କି ଲାଜ ମ
କି ଲାଜ ମ
ଲାଜ ଗହଣାରେ ସଜବାଜ ରାଣୀ
ନବବଧୂ ଓଡିଆଣୀ
ଝଟକେ ମଥାରେ ସିନ୍ଦୁର ତାହାର
ଝୀନ ଓଢଣୀକୁ ଟାଣି ।
ଝରି ପଡେ ହସ ମଲ୍ଲୀ ଯୂଇ ଯାଈ
ମଣ୍ଡିତ ଗଭା ସୁବେଶ
ବାଜେ ରୁଣୁଝୁଣୁ ପାଦରେ ନୂପୁର
ମହକେ ନନ୍ଦନ ବାସ ।
ହାତରେ ମେହେନ୍ଦୀ ନାଲି ଶଙ୍ଖାଚୂଡି
ପାଦରେ ଅଳତା ଚିତା
ଦେହ ତା ପରଶି ମଳୟ ପବନେ
ଭରେ ମୃଦୁ ଶୀତଳତା ।
ଲାଜକୁଳୀ ଲତା ବଧୂ ଓଡିଆଣୀ
ମାଧୁର୍ଯ୍ୟର ଗନ୍ତାଘର
ସୁକୋମଳ ତାର ହୃଦୟୁ ନିର୍ଝରେ
ସ୍ନେହପ୍ରେମ ସୁମଧୁର ।
କଜ୍ଜ୍ୱଳ ରେଖାରେ ତା ନୟନକୋଣେ
ସହିଷ୍ଣୁତା ନତମୁଖେ
ଲାଜଭରା ହସେ କୁହୁକ ତା ସ୍ପର୍ଶେ
ଉଲ୍ଲସେ ପ୍ରାଣ ପୁଲକେ ।
ଆହା କି ଅପୂର୍ବ ସେ ଲାଜ ମହିମା
ଆକର୍ଷଣ ସମ୍ପର୍କରେ
ପାରିନାହିଁ ବର୍ଣ୍ଣି କବିର ଲେଖନୀ
ସଂସାରେ ବିଶ୍ବ ମଣ୍ଡଳେ ।