Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Children Stories Inspirational Others

4.3  

Sambit Srikumar

Children Stories Inspirational Others

ବିଡ଼ାଏ ଶାଗ

ବିଡ଼ାଏ ଶାଗ

5 mins
297



ମଇ ମାସର ଦ୍ବିତୀୟ ରବିବାର। ଜଗତ କୁଖ୍ୟାତ ମହାମାରୀ କରୋନାର ପ୍ରତିରୋଧ କରିବା ପାଇଁ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ତାଲାବନ୍ଦ ଯୋଗୁଁ ଚାରିଆଡ଼େ ଖାଁ ଖାଁ ଦିଶୁଥାଏ। ସକାଳର କଅଁଳ ଖରାଟା ବି ମଧ୍ୟାହ୍ନର ରୌଦ୍ର ତାପ ଠାରୁ ଅଧିକ ବାଧୁଥାଏ, ମୁହଁ ଜଳିଗଲା ପରି ଲାଗୁଥାଏ। ବାହାରକୁ ଯିବା ପାଇଁ ଆଦୌ ଇଛା ନଥାଏ କରୋନା ଭୟରେ, କିନ୍ତୁ ଘରଣୀଙ୍କ ବରାଦ ମାଂସ ଆଣିବା ପାଇଁ। ଘରଣୀଙ୍କ କଥାକୁ ଅନ୍ଯଥା କରିବା ଅର୍ଥ ବିପତ୍ତିକୁ ଆମନ୍ତ୍ରଣ କରିବା! ଏଣୁ ବାଧ୍ଯ ହୋଇ ଅନିଚ୍ଛା ସତ୍ତ୍ବେ ବଜାରକୁ ବାହାରିଲି ସ୍କୁଟର ଧରି। 


ଡ଼ମଣା ଛକରେ ଥିବା ଟିକି ମିଆଁର ମାଂସ ଦୋକାନକୁ ଯାଇ ଦେଖେ ତ ସେଠି ଅସମ୍ଭବ ଭିଡ଼! ସାମାଜିକ ଦୂରତ୍ବଟା ଏଠି ଆଇନକୁ ଆଖି ଠାର ମାରୁଥିଲା ଯାହା। କାହାରି ମୁହଁରେ ମୁଖା ନାହିଁ। ସତେ ଯେମିତି କିଛି ବି ଘଟିନାହିଁ ଏଇ ଦୁନିଆରେ! ମୋତେ ସଂକ୍ରମଣ ଲାଗି ଡର ଲାଗୁଥିଲେ ମଧ୍ଯ ନିରୁପାୟ ହୋଇ ଘରଣୀଙ୍କ ଇଛା ପୂର୍ତ୍ତି ପାଇଁ ଧାଡ଼ିରେ ଠିଆ ହେଲି ରଡ଼ ଖରାକୁ ସହି। ବଡ଼ ଅସ୍ବସ୍ତିକର ଅନୁଭବ କରୁଥିଲି ମୁଁ। ତଥାପି ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନକୁ ବୁଝାଇ ଦେଲି। ଥରେ ମନ ବୁଝିଗଲା ପରେ ଖରାଟା ଆଉ ଏତେ ବାଧିଲା ନାହିଁ। 


ଘଣ୍ଟାଏ କାଳ ରଡ଼ ଖରାରେ ଠିଆ ହୋଇ ସିଝିବା ପରେ ଯାଇ ମୋ ପାଳି ପଡିଲା। କିଲେ ମାଂସ ପାଇଁ ବରାଦ ଦେବାରୁ ଟିକି ମିଆଁ ଦେଢ଼ ଗୁଣା ଦାମ୍ ଶୁଣାଇଲା ଟିକେ ରୁକ୍ଷ ଭାବେ। ପାଖାପାଖି ପାଞ୍ଚ ବର୍ଷ ହେବ ମୁଁ ଏଇ ଟିକି ମିଆଁର ନିୟମିତ ଗରାଖ। ଭଲ ପରିଚୟ ମୋର ତା' ସହ। ଘରେ, ଅଫିସରେ କିମ୍ବା ସାଙ୍ଗସାଥୀରେ କାହାର ଭୋଜିଭାତ ଲାଗି ଅଧିକ ପରିମାଣରେ ମାଂସ ଦରକାର ହେଲେ ଏଇଠୁ ହିଁ ବରାଦ କରାଯାଏ। ଓଜନରେ ବେଶୀ ଠକା ଠକି କରେ ନାହିଁ ସେ। ଅପେକ୍ଷାକୃତ ଭଲ ଗୁଣମାନର ଖାସି ମାଂସ ଦିଏ ବୋଲି ଏଇ ଆମ ଡ଼ମଣା ବଜାରରେ ଟିକେ ଅଧିକ ଭାଉ ଟିକି ମିଆଁର। ଆଗରୁ ଦାମ୍ ବଢ଼ାଇଲେ ଖୁବ୍ ନମ୍ର ଭାବେ ଅନୁରୋଧ କରି କହୁଥିଲା ସେ। ହେଲେ ଏଇ ତାଲାବନ୍ଦରେ ଏକବାରକେ ନିଜର ଅସଲି ରୂପ ଦେଖାଉଛି! ଅଗତ୍ୟା ଲୋକ ଲଜ୍ଜାକୁ ଡରି ବିନା କୌଣସି ଯୁକ୍ତି ତର୍କରେ ଚୁପ୍ ଚାପ୍ ପଇସାଟା ପଇଠ କରି ଏକମୁହାଁ ହୋଇ ଆସି ସ୍କୁଟର ପାଖରେ ହାଜର ମୁଁ। 


ମନେ ମନେ ଭାବୁଥିଲି ଏଇ ଦିନ କେଇଟାର ତାଲାବନ୍ଦରେ କୋଟିପତି ହେବାକୁ ସ୍ବପ୍ନ ଦେଖୁଛି ଟିକି ମିଆଁ। କେହି କୋଟିପତି ହେଲେ ମୋର କିଛି ଆପତ୍ତି ନାହିଁ। ହେଲେ ମୋତେ ଠକିକି ଅଧିକ ପଇସା ନେଲେ ବାଧିବ ହିଁ ବାଧିବ। ଏଇଟା ସାଧାରଣ ମନସ୍ତତ୍ତ୍ୱ ଦୁନିଆର ସବୁ ମଣିଷଙ୍କର। ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି? ମାଂସ ଦର ଦେଢ଼ ଗୁଣା ବଢାଇ ଦେଇଛି କିନ୍ତୁ କେହି ପ୍ରତିବାଦ କରିବା ତ ଦୂରର କଥା ବରଂ କେମିତି ଶିଘ୍ର କିଣିକି ଘରକୁ ଯିବେ ସେଥିପାଇଁ ବ୍ଯସ୍ତ। ହଉ ହେଲା ମୋର ବା କଣ ଭାସିଯାଉଛି? କିନ୍ତୁ ଟିକି ମିଆଁର ରୁକ୍ଷ ବ୍ଯବହାର ମୋତେ କଷ୍ଟ ଦେଲା। ଯାହା ତ ଚଢା ଦାମ୍ ନେଲା, ଠିକ୍ ଭାବେ ତ ସେଇ କଥାଟା କହି ପାରି ଥାଆନ୍ତା! ଗରାଖ ପାଖରେ ନମ୍ରତା ପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ତାର ଏତେ କୁଣ୍ଠା କାହିଁକି? ମାଂସ ଖାଇବା ପଛେ ଛାଡ଼ି ଦେବି, ଆଉ ତା ଦୋକାନ ଦୁଆର ମାଡ଼ିବି ନାହିଁ କି କାହାରିକୁ ବି ତା ଠାରୁ କିଣିବାକୁ କହିବି ନାହିଁ। 


ଏମିତି ଭାବୁ ଭାବୁ ମୋ ନଜର ଯାଇ ପଡିଲା ପାଖରେ ସାଇକେଲଟିରେ ନେଉଟିଆ ଶାଗ ବିକୁଥିବା ଆଠ ଦଶ ବର୍ଷର ପିଲାଟି ଉପରେ। ହାଫପ୍ୟାଣ୍ଟ୍ ହାଫସାର୍ଟ୍ ପିନ୍ଧି ଥାଏ, ନୁଖୁରା ମୁଣ୍ଡ। ବଡ଼ ବିକଳ ହୋଇ ଡାକୁଥାଏ ଲୋକଙ୍କୁ ଶାଗ କିଣିବାକୁ। ହେଲେ କେହି ତା' ଆଡ଼କୁ ଚାହୁଁ ବି ନଥାନ୍ତି ରବିବାର ହୋଇଥିବା ହେତୁ। କିଣିବା ତ ଦୂରର କଥା। ଆମର ରବିବାରଦିନ ଆକଣ୍ଠ ଆମିଷ ଭକ୍ଷଣ ବି ଏକ ବିତର୍କିତ ପ୍ରସଙ୍ଗ। ହେଲେ ଏକଥା ମୁଁ କହିଲେ କିଏ ଶୁଣିବ ବା କାହିଁକି? ଆମ ଘରଣୀ ତ ଶୁଣିବାକୁ ନାରାଜ୍! ଅଜବ ଯୁକ୍ତି ଉପସ୍ଥାପନ କରାଯିବ ସମୟ ସାପେକ୍ଷ ରୋଷେଇକୁ ନେଇ। ଏହି ଯୁକ୍ତି ତର୍କରେ ମଣିଷ ନପଡ଼ିବା ହିଁ ଭଲ! 


ମୁଁ ସେଇ ପିଲାଟିର ପାଖକୁ ଯାଇ କଅଁଳେଇ କରି ପଚାରିଲି, "ଶାଗ ବିଡ଼ାକ କେତେ?" 


: ଦଶ ଟଙ୍କା ବାବୁ! 


: ହେଁ! ଏତେ ଟଙ୍କା? ଏ ଗୁଡ଼ାକ ଶାଗ ନା ହୀରା? 


: ନାଇଁ ବାବୁ! ଶାଗ ଆଜ୍ଞା! 


ଖୁବ୍ ନମ୍ର ଏବଂ ଧୀର ଭାବେ କହିଲା ପିଲାଟି। ମୂଲାମୂଲି କରିବା ପାଇଁ ମୋର ସାହସ ବଢ଼ି ଗଲା। ଦୁର୍ବଳ ଲୋକ ଦେଖିଲେ ଆମର ମୂଲେଇବା ଗୁଣଟା ଆପେ ଆପେ ବାହାରି ଆସେ। କାଣୀ ବିରାଡ଼ି କୁଜି ଅସରପା ଉପଖ୍ୟାନ! 


ମୁଁ କହିଲି : ବିଡା ତ ପାଞ୍ଚ ଟଙ୍କା, ତୁ ଦଶ କହୁଚୁ କଣ ପାଇଁ? ଏଇ ଦିନ କେଇଟାରେ ଦି ଗୁଣା ବଢେଇ ଦେଇଛ ଦର ଆଉ। ସମସ୍ତେ ତ ଭାବିଚ କୋଟିପତି ହୋଇଯିବ ରାତାରାତି ... 


: ନାଇଁ ବାବୁ ମାଆ କହିଚି, ଦଶ ଟଙ୍କାରେ ବିକିବାକୁ ବିଡ଼ାଏ। ଆଜକୁ ପନ୍ଦର ସତର ଦିନ ହେଲା ବିକୁଚି ଆଜ୍ଞା... 


: ଦି ବିଡା ନେବି, ଦଶ ଟଙ୍କା ଦେବି। ଚଳିବ ତ? ଯଦି ଦେବୁ ଦେ। ନହେଲେ ମୁଁ ଯାଉଛି... 


: ନାଇଁ ବାବୁ, ପାଞ୍ଚ ଟଙ୍କା ତ ଆମର କିଣା ପଡୁଛି। ଚାଷୀଙ୍କ ଠାରୁ ଆଣୁଚୁ ପାଞ୍ଚ ଟଙ୍କାରେ। ବିକିବୁ କେମିତି ସେତିକିରେ? ଲାଭ ନହେଲେ ନାହିଁ, ମଜୁରୀଟା ତ ଉଠିବ ନା ନାହିଁ? ସାଇକେଲରେ ଗାଁରୁ ବୋହି ବୋହି ଏତେ ଦୂର ଆଣିବା ପରେ ଆମେ ପାଇବୁ କଣ? ଚଳିବୁ କେମିତି ଆଜ୍ଞା? ଆମ କଥା ତ ଟିକେ ଭାବନ୍ତୁ... 


ପିଲାଟିର କଥାରେ ଥିଲା ଅସମ୍ଭବ ଦୃଢ଼ତା! ଅବଶ୍ୟ ତା' ବୟସର ଆଜିକାଲିକା ପିଲାଙ୍କ ପାଇଁ ଏଇଟା କିଛି ନୂଆ କଥା ନହେଲେ ବି ସେଇ ପିଲାଟି ପାଇଁ ଟିକେ ଅଧିକ ମନେ ହେଉଥିଲା ମୋତେ। ତା କଥାରେ ମୋ ମଥା ଘୁରେଇ ଦେଲା ପରି ଲାଗୁଥିଲା। ସେ ଟାଉଟର ଟିକି ମିଆଁକୁ ତ କିଛି କହି ନ ପାରି କାନମୁଣ୍ଡା ଆଉଁସି ଆଉଁସି ଆସିଲି। ଆଉ ଏଠି ଏଇ ମେଞ୍ଚଡ ଟୋକାଟା ବି ମୋତେ ହେଙ୍କଡ ଦେଖାଉଛି। ସତରେ ଏବେ ବେଳ କାଳ ଖରାପ ଚାଲିଛି! କାହାକୁ ବା କଣ କହିବ କୁହ? କେଜାଣି କାହିଁକି ପିଲାଟିର କଥା ମୋତେ ଭାରି ନିଜର ନିଜର ଲାଗିଲା। ହୃଦୟକୁ ମୋର ଛୁଇଁ ଯାଇଥିଲା ତାର ସେଇ କଥା କେଇ ପଦ। ନିର୍ଭିକ ନିଡ଼ର ନିଶଙ୍କ ଭାବରେ ରୋକ୍ ଠୋକ୍ ଉତ୍ତର।


ମନେ ପଡିଗଲା ମୋର ପିଲାଦିନର କଥା। ମୋ ସ୍ବର୍ଗବାସୀ ଅଜାଙ୍କର କଥା! ଉଚ୍ଚ ପଦାଧିକାରୀ ହୋଇଥିଲେ ମଧ୍ୟ ଅଜାଙ୍କର ନିୟମିତ ଖାଦ୍ୟରେ ବିଭିନ୍ନ କିସମର ଶାଗ ବହୁତ ପସନ୍ଦ। ଯେବେ ମୁଁ ମାମୁଁଘରକୁ ଯାଏ ଖରାଛୁଟିରେ, ଅଜାଙ୍କ ସହିତ ମିଶି ବଜାରକୁ ବାହାରେ। ରାସ୍ତା ସାରା ଚାଲି ଚାଲି ଯିବା ସମୟରେ ଦେଶ ବିଦେଶର ଖବର ଉପରେ ଆଲୋଚନା ଚାଲେ ଆମର। କେତେ ବେଳେ ବଜାରରେ ପହଞ୍ଚି ଯାଉ ଜଣା ପଡେ ନାହିଁ। ବଜାରରେ ପହଞ୍ଚିବା ପରେ ମୁଁ ଦେଖେ ଯେ, ଅଜା ପ୍ରଥମେ ଶାଗ ହିଁ କିଣନ୍ତି। ଶାଗ ବିକାଳିକୁ ତାର ଉଚିତ୍ ଦାମ୍ ଦିଅନ୍ତି। କେବେ ବି ମୂଲଚାଲ କରନ୍ତି ନାହିଁ କି ଆଗୁଆ ଦାମ୍ ବି ପଚାରନ୍ତି ନାହିଁ। ସେ ଯାହା ଦାମ୍ କହେ ଅଜା ତାକୁ ଦେଇ ଦିଅନ୍ତି ବିନା ବିଚାରରେ।


ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରେ, "ଆଛା ଅଜା! ଅନ୍ୟ ସବୁ ପ୍ରକାର ପରିବା କିଣିବା ବେଳେ ତ ଦାମ୍ ପଚାରୁଛ, ମୂଲ ବି କରୁଛ। କିନ୍ତୁ ଶାଗ କିଣିବା ପାଇଁ ତ ଏମିତି କିଛି କରୁନାହଁ, କାହିଁକି?" 


ମୋ ଜିଜ୍ଞାସାର ଉତ୍ତରରେ ଅଜା କହନ୍ତି, "ଶାଗ ପାଇଁ କୃଷକ ଯେତେ ପରିଶ୍ରମ କରେ ତାହା ତୁଳନାରେ ପ୍ରାପ୍ଯ ତାକୁ ମିଳେନି। ଏକରେ ତ ପୁଷ୍ଟିକର ଶାଗର ଦାମ୍ ଅନ୍ୟ ପରିବାପତ୍ର ଦାମ୍ ତୁଳନାରେ ଢେର୍ କମ୍। ପୁଣି ଆମେ ଯଦି ମୂଲେଇ କରି କମ୍ ପଇସା ଦେବା ସେ ପୁଣି ବଞ୍ଚିବ କେମିତି? ତା' ପିଲାମାନେ ଖାଇବେ କଣ? ପାଠ ପଢ଼ିବେ କେମିତି? ବଡ଼ ମଣିଷ ହେବେ କେମିତି?" 


ଅଜାଙ୍କ କଥା ସବୁ କାଳରେ ଅକାଟ୍ଯ ଏବଂ ତର୍କ ସଙ୍ଗତ। ଅଯଥା କଥା ଜମାରୁ କହନ୍ତି ନାହିଁ ସେ। ମୁଁ କିଛି କଥା ବୁଝେ ଆଉ କିଛି ବୁଝି ପାରେନି। ପୁଣି ପଚାରିଲେ, ଅଜା କହନ୍ତି,"ବଡ଼ ହେଲେ ଆପେ ଆପେ ବୁଝି ଯିବୁ!"


ଅଚାନକ ମୋର ହୃଦୟ ଆର୍ଦ୍ର ହୋଇଗଲା ଯୁଗପତ୍ ଅଜାଙ୍କ କଥା ଭାବି ଓ ପିଲାଟିର ଦୃଢ଼ତାକୁ ଦେଖି। କୋଡ଼ିଏ ଟଙ୍କାର ଖଡ଼ ଖଡ଼ିଆ ନୋଟ୍ ଖଣ୍ଡେ ପିଲାଟିର ହାତକୁ ବଢାଇ ଦେଇ କହିଲି, "ବିଡ଼ାଏ ଶାଗ ଦେ ତ... " 


ଏହା ଭିତରେ ତାର ମାଆ ଆସି ସେଠାରେ ପହଞ୍ଚି ଯାଇଥିଲା। ସେ କହିଲା," ବିଡ଼ାଏ କାହିଁକି ବାବୁ? ଭଲ ସଜ ଶାଗ, ଦି' ବିଡା ନିଅନ୍ତୁ ନା..."


: ନାଇଁ, ବିଡ଼ାଏ ଯଥେଷ୍ଟ ମୋର। ଟଙ୍କାଟା ତମେ ରଖ। 


ମୋର ଏଇ କଥା ଦି' ପଦ ଖୁବ୍ ବାଧିଲା ସ୍ବାଭିମାନୀ ମାଆଟିକୁ। ବିଡ଼ାଏ ଶାଗ ସହିତ ଫେରାଇ ଦେଲା ଦଶ ଟଙ୍କିଆ ନୋଟ୍ ଖଣ୍ଡେ ମୋ ହାତକୁ ବିନା କୌଣସି ବାକ୍ଯ ବିନିମୟରେ। ମୁଁ ନିର୍ବାକ୍ ହୋଇ ଅପଲକ ନୟନରେ ଚାହିଁ ରହିଥିଲି ପ୍ରଚଣ୍ଡ ସ୍ବାଭିମାନୀ ମେହନତିଆ ମାଆପୁଅ ଦୁହିଁଙ୍କୁ। ଅଜାଙ୍କ ସହ ବଜାର ବୁଲା ସମୟର ସେଇ କଥାଟା ମନେ ମନେ ହେଜୁଥିଲି ଯାହା... 


Rate this content
Log in