ହଜିଗଲା ଜ୍ୟୋତି
ହଜିଗଲା ଜ୍ୟୋତି
ବାଡ଼ିପଟ ବଉଳଗଛରେ ଡାମରା କାଉଟା 'କା' 'କା' ଡାକଦେଇ ସକାଳର ବାର୍ତ୍ତା ଦେଉଛି ନିଦ୍ରାଶାୟୀତ ନରନାରୀକୁ ସତେଯେପରି କେଉଁ କାଳରୁ ବାର୍ତ୍ତାବହ ରୂପେ କାର୍ଯ୍ୟକରିବାର ଠିକାନେଉଛି ସେ । ଅନ୍ୟଦିନ ଭଳି ଅଧାରଲୋଭୀ କାଉଟାକୁ ଚାଉଳ ମୁଠାଏ ଦେବାକୁ ସାଗରୀକା ଆଉ ବାଡ଼ି କବାଟ ଖୋଲିବାକୁ ଯାଇପାରୁନି ଚୁମ୍ବକ ଲୁହାକୁ ଆକର୍ଷଣ କଲାଭଳି ଗୋଡ ଦୁଇଟାକୁ ଭୂମିର କେଉଁ ଅଦୃଶ୍ୟ ଚୁମ୍ବକ ଟାଣିଧରିଛି । ରଙ୍ଗହୀନ ଶିଶିରସ୍ନାତ ବୃକ୍ଷଗୁଡିକ ପା଼ଣ୍ଡୁର ରଙ୍ଗ ଧାରଣ କରିବାପରି ମନଆକାଶରେ କାରୁଣ୍ୟ ଅସହାୟ ବୋଧତାର ଭସା ବାଦଲଟା ଇତଃସ୍ତତଃ ବିଚରଣ କରୁଛି । ଆର କୋଠରୀରୁ ଅଶୀତି ବର୍ଷ ବୟସର ବୃଦ୍ଧ ଶଶ୍ୱର ଙ୍କ ଡାକରେ ସାଗରୀକା ଚେତନାରାଜ୍ୟରୁ ଫେରି ଆସିଲା । ମା' ମା' ଦେଖିଲୁ କିଏ ଗେଟ ବାଡ଼ଉଛି । ଜ୍ୟୋତିଟା ବାଣ,ଲିଚୁ ଲାଇଟ ଦୀପ ଆଣିବାକୁ ବଜାର ଯାଇଥିଲା । ବୋଧହୁଏ ଆସିଲାଣି ।ଯା' ଗେଟ ଖୋଲିଦେ । ସବୁ ଜାଣି ବି ସାଗରୀକା ଗେଟ ପାଖକୁ ଧାଇଁଗଲା । ନା' କେହି ନାହାନ୍ତି ତ' । ଶଶ୍ୱର ମଝିରେ ମଝିରେ ଏହିଭଳି ବାଉଳି ଚାଉଳି ହେଉଛନ୍ତି । ଶାଶୁ ବିଛଣାଲଗ୍ନା ବାର ବର୍ଷର ପୁଅ ମିଟୁର ମୁଖମଣ୍ଡଳରେ ବିଷାଦର କାଳିମା କିଏ ଲେପି ଦେଉଛି । ଆଉ ସେ କୃଶବିଦ୍ଧ ଯୀଶୁଙ୍କ ଭଳି ପ୍ରତି ମୁହୂର୍ତ୍ତରେ ଜୀବନର ଦୀପଶିଖା ଲିଭିବାପଯ୍ୟନ୍ତ ଜଳୁଥିବ ଯନ୍ତ୍ରଣାକୁ ନୀଳକଣ୍ଠଙ୍କ ଭଳି ବିଷପାନ କରି । ଆଜି ଦୀପାବଳୀ । ପୂର୍ବ ଦିନରୁ ପାଖ ପଡୋଶୀମାନଙ୍କର ଗୃହଆଲୋକ ମାଳାରେ ସୁ ସଜ୍ଜିତ ହୋଇ ଶୋଭାପାଉଛି । ଧାଡି ଧାଡି ଦୀପମାଳାରେ ଘନକୃଷ୍ଣ ସମୀକୁ ଦୁରକରିବାକୁ ଏ ଦୀପଗୁଡ଼ିକର କି ଅବାନ୍ତର ପ୍ରଚେଷ୍ଟା ପାଖରେ ଶାୟିତ ପୁଅ ଉପରକୁ ଚାଦରଟା ଟାଣିଦେଇ ସାଗରୀକା ବହୁ କଷ୍ଟରେ ରୋଷାଇଘର ଅଭିମୁଖେ ପାଦ ପକାଇଲା । ଶାଶୁଶଶୁରଙ୍କ ସକାଳର ଚା ଦେବାକୁ ।
ସାଗରୀକା ସାମନ୍ତରାୟ ଦୁଇ ଭାଇର ଗୋଟିଏ ଭଉଣୀ ।ଭାଇ ଦୁଇଜଣ ଥିଲେ ଜଗାବଳିଆ ସୁଭଦ୍ରା ଭଉଣୀ ରୂପେ ସେମାନଙ୍କର ଗେହ୍ଲି ଭଉଣୀ ଆଉ ବାପାମାଙ୍କର ନୟନତାରା ।ଯୁକ୍ତ ଦୁଇ ପାଶ କଲାପରେ ବାପାମା' ମାତ୍ର ଏକୋଇଶ ବର୍ଷ ବୟସରେ ତା'ର ବିବାହ ଜ୍ୟୋତିରଞ୍ଜନଙ୍କ ସହ ସମ୍ପନ୍ନ କରିଥିଲେ । ତା' ଜୀବନଦୀପର ଜ୍ୟୋତି ସାଜି ସାରା ଜୀବନର ସାଥି ହେବାପାଇଁ ପ୍ରତିଶୃତି ଦେଇ ଅଧାବାଟରେ ତାକୁ ଛାଡ଼ିଦେଇ କେଉଁ ଅଫେରା ଦୁନିଆକୁ ଚାଲିଗଲେ । ତେତିଶ ବର୍ଷ ବୟସର ସାଗରୀକା ଜୀବନର ଅବଶିଷ୍ଠ ତମସା ମୟ ରାସ୍ତାରେ ବୈଧବ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କିପରି ବିତାଇବା ? କୋଡିଏ ଦିନ ପୂର୍ବେ କରୋନା କୋଣସି ଲକ୍ଷଣ ନ ଥାଇ ହଠାତ ଅସୁସ୍ଥ ହୋଇ ପଡିଲେ ଜ୍ୟୋତିରଞ୍ଜନ ସାଙ୍ଗ କୈଳାଶ ଏବଂ ସାଗରୀକା ତାଙ୍କୁ ଆମ୍ବୁଲାନ୍ସ ରେ ହସ୍ପିଟାଲ ନେବା ରାସ୍ତାରେ ହିଁ ବାଟରେ ଆଖି ବୁଝିଦେଲେ ଚିରଦିନ ପାଇଁ ।ମୁଣ୍ଡରୁ ସିନ୍ଦୁର ହାତର ଶଙ୍ଖା ହଜିଗଲା ତା'ର ଏବଂ ଶଶ୍ୱର ସୁଧାକରଙ୍କ ପରିବାରର ଦୀପଶିଖା । କୋଡିଏ ଦିନ ହେବ ଦ୍ୱିତଳ ପ୍ରସାଦଟା ଅନ୍ଧକାର ମଧ୍ୟରେ ଡୁବିଯାଇଛି । ଯେଉଁ ପ୍ରାସାଦରେ ଆଲୋକର ପର୍ବ ଦୀପାବଳୀର ଦୁଇ ଦିନ ପୂର୍ବରୁ ରଙ୍ଗୀନ ଲାଇଟରେ ଜ୍ୟୋତିରଞ୍ଜନ ସୁସଜ୍ଜିତ କରୁଥିଲେ । ଧାଡି ଧାଡି ଦୀପମାଳାରେ ସାଗରୀକା ଗୃହ ସମ୍ମୁଖ ରେ ତେଲ ଭରୁଥିଲା । ଆଉ ପୁଅ ମିଟୁ ପାଇଁ ଭଳି ଭଳି ବାଣ ଆଣୁଥିଲେ ବଜ଼ାର ରୁ ଶାଶୁଶଶୂର ବାଲକୋନୀରେ ବସି ଦିବାଲିର ସାନ୍ଧ୍ୟପରିବେଶକୁ ଉପଭୋଗକରୁ ଥିଲେ। ହାୟେ ; କାହିଁ ଚାଲିଗଲେ ସେ ? ଖଣ୍ଡା ଖର୍ପର ଧାରିଣୀ ନରମୁଣ୍ଡ ମାଳିନୀ ମହାମାୟୀ କାଳୀଙ୍କ ଉଦ୍ଧେଶ୍ୟରେ ହାତଯୋଡ଼ି ଗୁହାରି କରୁଥିଲା ସାଗରୀକା ଏ ନରସଂହାର କରୁଥିବା କରୋନା ଦୈତ୍ୟକୁ ନିପାତ କରି ତାଭଳି ଅନେକଙ୍କ ସିନ୍ଥୀର ସିନ୍ଦୂରକୁ ପୋଛି ନ ଦେବା ପାଇଁ । କେତେ ପରିବାର ଉଜାଡି କାୟା ବିସ୍ତାର କରି ମହାମାରୀ କରୋନା ଆଜି ବିଶ୍ୱରେ ଆତଙ୍କର ଲୀଳା ରଚିଛି । ତାକୁ ସମୂଳେ ନିପାତ କରି ମହାକାଳୀ ଆବାଳବୃଦ୍ଧ ବନୀତାଙ୍କ ମୁଖରେ ଜ୍ୟୋତି ପ୍ରକଟ କରିଦିଅନ୍ତୁ ।ତା ଭଳି ଅନେକଙ୍କ ଜୀବନର ଦୀପ ଶିଖାର ଜ୍ୟୋତି ଅକାଳରେ ହଜି ନଯାଉ l
