ଦ୍ବନ୍ଦ
ଦ୍ବନ୍ଦ
ସବୁକିଛି ହରାଇଲା ପରେ ନିଶେଷତାର ମହାଶୂନ୍ୟରୁ ଆବିର୍ଭୂତା ହେଲ ତୁମେ ଅନ୍ନପୂର୍ଣ୍ଣା ପରି - ସକଳ, ଅପୂର୍ଣ, ଅଭିଲିପ୍ସସାର ଅଫୁରନ୍ତ ପୂର୍ତିର ଅନନ୍ତ ଆସ୍ବାସନା ନେଇ । ପଥପ୍ରାନ୍ତେ ଉପେକ୍ଷିତ ତରୁର ଶୁଷ୍କ ହୃଦୟକୁ ସଂଜିବିତ କଲ ନୀରଧାରେ । ଅବହେଳିତ - ବୀଣାର ଧୂଳି ମଳୀନତାରରେ ମହ୍ଲାର ତୋଳିଲ କୋମଳ ଅଙ୍ଗୁଳି ସ୍ପର୍ଦ୍ଧଦେଇ। ପରିତ୍ୟକ୍ତ ମନର ଅଗଣାରେ ଘାସ ପାଖୁଡ଼ା ମେଲିଲା, କଢ଼ ଫୁଟିଲା ରଜନୀ ଗନ୍ଧାରେ, ଅନାହୃତ ପକ୍ଷୀର କାକଳି ଶୁଭାଗଲା ବେଳ ଅବେଳରେ। ଆଉକିଛି ମାଗୁଣୀ ରହିଲାନି ମୋର। ପରମ ପ୍ରାପ୍ତିର ଅମିତାଭ ଜ୍ୟୋତିରେ ବିଭୋର ହୋଇଗଲି ମୁଁ - ଅଭିଭୂତ ହେଲି ଅଣୁ ପରମାଣୁରେ । ଏ ସ୍ଵପ୍ନ, ଏ ଅଭିଳାଷ, ଏ ଆବେଦନ କଣ ସାର୍ଥକ ହେବନି ? ସଂଦୀପ୍
ସିଂଦୀପ୍ ର ଚିଠିଟିକୁ ପଢି ତକିଆ ତଳେ ରଖି କଡ ଲେଉଟେଇଲା ସ୍ଵପ୍ନା। ଦୂର ଗୀର୍ଜାରୁ ସେତେବେଳେ ଶୁଭୁଥାଏ ରାତ୍ରୀ ବାରଟାର ସୂଚନା । ଲୁହ ଧାରତିଏ ଗଡ଼ିପଡିଲା ହୃଦୟକୁ କୋହରିତ କରି । ଗତ ଜାନୁଆରୀ ପହିଲାରେ କଲେଜ ପିଲାଙ୍କୁ ନେଇ ସ୍ୱପ୍ନା ଯାଇଥିଲା ଶିମିଳିପାଳ ପିକନିକ୍ କରି। ବାରେହି ପାଣିର ଜଳପ୍ରପାତ ପାଖରେ ଦେଖାଯାଇଥିଲା ସଂଦୀପ୍ ସହିତ । ଉପରେ ନିରାକାଶ, ନିର୍ବିକାର ଅନନ୍ତ ଗଗନ । ତଳେ ଦିଗନ୍ତ ବିସ୍ତୃତ ଶ୍ୟାମ ବନରାଜି। ପାହାଡ଼ ପଦ ଛୁଇଁ ଝରିଯାଉଥିଲା ବୁଢାବଳଙ୍ଗ ର ଜଳପ୍ରପାତ । ପକ୍ଷୀର କାକଳି ଓ ବନ ମୟୂରର କେ କା । ଅସୁମାରୀ ବାନଫୁଳର ବର୍ଣିଳ ଛୁଟାଇ ନୈସର୍ଗିକ ପରିବେଶରେ ସଂଦୀପ୍ ଯେପରି ମନେ ହେଉଥିଲା ଅଭିଶପ୍ତ ଦେବପୁତ୍ର ପରି । ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଏବଂ "ବରେହି ପାଣି" ଛାଡ଼ିବା ପୁର୍ବରୁ ସ୍ଵପ୍ନା ଜାଣିଥିଲା ସଂଦୀପ୍ ବମ୍ବେର କୌଣସି ଏକ ବଡ଼ କଂ ପାନୀର ଉଚ୍ଚ ପଦସ୍ଥ ମ୍ୟାନେଜର। ତାର ସରଳ ଓ ସହଜ ବ୍ୟବହାର ଅତି ମଧୁର ଲାଗିଥିଲା ସ୍ୱପ୍ନାକୁ । ନିଜ ଅଜାଣତରେ ସେ କେତେେଳେ ଦେଇବସିଥିଲା ତାର ଠିକଣା ସଂଦୀପ୍ କୁ - ତାର ମନେନାହିଁ । କେତୋଟି ମୁହୂର୍ତ୍ତର ପରିଚିତି କୁ ଭିତ୍ତିକରି ସଂଦୀପ୍ ଯେ ତାକୁ ଏତେେ ମାତ୍ରାରେ ଭଲପାଇ ବସିବ ଏକଥା କଳ୍ପନା କରିନଥିଲା ସ୍ବପ୍ନା । ଓଠକଣରେ ମଳିନ ହସଟିଏ ଉକୁଟି ଉଠିଲା ଏବଂ ପରମୂହୂର୍ତ୍ତରେ ଉଭେଇ ଗଲା ଦୁଇ ଓଠ ଧାରରୁ। ସମସ୍ତ ଅତୀତ କଥା ଗୋଟିଗୋଟି କରି ମନେପଡିଗଲା ସ୍ଵପ୍ନାର ।
ସେଦିନ ଥିଲା ତାର ଦ୍ୱିତୀୟ ବିବାହ ବାର୍ଷିକ ରାତ୍ରି । କଲେଜରୁ ଛୁଟି ନେଇଥାଏ ସେ । ବନ୍ଧୁମାନେ ବିଦାୟ ନେଇ ଗଲାବେଳକୁ ରାତି ଏଗାରଟା । କ୍ଲାନ୍ତାହୋଇ ପଡ଼ିଥିଲା ସ୍ଵପ୍ନା । ସୌରଭର ନିବିଡ଼ ସ୍ନେହ ବନ୍ଧନରେ ହଜିଯିବାକୁ ଚାଁହୁଥିଲା ତାର ଦେହ, ମନ । ହଠାତ୍ କବାଟରେ କରାଘାତ ଶବ୍ଦ ଶୁଣାଗଲା । କବାଟ ଖୋଲି ହତଚକିତ ହୋଇଗଲା ସ୍ଵପ୍ନା । ରକ୍ତାତ ଏକ ଶିଶୁ ସନ୍ତାନକୁ ଧରି ମାର କି କରୁଣ ବିଳାପ। ଶହ୍ୟ କରି ପାରିଲାନାହିଁ ସ୍ଵପ୍ନା । ସ୍ଵାମୀ ତା'ର ଜଣେ ବିଖ୍ୟାତ ଶଲ୍ୟ ଚିକିତ୍ସକ । ସୌରଭକୁ ବାଧ୍ୟକରି ଡାକ୍ତରଖାନା ପଠାଇଥିଲା ସ୍ଵପ୍ନା । ତାହାହିଁ ସୌରଭର ସ୍ଵପ୍ନାଠାରୁ ଶେଷ ବିଦାୟ । ବିବାହ ବାର୍ଷିକ ରାତ୍ରିର ଆବେଗମୟ ପରିବେଶରୁ ବିଦାୟ ନେଲାବେଳେ ସୌରଭ ଆଖିରୁ ସେ ପଢିଥିଲା ଅନେକ ଅକୁହା କଥା । ସୌରଭ ଯେପରି କହୁଥିଲା ମୋତେ ଦୂରେଇ ଦିଅନା ସ୍ଵପ୍ନା ।
ସ୍ଵପ୍ନା ଆଖିରେ ନିଦ ଆସିଲାନି ଆଉ । ଅପେକ୍ଷାରେ ରାତ୍ରି ପାହିବାକୁ ବସିଲା। ହଠାତ୍ ଟେଲିଫୋନର ଶବ୍ଦରେ ବିଚଳିତ ହୋଇପଡ଼ିଲା ସ୍ଵପ୍ନ। । ଅନେକ ଆଶା ଓ ଆଶଙ୍କାରେ ଟେଲିଫୋନର ରିସିଭର୍ କୁ ଧରି ଯାହା ଶୁଣିଲା - ତାକୁ ବିଶ୍ୱାସ କରିପାରିଲେନି ସେ ।ଡ଼ାକ୍ତରଖାନାରୁ ଫେରିବା ସମୟରେ କାର୍ ଦୁର୍ଘଟଣାରେ ମରଣାପର୍ଣ୍ଣ ହୋଇ ସେହି ଡ଼ାକ୍ତରଖାନାରେ ପଡିଛନ୍ତି ସୌରଭ । ପାଗଳ ପରି ସେ ଛୁଟିଯାଇଥିଲା ଡ଼ାକ୍ତରଖାନାକୁ । ସୌରଭର ସହକର୍ମୀ ଡ଼ାକ୍ତରମାନଙ୍କୁ କେତେ କାକୁତି ମିନତୀ କରିଥିଲା ସେ। ପ୍ରଚେଷ୍ଟାରେ ବି କମ୍ କରିନଥିଲେ ଡାକ୍ତର ସହକର୍ମୀମାନେ । ସିନ୍ଦୁରାଫାଟି ସୂର୍ଯ୍ୟ ଉଦୟ ହେଲେ । ଆରୁଣାଭ ହେଲା ପୂର୍ବ ଆକାଶ । ପକ୍ଷୀର କାକଳି ଗୁଞ୍ଜରିତ ହେଲା ଦିଗବିଦିଗରେ । ସେହି ସଂଗେସଂଗେ ସୌରଭ ରବି ଅସ୍ତମିତ ହେଲେ। ଅନ୍ଧକାରର କଳାଛାଇରେ ଦୁବିଗଲା ସ୍ଵପ୍ନା। କଇଁ କଇଁ ହୋଇ କାନ୍ଦୁଥିଲା ସେ ।
ସମୟ ଗଡ଼ି ଚାଲିଲା । ବହମାନ ସମୟ ଅତୀତର ସବୁ ସୁଖ ଦୁଃଖ ଉପରେ ସ୍ତର ସ୍ତର କରି ଏକ ବହୁଳ ଆସ୍ତରଣ ବିଛାଇଦିଏ। ମଣିଷ ଅତୀତ ରୁ ବାହାରି ଆସି ବର୍ତ୍ତମାନ ଉପରେ ପଦ ଦେଇ ଭବିଷ୍ୟତକୁ ଆଗେଇଯାଏ । କଲେଜରେ ପଢାଇବାରେ ତଥା ଗବେଷଣାରେ ବ୍ୟସ୍ତ ରହି ଅତୀତର ଦୁଃଖଦ ଘଟଣାକୁ ଭୁଲିବାକୁ ଚେଷ୍ଟା କଲା ସ୍ଵପ୍ନା । ଫଳବତୀ ହେଲା ମଧ୍ୟ । ଅର୍ଥଶାସ୍ତ୍ରରେ ପି.ଏଚ.ଡି ପାଇଲା ସେ । ରାତି ଧୀରେ ଧୀରେ ମଉଳି ଆସୁଥିଲା କିନ୍ତୁ ଆସ୍ତେ ଆସ୍ତେ ଗଭୀର ହେଉଥିଲା ସ୍ୱପ୍ନାର ଚିନ୍ତାର ଜାଲ । ସୌରଭ ଆଉ ସଂଦୀପ୍ । ସଂଦୀପ୍ ଆଉ ସୌରଭ। କିଛି ଭାବି ପାରିଲାନାହିଁ ସ୍ଵପ୍ନା । ସୌରଭର ଶେଷ ବିଦାୟ ଶେଷ ଚାହାଣି ତାକୁ ଯେପରି ଏବେ ବି ଦେଖୁଥିଲା ନିର୍ଣ୍ଣିମେଶ ନୟନରେ । ସୌରଭର ସ୍ନେହ, ତାର ଭଲପାଇବା, ତାର ଆବେଗ ସବୁ ଯେପରି ସାକାରିଭୂତ ହୋଇ ତାକୁ ଜାବୁଡି ଧରୁଥିଲା ଏକ ନିବିଡ ଆଲିଙ୍ଗନରେ। ରୋମାଞ୍ଚିତ ହେଲା ତାର ତନୁ। ଲୋମ, ଅନୁଲୋମରେ ସେ ଅନୁଭବ କଲା ସୌରଭର ସ୍ପର୍ଶ। ହୃଦୟ ଆନ୍ଦୋଳିତ ହେଲା। କୋହରେ ଗୁମୁରି ଓଠିଲା ସ୍ୱପ୍ନା। ଆଖିର ଅବିଶ୍ରାନ୍ତ ଅଶ୍ରୁଧାରାରେ ଭାସିଗଲା ସଂଦୀପ୍। ହଜିଗଲା ତାର ସ୍ମୃତି। ସେ ତ ସୌରଭର - ଖାଲି ସୌରଭ ର - ଆଉ କାହାରି ନୁହେଁ। କବାଟରେ କରାଘାତ ଶବ୍ଦ। ଝରକା ଖୋଲି ସ୍ୱପ୍ନା ଦେଖିଲା ପୂର୍ବାକାଶରେ ଉଷାର ଆଭାସ।ଏତେ ସକାଳୁ କିିିଏ ବା ପୁଣି ? କବାଟ ଖୋଲି ଦେଖିଲା ଆଗରେ ଉଭା ସଂଦୀପ୍ ।
