ଆତ୍ମନିର୍ଭରଶୀଳ
ଆତ୍ମନିର୍ଭରଶୀଳ


ସେ ମୋ ଆଗରେ ଥିଲା ଆଉ ସିଏ ଥିଲା ମୋର ପଛେ,
ବଢ଼ୁଥିଲା ପାଦ ଆମର, ଏକ ଅଜଣା ଓଦା ବାଲି ପଥେ।
ଚମକି ନଥିଲି ମୁହିଁ, ଦେଖି କଳା ବଉଦ ଆକାଶେ,
ସେମାନେ ପରା ଚାଲୁଥିଲେ ମୋର ସାଥେ ସାଥେ।
ଅନ୍ଧାରରେ ବି ମୁଣ୍ଡ ଟେକି ଚାଲୁଥିଲା ସେ ମୋ ଆଗେ,
ସଚ୍ଚା ବଫାଦାର୍ ଭଳି ଆଜି ପୁଣି ବି ସେ ଲାଗେ।
ପାଦ ମୋର ଅବିରତ, ଅଗାଢ ବିଶ୍ୱାସ ଥିଲା ମୋ ମନରେ,
ତଥାପି ରକ୍ଷା ପାଇଁ ଧରିଥିଲି, ଖଣ୍ଡେ ଶକ୍ତ ବାଡ଼ି ହାତରେ।
ଫୁଲ ସାଙ୍ଗେ ଉଡ଼ୁଥିଲା ମାଆର ପଣତ କାନି,
ମୁକ୍ତ ବିହଙ୍ଗ ସାଜି ଛୁଁ ଥିଲା ସେ, ଅବନା ଅବନୀ।
ନା' ବଉଦକୁ ଡର ଥିଲା, ନା ଥିଲା ଭୟ ଅକାତ ପାଣିର,
ଆଗରେ ପରା ଦେଖୁଥିଲୁ, ଅପୂର୍ବ ଚମକ ସେ ମଣିର।
ଶୁଭିଲାନି ଆଉ ସେଠି କଟାକ୍ଷ ମଣିଷର,
ଅବଶ୍ୟ ଅଟକିବାର କିଛି ଠିକଣା ବି ନ ଥିଲା ଆମର।
ବାହାରି ଯାଉଛୁ ଆମେ ଏକ ଦୂର ନୂଆ ଦ
ୁନିଆକୁ,
"ପୀଡ଼ିତା", "ଅଶକ୍ତ", "ବୋଝ" ବୋଲି କହି, ବହୁ ଥଟ୍ଟା କରେ ଏଠି ସମାଜ ଆମକୁ।
ପଛ ବୁଲି ଦେଖିଲି, ବାଲିରେ ଆମ ପାଦ ଚିହ୍ନ,
ଘଡ଼ିଏ ଅଟକି ଯିବାକୁ ବାଧ୍ୟ କଲା ମନ।
ବିନା ଓଠେ ଗାଉଥିଲେ ସେ ଅନେକ ଅଜଣା ଧ୍ଵନି,
ଜମାରୁ ନଥିଲେ ସେମାନେ ମୋ ପରି ଖନି।
ଶ୍ୱାନର ସେ ଚାରି ପଦ ଚିହ୍ନ ବୁଝାଇଲେ 'ଆତ୍ମପରିଚୟ'କୁ,
ମଝିରେ ମୋ ପଦ ଚିହ୍ନ ଦ୍ବୟ ଦେଖାଉଥିଲେ ସେହି 'ଆତ୍ମରକ୍ଷା'କୁ।
ଶେଷରେ ପଡ଼ିଥିଲା ମୋ ମାଆର ଦୁଇ ପଦ ଚିହ୍ନ,
ଉଚ୍ଚ ସ୍ୱରେ ଚିହ୍ନାଇଲେ ସେମାନେ ଅଲିଭା ଆତ୍ମସମ୍ମାନ।
ଗୋଟିଏ ସ୍ରଷ୍ଟାର ଯେ ଭିନ୍ନ ଭିନ୍ନ ଆମେ ସୃଷ୍ଟି,
ବାହାରିଛୁ ଏକ ହୋଇ ବଦଳାଇବାକୁ ସମସ୍ତଙ୍କ ଦୃଷ୍ଟି।
ଇତିହାସର ନଦୀ ତୀରେ ଆମେ ଛାଡିଗଲୁ ଏକ ଶିକ୍ଷା,
ହେ ସମାଜ! 'ଆତ୍ମନିର୍ଭରଶୀଳ' ହେଉ ତୁମ ଜୀବନର ଦୀକ୍ଷା।