STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

କଥାରେ କଥାରେ

କଥାରେ କଥାରେ

1 min
23.1K


କଥାରେ କଥାରେ

ପଦ୍ମମଧୁ ଝରେ

ମନରେ ମହକେ ମଲ୍ଲୀ,

କଥାର ଛନ୍ଦରେ

ମନର ମରାଳ

ଚାଲୁଥାଏ ଝୁଲି ଝୁଲି। 


କଥା ମାଧୁରୀରେ

କୁଳୁକୁଳୁ ନାଦେ

ବହେ ମନ ନିର୍ଝରିଣୀ,

କଥାର ପରଶେ

ପାଷାଣ ହୃଦୟ

ସାଜେ ପଦ୍ମରାଗ ମଣି। 


କଥାର ଝଙ୍କାରେ

ତନୁ ପୁଲକଇ

ଓଠରୁ ଝରଇ ମହୁ,

ମନରେ ବହଇ

ଚୋରା ଚଇତାଳି

କୋଇଲି ରାବଇ କୁହୁ। 


କଥାରେ ଫୁଟଇ

ମନ ଅଗଣାରେ

ସରଗର ପାରିଜାତ,

ମନ ମନ୍ଦିରଟି

କଥା ସୁରଭିରେ

ହୋଇଯାଏ ସୁବାସିତ। 


ସୁମିଷ୍ଟ ବଚନେ

ସଂସାର ଲାଗଇ

ସରଗ ସୁଷମାମୟ,

କଠୋର ବଚନ

ବିତରଇ ଦୁଃଖ

ଖାଲି କଥା ଅପଚୟ। 


କଥା ସାଗରରେ

ଲୁଚି ରହିଅଛି

ଉଭୟ ବିଷ ପୀୟୂଷ,

ଭାଗ୍ୟବାନ ବାଣ୍ଟେ

ଅମୃତ ବଚନ

ଅଭାଗା ପରସେ ବିଷ। 


ତିକ୍ତ ବଚନର

ପରିଣତି ଖାଲି

ଅପଯଶ ପରାଜୟ,

ମଧୁର ବଚନ

କହି ଦେଖ ବନ୍ଧୁ!

ବିଶ୍ଵ କେଡ଼େ ମଧୁମୟ !



Rate this content
Log in

Similar oriya poem from Inspirational