Santosh Kumar Misra

Inspirational

5.0  

Santosh Kumar Misra

Inspirational

ଅନୁଭୂତି - ୧୬

ଅନୁଭୂତି - ୧୬

6 mins
286


ମୋର ପୋଷ୍ଟିଂ ହେଇଥାଏ ସରକରୀ ହିସାବରେ ଗୋଟେ ପଛୁଆ ଜିଲ୍ଲାରେ l ସେହି ଅଞ୍ଚଳରେ ପୋଷ୍ଟିଂ ହେଲେ ଅଧିକାରୀମାନେ ଲାଗି ପଡନ୍ତି କେମିତି ତାହାକୁ ବାତିଲ୍‌ କରି ଗୋଟିଏ ସୁବିଧା ଯାଗକୁ ପୋଷ୍ଟିଂ କରେଇବେ l କେହି କେହି ସଫଳ ହୁଅନ୍ତି, କେହି କେହି ବିଫଳ ହେଇ କାନମୁଣ୍ଡା ଆଉଁସି ଆଉଁସି ଯାଇ କାମରେ ଯୋଗ ଦିଅନ୍ତି l ଯେଉଁମାନେ ବିଳମ୍ବ କରି କାମରେ ଯୋଗ ଦିଅନ୍ତି ସେମାନଙ୍କର କାମରେ ତ ମନ ଲାଗି ନଥାଏ, କିନ୍ତୁ ତାଙ୍କୁ ଅନେକ ମାଲିକ ମିଳି ଯାଆନ୍ତି l ମୁହୂର୍ତ୍ତ ମୁହୂର୍ତ୍ତର ପରିସ୍ଥିତିକୁ ଖାପ ଖୁଆଇ ଯିଏ ଚଳିଲା ସେ ସିକନ୍ଦର, ନହେଲେ କଥା ସରିଲା l ବିଶେଷ ଭାବରେ ସେହି ଜିଲ୍ଲାରେ ଜିଲ୍ଲାପାଳ ଭାବେ ନିଜୁକ୍ତି ପାଉଥିବା ହାକିମମାନେ ଯଦି ନିଜକୁ ଭଗବାନଙ୍କର ଅବତାର ବୋଲି ଭାବି ନିଅନ୍ତି ତେବେ କନିଷ୍ଠ ହାକିମ ହୁଅନ୍ତୁ କି କିରାଣି ସମସ୍ତଙ୍କ ପାଇଁ ଜଟିଳ ପରିସ୍ଥିତି ଉପୁଜେ l ଲୋକସେବାର ଆଭିମୂଖ୍ୟ ଆତ୍ମ ବଡିମା ଓ ଖୋସାମତିଆ ଚାମଚାଗିରୀ ର ବତାବରଣ ଭିତରେ କୁଆଡେ ହଜିଯାଏ l ମୁଁ ମୋ ଚାକିରୀ ଜୀବନରେ ଏମିତି ଜଣେ ଜିଲ୍ଲାପାଳଙ୍କୁ ସାମନା କରିଥିଲି ଯିଏ କନିଷ୍ଠ ଅଧିକାରୀମାନଙ୍କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ସେମାନଙ୍କୁ ସର୍ବଦା ଅଶାଳୀନ ବ୍ୟବହାର କରୁଥିଲେ l କଥା କଥାରେ ଟେବୁଲ୍‌ ଉପରୁ ପେପରୱେଟ୍‌, କାଚଗ୍ଲାସ୍‌ କି ଟେବୁଲ୍‌ ଲ୍ୟାମ୍ପ୍‌ ଉଠେଇ ଫୋପାଡୁଥିଲେ l ସର୍ବ ସାଧାରଣରେ କନିଷ୍ଠ ଅଧିକାରୀଙ୍କୁ ଶାଲା ପଇସା ଖାଉଛୁ ବୋଲି କହି ତିରସ୍କାର କରିବାଟା ତାଙ୍କର ଏକ ରୀତିମତ୍‌ ଅଭ୍ୟାସ ଥିଲା l ଜିଲ୍ଲାପାଳଙ୍କର ଅଖଣ୍ଡ କ୍ଷମତାକୁ ହୃଦୟଙ୍ଗମ କରି ଅଧିକାରୀମାନେ ଚୁପ୍‌ ରହିଯାଉଥିଲେ l କିନ୍ତୁ ସେମାନଙ୍କ ମଧ୍ୟରେ ଅଶାନ୍ତି ଦାନା ବନ୍ଧୁଥିଲା l ବେଳକୁ ବେଳ ଅବସ୍ଥା ଗୁରୁତର ହେବାକୁ ଲଗିଲା l ଚିନ୍ତା ପଡିଲା ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ l କିଏ ଜିଲ୍ଲାପାଳଙ୍କୁ ଅଧିକାରୀମାନଙ୍କ ର ଅଶାନ୍ତି ସମ୍ପର୍କରେ ସୁଚନା ଦେବ୤


ସମୟ ଗଡି ଚାଲିଲା l ମୋତେ ଖବର ମିଳିଲା ଜିଲ୍ଲାପାଳ ମୋ ବ୍ଲକକୁ କାର୍ଯ୍ୟ ସମୀକ୍ଷା କରିବାକୁ ଆସିବେ l ଜିଲ୍ଲାପାଳଙ୍କର ବ୍ୟକ୍ତିଗତ ସହକାରୀ ପନ୍ଦର ମିନିଟ୍‌ ମୋତେ ଫୋନ୍‌ରେ ଟ୍ୟୁସନ୍‌ କରି ସାରିଥାଆନ୍ତି l ମୋର ସାଥୀ ଅଧିକାରୀମାନେ ଫୋନ୍‌ କରି ତାଙ୍କର ବ୍ୟସ୍ତତା ମୋତେ ଜଣେଇ ଚାଲିଲେ l ଅଣ୍ଟି ଅଣ୍ଟି ଉପଦେଶ ନେଇ ମୁଁ ପାଗଳ ହେଇଗଲି କହିବାକୁ ଗଲେ l ଏ ସବୁର କାରଣ ଥିଲା ସମସ୍ତେ ମୋତେ ଜଣେ ସ୍ପଷ୍ଟବାଦୀ ଓ ସ୍ୱାଧିନଚେତା ଅଧିକାରୀ ବୋଲି ଧରି ନେଇଥିଲେ, ଯେଉଁ ଗୁଣଟି ଜିଲ୍ଲାପାଳଙ୍କୁ କ୍ଷତାକ୍ତ କରୁଥିଲା l ଜିଲ୍ଲାପାଳଙ୍କର ଗସ୍ତ କାର୍ଯ୍ୟକ୍ରମ ମୁଁ ସବୁ କର୍ମଚାରୀଙ୍କୁ ଜଣେଇ ସାରିଥାଏ l ଷ୍ଟାଫ୍‌ମାନେ ଲାଗିପଡିଲେ, ଫାଇଲ୍‌ରୁ କାଗଜ ଭିଡିକି ସଫା କରା ଚାଲିଲା, ପୁରୁଣା ପରିତ୍ୟକ୍ତ ସାର୍ଟପେଣ୍ଟ ସବୁ ସଫାକରି ଇସ୍ତ୍ରୀ କରା ହେଉଥାଏ l ଏମିତି କେତେ କଅଣ l ମୋତେ ଏ ସବୁ ଆଶ୍ଚର୍ଯ୍ୟ ଲାଗୁ ନଥିଲା l କାରଣ କିଏ କେଉଁ ପ୍ରକୃତିର ଓ କାହାର ସ୍ୱଭାବ କେମିତି ଏ ସବୁ ମୁଁ ପ୍ରାୟ ଜାଣି ସାରିଥାଏ ମୋର କ୍ଷୁଦ୍ର ରହଣି ସମୟରେ ସେଠି୤


            ପରଦିନ ସକାଳୁ ସକାଳୁ ଅଫିସ୍‌ ବହୁତ ଚଳଚଞ୍ଚଳ ହେଇ ଯାଇଥାଏ l ମୁଁ ଯେଉଁମାନଙ୍କୁ ଅଫିସ୍‌ କେବେ ନିର୍ଦ୍ଧାରିତ ସମୟରେ ଆସିବା ଦେଖି ନଥିଲି ସେମାନେ ସକାଳ ୭ଟା ବେଳକୁ ଅଫିସ୍‌ରେ ପଇଁତରା ମାରୁଥିବାର ଦେଖି ଭାବୁଥିଲି ଏମିତି ସବୁଦିନ ଗୋଟେ ଖବର ଆସୁଥାଅନ୍ତା କି ବ୍ଲକକୁ l ଅନ୍ତତଃ ବ୍ଲକ ଅଧିକାରୀ ଚିହ୍ନନ୍ତେ କିଏ ତାଙ୍କ ବ୍ଲକର କର୍ମଚାରୀ l ଜିଲ୍ଲାପାଳ ସଦର ମହକୁମା ଛାଡିଲେ l ବ୍ୟକ୍ତିଗତ ସହାୟକ କାଳ ବିଳମ୍ବ ନକରି ଜଣେଇଦେଲେ ମୋତେ l ପୁଣି ମନେ ପକେଇ ଦେଲେ କ୍ରମାନ୍ୱୟରେ ଜିଲ୍ଲାପାଳଙ୍କ ଗସ୍ତ ସମୟର ସବୁ ପୂର୍ବ ମାର୍ଗଦର୍ଶିକା l ଚିହ୍ନା ଅଚିହ୍ନା ଅନେକ ଲୋକ ଜିଲ୍ଲାପାଳଙ୍କ ଗତି ପ୍ରଗତିର ଏକ ନିରବିଛିନ୍ନ ଧରା ବିବରଣୀ ମୋତେ ଦେଇ ଚାଲି ଥାଆନ୍ତି l ସେହି ବିବରଣୀର ପ୍ରତ୍ୟେକ ଶବ୍ଦରୁ ମୁଁ ସେମାନଙ୍କର ସ୍ୱାର୍ଥ ବାରି ପାରୁଥାଏ l ହେଲେ ଚୁପ୍‌ ରହୁଥାଏ l ଜିଲ୍ଲାପାଳଙ୍କ ଗାଡି ଅଫିସ୍‌ ପରିସରକୁ ପଶିଲା କ୍ଷଣି ସେହି ବ୍ଲକର ଜଣେ ଅଧିକାରୀ ପଡି ଉଠି ଆସି ମୋତେ ଖବର କଲେ l ସମସ୍ତେ ଚାହୁଁଥିଲେ ମୁଁ ଦଉଡି ଯିବି ଜିଲ୍ଲାପାଳଙ୍କୁ ଶଙ୍ଖୋଳିବା ପାଇଁ l ମୁଁ ସେମିତି କିଛି କଲି ନାହିଁ l ମୁଁ ମୋ କୋଠରିରେ ବସି ରହିଲି ମୋ ଚୌକିରେ ଜିଲ୍ଲାପାଳଙ୍କ ଆସିବା ପର୍ଯ୍ୟନ୍ତ ଏବଂ ସେ ଆସିବା ପରେ ମୁଁ ଯଥାମାନ୍ୟ ସମ୍ମାନ ଦେଇ ତାଙ୍କୁ ଆସନ ଗ୍ରହଣ କରିବାକୁ ଆନୁରୋଧ କଲି l ଜିଲ୍ଲାପାଳ ଅଫିସ୍‌ ରେ ବସିଲେ l କ୍ଷେତ୍ର ପରିଦର୍ଶନରେ ଯିବାକୁ ସେ ଇଚ୍ଛା କଲେ l ସେ ସାଙ୍ଗରେ ଆଣିଥିଲେ କିଛି କାଗଜ ପତ୍ର ଯେଉଁଥିରେ ଲେଖାଥିଲା ଅନେକ ଅଭିଯୋଗ ବ୍ଲକ ପ୍ରଶାସନ ବିରୁଦ୍ଧରେ l ଜିଲ୍ଲାପାଳ ଚାହିଁଲେ ଗୋଟିଏ ଉପାନ୍ତ ଅଞ୍ଚଳର ପଞ୍ଚାୟତକୁ ଯିବାପାଇଁ l ଆମର କିଛି ମତାମତ ନଥିଲ କେବଳ ଜିଲ୍ଲାପାଳଙ୍କର ଆଦେଶ ପାଳନ କରୁଥିଲୁ l ଆମର ପ୍ରତ୍ୟେକଟି ଆଚରଣକୁ ଅନେକ ଆଖି ପରଖୁ ଥାଆନ୍ତି୤


କ୍ଷେତ୍ର ପରିଦର୍ଶନରେ ବହରିବା ଆଗରୁ ମୁଁ ଜିଲ୍ଲାପାଳଙ୍କୁ ଜଣେଇଲି କି ନିର୍ଦ୍ଦିଷ୍ଟ ପଞ୍ଚାୟତର ଦୂରତା ବେଶୀ ଥିବାରୁ ଦିପହର ଖାଇବା ବାଟରେ ପ୍ରସ୍ତୁତ ହେବା ସମ୍ଭବ ହବନି l ତେଣୁ ବ୍ଲକ ଅଫିସ୍‌କୁ ଫେରି ଆସିବାକୁ ହେବ ଦିପହରର ଖାଇବା ପାଇଁ l ଜିଲ୍ଲାପାଳ କହିଲେ ସେ ସାଙ୍ଗରେ ଖାଇବା ଅଣି ଆସିଛନ୍ତି ତେଣୁ ମୁଁ ସେହି ବିଷୟରେ ଚିନ୍ତା ନକରି କାମରେ ଧ୍ୟାନ ଦେବା ଉଚିତ୍‌ l ମୋ ପାଟିରୁ ଖସିଗଲା ଯେ ମୁଁ ଜିଲ୍ଲାପାଳଙ୍କ ଖଇବା ସହିତ ମୋର ଯେଉଁ ଷ୍ଟାଫ ସାଙ୍ଗରେ ଯାଉଛନ୍ତି ସେମାନଙ୍କର ଖାଇବା କଥା ମଧ୍ୟ ବୁଝିବାକୁ ବାଧ୍ୟ ହେଉଛି l ମୋ କଥା ପରେ ଗୋଟେ ଚାପା ଗୁଞ୍ଜରଣ ସୃଷ୍ଟି ହେଲା ଅଫିସ୍‌ରେ l ଜିଲ୍ଲାପାଳ କିନ୍ତୁ ଟିକିଏ ନିରବ ରହିବା ପରେ କହିଲେ ଠିକ୍‌ କଥା ଆମେ ଫେରି ଆସିବା l ଆଗରୁ ମୁଁ ଖବର ପଠେଇଥାଏ ପଞ୍ଚାୟତକୁ ଜିଲ୍ଲାପାଳଙ୍କ ଗସ୍ତର l ଆମେ ପହଞ୍ଚିଲା ବେଳକୁ ପଞ୍ଚାୟତ ଅଫିସ୍‌ରେ ଭିଡ ଲାଗିଯାଇଥାଏ l ସେଭଳି ଇଲାକାକୁ ଜିଲ୍ଲାପାଳ କାଁ ଭାଁ ଗସ୍ତରେ ଯାଇଥାଆନ୍ତି l ଯଦି କେହି ଗଲେ ତେବେ ସେ ପ୍ରାୟତଃ ଭାବନ୍ତି କି ଯେମିତି ସେ ବଣଭୋଜିରେ ଯାଇଛନ୍ତି l ଜିଲ୍ଲାପାଳଙ୍କୁ ବହୁତ ଫୁଲମାଳ ମିଳିଲା ବାଜା ବଜେଇ ନାଚ ନାଚି ଜିଲ୍ଲାପାଳଙ୍କୁ ସ୍ୱାଗତ କରାଗଲା l ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗ୍ରାମବାସୀ ଆସି ମୋତେ ସାଷ୍ଟାଙ୍ଗ ପ୍ରଣାମ ଜଣାଉଥାଆନ୍ତି l ମୁଁ ଅନୁଭବ କରୁଥିଲି ଜିଲ୍ଲାପାଳ ଖୁବ୍‌ ସତର୍କତାର ସହିତ ତାହା ଉପରେ ନଜର ରଖିଥାଆନ୍ତି୤


ପଞ୍ଚାୟତ ଅଫିସ୍‌ରେ ଜିଲ୍ଲାପାଳଙ୍କ ଦରବାର ଆରମ୍ଭ ହେଲା l ଜିଲ୍ଲାପାଳ ପ୍ରାରମ୍ଭିକ ଭାଷଣରେ କହିଲେ ଆପଣଙ୍କ ପଞ୍ଚାୟତରୁ ବ୍ଲକ ବିରୁଦ୍ଧରେ ଯାଇଥିବା ଅଭିଯୋଗକୁ ମୁଁ ସରଜମିନ୍‌ରେ ତଦନ୍ତ କରିବାକୁ ଆସିଛି l ଆପଣମାନେ ଜଣ ଜଣ କରି ଆପଣଙ୍କ ଅଭିଯୋଗ ଯାହା ଅଛି କୁହନ୍ତୁ ତାହା ତତ୍‌କ୍ଷଣାତ୍‌ ସମାଧାନ କରାଯିବ l ଉପସ୍ଥିତ ଜଣେ ବୃଦ୍ଧା ଉଠିପଡି କହିଲେ “ କିଏ ମୋ ପୁଅକୁ ଗାଳି ଦେଲା? ସେ ତ ଆସିବାରୁ ଆମ ଗଁକୁ ରାସ୍ତା ହେଲା, ନଳକୂପ ମିଳିଲା, ନିୟମିତ ଚାଉଳ କିରାସିନି ମିଳିଲା, ସ୍କୁଲ ମାଷ୍ଟ୍ରେ ନିୟମିତ ସ୍କୁଲ ଖୋଲିଲେ , ଆଙ୍ଗନବାଡି ଥିକରେ ଚାଲିଲା , ଏ କାମ କଅଣ ସିଏ ଭୁଲ କରିଛି?” କେହି କିଛି କହିବା ପୂର୍ବରୁ ସେ ମୋ ପାଖକୁ ଆସି ତାଙ୍କ ଲୁଗା କାନିରେ ମୋ ମୁହଁକୁ ପୋଛି ମୋତେ ଦୀର୍ଘାୟୁ ହୁଅ ବୋଲି ଆଶୀର୍ବାଦ କଲେ l ଜିଲ୍ଲାପାଳ ଭାବିନେଲେ ତାହା ମୋର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା l ଅଭିଯୋଗ ଗ୍ରହଣର କର୍ଯ୍ୟ ଆରମ୍ଭ ହେଲା l ପ୍ରଥମେ ଲୋକ ଜିଲ୍ଲାପାଳଙ୍କୁ ଭରସି କରି କିଛି କହିଲେ ନାହିଁ l କିନ୍ତୁ ପରେ ପରେ ଅଭିଯୋଗର ଗତି ବଢିଲା l କେହି ବାଦ୍‌ ପଡିଲେନି l ମୋତେ ବୁଝିବା ବାକି ନଥିଲା ଯେ ସମସ୍ତଙ୍କ ଭିତରେ ମୁଁ ଥିଲି ଜିଲ୍ଲାପାଳଙ୍କର ପ୍ରକୃତ ଲକ୍ଷ୍ୟ l


ଜଣେ ଯୁବକ ତାଙ୍କ ବୃଦ୍ଧ ବାପାଙ୍କୁ ନେଇ କୋଠରି ଭିତରକୁ ଆସିଲେ ଓ ଅଭିଯୋଗ କଲେ କି ବିଡିଓ ତାଙ୍କ ଭତ୍ତା କଗଜ ମଞ୍ଜୁର ପାଇଁ ପଠାଉ ନାହାନ୍ତି l ଜିଲ୍ଲାପାଳ ବିରକ୍ତ ହେବାକୁ ଲାଗିଲେ l ଆମକୁ କାରଣ ପଚାରିଲେ l ସେହି ପଞ୍ଚାୟତର ଗ୍ରମସେବକ ଜଣେ ସଦ୍ୟ ସ୍ନାତକଧାରୀ ଯୁବକ l ସେ ମଧ୍ୟ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ l ସେ କହିଲେ ଗ୍ରାମରେ ଥିବା ଅନ୍ୟ ବୃଦ୍ଧ କି ବୃଦ୍ଧା ନିର୍ଦ୍ଦିଷ୍ଟ ବୃଦ୍ଧଙ୍କ ଠାରୁ ଅଧିକ ଅସହାୟ l ତାଙ୍କୁ ସାଙ୍ଗରେ ନେଇ ଆସିଥିବା ଯୁବକ ଜଣକ ତାଙ୍କର ପୁଅ ଓ ସେ ସେହି ଗ୍ରାମର ପ୍ରାଥମିକ ସ୍କୁଲରେ ଜଣେ ଶିକ୍ଷକ l ଗ୍ରାମର ଅନ୍ୟ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଅଣଦେଖା କରି ସେହି ବୃଦ୍ଧ ଓ ତାଙ୍କର ସ୍ତ୍ରୀ ଙ୍କୁ ରିଲିଫ କୋର୍ଡ ଅନୁସାରେ ପ୍ରତ୍ୟହ ଦିନବେଳା ଜିଲ୍ଲାପାଳଙ୍କ ଆଦେଶ ମତେ ମଗଣା ଖାଇବାକୁ ଦେବାର ବ୍ୟବସ୍ଥା କରାଯାଇଛି l ଜିଲ୍ଲାପାଳ ହୃଦୟଙ୍ଗମ କଲେ ଯେ ସେ ଜଣେ ସରକରୀ କର୍ମଚାରୀଙ୍କର ବାପାଙ୍କୁ ରିଲିଫ କୋର୍ଡ ଅନୁସାରେ ଖାଇବାକୁ ଦେଲେ ଯିଏ ସେମିତି ଅସହାୟ ନୁହନ୍ତି l ତାଙ୍କ ପରେ ଅନ୍ୟଜଣେ ଯୁବକ ଜଣେ ବୃଦ୍ଧାଙ୍କୁ ନେଇ ପହଞ୍ଚିଲେ l ସେହି ଏକା ଅଭିଯୋଗ l ବିଡିଓ ଭତ୍ତା ଦେଲେନି l ଗ୍ରାମ ସେବକ ତୁରନ୍ତ କହିଲେ ଏହି ବୃଦ୍ଧା ଅଗରୁ ଆସିଥିବା ବୃଦ୍ଧଙ୍କ ସ୍ତ୍ରୀ ଓ ସାଥୀରେ ଆସିଥିବା ଯୁବକ ତାଙ୍କର ସାନପୁଅ ଯିଏକି ସେହି ପଞ୍ଚାୟତର ଅନ୍ୟ ଏକ ସ୍କୁଲରେ ଶିକ୍ଷକତା କରନ୍ତି l ଜିଲ୍ଲାପାଳ ରାଗିଗଲେ ଓ ସଙ୍ଗେ ସଙ୍ଗେ ପଲ୍ଲିସଭା କରେଇ ପ୍ରକୃତ ଅସହାୟଙ୍କୁ ରିଲିଫକୋର୍ଡ ମୁତାବକ ମାଗଣା ଖାଇବାକୁ ଦେବାର ଆଦେଶ ଦେଲେ l ସଭାରେ ସବୁ ଭତ୍ତା ଦରଖାସ୍ତ ବିଡିଓ ପୁନଃ ଯାଞ୍ଚ କରିବେ କହି ଜିଲ୍ଲାପାଳ ପଞ୍ଚାୟତ ଅଫିସ୍‌ରୁ ବାହାରିଲେ l


            ଫେରିବା ବାଟରେ ଜିଲ୍ଲାପାଳଙ୍କ ନଜର ପଡିଲା ଏକ ସଦ୍ୟ ସମାପ୍ତ ଗ୍ରାମ୍ୟ କଂକ୍ରିଟ୍‌ ରାସ୍ତା ଉପରେ l ସେ ଗାଡି ଅଟକେଇ ଦେଇ ସାଙ୍ଗରେ ଆଣିଥିବା ଅଭିଯୋଗ ଚିଠା ଖୋଲିଲେ l ମୋତେ ଗ୍ରାମର ନାମ ପଚାରିନେଇ ନିଶ୍ଚିତ ହେଲେ କି ଅଭିଯୋଗଟି ସେହି ରାସ୍ତା ସଂକ୍ରାନ୍ତରେ l ଅଭିଯୋଗ ହେଲା କାମ ନିମ୍ନ ମାନର ହେଇଛି l ବିଡିଓ ପଇସା ଖାଇ ଠିକାଦାରଙ୍କୁ ବିଲ୍‌ ଦେଇଦେଲେ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ l ଠିକ୍ ସେହି ସମୟରେ କିଛି ଦିନ ମଜୁରିଆ ଲୋକ ଆସି ସେହି ରାସ୍ତା କଡରେ ଥିବା ଏକ ନଳକୂପରେ ପଣି ମାର୍ ତାଙ୍କ ସାଜ ସରଞ୍ଜାମ ଧୁଆଧୁଇ କଲେ l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଫଳରେ ସେମାନେ ତଙ୍କର ଶାବଳ ଓ ଗୟିନ୍ତି ଧରି ପକ୍କା ରାସ୍ତାକୁ ଖୋଳିଲେ l ଶାବଳ ମାଡରେ ପକ୍କା ରାସ୍ତା ରୁ ନିଆଁ ଝୁଲ ଛିଟୁକୁ ଥାଏ l ଜିଲ୍ଲାପାଳ ତାକୁ ମଧ୍ୟ ପ୍ରାୟୋଜିତ ବୋଲି ଧାରଣା କଲେ l ପରେ ହଠାତ୍‌ ଗାଡିରୁ ଓହ୍ଲାଇଯାଇ ନିଜେ ଗୋଟେ ବଡ ପଥର ଟେକି ରାସ୍ତ ଉପରେ ପକେଇଲେ l ଦୁର୍ଭାଗ୍ୟକୁ ତାହା ଜିଲ୍ଲାପାଳଙ୍କ ଡାହାଣ ଗୋଡର ବୁଢା ଆଙ୍ଗୁଠି ଉପରେ ପଡିଲା ଓ ଆଙ୍ଗୁଠି ଫାଟି ଛିନ୍‌ଛତ୍ର ହେଇଗଲା l ଯନ୍ତ୍ରଣାରେ ଛଟପଟ ହେଲେ ଜିଲ୍ଲାପାଳ l ସେହି ଅଞ୍ଚଳରେ ସାଧାରଣ ଦିନରେ ଡାକ୍ତର ଆସନ୍ତିନି ଡାକ୍ତରଖାନାକୁ l କିନ୍ତୁ ସେହି ଗ୍ରମର ଜଣେ ସାମ୍ବାଦିକ ଯିଏ ଜିଲ୍ଲାପାଳଙ୍କୁ ଚିହ୍ନି ତାଙ୍କ ପାଖକୁ ଆସିଥିଲେ ସୌଜନ୍ୟତା ଦେଖେଇବାକୁ ମୋତେ କହିଲେ ଯେ ସେହି ଦିନ ଡାକ୍ତର ଅଛନ୍ତି ଡାକ୍ତର ଖାନାରେ l ମୁଁ ଆଗୁଆ ଖବର ପଠେଇଲି ଡାକ୍ତରଙ୍କୁ ଓ ତୁରନ୍ତ ଜିଲ୍ଲାପାଳଙ୍କୁ ନେଇ ପାଖ ଗାଁର ଡାକ୍ତରଖନାକୁ ଗଲି l ସେଠାରେ ଜିଲ୍ଲାପାଳଙ୍କର ଉପଚାର କରାଗଲା l ପରେ ପରେ ବ୍ଲକକୁ ଆମେ ଫେରିଲୁ୤


            ବ୍ଲକର ସଭାଘରେ ଜିଲ୍ଲାପାଳଙ୍କ ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରାଯାଇଥାଏ l ଜିଲ୍ଲାପାଳ ସାଙ୍ଗରେ ତାଙ୍କର ଖାଇବା ଆଣି ଆସିଥିଲେ l ଡ୍ରାଇଭର ଖାଇବା ନେଇ ଆସିଗଲେ l ଜିଲ୍ଲାପାଳ ମୋତେ ମୁଁ କୋଉଠି ଖାଇବି ପଚାରିଲେ l ମୁଁ ବ୍ଲକରେ ଭାତ, ଡାଲମା ଓ ଆଳୁ ଭରତା ଆଦି ରୋଷେଇ କରିଛି ସବୁ ଷ୍ଟାଫଙ୍କ ପାଇଁ ବୋଲି ଜଣେଇଲି ଓ କହିଲି ମୁଁ ସେଠି ଖାଇବି ଷ୍ଟାଫଙ୍କ ସହିତ ଜିଲ୍ଲାପାଳଙ୍କର ପ୍ରସ୍ଥାନ ପରେ l ଜିଲ୍ଲାପାଳ ହଠାତ୍‌ ଆମର ବଡବାବୁଙ୍କୁ କହିଲେ ଏଠି ଆଉ ଏକ ଟେବୁଲ ରଖନ୍ତୁ ବିଡିଓଙ୍କ ପାଇଁ ଓ ବ୍ଲକରେ ରନ୍ଧା ହେଇଥିବା ଖାଦ୍ୟ ଆମ ଦୁଇଜଣଙ୍କୁ ପରଶନ୍ତୁ l ଷ୍ଟାଫ ଖୁସିରେ ଗଦ୍‌ଗଦ ହେଇଗଲେ l

-----------------------------------------------------------------



Rate this content
Log in

More english story from Santosh Kumar Misra

Similar english story from Inspirational