍ପିଟାଲ । କୋଭିଡ ଡର ଥିଲା । କିନ୍ତୁ ମନ ଭିତରେ ଭାଉଜଙ୍କର ମୁହଁ ବାରମ୍ବାର ଦେଖା ଗଲା । ଭାବିଲି ଯାହା ହେଉଛି ହେଉ । ଯାଇକି ମୋ ସାଙ୍ଗ ପାଖରେ ଠିଆ ହେବି ।
ମୁଁ କଥା ହେଇଥିଲି ଶନିବାର ଦିନ। ଆଜି ବୁଧବାର । ପାଞ୍ଚ ଦିନରେ ଏମିତି କଥା କେମିତି ହୋଇଗଲା। ପାଞ୍ଚ ଦିନ ତଳେ ଭାଉଜଙ୍କ ହ୍ଵାଟ୍ସଆପ ଷ୍ଟେଟସରେ କଣ ଗୋଟେ ଖାଇବା ଜିନିଷର ଫୋଟୋ ଦେଖି ଫୋନ କରିଥିଲି । କେତେ ଖୁସିରେ ଆମେ କଥା ହେଇଥିଲୁ। ମୁଁ ତାଙ୍କୁ ଥଟ୍ଟାରେ କହିଲି, ଏକୁଟିଆ ଖାଉଛ ପେଟ କାଟିବ । ଆଉ ସେ କହିଲେ ନଣନ୍ଦମାନଙ୍କର ନଜର ପଡ଼େ ନାହିଁ। ମୁଁ ପୁଣି ତାର ରେସିପି ମାଗିଲି ।ସେ କେତେ ଆତ୍ମୀୟତାର ସହ ମତେ ବୁଝେଇଦେଲେ ।
ଦୁଇବର୍ଷ ଧରି କିଡନୀ ରୋଗର ସାମନା କରୁଥିଲେ ସେ । ଏଇ ଭୁବନେଶ୍ୱର ଯିବା ଆସିବା ଭିତରେ ଆମ ଭିତରେ ସମ୍ପର୍କଟା ମଜଭୁତ ହୋଇଥିଲା । ତାଙ୍କର ସବୁବେଳେ ଔଷଧର ଦରକାର ହୁଏ। ସନ୍ତୋଷ କହିବା ଅନୁଯାୟୀ ମୁଁ ବେଳେ ବେଳେ ଔଷଧ ପଠାଏ । ସେଇ ଭାଉଜ ଚାଲିଗଲେ।
ସେମିତି ଦେଖିବାକୁ ଗଲେ ତାଙ୍କ ସହ କୌଣସି ରକ୍ତ ସମ୍ପର୍କ ନଥିଲା କି ଆମ ବନ୍ଧୁବାନ୍ଧବ ବି ନଥିଲେ । ମୋ ସ୍କୁଲ ବେଲର ସାଙ୍ଗର ସ୍ତ୍ରୀ ଥିଲେ । ଏଇ ଦୁଇ ବର୍ଷ ଭିତରେ ଆମେ ଟିକେ ଅଧିକା ମିଶି ଯାଇଥିଲୁ। ସନ୍ତୋଷ ସବୁବେଳେ ଭାଉଜଙ୍କର ପ୍ରଶଂସା କରିବ। ଆମେ ଯେତେବେଳେ କଥା ହେବୁ ମୁଁ ସବୁବେଳେ ତାକୁ ତାଗିଦ କରିବି କି ଭାଉଜଙ୍କ ଯତ୍ନ ନେବୁ । ସେ ବି କେବେ ହେଳା କରି ନଥିଲା।
ଆଜି ଭାଉଜ ଗଲା ପରେ ଏମିତି ଲାଗୁଛି ମୋର ସାନ ଭଉଣୀଟେ ଚାଲିଗଲା । ତାଙ୍କ କଥାରେ, ବ୍ୟବହାରରେ ନିଜର କରିବାର କଳା ପାଖରେ ମୁଁ ସବୁବେଳେ ହାର ମାନିଛି । ମୋଟେ ତିରିଶ ବର୍ଷ ହୋଇଥିଲା ତାଙ୍କୁ । ଏମିତି ଅସମୟରେ କଣ କିଏ ଯିବା କଥା ?
ଆଜି ମୋର ଆୟତ୍ତବିହୀନ ଲୁହ ସବୁ ମତେ ଯେମିତି କହୁଛନ୍ତି, ସଂପର୍କ ପାଇଁ ରକ୍ତ କି ବନ୍ଧୁବାନ୍ଧବର ଆବଶ୍ୟକତା ନଥାଏ । ଥାଏ କେବଳ ଦୁଇଟା ମନର ମନସ୍ତତ୍ତ୍ୱର ବୁଝାମଣା ।
ଭାଉଜ ବଞ୍ଚିଥାନ୍ତେ ଯଦି କୌଣସି ହସ୍ପିଟାଲରେରେ ତାଙ୍କୁ ଆଡ଼ମିଶନ ମିଳି ଯାଇଥାନ୍ତା । କୋଭିଡ କଣ ଆସିଲା ସବୁ ସାରିଦେଲା । ସମସ୍ତଙ୍କୁ ମାରିଦେଲା । କାହାକୁ ଭାତରେ, କାହାକୁ ମାନବିକତାରେ, କାହାକୁ ଲୋଭରେ, କାହାକୁ ରୋଗରେ ଆଉ କାହାକୁ ଜୀବନରେ। ଏବେ ଭବିଷ୍ୟତଟା ଅନ୍ଧକାର ହିଁ ଦେଖାଯାଉଛି ।
