dipa sikha

Tragedy

4.0  

dipa sikha

Tragedy

ଭୋକ

ଭୋକ

2 mins
240



ବାବୁ.... ବାବୁ ଏଗୁଡ଼ାକ ଫୋପାଡ଼ନ୍ତୁନି, ମୋତେ ଦେଇ ଦିଅନ୍ତୁ | ମୁଁ ନେଇଯିବି | ଦି' ଦିନ ହେଲାଣି ଘରେ ଚୁଲି ଜଳିନି | କଅଁଳ ଛୁଆ ଟା ମୋର ଭୋକରେ ଆଉଟୁପାଉଟୁ ହଉଚି | ଦୟାକରନ୍ତୁ ଟିକେ ବାବୁ , ମୋତେ ଦେଇ ଦିଅନ୍ତୁ - ଛୋଟ ଛୁଆଟିକୁ କାଖରେ କାଖେଇ କାନ୍ଦି କାନ୍ଦି କହୁଥିଲା ଜଣେ ମହିଳା ରମେଶ ବାବୁ ଙ୍କ ଆଗରେ |


ରମେଶ ବାବୁ ସହରର ଜଣେ ପ୍ରଖ୍ୟାତ ବ୍ୟବସାୟୀ | ଆଜି ପର୍ଯ୍ୟନ୍ତ କେହି ତାଙ୍କ ସମକକ୍ଷ ହୋଇପାରିନାହାନ୍ତି | ସମସ୍ତ ଛୋଟ ବଡ଼ ବ୍ୟବସାୟୀ, ରାଜନେତା ଏପରିକି ସାରା ସହରଟା ଥିଲା ତାଙ୍କ ହାତମୁଠାରେ | ଏତେ ଧନ ସମ୍ପତ୍ତି, ବଙ୍ଗଳା,ଗାଡ଼ି ଏବଂ ଜଣେ ସୁନ୍ଦରୀ,ଶିକ୍ଷିତା ସ୍ତ୍ରୀ ଟିଏ ଥିଲେ ମଧ୍ୟ ସବୁବେଳେ ତାଙ୍କ ନଜର ଥିଲା ଅନ୍ୟ ଝିଅ,ବୋହୂଙ୍କ ଉପରେ |

 କଥାରେ ଅଛି - 

    "ଥିଲେ ଥାଉ ପଛେ ଗୁଣ ହଜାର

    ଚରିତ୍ର ବିହୁନେ ସବୁ ଅସାର | "

ରମେଶ ବାବୁ ବି ଠିକ୍ ଏଇ ଧରଣର ମଣିଷଟିଏ ଥିଲେ | ମଣିଷ ତ ନୁହେଁ, ମଣିଷ ଛାଲ ପିନ୍ଧିଥିବା ରାକ୍ଷସଟିଏ | ବାହାର ଟା ବଡ଼ ଚିକ୍କଣ ଆଉ ଭିତର ଟା ପୋଡ଼ା ଅଙ୍ଗାର ଠାରୁ ବି କଳା | ସହରରେ ଜଣେ ଧାର୍ମିକ,ନ୍ୟାୟବନ୍ତ ପୁରୁଷ ଭାବରେ ସେ ଜଣାଶୁଣା ଥିଲେ ସତ କିନ୍ତୁ, ଯିଏ ତାଙ୍କ ମୁଖା ପଛର ହିଂସ୍ର ଚେହେରାକୁ ଦେଖିଛି ସେ ହିଁ କେବଳ କହିପାରିବ ସିଏ କେତେ ଧାର୍ମିକ, କେତେ ସଚ୍ଚୋଟ | ନାରୀ ନିର୍ଯ୍ୟାତନା ବନ୍ଦ କରିବା ଏବଂ ତା'ର ପ୍ରତିବାଦ କରିବା ପାଇଁ ଗଠିତ "ନାରୀ ସୁରକ୍ଷା" ସଂସ୍ଥା ର ସେ ଥିଲେ ପ୍ରତିଷ୍ଠାତା | ତାଙ୍କ ସଂସ୍ଥା ର ମୁଖ୍ୟ ସ୍ଲୋଗାନ୍ ଥିଲା- " ନାରୀ କୁ ଦେଲେ ସମ୍ମାନ,ବଢ଼ିବ ଦେଶର ମାନ " | କିନ୍ତୁ ଯିଏ ଗୋଟେ ନାରୀ ର ଇଜ୍ଜତ ଉପରେ ମୂଳଦୁଆ ପକାଇ ଦେବୀ ମନ୍ଦିର ତିଆରୀ କରିପାରେ ତା' ଭଳି ଗୋଟେ ଲୋକ ଠାରୁ ନାରୀଟିଏ ସମ୍ମାନ ପାଇବା କଥା ଚିନ୍ତା କରିବା ହାସ୍ୟାସ୍ପଦ ନୁହେଁ ତ ଆଉ କ'ଣ ?


 ସେଦିନ ସେମିତି ସଫଳତାର ଆଉ ଏକ ପାହାଚ କୁ ଅତି ସହଜରେ ଅତିକ୍ରମ କରିଥିବାରୁ ଖୁସିରେ ଆତ୍ମହରା ହୋଇ ତାଙ୍କ ବଙ୍ଗଳା ମଧ୍ୟରେ ଏକ ଛୋଟ ଉତ୍ସବ ର ଆୟୋଜନ କରିଥିଲେ କେବଳ ତାଙ୍କର ଅତି ଘନିଷ୍ଟ ବନ୍ଧୁ ତିନି ଜଣଙ୍କୁ ନେଇ | ଖାଦ୍ୟ ତାଲିକା ଟା ଅବଶ୍ୟ ଏତେ ଲମ୍ବା ନଥିଲା | ଥିଲା ତ କେବଳ ଦାମୀ ମଦ ଆଉ ମାଂସର ସମାହାର | ଯେମିତି ପାଣିରେ ବୁଡ଼ିଯାଉଥିବା ଲୋକକୁ କୁଟା ଖିଅ ଟେ ଭରସା ସେମିତି ଭୋକରେ ହଂସା ଉଡ଼ିଯାଉଥିବା ଛୁଆ ମୁଁହରେ ମୁଠାଏ ଦାନା ଦେବା ପାଇଁ ଦିନ-ରାତି ସଂଘର୍ଷ କରୁଥିବା ମା' ଟି ପାଖରେ ଖାଦ୍ୟ ର ଛୋଟିଆ ଦାନା ଟେ ମଧ୍ୟ ମୂଲ୍ୟବାନ | ତା' ପାଖରେ ସାମାନ୍ୟ ମଦର ଅସହ୍ୟ ଗନ୍ଧ ବାରିବା ପାଇଁ ବେଳ କାଇଁ | ମନଭିତରେ ମୁଠେ ଖାଦ୍ୟ ପାଇବା ର ଆଶା ନେଇ ଦଉଡ଼ି ଯାଇଥିଲା ମହିଳାଟି ସେଦିନ ରମେଶ ବାବୁଙ୍କ ବଙ୍ଗଳାକୁ | 


 କିନ୍ତୁ ହାୟ... ସେ କ'ଣ ଜାଣିଥିଲା ତା' କଅଁଳ ଛୁଆର ପେଟ ର ଭୋକ ଠାରୁ ସେ ବଡ଼ବଡ଼ିଆ ବାବୁ ମାନଙ୍କ ପେଟ ତଳର ଭୋକ ଏତେ ବେଶୀ ବୋଲି |



Rate this content
Log in

More oriya story from dipa sikha

Similar oriya story from Tragedy