ନିରୋଳା ମୂହୁର୍ତ୍ତ
ନିରୋଳା ମୂହୁର୍ତ୍ତ
କିଶୋରର ଚପଳତା ପାଠପଢା ଚାକିରୀବାକିରୀ
ଘର ସଂସାର ଜୀବନର ଜଞ୍ଜାଳ ପରେ
ମୁଁ ପାଇନି କେବେ ତୁମକୁ ।
ଖୋଜୁଛି ଏବେ ବି
ଅବସର ନେଲା ପରେ
ଭାବିଥିଲି ନିଶ୍ଚୟ ତୁମ ସାଥେ ଦେଖା ହୋଇଯିବ ମୋର ,
କିନ୍ତୁ ଏଠି ତ ସମସ୍ତେ ଦଉଡୁଛନ୍ତି ଆଗକୁ ଆଗକୁ
ଠେଲିପେଲି ପ୍ରତିଦ୍ଵନ୍ଦୀ ମନୋଭାବ ନେଇ
ସୀମାଗାର ମାନଙ୍କରୁ ବିଚ୍ୟୁତ ହୋଇ ।
ଦଉଡ ଏଠି କଣ ଯେ ସରୁଛି
ତାଠାରୁ ବର୍ତ୍ତୀ ଯିବି
ଦଉଡି ଦଉଡି ଆଜି ଗୋଡ ଦୁଇଟିରେ ମୋର
ଆଣ୍ଠୁଏ ଆଣ୍ଠୁଏ ଦରଜ ।
ତଥାପି ମନ ମୋର
ସବୁବେଳେ ଦଉଡରେ ସାମିଲ ହେବାକୁ
ଭିଡି ମୋଡି ହୋଇ ପଦାକୁ ବାହାରି ଆସୁଛି
ଆଉ କିଛି ବାଟ ଅନ୍ୟମାନଙ୍କୁ ଠୁଁ ଟପିଯିବାକୁ ।
ପ୍ରେମ ପ୍ରଣୟ ହର୍ଷ ବିଷାଦର କୋଳାହଳେ
ଜିଦ୍ କରା ଛୋଟ ଶିଶୁଟିଏ ପରି
ମନ ମୋର ହଜିଯାଇଛି
ଅଚିହ୍ନା ମଝି ରାସ୍ତାରେ ଠିଆ ହୋଇ
ଭାବୁଛି ବେଳେ ବେଳେ
ଏତେ ବାଟ ଅବା ମୋର କାହିଁକି ଗସ୍ତ
କାହାର ଅନୁସନ୍ଧାନେ ?
ଠିକଭୁଲ୍ ଲାଭକ୍ଷତିର ହିସାବ କରି କରି
ପକ୍କା ବ୍ୟବସାୟୀଟିଏ ହୋଇଯାଇଛି ୟା ଭିତରେ ।
ମୋ ଚାରିପଟେ ଏଠି କୋଳାହଳ
ନିର୍ଜନ ଜାଗାରେ ଏକୁଟିଆ
ଦିନେ ଦିନେ
ବାହାରିଲେ ତୁମ ସନ୍ଧାନରେ
ସେଠାରେ ବି କୋଳାହଳ ଭାରି ଭିଡ ।
ଶବ୍ଦର ଢେଉ ସବୁ ଅତଡା ଖାଏ କାନେ
ସ୍ମୃତିର ଚଢେଇମାନେ ବସା ବାନ୍ଧନ୍ତି ଆସି ମନଡାଳେ
ବୁଢୀଆଣୀ ଜାଲ ବେଢିଯାଏ ମୋ ଆଖିପତାରେ
ପୁରାପୁରି ଅନ୍ଧ ପାଲଟିଯାଏ
ତୁମକୁ ଭାବିବାରେ ଖାଲି ଯାହା ମୁଁ
ଛଳନା ଆଉ ଅଭିନୟ କରେ ।
ତୁମ ସହ ଏକାନ୍ତ ହୋଇନି କେବେ
କେତେବେଳେ ବା ସମୟ ମୋତେ
ନିଜକୁ ନିଜେ ଚିହ୍ନାଇବାକୁ ତୁ ଲମକୁ
ତୁମ ସହ ଯାଇ ସ୍ଵର୍ଗରୁ ପାରିଜାତ ଫୁଲ ଆଣିବାକୁ ।
ଦୁଃଖ ଖାଲି ମୋର ତୁମ ସହ ଦେଖା ହେଲାନି
ହେବ କି ନାହିଁ କହିପାରୁନାହିଁ
ଆଶା କିନ୍ତୁ ଭାରି କମ ।
ଚାତକର ଆଖିରେ ଦେଖୁଛି ଆଜି
କିଶୋରୀ ମନଟା ମୋର ତୁମରି ସନ୍ଧାନେ
ଲୋଭରେ ସିନା ବେକେ ପାଣିରେ ପଶିଛି
କିନ୍ତୁ ରହି ରହି ପାଣିରୁ ଡାକ ଛାଡୁଛି
ଅତି ଆକୁଳ ହୋଇ
ବାପାଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।